Unknown

 

 

 

 

 

 

 

 

 

 

 

ସୂର୍ଯ୍ୟାସ୍ତ

ଲକ୍ଷ୍ମୀନାରାୟଣ ମହାନ୍ତି

 

 

 

 

 

 

 

 

 

 

 

 

ଜନପ୍ରିୟ ଔପନ୍ୟାସିକ

ଶ୍ରୀଯୁକ୍ତ ଲକ୍ଷ୍ମୀଧର ନାୟକଙ୍କୁ

 

ସୂଚୀପତ୍ର

 

ସୂର୍ଯ୍ୟାସ୍ତ

ଓସାମୁ ଦାଜାଇ

ରେଖା

ସୁନ୍ଦରୀ ଆସାନଦାସ ଉତ୍ତମଚାନ୍ଦାନୀ

ଦୀର୍ଘ ଯାତ୍ରା

ଜୋହାନେସ ଭିଲହେମ ଜେନସେନ

Image

 

ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ପ୍ରକାଶିତ ପୁସ୍ତକାବଳୀ

॥ ଉପନ୍ୟାସ ॥

 

ପିଶାଚ / ହାତକଡ଼ି / ମାୟାପୁରୀ / ଚକ୍ରବ୍ୟୁହ / ହରଣଚାଳ / ପ୍ରଥମ ପ୍ରେମ / କପଟ ପାଶା ॥

 

ମୌଳିକ ଗଳ୍ପଗୁଚ୍ଛ ॥

 

ନୈବେଦ୍ୟ / ଓଢ଼ଣା ଖୋଲ / ଉଡ଼ନ୍ତା ବୋମା / ମଳୟ ବହିଲାଣି / ଗୋଟିଏ ସନ୍ଧ୍ୟା-/ ଅନ୍ଧ ଦେଶକୁ ଗଲି / ଦେହ ନିଲାମ ହେଉଛି / ଗରଳେ କଲୁ ଅଧିକାରୀ ॥

 

॥ ଅନୁବାଦ ॥

 

ଅଚ୍ଛବ / ସଙ୍ଗମ / ବତିଘର / ବନଚାରୀ / ନଗ୍ନ ସତ୍ୟ / କାଳାନ୍ତକ / ଅଙ୍ଗୀକାର / ରମଣୀ ମନ / ମା ଓ ପୁଅ / ବାତୋୟାଲା ଦୁଇଟି ନାରୀ / ଆନନ୍ଦ କୁମାର / ଖୁନ୍ ପରେ ଖୁନ୍ / ଆନା କାରେନିନା / ଅପରଚିତାର ପତ୍ର / ବିଦାୟ, ଗୁରୁଦେବ / ଦେଶ ବିଦେଶର କାହାଣୀ / ଦୁଇଟି ନଗରୀର କାହାଣୀ / ବିବେକାନନ୍ଦ: ଜୀବନ ଓ ବାଣୀ / ନୋବେଲ ଲରିୟେଟଙ୍କ ସରସ ଗପ / ଆମେରିକାର ଶ୍ରେଷ୍ଠ ଗଳ୍ପ / ଇଂଲଣ୍ଡର ଶ୍ରେଷ୍ଠ ଗଳ୍ପ / ସୋଭିୟେଟର ଶ୍ରେଷ୍ଠ ଗଳ୍ପ / ଫ୍ରାନ୍ସର ଶ୍ରେଷ୍ଠ ଗଳ୍ପ / ଜର୍ମାନୀର ଶ୍ରେଷ୍ଠ ଗଳ୍ପ / ଇତାଲୀର ଶ୍ରେଷ୍ଠ ଗଳ୍ପ / ୟୁରୋପର ଶ୍ରେଷ୍ଠ ଗଳ୍ପ / ଅପଚ୍ଛାୟା ॥

 

॥ ପୃଥିବୀର ଶ୍ରେଷ୍ଠ ଉପନ୍ୟାସ ॥

 

କାଦମ୍ବରୀ / ଆନନ୍ଦ ମଠ / ଜନନୀ / ଅଦୃଶ୍ୟ ମାନବ । ବସୁଧା । ଯୁଦ୍ଧ ଓ ଶାନ୍ତି । ସୂର୍ଯ୍ୟାସ୍ତ । ଲଳିତା । ସିଦ୍ଧାର୍ଥ । ଦୁରନ୍ତ ଅଭିଳାଷ ॥

 

॥ ପ୍ରାପ୍ତିସ୍ଥାନ ॥

 

ଜେ. ମହାପାତ୍ର ଏଣ୍ଡ କୋଃ., କଟକ–୨

Image

 

ସପ୍ତମ କୋଠରୀ

 

“ସୂର୍ଯ୍ୟୋଦୟର ଦେଶରେ” “ସୂର୍ଯ୍ୟାସ୍ତ” ! ବଡ଼ ଅଜବ କଥା ତ । ନା, ନା, ଦିଗ୍‍ବଳୟରେ ସୂର୍ଯ୍ୟୋଦୟ କି ସୂର୍ଯ୍ୟାସ୍ତ ନୁହେଁ । “ସୂର୍ଯ୍ୟୋଦୟର ଦେଶ” ଜାପାନର ସାହିତ୍ୟରେ ଏକ ଅବିସ୍ମରଣୀୟ କୃତି ହେଉଛି ଯଶସ୍ଵୀ କଥାକାର ଓସାମୁ ଦାଜାଇଙ୍କର ଉପନ୍ୟାସ “ସୂର୍ଯ୍ୟାସ୍ତ”–ଜଟିଳତା ନାହିଁ, ବେଗବାନ କାବ୍ୟମୟ ଭାଷାରେ ରଚିତ ଏକ ମର୍ମସ୍ପର୍ଶୀ ପାରିବାରିକ କାହାଣୀ ପାରିପାର୍ଶ୍ଵିକ ଅବସ୍ଥାକୁ କେନ୍ଦ୍ର କରି । ଦ୍ଵିତୀୟ ମହାଯୁଦ୍ଧ ପରେ ଜାପାନର ସାମାଜିକ ଜୀବନରେ ପୁରୁଣା ରୀତିନୀତି ଓ ଆଦର୍ଶ ଧୀରେ ଧୀରେ ଭାଙ୍ଗିପଡ଼ିଲା । ବିଧ୍ଵଂସୀ ଯୁଦ୍ଧର ପ୍ରତିକ୍ରିୟା ତଥା ପାଶ୍ଚାତ୍ୟ ସଂସ୍କୃତିର କ୍ରମ ବର୍ଦ୍ଧମାନ ପ୍ରଭାବର ଫଳରେ ଜାପାନର ଦୈନନ୍ଦିନ ଜୀବନର ରୂପ କିଛି ବଦଳିଗଲା । ଜାପାନର ପୁରୁଣା ମୂଳଦୁଆ ଟଳିବାକୁ ଲାଗିଲା ସିନା, ମାତ୍ର ନୂତନ ଶକ୍ତିର ଆଶ୍ରୟ ଆଉ ପାଇଲା ନାହିଁ । ଅଭିଜାତ ପରିବାରର ବୁନିଆଦିରେ ଅବକ୍ଷୟ ଦେଖାଦେଲା । ସେହିପରି ଏକ ବୁନିଆଦି ପରିବାରର ବେଦନା ବିଧୁର ବିଳାପର ସ୍ୱର ଔପନ୍ୟାସିକ ଦାଜାଇଙ୍କର ଯୁଗାନ୍ତକାରୀ ସୃଷ୍ଟିରେ ଅନୁରଣିତ ହୁଏ ।

ସମଗ୍ର ଏସିଆରେ ଜାପାନହିଁ ପାଶ୍ଚାତ୍ୟ ସହିତ ସର୍ବାପେକ୍ଷା ଘନିଷ୍ଠଭାବରେ ସମ୍ପୃକ୍ତ–ରାଜନୈତିକ, ବାଣିଜ୍ୟିକ ତଥା ସାଂସ୍କୃତିକ କ୍ଷେତ୍ରରେ । ପୁସ୍ତକ ଦୋକାନଗୁଡ଼ିକ ଯାବତୀୟ ୟୁରୋପୀୟ ସାହିତ୍ୟର ଅନୁବାଦରେ ଭରପୂର । ଜାପାନୀ ତରୁଣୀ କୌଳିକ କିମନୋର ପରିଧାନ ବର୍ଜନ କରିଛି ଦୀର୍ଘ ପୋଷାକର ଆଡ଼ମ୍ବର, ବହିର୍ବାସ ଓ ଅନ୍ତର୍ବାସର ବାହୁଲ୍ୟରୁ ମୁକ୍ତି ପାଇବା ସକାଶେ । କଫି ଦୋକାନରେ ବିଶ୍ଵବିଖ୍ୟାତ ବିଦେଶୀ ସଙ୍ଗୀତଜ୍ଞଙ୍କର ରେକର୍ଡ଼ ସବୁ ବାଜୁଛି, ଆଉ କାନ୍ଥରେ ଚିତ୍ର ଶିଳ୍ପୀମାନଙ୍କର ଉତ୍କୃଷ୍ଟ ପ୍ରତିରୂପର କାଲେଣ୍ଡରସବୁ ଝୁଲୁଛି । ରୁଚି, ସୁବିଧା ଓ ଅର୍ଥନୈତିକ ଦୃଷ୍ଟିରୁ ପ୍ରତିଦିନ ଜାପାନରେ ନୈତିକ ଓ ଆଧ୍ୟାତ୍ମିକ ଜୀବନର ପରିବର୍ତ୍ତନ ଘଟୁଛି । ପାରିବାରିକ ଜୀବନ ଧାରାରେ ମଧ୍ୟ ଅବକ୍ଷୟ ଦେଖା ଦେଇଛି, ଧର୍ମରେ ପ୍ରାୟ ଯଥାର୍ଥ ଆଗ୍ରହ ନାହିଁ-

“ସୂର୍ଯ୍ୟାସ୍ତ”ରେ ବର୍ଣ୍ଣିତ ଚରିତ୍ରଗୁଡ଼ିକ ବହୁ ଦିଗରୁ ଅସାଧାରଣ ହେଲେ ସୁଦ୍ଧା ପ୍ରତ୍ୟେକେ ହେଉଛନ୍ତି ଆଧୁନିକ ଜାପାନର ସାର୍ଥକ ପ୍ରତିନିଧି । କାହାଣୀର ବର୍ଣ୍ଣନାକାରିଣୀ ସ୍ଵାମୀ ପରିତ୍ୟକ୍ତା ତରୁଣୀ, ତାହାର ମାଆ ଓ ଭାଇ ପାରିବାରିକ କ୍ଷେତ୍ରରେ ନିଃସଙ୍ଗ ଜୀବନଯାପନ କରନ୍ତି । ସେଥିପାଇଁ ଲେଖକ ଦାଜାଇ ତ୍ରି-ମାତ୍ରିକ ପ୍ରଭାବ ସୃଷ୍ଟିର ଉଦ୍ଦେଶ୍ୟରେ ପାଶ୍ଚାତ୍ ନିରୀକ୍ଷଣ ପଦ୍ଧତି ଅବଲମ୍ବନ କରିଛନ୍ତି । ତାହାରି ଭିତରେ ରହିଛି ଦିନଲିପି, ଶଠ ଓ ସ୍ଵୀକାରୋକ୍ତି । ଏହା ଅବଶ୍ୟ ଅନସ୍ଵୀକାର୍ଯ୍ୟ ଯେ ଉପନ୍ୟାସଟି ଖାଣ୍ଟି ଆଧୁନିକ ଜାପାନୀ । ଆଧୁନିକ ଭାବଧାରା ଜାପାନୀ ଅଭିଜାତ ସମ୍ପ୍ରଦାୟକୁ କିପରି ଭାବରେ ବିନାଶ କରିଛି, “ସୂର୍ଯ୍ୟାସ୍ତ” ହେଉଛି ତାହାରି ଏକ ବଳିଷ୍ଠ ଚିତ୍ରଣ । ୧୯୪୭ ମସିହାରେ ପ୍ରଥମେ ପ୍ରକାଶିତ ହୁଅନ୍ତେ ଉପନ୍ୟାସଟି ସାହିତ୍ୟିକ ଜଗତରେ ଚହଳ ପକାଇଦେଲା । ଫଳରେ କ୍ଷୟିଷ୍ଣୁ ଅଭିଜାତ ତନ୍ତ୍ରକୁ ବୁଝାଇବା ପାଇଁ “ସୂର୍ଯ୍ୟାସ୍ତର ମଣିଷ” କଥାଟି ପ୍ରବଚନରେ ସାମିଲ ହେଲା, ଏପରିକି ଅଭିଧାନରେ ମଧ୍ୟ ତାହା ସ୍ଥାନ ପାଇଲା । “ସୂର୍ଯ୍ୟାସ୍ତ” ପୂର୍ବରୁ ତାଙ୍କର ଶାଣିତ ବଡ଼ ଗପ “ଭିଲନର ସ୍ତ୍ରୀ”, ୧୯୪୮ରେ ଦ୍ୱିତୀୟ ଉପନ୍ୟାସ “ବାତିଲ” ଏବଂ ତା’ପରେ “ଗୁଡ଼ ବାଇ” ଇଂରାଜୀ ନାମରେ ଅନ୍ୟତମ ଉପନ୍ୟାସ ପ୍ରକାଶିତ ହେଲା-। ତାଙ୍କର ଶେଷ ଉପନ୍ୟାସ “ଆଉ ମଣିଷ ନୁହେଁ” କେତେକ ପରିମାଣରେ ଆତ୍ମଜୀବନୀ ମୂଳକ-

ଔପନ୍ୟାସିକ ଦାଜାଇ ଖାଲି କଥାକାର ନୁହନ୍ତି, ସେ ମଧ୍ୟ କାହାଣୀ ସହିତ ବ୍ୟକ୍ତିଗତ ଭାବରେ ଜଡ଼ିତ । ଛାତ୍ର ଜୀବନରେ ସେ ଅତ୍ୟନ୍ତ ମେଧାବୀ ଥିଲେ । ଅତି ଅଳ୍ପ ବୟସରୁ ତାଙ୍କର ସାହିତ୍ୟ ପ୍ରତିଭାର ପରିଚୟ ମିଳିଥିଲା । ନିଜର ସ୍ୱଭାବରେ କିଛି ପରିମାଣରେ ଉତ୍କେନ୍ଦ୍ରିକତା ଥିବାରୁ, ତାହା ତାଙ୍କର ଭବିଷ୍ୟତକୁ ଅନ୍ଧକାରମୟ କରିଦେଲା । କୋଡ଼ିଏ ବର୍ଷ ନ ପୁରୁଣୁ ସେ ଦୁଇଥର ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥିଲେ । ଟୋକିଓ ବିଶ୍ଵବିଦ୍ୟାଳୟର ଫରାସୀ ସାହିତ୍ୟ ବିଭାଗରେ ନାମ ଲେଖାଇ, ପାଞ୍ଚ ବର୍ଷ ପରେ ସେ ଡିଗ୍ରୀ ନ ନେଇ ଚାଲିଯାଇଥିଲେ । କାରଣ ସେ ଏହି ସମୟ ଭିତରେ ଗୋଟିଏ ହେଲେ ବକ୍ତୃତା ଶୁଣି ନ ଥିଲେ, ବରଂ ସାହିତ୍ୟିକ ଓ ବାମପନ୍ଥୀ ରାଜନୈତିକ ଆନ୍ଦୋଳନର କାର୍ଯ୍ୟରେ ସବୁ ସମୟ ବିତାଇଥିଲେ । ୧୯୩୫ ମସିହାରେ ଯେତେବେଳେ ତାଙ୍କର ଗପସବୁ ପାଠକଙ୍କର ଦୃଷ୍ଟି ଆକର୍ଷଣ କଲା, ଠିକ୍ ସେତିକିବେଳେ ସେ ଆଉଥରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଗୋଟିଏ ଖାମ୍‍ ଭିତରେ “ଅଧୋଗାମୀ ବର୍ଷଗୁଡ଼ିକ” ନାମ ଦେଇ ନିଜର ମୃତ୍ୟୁ ପରେ ପ୍ରକାଶିତ ହେବା ନିମନ୍ତେ ସେ ଚଉଦଟି ଗପ ରଖିଦେଇ ଯାଇଥିଲେ । ଇତିମଧ୍ୟରେ ସେ ମର୍ଫିଆର ନିଶା ଧରିଥିଲେ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାହାଙ୍କୁ ଡାକ୍ତରଖାନା ଓ ଘରେ ଦୁଇ ବର୍ଷ ଚିକିତ୍ସାଧୀନ ରହିବାକୁ ପଡ଼ିଥିଲା । ୧୯୩୬ ମସିହାରେ ସେ ପୁଣି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, ସାଙ୍ଗରେ ଥିଲା ତାଙ୍କର ପୁରୁଣା ରକ୍ଷିତା । ପର ବର୍ଷ ସେ ବିବାହ କରିଥିଲେ । ଉଚ୍ଛୃଙ୍ଖଳତା, ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରା ଯୋଗୁଁ ତାଙ୍କର ଶରୀର ଭାଙ୍ଗିପଡ଼ିଲା । ଯୁଦ୍ଧ ଆଗରୁ ସେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିଲେ, ମାତ୍ର ମଦ୍ୟପାନଦ୍ଵାରା ସେ ଏଥିରୁ ମୁକ୍ତି ପାଇଥିଲେ ବୋଲି କହୁଥିଲେ । ପୁଣି ତାହଙ୍କଠାରେ ସେହି ରୋଗର ଲକ୍ଷଣ ଦେଖାଦେଲା । ଶେଷ ଅବଧି ୧୯୪୮ ମସିହା ଜୁନ ମାସରେ ସେ ଟୋକିଓରେ ତାମାଗାଓୟା ସରୋବରକୁ ଡେଇଁପଡ଼ି ଆତ୍ମହତ୍ୟା କଲେ ।

ଦାଜାଇଙ୍କ ରଚନାରେ ବାସ୍ତବିକ ଗୋଟାଏ ସମ୍ପୂର୍ଣ୍ଣ ନିଜସ୍ଵ ଭଙ୍ଗୀ ଅଛି । ସେ କେବେ କେବେ ଶେଷ ମନ୍ତବ୍ୟକୁ ପ୍ରଥମେ ଉଦ୍ଧୃତି ଦେଇ ଆରମ୍ଭ କରନ୍ତି ଏବଂ ପରେ ସେହି ବିଶେଷ ଘଟଣାକୁ ବିଶଦ ଭାବରେ ବର୍ଣ୍ଣନା କରନ୍ତି । ତାଙ୍କର ଅପର ଲକ୍ଷଣୀୟ ବିଶେଷତ୍ଵ ହେଉଛି, ଖୁବ୍ ବଡ଼ ଘଟଣାର ପୂର୍ବାଭାଷ ରୂପେ ସେ ଅତି ସାମାନ୍ୟ ଘଟଣାର ବିସ୍ତୃତ ବିବରଣୀ ଦିଅନ୍ତି । ଏହି ପଦ୍ଧତି ସେ ଜାପାନୀ କବିତାରୁ ଆହରଣ କରିଛନ୍ତି, ବିଶେଷତଃ ଅତି ଛୋଟ କବିତା ହାଇକୁରୁ, ଯାହାର ପ୍ରତ୍ୟେକ ଶବ୍ଦ ପୂର୍ଣ୍ଣ କବିତାର ଅବିଚ୍ଛେଦ୍ୟ ଅଙ୍ଗ ।

ସମ ସାମୟିକ ଜାପାନୀ ଜୀବନରେ ଅନ୍ୟତମ ଶ୍ରେଷ୍ଠ ଭାଷ୍ୟକାର ହେଉଛନ୍ତି ଦାଜାଇ । ସ୍ୱଳ୍ପାୟୁ ହେଲେହେଁ ସେ ଏହି ସିଦ୍ଧି ଅର୍ଜନ କରିଛନ୍ତି । ତାଙ୍କର ମନ ବିଚିତ୍ର ପଥରେ ସଞ୍ଚରଣ କରେ-। ଅଲୌକିକ ଦକ୍ଷତା ସହକାରେ ସେ ବିବିଧ ସ୍ଥାନ ଓ ପରିବେଶର ଅବତାରଣା କରିଛନ୍ତି-। “ସୂର୍ଯ୍ୟାସ୍ତ”ର ବିଷୟ ଗତ ସୀମାବଦ୍ଧତା ଓ କେତୋଟି ଚରିତ୍ରର ଉତ୍କେନ୍ଦ୍ରତା ସତ୍ତ୍ୱେ, ଜୀବନବୋଧର ଗଭୀରତାରେ ଏହି ଅକ୍ଷୟ ସାହିତ୍ୟ କୀର୍ତ୍ତି ସମଗ୍ର ଭାବରେ ଜାପାନୀ ଜାତିକୁ ଉପଲବ୍ଧି କରିବାକୁ ଏବଂ ବିଭିନ୍ନ ଦିଗରୁ ନିଜକୁ ଚିହ୍ନିବାକୁ ସାହାଯ୍ୟ କରିଛି । ସେଥିପାଇଁ ଏହି ଉପନ୍ୟାସଟି ସକଳ ଶ୍ରେଣୀର ଜାପାନୀଙ୍କ ନିକଟରେ ଏତେ ଜନପ୍ରିୟ ଓ ହୃଦୟଗ୍ରାହୀ ହୋଇଛି । ବିଶ୍ଵସାହିତ୍ୟରେ ମଧ୍ୟ ଏପରି ଚମତ୍କାର ମାର୍ଜିତ ଓ ଶକ୍ତିଶାଳୀ ଉପନ୍ୟାସ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛି ।

ହିରୋସିମା ଓ ନାଗାସାକିର ଭଗ୍ନସ୍ତୂପ ଭିତରୁ ଯେଉଁ ଜାପାନୀ ଫୁଲର କଢ଼ ଧୀରେ ଧୀରେ ପାଖୁଡ଼ା ମେଲିଲା, ଆଧୁନିକ ଜାପାନୀ ସାହତ୍ୟର ଇତିହାସରେ ତାହାକୁ ସମକାଳୀନ ଯୁଗ କୁହାଯାଏ । ୧୯୪୫ ମସିହା ଅଗଷ୍ଟ ୧୫ ତାରିଖରେ ମାକ୍ଆର୍ଥାର କର୍ତ୍ତୃକ ଯୁଦ୍ଧ ବିରତି ଘୋଷିତ ହୁଅନ୍ତେ, ଜାପାନର ସାଧାରଣ ନାଗରିକ ସ୍ୱସ୍ତିର ନିଃଶ୍ୱାସ ଛାଡ଼ିଲେ । ବିଗତ ପନ୍ଦର ବର୍ଷ ଭିତରେ ଜାପାନୀ ସାହିତ୍ୟରେ ଧ୍ଵଂସ, ଦୈନ୍ୟ, ହତାଶା ଓ ହାହାକାର ଛଡ଼ା ଅନ୍ୟକିଛି ନଥିଲା । ସକୁନୋସୁକି ଓଦା, ଓସାମୁ ଦାଜାଇ, ପ୍ରମୁଖ ଲେଖକମାନେ ଏହି ତିମିରାଚ୍ଛନ୍ନ ଅଧ୍ୟାୟକୁ ସାହିତ୍ୟର ମୁକୁରରେ ପ୍ରତିଫଳନର ଚେଷ୍ଟା କଲେ ଶାଣିତ ବିଦ୍ରୂପ, ପ୍ରହସନ ଓ ଆତ୍ମବ୍ୟାଖ୍ୟାନ ମୂଳକ ରଚନାର ମାଧ୍ୟମରେ । ଦାଜାଇଙ୍କ ଉପନ୍ୟାସରେ ଗୋଇଶା ନାରୀମାନଙ୍କର ନୃତ୍ୟର ବର୍ଣ୍ଣନା ନାହିଁ, ଚା’ ଉତ୍ସବର କଥା ନାହିଁ, ଚେରି ଫୁଲ ସକାଶେ ଉଚ୍ଛ୍ୱାସ ନାହିଁ, କି ଫୁଜିୟାମାର ସୌନ୍ଦର୍ଯ୍ୟର ସଂକୀର୍ତ୍ତନ ମଧ୍ୟ ନାହିଁ । ଅଛି କେବଳ ପ୍ରାଚୀନ ଅଭିଜାତ ପରିବାରର ବିସ୍ତୃତ ବର୍ଣ୍ଣନା, ଯୁଦ୍ଧରତ ଜାପାନର ପରିକ୍ରମା, ଆଧୁନିକ ଜାପାନର ଜନ୍ମ ବୃତ୍ତାନ୍ତ, ଆଉ ନବଜାତକର କ୍ରନ୍ଦନ । ଆଧୁନିକ ଜାପାନୀ ସାହିତ୍ୟ ଯେଉଁ ପରିମାଣରେ ଆଧୁନିକ, ତାହାଠାରୁ ଅଧିକ ପରିମାଣରେ ଜାପାନୀ ଏବଂ ଆହୁରି ଅଧିକ ପରିମାଣରେ ସାହିତ୍ୟ ।

ଏହି କୋଠରୀରେ ଆଉ ଦୁଇଟି ବିଶିଷ୍ଟ ଉପନ୍ୟାସ ଅଛି । ଗୋଟିଏ ହେଲା ନୋବେଲ ଲରିୟେଟ ଜୋହାନେସ ଭିଲହେମ ଜେନସେନଙ୍କର “ଦୀର୍ଘ ଯାତ୍ରା”, ଆଉ ଅନ୍ୟଟି ଭାରତବର୍ଷର ସିନ୍ଧୀ ଲେଖିକା ସୁନ୍ଦରୀ ଆସନଦାସ ଉତ୍ତମଚନ୍ଦାନୀଙ୍କର “ରେଖା” । ସମୟ ଅଭାବରୁ ଏମାନଙ୍କ ସମ୍ବନ୍ଧରେ ଆଜି ବିଶଦ ଆଲୋଚନା ହୋଇପାରିଲା ନାହିଁ । ପରେ ଦେଖିବା ସୁବିଧା ହେଲେ ।

ଆଚ୍ଛା, ଚାଲନ୍ତୁ ଆର କୋଠରୀକୁ ।

 

ଚିତାଲାଗି ଅମାବାସ୍ୟା,

ଲକ୍ଷ୍ମୀନାରାୟଣ ମହାନ୍ତି

୨୫, ଶ୍ରାବଣ, ୧୩୭୯

 

(ଅଗଷ୍ଟ ୯, ୧୯୭୨)

 

Image

 

ଓସାମୁ ଦାଜାଇ

Unknown

ସୂର୍ଯ୍ୟାସ୍ତ

 

ଭୋଜନ କକ୍ଷରେ ସକାଳେ ମାଆ ଟିକିଏ ଝୋଳ ପାଟିରେ ଦେଉ ନ ଦେଉଣୁ ଅସ୍ପଷ୍ଟ ଶବ୍ଦ କଲେ । ଝୋଳରେ କିଛି ପଡ଼ିଛି ଭାବି ମୁଁ ପଚାରିଲି–“ବାଳ କି ?”

 

“ନା” । ମାଆ ଚାମୁଚେ ଝୋଳ ପାଟିରେ ଦେଲେ, ଆଉ ଗମ୍ଭୀର ଭାବରେ କହିଲେ, “ଝୋଳଟା ଆଜି ଚମତ୍କାର ହୋଇଛି ।” ସେତକ ସାରି ସାମୁଦ୍ରିକ ଶାଗ ଲଗାଇ ସେ କେତେ ଗୁଣ୍ଡା ଭାତ ଖାଇଲେ । ମୁଁ କିଛି ଭାତ ପ୍ଲେଟରେ ନେଇ ଚପଷ୍ଟିକରେ ଖୁଞ୍ଚି ଖୁଞ୍ଚି ଚକଟିଲି ଏବଂ ଚଢ଼େଇ ଖାଇଲାଭଳି ପାଟି ଭିତରକୁ ଠେଲିଦେଲି । ମାଆ ଖାଇସାରି ଖରାରେ ତତଲା କାନ୍ଥକୁ ଆଉଜି ଠିଆହେଲେ । କିଛିକ୍ଷଣ ଚୁପ୍ ହୋଇ ମୋର ଏମିତିକା ଖାଇବାର ଢଙ୍ଗ ଦେଖି କହିଲେ–“କାଜୁକୋ, ସେମିତି ଖାଆନ୍ତି ନାହିଁ । ସକାଳର ଖାଦ୍ୟଟା ସବୁଠାରୁ ବେଶୀ ତୃପ୍ତିରେ ଖାଇବା ଉଚିତ ।”

 

“ମାଆ, ତୁମର ତୃପ୍ତି ହୁଏ ?”

 

“ମୋ କଥା ଛାଡ଼, ମୁଁ ତ ଏବେ ରୋଗରୁ ଉଠିଛି ।”

 

“କିନ୍ତୁ ମୋର ତ କୌଣସି ରୋଗର କାରଣ ନାହିଁ ।”

 

“ନା, ନା ।” ମ୍ଳାନ ହସି ମାଆ ମୁଣ୍ଡ ହଲାଇଲେ ।

 

ପାଞ୍ଚ ବର୍ଷ ତଳେ ମୁଁ ଫୁସ୍‍ଫୁସ୍‍ର ରୋଗରେ ଶଯ୍ୟାଶାୟୀ ହୋଇଥିଲି । ମାଆଙ୍କର ହାଲି ଅସୁଖଟା ବାସ୍ତବିକ ସ୍ନାୟୁ ଓ ମନ ଉପରେ ଯଥେଷ୍ଟ ଚାପ ପକାଇଛି । ତଥାପି ତାଙ୍କର ଯେତେ ସବୁ ଚିନ୍ତା ମୋରି ଲାଗି !

 

ପରସ୍ପର ଆଖି ଏକ ହୁଅନ୍ତେ ଆମେ ଦୁହେଁ ପୂର୍ଣ୍ଣ ସହାନୁଭୂତି ଅନୁଭବ କଲୁ । ମୁଁ ହସିଦେଲାରୁ ମାଆଙ୍କ ମୁଖରେ ବି ହସ ଫୁଟିଲା । ଛଅ ବର୍ଷ ତଳେ ମୋ ବିବାହ ବିଚ୍ଛେଦର ଘଟଣାଗୁଡ଼ାକ ହଠାତ୍ ଛବିପରି ମୋ ମନ ଭିତରେ ଭାସିଗଲା । ସେ ବି କଅଣ ମୋରିପରି ନିଜ ଅତୀତର କୌଣସି ଅସ୍ୱସ୍ତିକର ଘଟଣାକୁ ମନେପକାଉଥିଲେ ? “ମାଆ, ଏକ୍ଷଣି ତୁମେ ମୋ କଥା ଭାବୁଥିଲ ?”

 

“ନା ।”

 

“ନାଓଜିର କଥା ?”

 

“ବୋଧହୁଏ”–ମୁହୂର୍ତ୍ତେ ଆତ୍ମସମ୍ବରଣ କରି ମଥା ହଲାଇ ମାଆ କହିଲେ ।

 

ବିଶ୍ୱ ବିଦ୍ୟାଳୟରେ ପଢ଼ୁଁ ପଢ଼ୁଁ ମୋ ସାନଭାଇକୁ ଯୁଦ୍ଧର ଡାକରା ଆସିଲା । ଦକ୍ଷିଣ ପ୍ରଶାନ୍ତ ସାଗରର କୌଣସି ଏକ ଦ୍ଵୀପକୁ ତାହାକୁ ପଠାଗଲା । ମାତ୍ର ଯୁଦ୍ଧର ବିରତିଠାରୁ ଏ ଅବଧି ସେ ନିଖୋଜ । ମାଆ ଧରିନେଇଛନ୍ତି ପୁଅ ସାଙ୍ଗରେ ତାଙ୍କର ଏ ଜନ୍ମରେ ଆଉ ଦେଖା ହେବ ନାହିଁ-। ମୋର କିନ୍ତୁ ଦୃଢ଼ବିଶ୍ୱାସ ତାହା ସହିତ ନିଶ୍ଚୟ ପୁଣି ଦେଖା ହେବ ।

 

“ଭାବିଥିଲି ତାହାର ଆଶା ମୁଁ ଛାଡ଼ି ଦେଇଛି । କିନ୍ତୁ ତୋର ଏହି ସୁଆଦିଆ ଝୋଳଟା ତାହାର କଥା ମୋର ମନେପକାଇଦେଲା ।”

 

ପ୍ରାୟ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ କଲା ମାତ୍ରେ ନାଓଜିର ଭୟଙ୍କର ସାହିତ୍ୟ ରୋଗ ଆରମ୍ଭ ହେଲା । ସାହିତ୍ୟର ନାମରେ ସେ ଏକାବେଳେ ରସାତଳେ ଯାଇ ପଡ଼ିଲା । ମାଆଙ୍କ ଦୁଃଖର କଥା ଏକମାତ୍ର ଭଗବାନ ଜାଣନ୍ତି । “ତୁମପରି ହତଭାଗାର ମରଣ ନାହିଁ । ବରଂ ସତ୍, ସୁନ୍ଦର, ବିନୟୀ ଲୋକେ ଆଗେ ମରନ୍ତି ।”

 

ମାଆ ହସିଲେ । “ଅର୍ଥାତ୍ ତୁ ବୋଧହୁଏ ଆଗେ ଚାଲିଯିବୁ ?”

 

“ମୁଁ କାହିଁକି ମରିବି ? ମୁଁ ତ ମନ୍ଦ, କୁତ୍ସିତ । ହସି ଖେଳି ଅଶୀଟା ବର୍ଷ କଟାଇ ଦେବି ।”

 

“ସତେ ? ତାହାହେଲେ ତୋ ମାଆର ପରମାୟୁ ତ ନବେ ବର୍ଷ ?”

 

“ନିଶ୍ଚୟ ।” ମୋ ମାଆ ପରମା ସୁନ୍ଦରୀ । ମୁଁ ତାଙ୍କର ଦୀର୍ଘାୟୁ କାମନା କରେ ।

 

ଚାରି ପାଞ୍ଚ ଦିନ ତଳେ ପଡ଼ାର କେତୁଟା ପିଲା ବଗିଚାର ବାଡ଼ ଭିତରେ ବାର-ତେରଟା ସାପର ଅଣ୍ଡା ଦେଖିଲେ । ବୁଦା କତିରେ ଗୋଛାଏ କାଠିକୁଟା ଗୋଟାଇ ଆଣି ନିଆଁ ଲଗାଇ ତାହା ଭିତରକୁ ଗୋଟାକ ପରେ ଗୋଟାଏ ଅଣ୍ଡା ପକାଇ ଦେଲୁ । ପ୍ରାୟ ଅଧଘଣ୍ଟାକ ପରେ ଦେଖାଗଲା, ଅଣ୍ଡାଗୁଡ଼ିକ ପୋଡ଼ିବାର କିଛି ଲକ୍ଷଣ ଦିଶୁ ନାହିଁ । ମୁଁ ପିଲାମାନଙ୍କୁ ଲଗାଇ ସେଗୁଡ଼ାକୁ ନିଆଁରୁ କାଢ଼ିଆଣି ବଦରି ଗଛ ମୂଳରେ ପୋତିବାର ବ୍ୟବସ୍ଥା କଲି । ସମାଧି ଚିହ୍ନ ବି ଦିଆ ହେଲା । ସବୁ କାମ ସାରି ପିଲାମାନଙ୍କୁ ବିଦା କରିଦେଇ ଚାଲି ଆସିଲି । ମଟର ଲତା ମଞ୍ଚାର ଛାଇରେ ମାଆ ଛିଡ଼ା ହୋଇଥିଲେ । କହିଲେ–“ଏ କି ନିଷ୍ଠୁରତା !”

 

“ଭାବିଥିଲି ବିଷାକ୍ତ ସାପ ଅଣ୍ଡା, କିନ୍ତୁ ପ୍ରକୃତରେ ସେଗୁଡ଼ାକ ଧଣ୍ଡ ସାପର ଅଣ୍ଡା । ଯାହାହେଉ ଭଲକରି ସମାଧି ଦେଇଛି ।”

 

ମାଆଙ୍କ ମନରେ ଅବଶ୍ୟ ସେମିତି କିଛି କୁସଂସ୍କାର ନାହିଁ । କିନ୍ତୁ ଦଶ ବର୍ଷ ତଳେ ଆମର ନିଶିକାତା ଷ୍ଟ୍ରୀଟର ଘରେ ବାବାଙ୍କ ମୃତ୍ୟୁ ପରଠୁଁ ସାପ ସମ୍ବନ୍ଧରେ ମାଆଙ୍କ ମନରେ କେମିତିକା ଗୋଟାଏ ଆତଙ୍କ ଖେଳୁଛି । ବାବାଙ୍କ ମୃତ୍ୟୁ ଶଯ୍ୟା ପାଖରେ ଖଣ୍ଡିଏ କଳା ସୂତା ପଡ଼ିଛି ଭାବି ଉଠାଇବାକୁ ଯାଇ ମାଆ ଦେଖିଲେ ସେଟା ସୂତା ନୁହେଁ, ସାପ । ଘରର ପାଖ ବାରନ୍ଦା ବାଟେ ସାପଟା ସରସର ହୋଇ ବାହାରିଗଲା । କେବଳ ମାଆ ଓ ଓୟାଦା ମାମୁଁଙ୍କ ନଜରରେ ପଡ଼ିଥିଲା । ସେମାନେ ନୀରବ ରହିବାରୁ, ମୁଁ ଓ ନାଓଜି ସାପ ସମ୍ବନ୍ଧରେ କିଛି ଜାଣିପାରିଲୁ ନାହିଁ ।

 

କିନ୍ତୁ ଦଶ ବର୍ଷ ତଳେ ଯେଉଁ ଦିନ ବାବାଙ୍କର ଦେହାନ୍ତ ହେଲା, ସଞ୍ଜବେଳେ ପୋଖରୀ ଆଡ଼ିରେ ବଗିଚାର ଗଛ କେତୁଟାରେ ସାପ ଗୁଡ଼ାଇ ହୋଇଥିବାର ଦେଖିଥିଲି । ଏକ୍ଷଣି ମୋର ବୟସ ଅଣତିରିଶି ବର୍ଷ ହେଲା । ଆଜି ବି ସ୍ପଷ୍ଟ ମନେଅଛି, ବାବାଙ୍କ ଶେଷକୃତ୍ୟ ପାଇଁ ପୋଖରୀ ଆଡ଼ିରେ ଫୁଲ ତୋଳିଲାବେଳେ ଆଜାଲିଆ ବୁଦା ନିକଟରେ ଗଛର ଅଗରେ ଗୋଟାଏ ସାପ ଚଢ଼ିଥିବାର ଦେଖିଲି । ଦେହ ଶିତେଇ ଉଠିଲା । ଆଗେଇ ଯାଇ କେରିୟା ଗୋଲାପରେ ଖଣ୍ଡିଏ ଡାଳ କାଟିଲା ବେଳକୁ ଦେଖିଲି, ସେଠାରେ ବି ସାପଟାଏ । ପ୍ରତି ଗଛର ଡାଳରେ ଓ ବୁଦାରେ ସାପ । ଡରିଗଲି । ମାଆଙ୍କୁ ଏ କଥା କହିଲି । ସେ ଖାଲି ଥରେ ମୁଣ୍ଡ ହଲାଇଲେ । ଗୋଟାଏ ଗଭୀର ଚିନ୍ତାରେ ସେ ମଗ୍ନ ଥିଲେ । ତେବେ ଏହା ଠିକ୍ ଯେ ଏହି ଦୁଇଟି ଘଟଣା ପରଠୁଁ ସାପ ପ୍ରତି ମାଆଙ୍କ ମନରେ ଉଦ୍ବେଗ, ଆତଙ୍କ ଓ ଆଶଙ୍କା ବସା ବାନ୍ଧିଲା ।

 

ସେଦିନ ସକାଳଟା ଭାରି ସୁନ୍ଦର ସ୍ନିଗ‍୍ଧ ଥିଲା । ରୋଷେଇ ସାରି ଖଣ୍ଡିଏ ବେତ ଚଉକି ଧରି ବଗିଚାରେ ପାଦ ଦେଲା ମାତ୍ରେ ବୁଦା କତିରେ ଗୋଟାଏ ସାପ ଉପରେ ମୋର ନଜର ପଡ଼ିଲା । ଈଷତ୍ ବିତୃଷ୍ଣାରେ ଚଉକିଟା ବାରନ୍ଦାକୁ ଟାଣିନେଇ ପଶମବୁଣା ସରଞ୍ଜାମ ଧରି ବସିଲି । ଅପରାହ୍ନରେ ବଗିଚାର ସେ ପଟରେ ଲାଇବ୍ରେରୀରୁ ଖଣ୍ଡିଏ ବହି ଆଣିଲାବେଳେ ଦେଖିଲି, ସେହି ସାପଟା ପରମ ନିଶ୍ଚିନ୍ତରେ ପଡ଼ିଆ ଟପି ଜଙ୍ଗଲି ଗୋଲାପ ବୁଦାର ଛାଇରେ ମୁଣ୍ଡ ଟେକି ଅଗ୍ନି-ଶିଖାପରି ଭୟଙ୍କର ଜିଭଟା ଲହଲହ କଲା । ସଞ୍ଜବେଳେ ମାଆଙ୍କ ସାଙ୍ଗରେ ଚାହା ପାନ ପାଇଁ ବସିଛି, ବଗିଚାରେ ପଥର ସିଡ଼ିର ତୃତୀୟ ସୋପାନରେ ପୁଣି ସେହି ସାପଟି ସନ୍ତର୍ପଣରେ ଆତ୍ମପ୍ରକାଶ କଲା ।

 

“ସେହି ସାପଟା କି ?” କହୁଁ କହୁଁ ମାଆ ମୋ ପାଖକୁ ଆସି ମୋ ହାତ ଧରି ଭୟରେ ଥରିବାକୁ ଲାଗିଲେ ।

 

ମୁଁ ପଚାରିଲି–‘‘ମାନେ ସେହି ଅଣ୍ଡାଗୁଡ଼ାକର ମାଆ ?”

 

“ହଁ, ହଁ”–ଅତି କଷ୍ଟରେ ମାଆ ଜବାବ ଦେଲେ ।

 

ନିଃଶବ୍ଦରେ ଦମ୍‍ ବନ୍ଦ କରି ଆମେ ପରସ୍ପର ହାତ ଧରି ଠିଆହେଲୁ । ସାପଟା ଥରେ ପଥର ଚାରିପଟେ ବୁଲି ଦୁର୍ବଳ ଭାବରେ ସିଡ଼ି ଟପି କାନାର ବୁଦା ଭିତରକୁ ଚାଲିଗଲା । ଫୁସ୍‍ଫୁସ୍ କରି କହିଲି–“ସକାଳୁ ସେଟା ବଗିଚା ଭିତରେ ଘୂରିବୁଲୁଛି ।”

 

ଦୀର୍ଘଶ୍ଵାସ ଛାଡ଼ି ମାଆ ଚଉକିରେ କ୍ଳାନ୍ତ ଭାବରେ ବସି ହତାଶ ସ୍ଵରରେ କହିଲେ–“ବୋଧହୁଏ ବିଚାରୀ ତାହାର ଅଣ୍ଡାଗୁଡ଼ାକ ଖୋଜୁଛି ।”

 

ଅସ୍ତମାମୀ ସୂର୍ଯ୍ୟଙ୍କର ଆଭା ମାଆଙ୍କ ମୁଖ ଉପରେ ପଡ଼ି ଆଖି ଦୁଇଟା ଉଜ୍ଜ୍ଵଳ ନୀଳ ଦିଶୁଥିଲା । ମାଆଙ୍କ କୋମଳ ସୁଗଠିତ କାନ୍ଧ ଉପରେ ହାତ ରଖିଲି ।

 

ଯେଉଁ ବର୍ଷ ଜାପାନ ବିନା ସର୍ତ୍ତରେ ଆତ୍ମସମର୍ପଣ କଲା, ସେହି ବର୍ଷ ଡିସେମ୍ବର ମାସରେ ଆମେ ଟୋକିଓର ନିଶିକାତା ଷ୍ଟ୍ରୀଟର ଘର ଛାଡ଼ିଦେଇ ଇଜୁର ଏହି ଘରକୁ ଉଠିଆସିଲୁ । ବାବାଙ୍କ ମୃତ୍ୟୁଠାରୁ ମାଆଙ୍କର ସାନଭାଇ ଓୟାଦା ମାମୁଁ ଆମ ସମ୍ପତ୍ତି ବୁଝାସୁଝା କରୁଥିଲେ । ଲଢ଼େଇ ସରିଲାରୁ ସବୁ କିଛିର ପରିବର୍ତ୍ତନ ହେଲା । ମାମୁଁ ମାଆଙ୍କୁ ଜଣାଇଦେଲେ ଯେ ଆଗପରି ବାବୁଆନି ଆଉ ଚଳିବ ନାହିଁ, ଆମ ଘରଟା ବିକିଦେଇ ଗାଁରେ ଗୋଟିଏ ଛୋଟ ଘର କିଣି ରହିଲେ ଭାରି ଭଲ ହେବ । ନଭେମ୍ବର ମାସରେ ସେ ମାମୁଁଙ୍କଠାରୁ ଜରୁରୀ ଚିଠି ପାଇଲେ ଭାଇକାଉଣ୍ଟ କାଓୟାଟାରେ ଘର ବିକ୍ରି ସମ୍ବନ୍ଧରେ । ଜାଗାଟା ଦେଖିବାକୁ ଭଲ, ଉଚ୍ଚ, ପ୍ରାୟ ଅଧ ଏକର ଚାଷ ଜମି ଅଛି, ବଦରି ଫୁଲ ପାଇଁ ବିଖ୍ୟାତ, ଶୀତ ଦିନେ ଗରମ, ଆଉ ଗରମ କାଳରେ ଥଣ୍ଡା ।

 

ପରଦିନ ଦିପହରେ ମାଆ ମାମୁଁଙ୍କୁ ଅଫିସରେ ଦେଖା କରି ପ୍ରାୟ ସନ୍ଧ୍ୟା ଆଠଟା ବେଳକୁ ଫେରିଆସିଲେ ଏବଂ ଖାଲି କହିଲେ–“ସବୁ ଠିକ୍ ହୋଇଗଲା ।”

 

ମୁଁ ଅବାକ୍‍ ହୋଇ ପଚାରିଲି–“କିନ୍ତୁ ଘରଟା ଯେ ଥରେ ଆଖିରେ ଟିକିଏ ଦେଖିଲେ ନାହିଁ ?”

 

ଡେସ୍କ ଉପରୁ କହୁଣି ଉଠାଇ, ହାତରେ କପାଳ ଚାପି ଧରି, ଦୀର୍ଘନିଃଶ୍ୱାସ ଛାଡ଼ି ମାଆ ଜବାବ ଦେଲେ–“ତୋ ଓୟାଦା ମାମୁଁ କହୁଛି ଘରଟା ଭଲ । ଆମର ଆଖି ଖୋଲିବା ଦରକାର ନାହିଁ । ଯେମିତି ଅଛନ୍ତି ସେମିତି ଯାଇ ସେଠାରେ ଉଠିବା ।” ମୁଣ୍ଡ ଟେକି ସେ ମୃଦୁ ହସିଲେ ।

 

ତା’ପରେ କୁଲିମାନେ ନିତି ଆସି ଘର ବଦଳାଇବା ପାଇଁ ଜିନିଷପତ୍ର ସବୁ ବନ୍ଧାଛନ୍ଦା କରିବାକୁ ଲାଗିଲେ । ଦିନେ ମାମୁଁ ନିଜେ ଆସି ବିକ୍ରିର ମାଲପତ୍ରର ବ୍ୟବସ୍ଥା କରିଗଲେ । ମୁଁ ଓ ଚାକରାଣୀ ଓକିମି ଲୁଗାପଟା ସଜାଡ଼ିବା ଓ ଆବର୍ଜନା ସବୁ ବଗିଚାରେ ନେଇ ପୋଡ଼ିବାରେ ବ୍ୟସ୍ତ ରହିଲୁ । କିନ୍ତୁ ମାଆ ଆମକୁ ତିଳେମାତ୍ର ସାହାଯ୍ୟ କଲେ ନାହିଁ । ଯାତ୍ରାର ତୋଡ଼ଜୋଡ଼ରେ ଦଶ ଦିନ କଟିଗଲା । ଦିନେ ମାଆଙ୍କୁ ପଚାରିଲି–“ତୁମର କଅଣ ଇଜୁକୁ ଯିବାର ଇଚ୍ଛା ନାହିଁ ?”

 

ଏକାନ୍ତ ଉଦାସ ଭାବରେ ମାଆ ଜବାବ ଦେଲେ–“ନା । ଖାଲି ତୋହରି ଲାଗି ସେଠାକୁ ଯିବାର କଥା ।”

 

ଏହି ଅଭାବନୀୟ ମନ୍ତବ୍ୟରେ ଅବାକ୍‍ ହୋଇଯାଇ ଅନିଚ୍ଛାରେ ପଚାରିଲି–“ଯଦି ମୁଁ ନ ଥାଆନ୍ତି ।”

 

ହଠାତ୍ ମାଆ କହିପକାଇଲାଲେ–“ମୋ ପକ୍ଷରେ ମରଣହିଁ ସବୁଠାରୁ ଭଲ ଥିଲା । ଯେଉଁ ଘରେ ତୋ ବାବା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ, ସେଠାରେ ମରି ପାରିଲେ କୌଣସି ଦୁଃଖ ନଥିଲା ।”

 

ମାଆଙ୍କୁ ଏମିତି ଅସହାୟ କାନ୍ଦଣାରେ ଭାଙ୍ଗିପଡ଼ିବାର ମୁଁ ଆଗରୁ କେବେ ଦେଖି ନ ଥିଲି–ବାବାଙ୍କ ମୃତ୍ୟୁବେଳେ, ମୋ ବିବାହବେଳେ, ମୁଁ ଶଶୁର ଘରୁ ଫେରି ଆସିଲାବେଳେ, ଡାକ୍ତରଖାନାରେ ମୋର ମଲା ଛୁଆ ପ୍ରସବବେଳେ, ମୋର ଦୀର୍ଘ ଅସୁସ୍ଥତାବେଳେ, କି ନାଓଜି ଅତ୍ୟନ୍ତ ଅନ୍ୟାୟ କାମ କଲାବେଳେ ନୁହେଁ । ବାବାଙ୍କ ମୃତ୍ୟୁ ପରେ ଏହି ଦଶ ବର୍ଷ ହେଲା ମାଆଙ୍କର ଶାନ୍ତ ସ୍ୱଚ୍ଛନ୍ଦ ଭାବର ସୁଯୋଗ ନେଇ ନାଓଜି ଓ ମୁଁ ମନଇଚ୍ଛା ଦିନ କାଟିଛୁଁ । ଏକ୍ଷଣି ମାଆଙ୍କର ଟଙ୍କା ଖତମ । ମାଆ ଅକୁଣ୍ଠିତ ଚିତ୍ତରେ ସବୁ ପଇସା ଆମ ଦୁଇ ଭାଇ-ଭଉଣୀର ପଛରେ ଖରଚ କରିଛନ୍ତି । ଆଜି ଅସହାୟ ଅବସ୍ଥାରେ ଗୋଟିଏ ଅଜଣା ଛୋଟ ଘରେ ସେ ଦୁଃଖର ସଂସାର ପାତିବାକୁ ବାଧ୍ୟ ହୋଇଛନ୍ତି । ପ୍ରଥମଥର ପାଇଁ ମୁଁ ଆବିଷ୍କାର କଲି ଅର୍ଥାଭାବ କି ମାରାତ୍ମକ ଶୋଚନୀୟ ଅସହାୟ ଅବସ୍ଥା ସୃଷ୍ଟି କରିପାରେ ।

 

ପରଦିନ ମାଆଙ୍କର ଦେହ ଖରାପ ହେଲା । କିନ୍ତୁ ଓୟାଦା ମାମୁଁ ଆସି ଜଣାଇଲେ, ଆମକୁ ସେହି ଦିନ ଇଜୁକୁ ଯିବାକୁ ହେବ । ପ୍ରାୟ ସବୁ ଜିନିଷପତ୍ର ଆଗରୁ ଚାଲିଯାଇଛି । ମାଆ ପଦେହେଲେ କଥା ନ କହି ନିଶିକାତା ଷ୍ଟ୍ରୀଟର ଘରୁ ବାହାରି ଆସିଲେ । ରେଳଗାଡ଼ି ମୋଟ ଉପରେ ଫାଙ୍କା ଥିଲା । ଆମେ ସମସ୍ତେ ବସିବାକୁ ଜାଗା ପାଇଲୁ । ମାମୁଁ ମନେମନେ ଗୁଣୁଗୁଣୁ ହୋଇ ଗୀତ ବୋଲିଲେ । ମାଆ ଉଦାସୀନ ଭାବରେ ବସି ଥାଆନ୍ତି । ନାଗାଓକାରେ ମଟର ଧରି ପନ୍ଦର ମିନିଟ୍‍ ପରେ ଚଲା ବାଟରେ ପାହାଡ଼ ଆଡ଼କୁ ଆଗେଇଲୁ । ପାହଡ଼ଟା ଗୋଟିଏ ଗ୍ରାମ ଆଡ଼କୁ ଧୀରେ ଧୀରେ ଉଠି ଯାଇଛି । ତାହାର ଶେଷ ମୁଣ୍ଡରେ ଚୀନା ଢାଞ୍ଚାରେ ତିଆରି ଗୋଟିଏ ସୁନ୍ଦର ବଙ୍ଗଳା । ଚମତ୍କାର ହାଉଆ, ଅପରୂପ ସ୍ନିଗ୍ଧ ଦୃଶ୍ୟ ।

 

ଅପରାହ୍ନ ତିନିଟା । ଶୀତର ଶେଷ ରଶ୍ମି ବଗିଚାରେ ଆସି ପଡ଼ୁଥିଲା । ବଗିଚା ଭିତରେ ବଦରି ଗଛରେ ଘେରା ଛୋଟ ପୋଖରୀଟିଏ । କମଳା ଲେମ୍ବୁ ଗଛଗୁଡ଼ିଏ, ଧାନ ବିଲ, ଦେବଦାରୁ ବଣ, ସବା ଶେଷରେ ଦୂରରେ ସମୁଦ୍ର ।

 

ତଳେ ଦୁଇଟି ବଡ଼ ବଖରା–ଗୋଟିଏ ଚୀନା ଧରଣର ବୈଠକଖାନା, ଅନ୍ୟଟି ଦଲାଣ । ଦୋତାଲାରେ ବିଦେଶୀ କାଇଦାର ଗୋଟିଏ ବଖରାରେ ଏକ ପ୍ରକାଣ୍ଡ ବିଛଣା । ଗାଁରେ ଏକମାତ୍ର ହୋଟେଲରେ ମାମୁଁ ଆମର ଭୋଜନର ବ୍ୟବସ୍ଥା କଲେ । ମାଆ ନାମକୁ ମାତ୍ର ଖାଇଦେଇ ଶୋଇପଡ଼ିଲେ । ସନ୍ଧ୍ୟାବେଳକୁ ଦେଖିଲି, ତାଙ୍କର ଦେହରେ ୧୦୨ଡିଗ୍ରୀ ଜର । ମାମୁଁ ଯାଇ ଗାଁର ଡାକ୍ତରକୁ ଡାକିଆଣିଲେ । ନିଉମୋନିୟା ହୋଇପାରେ କହି ଗୋଟିଏ ଇଞ୍ଜେକ୍‍ସନ୍‍ ଦେଇ ସେ ଚାଲିଗଲେ । ପରଦିନ ଜର ଖସିଲା ନାହିଁ । ମାମୁଁ ମୋତେ ଦୁଇ ହଜାର ଇୟେନ (ଜାପାନୀ ମୁଦ୍ରା) ଦେଇ ଟୋକିଓକୁ ଫେରିଗଲେ । ଡାକ୍ତର ପୁଣି ଗୋଟାଏ କଡ଼ା ଇଞ୍ଜେକ୍‍ସନ୍‍ ଦେଲେ-। ରାତିରେ ଜର ଖସିଲା । ମାଆଙ୍କୁ ତିନିଟା ସିଝା ଅଣ୍ଡା ଓ ଅଧ ତାଟିଆଏ ଭାତର ମଣ୍ଡ ଖାଇବାକୁ ଦେଲି । ମାଆଙ୍କ ମୁଖମଣ୍ଡଳରେ ଗୋଟାଏ ଆନନ୍ଦର ଭାବ ପ୍ରକଟିତ ହେଲା ।

 

ସେହି ଦିନରୁ ଏ ଅବଧି ଆମେ ଏହି ପାହାଡ଼ର ନିରୋଳା ଛୋଟ କୁଡ଼ିଆରେ ଦିନ ବିତାଉଛୁଁ । ଆମେ ରନ୍ଧାବଢ଼ା କରୁ, ପିଣ୍ଡାରେ ବସି ପଶମ ବୁଣୁ, ଚୀନା ଘରେ ବସିରହି ପଢ଼ୁ, ଚାହା ପାନ କରୁ–ପଦିଏ କଥାରେ ଦୁନିଆର ବାହାରେ ଏକାନ୍ତ ବୈଚିତ୍ର୍ୟହୀନ ଜୀବନଯାପନ କରୁ । ଫେବୃୟାରୀ ମାସରେ ଗାଁଟାଯାକ ବଦରି ଫୁଲରେ ଛାଇ ଗଲା । ମାର୍ଚ୍ଚ ମାସର ଶେଷ ପର୍ଯ୍ୟନ୍ତ ଫୁଲଗୁଡ଼ାକ ଗଛର ଡାଳସବୁକୁ ଆଲୁଅ କରି ରହିଲା । ଗୋଧୂଳିବେଳେ ମାଆ ଓ ମୁଁ ଚାହା ଖାଇ ବସିଲେ ଫୁଲର ପାଖୁଡ଼ାଗୁଡ଼ାକ ଝରକା ବାଟେ ଉଡ଼ି ଆସି ଆମ ପିଆଲାରେ ପଡ଼େ । ଅପ୍ରେଲ ମାସରେ ପଶମ ବୁଣିଲାବେଳେ ଜମି ଚାଷର ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା ହୁଏ । ମାଆ କହନ୍ତି–“ଆମେ ମରିଯାଇ ପୁଣି ଭିନ୍ନ ମଣିଷ ହୋଇ ବଞ୍ଚିଛନ୍ତି ।” ମଝିରେ ମଝିରେ ମୋର ମନେହୁଏ, ଏଠାକାର ଅବିଚ୍ଛିନ୍ନ ଶାନ୍ତି ତୁଚ୍ଛା ଛଳନା । ମାଆ ଅବଶ୍ୟ ଖୁସିର ବାହାନା କରନ୍ତି । କିନ୍ତୁ ଦିନକୁ ଦିନ ସେ ଶୁଖି ଯାଉଛନ୍ତି । ଆଉ ମୋ ଅନ୍ତର ଭିତରେ ବସା ବାନ୍ଧିଥିବା କଳା ସାପଟା ପରିପୃଷ୍ଟ ହେଉଛି । ମୋର ପ୍ରତ୍ୟେକ କାମ ମାଆଙ୍କର ଦୁଃଖ ବଢ଼ାଇବା ଓ ଶକ୍ତି କ୍ଷୟ କରିବା ପକ୍ଷରେ ଯଥେଷ୍ଟ ।

 

 

ଦଶ ଦିନ ଭିତରେ ଗୋଟାକ ପରେ ଗୋଟାଏ ଦୁର୍ଘଟଣା ଘଟିବାକୁ ଲାଗିଲା । ଫଳରେ, ମାଆଙ୍କର ଉଦ୍ବେଗ ଓ ଆୟୁ କ୍ଷୟ ସମ ପରିମାଣରେ ଆଗେଇ ଚାଲିଲା । ଦିନେ ଗଭୀର ରାତିରେ ହାତ ଧୋଇବା ପାଇଁ ଉଠି ବୈଠକଖାନାର ପରଦା ଆଡ଼େଇ ଦେଲା ବେଳକୁ ଗାଧୁଆ ଘରୁ ଗୋଟାଏ ଆଲୁଅ ଦିଶିଲା । ଖାଲି ପାଦରେ ପାଖ ଦରଜା ବାଟେ ଯାଇ ଦେଖିଲି, ଚୁଲି କତିରେ ଜମା ହୋଇଥିବା ଜାଳେଣି କାଠ ଗଦାଟା ହୁ ହୁ ହୋଇ ଜଳୁଛି । ହଠାତ୍ ଚାରି ପାଞ୍ଚ ଜଣେ ଚାଷୀ ଧାଇଁଆସି ବାଲତିରେ ପାଣି ଆଣି କେତେ ମିନିଟ୍‍ ଭିତରେ ନିଆଁ ଲିଭାଇ ଦେଲେ । ଗାଁର ମେୟର, ପୋଲିସ ଓ ଦମକଳ ବିଭାଗର ବଡ଼ କର୍ତ୍ତା ସମସ୍ତେ ଆସି ପହଞ୍ଚିଲେ । ମେୟର ମୃଦୁ ହସି କାରଣ ପଚାରିଲାରୁ, ମୁଁ ଜବାବ ଦେଲି–“ମୋରି ଦୋଷରୁ । ରାତିରେ ଦରପୋଡ଼ା କାଠଗୁଡ଼ାକ ଲିଭିଯାଇଛି ଭାବି କାଠ ଗଦା ପାଖରେ ରଖି ଦେଇଥିଲି ।”

କମ୍‍ ବୟସୀ ପୋଲିସ କର୍ମଚାରୀ ସାନ୍ତ୍ଵନା ଦେବାକୁ ଚେଷ୍ଟାକଲା–“ଯାହାହେଉ, ଘରେ ନିଆଁ ଲାଗି ନାହିଁ, ଏତିକି ରକ୍ଷା ।”

ସମସ୍ତେ ଚାଲିଗଲାରୁ, ପୋଡ଼ା କାଠ ଗଦା କତିରେ ଏକା ଶୂନ୍ୟ ମନରେ ଠିଆହୋଇ ଲୁହ ଛଳ ଛଳ ଆଖିରେ ଆକାଶ ଆଡ଼କୁ ଅନାଇ ଦେଖିଲି, ଭୋର ହେଉଛି ।

ତା’ପରେ ମୁହଁ ହାତ ଧୋଇ ମୁଣ୍ଡ କୁଣ୍ଡାଇ ପାଦ ଚିପି ଚିପି ଯାଇ ଦେଖିଲି, ମାଆ ଲୁଗା ପାଲଟି ଆରାମ ଚୌକିରେ ବସିଛନ୍ତି । ମୁଖରେ ଅପରିସୀମ କ୍ଳାନ୍ତିର ଛାପ । ମୋତେ ଦେଖି ଟିକିଏ ହସି ପଚାରିଲେ–“ବିଶେଷ କିଛି କ୍ଷତି ହୋଇ ନାହିଁ ତ ?”

 

ଜଳଖିଆ ଖାଇସାରି ପୋଡ଼ା କାଠ ସଫା କରିବାରେ ଲାଗିଲି । ହୋଟେଲର ବୁଢ଼ୀ ଓସାକି ଆସି ମୋତେ ପରାମର୍ଶ ଦେଲା; କେତେଜଣ ପଡ଼ିଶାଙ୍କ ଘରକୁ ଯାଇ ସେମାନଙ୍କୁ କିଛି କିଛି ଟଙ୍କା ଦେଇ ଆମର ଗତ ରାତିର ଦୋଷ ପାଇଁ କ୍ଷମା ପ୍ରାର୍ଥନା କରିଆସିବି । ତହୁଁ ଶହେ ଇୟେନର କେତୁଟା ଛୋଟ ତୋଡ଼ା କରି ତାହା ଉପରେ ଲେଖିଲି–ତ୍ରୁଟି ମାର୍ଜନୀୟ ।

 

ମେୟର, ଦମକଳ ବିଭାଗର କର୍ତ୍ତା ଓ କେତେଜଣ ପଡ଼ିଶାଙ୍କ ଘରକୁ ଯାଇ କାନ୍ଦି କାନ୍ଦି କହିଲି–“ଅନୁଗ୍ରହ କରି ମୋର ଗତ ରାତିର ଅପରାଧ କ୍ଷମା କରନ୍ତୁ ।” ସମସ୍ତେ ମୋତେ ସହାନୁଭୂତି ଦେଖାଇ ସାନ୍ତ୍ଵନା ଦେବାକୁ ଚେଷ୍ଟା କଲେ । ଖାଲି ନିଶିୟାମାଙ୍କ ତରୁଣୀ ସ୍ତ୍ରୀ ମୋତେ ଖୁବ୍ ବକିଲେ ।

 

ପରଦିନଠୁଁ ବିଲ କାମରେ ଲାଗିଗଲି । ମୋ ପକ୍ଷରେ ଏ ଧରଣର କାମ ନୂଆ ନୁହେଁ । ଲଢ଼େଇବେଳେ ଯୁଦ୍ଧ କ୍ଷେତ୍ରରେ ମୋତେ କୁଲିଗିରି କରିବାକୁ ପଡ଼ିଛି । ଲଢ଼େଇ ସରିଲା ପରେ ମଜା କବିତାଟିଏ କାଗଜରେ ବାହାରିଥିଲା–

 

ଗତ ବର୍ଷ କିଛି ହୋଇନି

ତା ଆଗ ବର୍ଷ କିଛି ହୋଇନି

ଏବଂ ତା ଆଗ ବର୍ଷ କିଛି ହୋଇନି ।

 

ଯେତେବେଳେ ମୋତେ ଜୋର କରି ଧରିନେଇ କନା ଜୋତା ପିନ୍ଧାଇ ଫଉଜରେ କୁଲିପରି ଖଟାଇଲେ, ସେତିକିବେଳେ ଯୁଦ୍ଧର ବୀଭତ୍ସତା ଛଡ଼ା ଅନ୍ୟାନ୍ୟ ଦିଗ ମୋ ନଜରରେ ପଡ଼ିଥିଲା । ମୋର ଯୁଦ୍ଧରେ ଯୋଗଦେବାର ପରଦିନ ମୂଷଳଧାରାରେ ବର୍ଷା ହେଲା । ପ୍ରାୟ ପାଞ୍ଚ ଶହ ନର ନାରୀ ପାହାଡ଼ ତଳେ ଛିଡ଼ା ହୋଇ ବର୍ଷାରେ ଭିଜି ଜଣେ ଅଫିସରଙ୍କର ଉପଦେଶସବୁ ଶୁଣିଲୁ । ଦିନସାରା ଓଦା ଲୁଗାରେ ଜୁଡ଼ୁବୁଡ଼ୁ ହୋଇ ପିଠିରେ ମାଟି ବୋଝ ବୋହିଲି । ପରଦିନଟା ଦଳେ ଶ୍ରମିକଙ୍କ ସାଙ୍ଗରେ ଘାଟିରେ ଦଉଡ଼ି ଟାଣି ଟାଣି କଟିଲା । ଦିନେ ସକାଳେ ଜଣେ ତରୁଣ ଅଫିସର ମୋତେ କରତ ଚିରା କାଠ ଗଦାଟା ପହରା ଦେବାକୁ ନିର୍ଦ୍ଦେଶ ଦେଲା । ସେଠାରେ ବସି ଖଣ୍ଡିଏ ବହି ପଢ଼ିଲି, ଭୋଜନ କଲି ଏବଂ ଟିକିଏ ଶୋଇଲି । ପରଦିନଟା ମୋତେ ଛୁଟି ମିଳିଲା । ତା’ ପରଠୁଁ ଦିନେ ଛଡ଼ା ଦିନେ ତାଚିକାଓୟାକୁ ଯାଇ ନିଜ ଭାଗର କଠିନ ପରିଶ୍ରମକରି ଆସୁଥିଲି । ଫଳରେ, ମୋ ଶରୀର ଅଧିକ ସୁସ୍ଥ ହେଲା । ଆଜିଯାଏ କାୟିକ ଶ୍ରମ ମୋତେ କାବୁକରି ପାରେନା-। ମୋର ଯେତିକି ଯୁଦ୍ଧର ଅଭିଜ୍ଞତା ବାକି ଅଛି, ତାହା ହେଉଛି ହଳେ ମାତ୍ର କନା ଜୋତା-

 

ମାଆଙ୍କର ଦେହ କ୍ରମେ କ୍ରମେ ଭୀଷଣ ଖରାପ ଆଡ଼କୁ ଗତି କଲା । ନିଆଁ ଲାଗିଲା ପରଠୁଁ ମାଆ ନିଦରେ ବିଳିବିଳି ହୁଅନ୍ତି ଏବଂ ଜୋରରେ ପବନ ବହୁଥିଲେ ଯେତେ ରାତି ହେଉ ପଛକେ ବାରମ୍ବାର ଉଠିଆସି ସବୁ ଠିକ୍ ଅଛି କି ନା ଦେଖି ଯାଆନ୍ତି । ବେଳେବେଳେ ବିଲକୁ ଯାଇ ସେ ମୋ କାମ ମଧ୍ୟ ଦେଖନ୍ତି । ଦିନେ ମୋ କାମ ଦେଖିବାକୁ ଯାଇ ବିଲରେ ମାଆ ହଠାତ୍ କହିଲେ–“ଲୋକେ କହନ୍ତି, ଯେଉଁମାନେ ଗ୍ରୀଷ୍ମର ଫୁଲ ଭଲପାଆନ୍ତି ସେମାନଙ୍କର ମୃତ୍ୟୁ ଗ୍ରୀଷ୍ମ କାଳରେ ହୁଏ । ଜାଣେନା, କଥାଟା କେତେ ଦୂର ସତ ।” ମୁଁ ବାଇଗଣ ଗଛରେ ପାଣି ଦେଉଥିଲି, କିଛି ଜବାବ ଦେଲି ନାହିଁ ।

 

ମାଆ ଫେର୍ ମୃଦୁ କଣ୍ଠରେ କହିଲେ–“ମୁଁ ଗୋଲାପ ଫୁଲ ସବୁଠୁଁ ବେଶୀ ଭଲପାଏ । ଗୋଲାପ ଯେଉଁମାନଙ୍କର ପ୍ରିୟ, ହୁଏତ ସେମାନଙ୍କୁ ଚାରିଥର ମରିବାକୁ ହୁଏ ।”

 

ଦୁହେଁ ହସିଲୁ ।

 

ମାଆ ହସି ହସି କହିଲେ–“ଟିକିଏ ଥକା ନେବୁ ନାହିଁ ? ଆଜି ତୋ ସାଙ୍ଗରେ ଗୋଟାଏ କଥା ଅଛି ।”

 

“କି କଥା ?”

 

ମାଆଙ୍କ ପଛେ ପଛେ ଯାଇ ମଟର ଫୁଲର ମଞ୍ଚା ତଳେ ବସିଲି ।

 

“ନାଓଜି ବଞ୍ଚିଛି ।”

 

ମୋର ସାରା ଶରୀର ଯେମିତି ପଥର ହୋଇଗଲା ।

 

“ପାଞ୍ଚ ଛଅ ଦିନ ତଳେ ତୋ ମାମୁଁଠାରୁ ଚିଠି ପାଇଛି । ଜଣେ କର୍ମଚାରୀ ଦକ୍ଷିଣ ପ୍ରଶାନ୍ତ ସାଗରରୁ ଫେରିଛି । ସେ ନାଓଜି ସାଙ୍ଗରେ ଏକା ୟୁନିଟରେ କାମ କରେ । ସେ କହୁଥିଲା, ନାଓଜି ଭଲ ଅଛି, ଶୀଘ୍ର ଫେରିବ । କିନ୍ତୁ ସେ ଦାରୁଣ ଅଫିମିଆ ହୋଇଛି । ନାଓଜି ଫେରିଆସିଲେ, ତାହାକୁ ଏହି ପାହାଡ଼ ଜାଗାରେ ଅଟକାଇ ରଖିଲେ ଭଲହେବ । ଦ୍ଵିତୀୟ କଥା ହେଉଛି, ତୋ ମାମୁଁ ଆହୁରି ଜଣାଇଛନ୍ତି ଯେ ଆମର ସବୁ ଟଙ୍କା ସରିଗଲାଣି । ସେ ଆଗପରି ଆଉ ଟଙ୍କା ପଠାଇ ପାରିବେ ନାହିଁ । ତେଣୁ ସେ ପ୍ରସ୍ତାବ କରିଛନ୍ତି, ତୋତେ ଯଥାଶୀଘ୍ର ବିଭା ଦେବାକୁ, ନଚେତ୍ କାହାରି ଘରେ କାମରେ ଲଗାଇ ଦେବାକୁ ଚାହାନ୍ତି ।”

 

“ଚାକରାଣୀ ?”

 

“ନା, ଆମର ଜଣେ ଦୂର ସମ୍ପର୍କୀୟ ଜମିଦାରଙ୍କର ସାନ ସାନ ପୁଅଝିଅଙ୍କୁ ଦେଖାଶୁଣା କରିବୁ ।”

 

“ଦୁନିଆରେ ଆଉ କିଛି କାମ ନାହିଁ ?”

 

“ତୋ ମାମୁଁର ମତରେ, ଆଉ କୌଣସି କାମ ତୋ ପକ୍ଷରେ ସୁବିଧାଜନକ ହେବ ନାହିଁ-।”

 

ବିକାରଗ୍ରସ୍ତ ରୋଗୀପରି ଚିତ୍କାର କଲି–“ନା, ଏ ଧରଣର କଥା ମୁଁ ଢେର ଶୁଣିଛି । ତୁମେ ପରା ଦିନେ କହିଥିଲ ଯେ ଖାଲି ମୋରି ପାଇଁ ଇଜୁକୁ ଆସିଛ, ଆଉ ମୁଁ ନ ଥିଲେ ତୁମେ ମରି ଯାଇ ଥାଆନ୍ତ ? ସେଇଥିପାଇଁ ତ ମୁଁ ତୁମକୁ ଛାଡ଼ିଦେଇ ପାଦେହେଲେ ଘୁଞ୍ଚି ନାହିଁ । ଆଜି ମୋ ପାଦରେ କନା ଜୋତା କାହିଁକି ? କାରଣ ତୁମେ ଯେଉଁ ପନିପରିବା ଖାଇବାକୁ ଭଲପାଅ, ମୁଁ ସେ ସବୁ ଫଳାଇବାକୁ ଚେଷ୍ଟା କରୁଛି । ଆଜି ଯେମିତି ଶୁଣିଲ ତୁମର ନାଓଜି ଫେରିଆସିଛି, ସେମିତି ମୋତେ ଅନାୟସରେ ହୁକୁମ ଦେଉଛ ଚାକରାଣୀର କାମ କରିବାପାଇଁ । ଯଦି ତୁମର ଅବସ୍ଥା ଖରାପ ହେଲା କି ଟଙ୍କା ସରିଗଲା, ତାହାହେଲେ ଦାମିକା ପୋଷାକପତ୍ରସବୁ କିମ୍ବା ଘରଟା ବିକିଦେଲେ ତ ଭଲ ହୁଅନ୍ତା । ଯାହାହେଉ ମୁଁ ଗାଁରେ କିଛି କାମ କରିପାରେ । ତୁମର ସବୁ ସ୍ନେହ ନାଓଜି ପାଇଁ । ନାଓଜି ସହିତ ମୋର କେବେ ପଡ଼େ ନାହିଁ । ତେଣୁ ଆମେ ସମସ୍ତେ ଏକାଠି ରହିଲେ ଆମ ତିନିଜଣଙ୍କ ଜୀବନ ଅତିଷ୍ଠ ହେବ । ଏବେ ଖାଲି ତୁମେ ଓ ନାଓଜି ରୁହ । ମୁଁ ଏଣିକି ଚାଲିଯିବି ।”

 

ମୁଁ ଉଠି ଛିଡ଼ା ହେଲି ।

 

“କାଜୁକୋ !” ମାଆ କଠୋର ସ୍ଵରରେ ଡାକିଲେ । ମୁହାଁମୁହିଁ ଠିଆହେଲାରୁ ମାଆ ମୋ’ଠାରୁ ଅଧିକ ଲମ୍ବା ଦିଶିଲେ ।

 

“ତୁମେ ମୋତେ ଠକାଇଛ, ମାଆ । ଯେତେଦିନ ଯାଏ ନାଓଜି ଆସି ନଥିଲା, ସେତେଦିନ ଯାଏ ମୁଁ ତୁମର ଦାସୀ ହୋଇ ଥିଲି । ଏକ୍ଷଣି ତୁମର ପ୍ରୟୋଜନ ସରିଲା, ମୋତେ ଦୂରେଇ ଦେଉଛ ।”

 

ମୁଁ କଇଁ କଇଁ କାନ୍ଦିଲି ।

 

“ତୁ ଭାରି ବୋକା”–ରାଗରେ ଓ ଉତ୍ତେଜନାରେ ମାଆଙ୍କର ସ୍ୱର ଥରିଲା ।

 

“ମାଆର ସ୍ନେହ ମୋର ଏକମାତ୍ର ଭରସା, ସେତିକି ମୋର ଜୋର୍‍ ।”

 

ମାଆ ହଠାତ୍ ମୁଣ୍ଡ ବୁଲାଇ ନେଲେ । ତାଙ୍କର ଆଖିରେ ଲୁହ ।

 

“ମୁଁ ଏଠାରୁ ଦୂରେଇ ଗଲେ ସବୁ ଠିକ୍ ହୋଇଯିବ । ମୋର ବି ଯିବାର ଜାଗା ଅଛି ।”

 

ଏହା କହିଦେଇ ମୁଁ କଳଘରକୁ ଯାଇ କାନ୍ଦି କାନ୍ଦି ମୁହଁ ହାତ ଧୋଇଲି । ଲୁଗା ପାଲଟି ଦୋତାଲାର ଘରେ ଯାଇ ମୁହଁ ମାଡ଼ି ଶୋଇ ପ୍ରଚଣ୍ଡ ବେଗରେ କାନ୍ଦିବାକୁ ଲାଗିଲି ।

 

ସଞ୍ଜବେଳେ ମାଆ ନିଃଶବ୍ଦରେ ଘରକୁ ଆସି ଆଲୁଅ ଜଳାଇଲେ ଏବଂ ମଧୁର ସ୍ଵରରେ ମୋ ନାମ ଧରି ଡାକିଲେ । ଝରକା ପାଖରେ ଗୋଟିଏ ସୋଫାରେ ବସିପଡ଼ି ସେ ମୃଦୁ ହସି କହିଲେ–“ତୋ ମାମୁଁକୁ ଜବାବ ଦେଲି, ମୋ ପୁଅଝିଅଙ୍କର ଚିନ୍ତା ଯେମିତି ସେ ମୋ ଉପରେ ଛାଡ଼ି ଦେଉ । କାଜୁକୋ, ମୋର ସବୁ ଦାମିକା ପୋଷାକ ବିକିଦେଇ ମନଇଚ୍ଛା ଖରଚ ତୁଲାଇବି । ତୋତେ ଏଣିକି ନିତି ବିଲରେ ମୂଲିଆଙ୍କ ପରି ଆଉ ଖଟିବାକୁ ପଡ଼ିବ ନାହିଁ ।”

 

ଆଖି ଫେରାଇ ମୁଁ ବିଛଣାରେ ଚୁପ୍‍ଚାପ୍‍ ବସି ରହିଲି ।

 

“କାଜୁକୋ, ତୁ ଯେ କହିଲୁ ତୋର କେଉଁଠାକୁ ଯିବାର ଜାଗା ଅଛି । ମିଷ୍ଟର ହୋସୋଡ଼ା-?”

 

ମୁଁ କିଛି ଜବାବ ଦେଲି ନାହିଁ ।

 

ମାଆ ଦୀର୍ଘଶ୍ୱାସ ଛାଡ଼ି କହିଲେ–“ବହୁଦିନ ତଳର ଗୋଟାଏ ଘଟଣାର କଥା କହୁଛି । ଯେତେବେଳେ ତୁ ସ୍ଵାମୀ ତ୍ୟାଗ କରି ନିଶିକାତା ଷ୍ଟ୍ରୀଟକୁ ଫେରିଆସିଲୁ, ସେତେବେଳେ ମୁଁ ତୋତେ ପଦେହେଲେ କଟୂ କଥା କହି ନ ଥିଲି । କିନ୍ତୁ ଗୋଟାଏ କିଛି ଘଟିଥିଲା, ଯେଉଁଥି ପାଇଁ ମୁଁ କହିବାକୁ ବାଧ୍ୟ ହୋଇଥିଲି ଯେ ତୁ ମୋତେ ଠକାଇଛୁ । ମନେପଡ଼ୁଛି ତୋର ? ତୁ କହିପକାଇଲାଥିଲୁ । କହିଥିଲି, କାରଣ ତୋ ସ୍ୱାମୀର ତୁଣ୍ଡରୁ ଶୁଣିଥିଲି ଯେ ଶିଳ୍ପୀ ହୋସୋଡ଼ାଙ୍କ ସହିତ ତୋର କୁଆଡ଼େ ଗଭୀର ପ୍ରେମ ଅଛି। ତାହା ଶୁଣି ମୁଁ ମର୍ମାହତ ହୋଇଥିଲି । ହୋସୋଡ଼ା ବିବାହିତ ଏବଂ ତାଙ୍କର ପୁଅଝିଅ ଅଛନ୍ତି । ଜାଣେ, ତୁ ତାହାଙ୍କୁ ଯେତେ ଭଲପାଉଥାଉ ନା କାହିଁକି, ଏହି ପ୍ରେମ ନିଶ୍ଚୟ ବ୍ୟର୍ଥ ହେବ ।”

 

“କି ଅଜବ କଥା ! ଏହା ମୋ ସ୍ୱାମୀଙ୍କର ଗୋଟାଏ ମିଥ୍ୟା ସନ୍ଦେହ ।”

 

“ବୋଧହୁଏ । ତାହାହେଲେ ତୁ କେଉଁଠାକୁ ଯିବାକୁ କହୁଥିଲୁ ?”

 

“ହୋସୋଡ଼ାଙ୍କ ଠାକୁ ନୁହେଁ ।”

 

“ସତେ ? ତେବେ କେଉଁଠାକୁ ?”

 

“ପ୍ରତ୍ୟେକ ମଣିଷର କିଛି ନା କିଛି ଗୁପ୍ତ କଥା ଥାଏ ।”

 

ମାଆ ଅପ୍ରସ୍ତୁତ ଭାବରେ ମୃଦୁ ହସିଲେ–“ଯଦି ତୋର ଗୁପ୍ତ କଥା ମଙ୍ଗଳକର ହୁଏ, ମୋର ତାହାଠାରୁ ଅଧିକ କାମ୍ୟ ଆଉ କିଛି ନାହିଁ । ନିତି ସକାଳେ ମୁଁ ତୋ ବାବାଙ୍କ ଆତ୍ମାକୁ ପ୍ରାର୍ଥନା କରେ, ତୁ ସୁଖରେ ରହ ।”

 

ହଠାତ୍ ମନେପଡ଼ିଲା ବାବାଙ୍କ ସହିତ ନାସୁନୋକୁ ଗାଡ଼ିରେ ବୁଲିବାକୁ ଯିବାବେଳେ ବାଟରେ ଗୋଟାଏ ଜାଗାରେ ଓହ୍ଲାଇ ଶରତର ଫୁଟିଲା ଫୁଲରେ ମନୋହର ଶୋଭା ଦେଖିଥିଲି । ତା’ପରେ ବାବା ଓ ମୁଁ ବିଓୟୋ ହ୍ରଦରେ ମଟର ବୋଟରେ ବିହାର କରିଥିଲୁ । ମୁଁ କାକଚକ୍ଷୁ ଜଳରେ ସନ୍ତରଣ କରିଥିଲି ।

 

ବିଛଣାରୁ ଉଠିପଡ଼ି ମାଆଙ୍କର ଆଣ୍ଠୁ ଜାବୁଡ଼ି ଧରି କହିଲି–“ମାଆ, ମୋତେ କ୍ଷମା କର-।”

 

ଆମର ଆନନ୍ଦର ସୀମା ନଥିଲା କିନ୍ତୁ ନାଓଜି ଦକ୍ଷିଣ ପ୍ରଶାନ୍ତ ସାଗରରୁ ଫେରିଲାଠୁ ଆମର ନରକବାସ ଆରମ୍ଭ ହେଲା ।

 

 

ଲଗାଣ ବର୍ଷା ହେଉଛି । ଯାହା କଲେ ବି ମନ ଖରାପ ହୋଇଯାଏ । ଆଜି ବାରନ୍ଦାରେ ଖଣ୍ଡିଏ ବେତ ଚଉକି ପକାଇ ବସିଲି । ହାଲୁକା ଗୋଲାପୀ ରଙ୍ଗ ସାଙ୍ଗରେ ଗାଢ଼ ନୀଳ ରଙ୍ଗର ପଶମ ମିଳାଇ ଗଲା ବସନ୍ତରେ ଆରମ୍ଭ ହୋଇଥିବା ସୋୟେଟାରଟା ଶିଥିଳ ହାତରେ ବୁଣିବାକୁ ବସିଲି । ବୁଣୁ ବୁଣୁ ମୋର ଖିଆଲ ହେଲା, ମେଘାଚ୍ଛନ୍ନ ଧୂସର ଆକାଶ ସାଙ୍ଗରେ ଏହି ପଶମର ହାଲୁକା ଗୋଲାପୀ ରଙ୍ଗ ଏମିତି ଚମତ୍କାର ଭାବରେ ଖୋଲିଛି ଯେ ରଙ୍ଗର ଏପରି ଅପୂର୍ବ ସ୍ନିଗ୍ଧ ସାମଞ୍ଜସ୍ୟ ଭାଷାରେ ଅବର୍ଣ୍ଣନୀୟ । ଜୀବନରେ ପ୍ରଥମେ ଉପଲବ୍ଧ କଲି ସୁରୁଚି କାହାକୁ କହନ୍ତି। ମନେମନେ ପଶମକୁ ଧନ୍ୟବାଦ ଦେଲି । ମାଆ ଏହି ସୁନ୍ଦର ରଙ୍ଗ ପସନ୍ଦ କରିଥିଲେ । ଭାବିଲି, ମୋ ମାଆପରି ଏମିତି ମାଆ ଆଉ କେଉଁଠି ନାହାନ୍ତି । ଠିକ୍‍ ସେହି ମୁହୂର୍ତ୍ତରେ ମୋ ମନ ଭିତରେ ଆଶଙ୍କା ଓ ଆତଙ୍କ ଭରିଗଲା, ହୁଏତ ନାଓଜି ଓ ମୁଁ ଦୁହେଁ ମିଶି ମାଆଙ୍କ ଉପରେ ଅତ୍ୟାଚାର କରି ପ୍ରାୟେ ଶେଷ କରିଦେବାକୁ ଚାଲିଛୁ । ଯେତେ ଭାବେ ସେତେ ଦୃଢ଼ ବିଶ୍ଵାସ ଉପୁଜେ ଯେ ଆମର ଦୁର୍ଦ୍ଦିନ ଘନେଇ ଆସୁଛି । ଗୋଟାଏ ଅଜଣା ଆତଙ୍କରେ ମୋ ଅନ୍ତର ଶିହରିତ ହେଲା ଏବଂ ମନେହେଲା, ଏମିତି ଭାବରେ ବଞ୍ଚିରହିବା ଅସମ୍ଭବ । ଆଙ୍ଗୁଳିଗୁଡ଼ାକ ଅବସ ହୋଇଗଲା, ବୁଣା କଣ୍ଟା ଦୁଇଟା କୋଳ ଉପରେ ପଡ଼ିଗଲା । ଆଖି ବୁଜି ମୁଣ୍ଡ ଟେକି ନିଜର ଅଜାଣତରେ ଚିତ୍କାର କଲି–“ମା !”

 

ଘରର କୋଣରେ ମାଆ ଖଣ୍ଡିଏ ବହି ପଢ଼ୁଥିଲେ, ଅବାକ୍‍ ହୋଇ ପଚାରିଲେ–“କଅଣ ହେଲା ?”

 

ସବୁ କିଛି ଗୋଳମାଳ ହୋଇଗଲା । ଅହେତୁକ ଉଚ୍ଚ ଗଳାରେ ଜବାବ ଦେଲି–“ଜାଣ ମାଆ, ପେଷ ଅବଧି ଗୋଲାପଗୁଡ଼ାକ ଫୁଟିଲା ।”

 

ବହୁଦିନ ତଳେ ମାମୁଁ ଫ୍ରାନ୍ସରୁ ଏହି ଗାଢ଼ ବାଇଗଣି ଗୋଲାପ ଚାରା ଆଣିଥିଲେ । ଆମେ ନିଶିକାତା ଷ୍ଟ୍ରୀଟର ଘରୁ ଉଠାଇ ଆଣି ଏହି ଘରେ ଲଗାଇଥିଲୁ । ସକାଳେ ଲକ୍ଷ୍ୟ କରିଥିଲି, ଗୋଟାଏ ଗୋଲାପ ଫୁଟିଛି । କିନ୍ତୁ ବର୍ତ୍ତମାନର ଅପ୍ରସ୍ତୁତ ଭାବ କଟାଇବା ପାଇଁ ଟିକିଏ ଉଚ୍ଛ୍ଵସିତ ହୋଇ କହିଲି, ସତେଯେମିତି ମୁଁ ଏକ୍ଷଣି ତାହା ଦେଖିଲି ।

 

ମାଆ ଶାନ୍ତ କଣ୍ଠରେ କହିଲେ–“ହଁ, ଜାଣେ । ତୋ ନିକଟରେ ଏସବୁ ଜିନିଷର ମୂଲ୍ୟ ଅଲଗା ।”

 

“ବୋଧହୁଏ । ମୋ ଲାଗି କଅଣ ତୁମର ଦୁଃଖ ହୁଏ ?”

 

“ନା । ମୁଁ ଖାଲି କହିବାକୁ ଚାହେଁ ଯେ ତୋର ସ୍ଵଭାବଟା ସେମିତିକା । ଗୋଲାପ କଥା ତୁ ଏମିତି ଭାବରେ କହିଲୁ, ଯେମିତି ମନେହେଲା ଯେ ତୁ ଜିଅନ୍ତା ମଣିଷର କଥା କହୁଛୁ ।”

 

“ମୋ ନିଜର କିଛି ଛୁଆ ପିଲା ନାହାନ୍ତି ବୋଲି ବୋଧହୁଏ ।”

 

ଏତକ କହିଦେଇ ଅପ୍ରସ୍ତୁତ ହେଲି । ଲାଜରେ ମୋ ଗାଲ ଦୁଇଟା ଜଳିବାକୁ ଲାଗିଲା ।

 

କିଛି ମନ୍ତବ୍ୟ ନ କରି ମାଆ ପୁଣି ବହିରେ ମନଦେଲେ ।

 

କେତେ ସପ୍ତାହ ତଳେ ଏକ ଗ୍ରୀଷ୍ମର ସନ୍ଧ୍ୟାର ଫିକା ଚେହେରା ଧରି ନାଓଜି ଅପ୍ରତ୍ୟାଶିତ ଭାବରେ ବଗିଚାରେ ପ୍ରବେଶ କରି କହିଲା–“ଘର ପସନ୍ଦର କି ମାରାତ୍ମକ ନମୁନା ! ଗୋଟାଏ ସାଇନବୋର୍ଡ଼ ଟଙ୍ଗାଉ ନାହଁ କାହିଁକି ?”

 

ମୋ ସହିତ ପ୍ରଥମ ଦର୍ଶନରେ ଏହି ସମ୍ଭାଷଣ !

 

କିଛି ସମୟ ମାଆର ବିଛଣା ପାଖରେ ବସି ଘରଟା ବୁଲି ଦେଖିବା ପାଇଁ ସେ ଉଠିଗଲା-। ମୁଁ ତାହା ପଛେ ପଛେ ଚାଲିଲି ।

 

“ମାଆକୁ କେମିତିକା ଦେଖିଲୁ ?”

 

“ଭାରି ରୋଗଣା । ଢେର୍ ଆଗରୁ ତାହାର ମରିଯିବା ଉଚିତ ଥିଲା । ଆଜିର ଦୁନିଆରେ ତାହା ଭଳି ଲୋକ ପକ୍ଷରେ ବଞ୍ଚିରହିବା ନିରର୍ଥକ ।”

 

“ମୋତେ କେମିତିକା ଦେଖୁଛୁ ?”

 

“ତୋର ଚେହେରା ରୁକ୍ଷ ହୋଇଯାଇଛି । ମୁହଁ ଦେଖି ମନେହେଉଛି ଦୁଇ ତିନି ଜଣ ପୁରୁଷ ଜୁଟିଛନ୍ତି । ଏଠାରେ ଚାଉଳି ମାଲ ମିଳିବ ?”

 

ହୋଟେଲରୁ ବୁଝିଲି, ମାଲ ସରି ଯାଇଛି । ସେ କଥା ନାଓଜିକୁ ଜଣାଇବାରୁ ତାହାର ମୁଖ ରାଗରେ କଳା ପଡ଼ିଗଲା । ମୋ’ଠାରୁ ହୋଟେଲର ଠିକଣା ଜାଣି ସେ ସେହି ଆଡ଼େ ବାହାରିଗଲା । ମାଆକୁ ଜଣାଇଲି ସେ କଥା । ମାଆର ଅଧର କୋଣରେ ହସର ରେଖା ଫୁଟିଲା–“ତାହାହେଲେ ସେ ନିଶ୍ଚୟ ଅଫିମ ଛାଡ଼ିଛି । ଆଜି ଆମେ ତିନିଜଣ ଏହି ଘରେ ଶୋଇବା-। ନାଓଜିର ବିଛଣାଟା ମଝିରେ ବିଛାଇ ଦେ ।”

 

ନାଓଜି ବହୁତ ରାତିରେ ଫେରିଲା । ଆମେ ତିନିଜଣ ବଡ଼ ମଶାରିଟା ଭିତରେ ପଶିଲୁ ।

 

ପରଦିନ ସକାଳେ ବିଛଣାରେ ଶୋଇରହି ସମୁଦ୍ରର ଶୋଭା ଦେଖୁଁ ଦେଖୁଁ ନାଓଜି ସିଗାରେଟ ଟାଣିବାକୁ ଲାଗିଲା । ମାଆଙ୍କୁ ପଚାରିଲା–‘‘ତୁମ ଜିଭରେ କି ବ୍ୟଥା ହୋଇଛି ?”

 

ମୃଦୁ ହସି ମାଆ ନୀରବ ରହିଲେ ।

 

ବନ୍ଧୁ ବାନ୍ଧବଙ୍କ ସହିତ ଦେଖାକରିବା ଛଳନାରେ ମାଆଙ୍କଠାରୁ ଦୁଇ ହଜାର ଇୟେନ ନେଇ ନାଓଜି ଅପରାହ୍ନରେ ଟୋକିଓ ଅଭିମୁଖେ ଯାତ୍ରା କଲା । ଦଶ ଦିନ ଯାଏ ସେ ଫେରିଲା ନାହିଁ । ତାହାର ଆଲମାରି, ବହିପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ର ସବୁ ନେଇ ତେତଲାର ଘରେ ରଖିଲୁ-। ସେ ଫେରିଲେ ସେସବୁ ସଜା ହୋଇ ରହିବ । ଗୋଟିଏ ଖୋଲା କାଠ ବାକ୍ସରୁ ଅନ୍ୟମନସ୍କ ଭାବରେ ତାହାର ଖଣ୍ଡିଏ ଟିପାଖାତା ଉଠାଇନେଲି । ମଲାଟ ଉପରେ ଲେଖା ହୋଇଥିଲା “ଚନ୍ଦ୍ରମଲ୍ଲିକା ପତ୍ରିକା ।” ମନେହେଲା, ଯେମିତି ନିଦ ଔଷଧର ବିଷ କ୍ରିୟାରେ ଅସୁସ୍ଥ ଥିଲାବେଳେ ସେହି ଦିନଲିପିଟି ଲେଖା ହୋଇଛି । ପଢ଼ିବାକୁ ଲାଗିଲି–

 

“ଅସହ୍ୟ ମୃତ୍ୟୁ ଯନ୍ତ୍ରଣା । ମାନବ ଇତିହାସରେ ଅଦ୍ୱିତୀୟ, ଅତୁଳନୀୟ ଓ ଅତଳ ସ୍ପର୍ଶୀ ଏହି ନରକ ଯନ୍ତ୍ରଣାକୁ ତୁଚ୍ଛ ମଣ ନାହିଁ ।’’

 

ଦର୍ଶନ, ଧର୍ମ, ଆଦର୍ଶ, ଶୃଙ୍ଖଳା, ନିଷ୍ଠା, ଶୁଚିତା–ସବୁ ମିଛ । ଲୋକେ କହନ୍ତି ଉଶିଜିମାର ମଟର ଫୁଲର ବୟସ ହଜାରେ ବର୍ଷ, ଆଉ କୁମାନୋର ମଟର ଫୁଲର ବୟସ ଶହେ ଶତାବ୍ଦୀ । ସେହି ଗୁଚ୍ଛ ଗୁଚ୍ଛ ମଟର ଫୁଲର ଶୋଭାରେ ମୋର ମନ ପ୍ରାଣ ନାଚି ଉଠେ ।

 

ଡାକ୍ତର ଫାଉଷ୍ଟଙ୍କର ଦୁଃସାହସିକ ଉକ୍ତି: କୁମାରୀର ହସ ନିକଟରେ ଇତିହାସ, ଦର୍ଶନ, ଶିକ୍ଷା, ଧର୍ମ, ଆଇନ, ରାଜନୀତି, ଅର୍ଥନୀତି, ଇତ୍ୟାଦି ଜ୍ଞାନର ସବୁ ଶାଖା ତୁଚ୍ଛ ।

 

ସ୍ଵୟଂ ଗେଟେଙ୍କ ସାମନାରେ ମୁଁ ଶପଥ କରି କହିପାରେ, ମୋର ଅସାଧାରଣ ସାହିତ୍ୟ ପ୍ରତିଭା ଅଛି । ପାଠକକୁ ଅଭିଭୂତ କଲା ଭଳି କରୁଣ ରସର ଅବତାରଣା କିମ୍ବା ତ୍ରୁଟିହୀନ ଅସାମାନ୍ୟ ଉପନ୍ୟାସ ଲେଖିବା ମୋ’ଦ୍ଵାରା ଅସମ୍ଭବ ନୁହେଁ, ଯଦି ଲଜ୍ଜା ଆସି ବାଧା ନ ଦିଏ । ଏକମାତ୍ର ପାଗଳ ଲୋକେହିଁ ଯଥେଷ୍ଟ ଶ୍ରଦ୍ଧାରେ ଉପନ୍ୟାସ ପଢ଼ନ୍ତି । ଲେଖାରେ କୃତ୍ରିମ ନ ହେଲେ ଭଲ । ମୋର ଉପନ୍ୟାସ ହେବ ଖାପଛଡ଼ା ।

 

ଜାପାନର ଶ୍ରେଷ୍ଠ ନିର୍ବୋଧ ଏଠାରେ ଉପସ୍ଥିତ । ମୋ ତୁଳନାରେ ତୁମେସବୁ ବିଚକ୍ଷଣ । ତୁମ୍ଭମାନଙ୍କର ମଙ୍ଗଳ ହେଉ ।

 

ଜାଣେନା, କିଏ ମନ୍ଦ ନୁହେଁ ।

 

କ୍ଳାନ୍ତିକର ଏହି ଦୁଶ୍ଚିନ୍ତା ।

 

ଟଙ୍କା ଲୋଡ଼ା ।

 

ଟଙ୍କା ନ ପାଇଲେ ମୋର ନିଦରେ ସ୍ଵାଭାବିକ ମୃତ୍ୟୁ !

 

ଡାକ୍ତରଖାନାରେ ହଜାରେ ଇୟେନ ଧାର ହୋଇଛି । ଆଜି ଗୋଟିଏ ବନ୍ଧକୀ ଦୋକାନର କିରାଣୀକୁ ଗୋପନରେ ଘରକୁ ଡାକିଆଣି ବନ୍ଧକ ଦେଲା ଭଳି ଦାମିକା ଜିନିଷ ନେଇ ମୋତେ ଟଙ୍କା ଦେବାକୁ କହିଲି । ଷ୍ଟାଣ୍ଡ ଉପରେ ରହିଥିବା ପ୍ଲାଷ୍ଟାରରେ ତିଆରି ଭେନାସର ଡାଲିଆ ଫୁଲପରି ତୁଷାର ଶୁଭ୍ର ସୁକୋମଳ ହାତଟି ପାଇଁ ମୋତେ ମାତ୍ର ପଚାଶ ଇୟେନ ଦେବାକୁ ରାଜି ହେଲା । ଗଦାଏ ପୁରୁଣା ବହି ଦେଇ ଜମା ପାଞ୍ଚ ଇୟେନ ଯୋଗାଡ଼ ହେଲା ।

 

ଯେଉଁମାନେ ମୋତେ ସମାଲୋଚନା କରନ୍ତି, ମୋର ମନେ ହୁଏ, ଯଦି ସେମାନେ ମୋତେ ଖାଲି ମରିବାକୁ କହନ୍ତେ ତାହାହେଲେ ସେଟା ବରଂ ଭାରି ଭଲ ହୁଅନ୍ତା । ଆମ ଭିତରେ ଭଲ ଲୋକବୋଲି କେହି ନାହାନ୍ତି । ନିର୍ବୋଧ, ଭୂତ, ପ୍ରେତ, କୃପଣ, ପାଗଳା କୁକୁର–ଖାଲି ବଡ଼ ବଡ଼ କଥା ।

 

ଜାପାନ ମରିପଡ଼ି ଯୁଦ୍ଧ କରୁଛି । ମୋତେ ତାହାରି ଭିତରକୁ ଟାଣି ନେଇ ମୃତ୍ୟୁ ସାମ୍ନାରେ ଠିଆ କରାଇବେ । ମୁଁ ବରଂ ନିଜ ହାତରେ ମରିବି ।

 

ମାନ୍ୟଗଣ୍ୟ ଲୋକେ ମୋ ସହିତ ମିଳାମିଶା କରିବାକୁ ଚାହାନ୍ତି ନାହିଁ । ମୋତେ ସମସ୍ତେ ନିଷ୍କର୍ମା, ମିଥ୍ୟାବାଦୀ, ବଡ଼ଲୋକ, ଉଦାସୀନ ବୋଲି କହନ୍ତି । ଦୁନିଆଟା ମୋ ପ୍ରତି ବିମୁଖ । ମୋଟ କଥା ହେଉଛି, ଆମହତ୍ୟା ଛଡ଼ା ମୋର ଅନ୍ୟ ଗତି ନାହିଁ ।

 

ମାଆର ଭଲ ମଣିଷପଣିଆର ପଟାନ୍ତର ନାହିଁ । ତାହାର କଥା ମନେପଡ଼ିଲେ ମୋ ଆଖିରେ ଲୁହ ଭରିଯାଏ । ମୋର ମୃତ୍ୟୁ ଭିତରେ ତାହାକୁ କହିବି, ଦୟାକରି ଅନ୍ତତଃ ଥରେ ମୋତେ କ୍ଷମା କର ।

 

ନବ ବର୍ଷର କବିତା

 

ବର୍ଷ ଗୁଡ଼ାକ

ଏବେ ବି ଆଖିରେ ଦେଖି ପାରନ୍ତି ନି

ତଥାପି ସେହି ଛୋଟ ବଗ ଛୁଆସବୁ

କିପରି ଲଭନ୍ତି ଏପରି ପୂର୍ଣ୍ଣତା !

 

ନିଜକୁ ଜଣେ ଅଭିଯାତ ବୋଲି ନ ଭାବି କୌଣସି ପୁରୁଷ ପକ୍ଷରେ ବଞ୍ଚିବା ଅସମ୍ଭବ ।

 

ମୁଁ ମଣିଷକୁ ଘୃଣା କରେ । ସେମାନେ ବି ମୋତେ ଘୃଣା କରନ୍ତି ।

 

ବୁଦ୍ଧିର ପରୀକ୍ଷା ।

 

ଯାହାହେଉ ଏହି ବିଚାରରେ କୌଣସି ସନ୍ଦେହ ନାହିଁ ଯେ ବଞ୍ଚିରହିବାକୁ ହେଲେ ମଣିଷକୁ ଛଳନାର ଆଶ୍ରୟ ନେବାକୁ ପଡ଼ିବ ।

 

ଋଣ ଭିକ୍ଷା କରି ଲିଖିତ ଚିଠିଟିଏ–

 

ତୁମର ଜବାବ

 

ଦୟା କରି ଜବାବ ଦିଅ ।

 

ଆଉ ଏମିତିକା ଜବାବ ଦିଅ, ଯେମିତି ମୋ ମନ ଖୁସି ହେଉ ।

 

ସବୁ ରକମ ଅପମାନ ଆଶଙ୍କା କରି ଆପଣା ମନରେ ଜଳିପୋଡ଼ି ମରୁଛି ।

 

ଅଭିନୟ ନୁହେଁ । ବାସ୍ତବିକ ନୁହେଁ ।

 

ମୁଁ ତୁମ ନିକଟରେ ଭିକ୍ଷା ଚାହୁଁଛି ।

 

ଯେମିତି ଲାଜରେ ମରିଯାଉଛି ।

 

ଏତେ ଟିକିଏ ବଢ଼ାଇ କରି କହୁ ନାହିଁ ।

 

ପ୍ରତିଦିନ ତୁମ ଜବାବର ଅପେକ୍ଷାରେ କଟେ । ଅହରହ ଭୟରେ କମ୍ପୁଥାଏ ।

 

ମୋତେ ଧୂଳିରେ ମିଶିଯିବାକୁ କୁହନା ।

 

ମୁଁ ଯେମିତି ଶୁଣିବାକୁ ପାଏ କାନ୍ଥଗୁଡ଼ାକ ମୋତେ ଦେଖି ଚାପା ହସ ହସୁଛନ୍ତି । ଗଭୀର ରାତିରେ ବିଛଣାରେ ପଡ଼ି ମୁଁ ଛଟପଟ ହୁଏ ।

 

ଭଉଣୀ ମୋର !

 

ଏପର୍ଯ୍ୟନ୍ତ ପଢ଼ି “ଚନ୍ଦ୍ରମଲ୍ଲିକା ପତ୍ରିକା”ଟି ବନ୍ଦ କରି କାଠ ବାକ୍ସ ଭିତରେ ରଖିଦେଲି । ଝରକା ଖୋଲି ଦେଲି ଏବଂ ବର୍ଷା ଧାରାରେ ଧୂଆଁଳିଆ ବଗିଚା ଆଡ଼କୁ ଅନାଇ ସେହିସବୁ ଦିନର କଥା ଭାବିବାକୁ ଲାଗିଲି ।

 

ତା’ପରେ ଛଅ ବର୍ଷ ଗଡ଼ି ଯାଇଛି । ନାଓଜିର ଅଫିମ ନିଶା ଶେଷ ଅବଧି ମୋ ବିବାହ-ବିଚ୍ଛେଦର କାରଣ ହେଲା । ଡାକ୍ତରଖାନାରେ ବାକି ହେବା ଯୋଗୁଁ ନାଓଜି ପ୍ରାୟ ଟଙ୍କା ପାଇଁ ମୋତେ ଉତ୍ତ୍ୟକ୍ତ କରୁଥିଲା । ସେତିକିବେଳେ ମୋର ବିବାହ ହୋଇଥିଲା, ନାଓଜିଠାରୁ ଚିଠି ପାଇଲି–“ଏତେ ଲଜ୍ଜା ଓ ଉଦ୍ବେଗରେ ଦିନ କାଟୁଛି ଯେ ତୋ ସହିତ ଦେଖା କିମ୍ବା ଟେଲିଫୋନରେ କଥା ବି କହିପାରୁନାହିଁ । ଓସେକିର ହାତରେ ଔପନ୍ୟାସିକ ଉୟେହାରା ଜିରୋଙ୍କ ଠାକୁ ଟଙ୍କା ପଠାଇବୁ । ତୁ ଭଦ୍ରଲୋକଙ୍କୁ ଚିହ୍ନୁ । ମନ୍ଦ ଲୋକ ବୋଲି ତାଙ୍କର ବଦନାମ ଅଛି, ପ୍ରକୃତରେ ସେ ଠିକ୍ ସେମିତିକା ନୁହନ୍ତି । ଟଙ୍କା ପାଇଲେ ସେ ମୋତେ ଫୋନ କରି ଜଣାଇ ଦେବେ । ଏହି ନିଶା କଥାଟା ମାଆଠାରୁ ଗୋପନ ରଖିବାକୁ ଚାହେଁ । ସେ ଜାଣିବା ଆଗରୁ ମୁଁ ନିଜକୁ ସୁଧାରି ନେବି । ତୋ’ଠାରୁ ଟଙ୍କା ପାଇଲେ ଡାକ୍ତରଖାନାର ସବୁ ଦେଣା ପରିଶୋଧ କରିଦେବି । ତା’ପରେ ସ୍ଵାସ୍ଥ୍ୟ-ଉଦ୍ଧାର ସକାଶେ ଆମ ପାହାଡ଼ି ଘରକୁ ଯିବି । ଋଣମୁକ୍ତ ହେଲା ଦିନ ହିଁ ମୁଁ ନିଶା ଏକାବେଳେ ଛାଡ଼ି ଦେବି ।” ମୋ ନିଜର ଗୋଟିଏ ଗହଣା ବିକି କିଛି ଟଙ୍କା ଓସେକିର ହାତରେ ଗୋପନରେ ଉୟେହାରାଙ୍କ ଠାକୁ ପଠାଇ ଦେଲି । କିନ୍ତୁ ବରାବର ପରି ଏଥର ମଧ୍ୟ ନାଓଜିର କଥା ମିଥ୍ୟା ପ୍ରମାଣିତ ହେଲା । ଆରୋଗ୍ୟ ହେବା ପାଇଁ ସେ ପାହାଡ଼ ଘରକୁ ଗଲା ନାହିଁ, ବରଂ ତାହାର ନିଶାର ବିଷ କ୍ରିୟା ଆରମ୍ଭ ହେଲା । ଟଙ୍କାର ତାଗିଦରେ ତାହାର ଚିଠିର ଧାରା ଉଦ୍ବେଗରେ ଏମିତି ରୂପ ଧାରଣା କଲା ଯେ ତାହାକୁ ଆର୍ତ୍ତନାଦ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତି ଚିଠିରେ “ନିଶା ଛାଡ଼ି ଦେବି ବୋଲି ମୁଁ ଶପଥ ନେଲି” ନାମକୁ ମାତ୍ର ଲେଖା ଥାଏ । ସେ ମିଛ କହୁଛି ବୋଲି ବୁଝିପାରିଲେ ସୁଦ୍ଧା, ପ୍ରତିଥର ମୁଁ ନିଜର ଗୋଟିଏ ଲେଖାଏଁ ଗହଣା ଓସେକିର ହାତକୁ ବଢ଼ାଇ ଦିଏଁ ଉୟେହାରାଙ୍କ ନିକଟରେ ଯଥା ସମୟରେ ଟଙ୍କାଟା ପହଞ୍ଚାଇ ଦେବା ପାଇଁ ।

 

ସେତେବେଳେ ମୁଁ ମେଘର ରାଜ୍ୟରେ ବିଚରଣ କରୁଥିଲି । କୌଣସି ରକମ ଦୁଶ୍ଚିନ୍ତା ମୋତେ ଛୁଇଁପାରୁ ନଥିଲା । ତଥାପି କ୍ରମାଗତ ଟଙ୍କା ବାହାରିଯାଇ ଏକ ସମୟରେ ଅଙ୍କଟା ଦୁଃସ୍ଵପ୍ନର ଆକାର ଧାରଣ କଲାରୁ, ମୁଁ ଭୟଙ୍କର ଭୀତ ହେଲି । ଦିନେ ରଙ୍ଗାଳୟରୁ ବାହାରି ସିଧାସଳଖେ ଉୟେହାରାଙ୍କ ଘରକୁ ଚାଲିଲି ।

 

ଉୟେହାରା ଏକା ଘରେ ବସି ଖବରକାଗଜ ପଢ଼ୁଥିଲେ । ବାଙ୍ଗରା, କଳା, ଅସୁନ୍ଦର । ଜାପନୀ ପୋଷାକରେ ସେ ଏକାସାଙ୍ଗରେ ବୁଢ଼ାଳିଆ ଓ ପିଲାଳିଆ ମାଲୁମ ହେଉଥିଲେ ।

 

“ମୋ ସ୍ତ୍ରୀ ଝିଅକୁ ନେଇ ରସଦ ଆଣିବାକୁ ଯାଇଛି”–ଉୟେହାରା ମୋତେ ଦେଖି ନିଜ ସ୍ତ୍ରୀର କୌଣସି ବାନ୍ଧବୀ ବୋଲି ଭାବିଲେ । ନାଓଜିର ଭଉଣୀ ବୋଲି ପରିଚୟ ଦେବାରୁ, ସେ ଜୋରରେ ହସି ହସି କହିଲେ–“ବାହାରିବା ?” ଜବାବରେ ଅପେକ୍ଷା ନ କରି କୋଟ ଓ ଚଟି ପିନ୍ଧି ସେ ମୋ ଆଗେ ଆଗେ ବାରନ୍ଦା ଟପି ବାହାରିଗଲେ ।

 

ଶୀତର ସନ୍ଧ୍ୟା । ହେମାଳ ପବନ ବହୁଥିଲା । ଟୋକିଓ ଥିଏଟରର ପଛ ପଟେ ଗୋଟିଏ ଘରର ମାଟି ତଳର ଗୋଟିଏ କୋଠରୀରେ ଯାଇ ହାଜର ହେଲେ । ଦଳ ଦଳ ହୋଇ ଗରାଖମାନେ ଲମ୍ବା ସରୁ ବଖରାଟିରେ ଟେବୁଲକୁ ଘେରି ବସି ମଦ ଖାଉଥିଲେ । ଉୟେହାରା ଓ ମୁଁ ଦୁଇ ଗିଲାସ ଲେଖାଏଁ ମଦ ଖାଇଲୁ ।

ମଦ ସାଙ୍ଗରେ ସିଗାରେଟ ଟାଣୁ ଟାଣୁ ଉୟେହାରା କହିଲେ–“ଯଦି ତୁମ ଭାଇ ମଦ ଆଡ଼କୁ ଢଳି ଥାଆନ୍ତା, ତେବେ ଭଲ ହୋଇଥାଆନ୍ତା । ମୋର ବି ଦିନେ ଅଫିମ ନିଶା ଥିଲା । ଜାଣେ, ଲୋକେ ତାହାକୁ କେତେ ହୀନ ମଣନ୍ତି । ମାତ୍ର ମଦ ପ୍ରତି ଲୋକଙ୍କର ଅଜବ ପକ୍ଷପାତ ଅଛି । ମୋର ଇଚ୍ଛା ତୁମ ଭାଇକୁ ମଦ ଧରାଇବି ।”

“ଜୀବନରେ ପ୍ରଥମଥର ନବବର୍ଷ ଦିନ ଆମ ଡ୍ରାଇଭରର ବନ୍ଧୁକୁ ମାତାଲ ଅବସ୍ଥାରେ ଦେଖି ମୁଁ ଏକାବେଳେ ଅଭିଭୂତ ହୋଇଯାଇଥିଲି ।”

“ହୁଏତ ତୁମ ଭାଇ ମଦ ଧରିଲେ ତାହାର ନିଜର ଉପକାର ହୁଅନ୍ତା । ହେଉ, ଚାଲ ।”

ମୁଁ ବିଲ୍‍ଟା ଚୁକ୍ତି କଲି ।

“ତୁମ ପାଇଁ ଗୋଟାଏ ଟାକ୍ସି ଡାକେ । ତୁମେ ବରଂ ଘରକୁ ଯାଅ ।”

ଅନ୍ଧକାର ସିଡ଼ିରେ ତଳୁ ଉପରକୁ ଉଠିଆସିଲୁ । ଉୟେହାରା ମୋର ଗୋଟିଏ ପାହାଚ ଆଗରେ ଥିଲେ, ହଠାତ୍ ବୁଲିପଡ଼ି ମୋତେ ଚୁମା ଦେଲେ । ଓଠ ଶକ୍ତ କରି ଚାପି ଧରି ତାଙ୍କର ଚୁମ୍ବନ ଗ୍ରହଣ କଲି ।

ବାହାରି ଆସିଲାରୁ ଉୟେହାରା ମୋ ପାଇଁ ଗୋଟାଏ ଟାକ୍ସି ଡାକିଲେ । କିଛି କଥା ନ କହି ଆମେ ପରସ୍ପରଠାରୁ ବିଦାୟ ନେଲୁ ।

ଦିନେ ସ୍ୱାମୀ ସାଙ୍ଗରେ ଅଯଥା ଝଗଡ଼ା ହେଲାରୁ ମନ ଖରାପ କରି ବସିଛି, ହଠାତ୍ କହିଦେଲି–“ମୋର ଜଣେ ମନର ମଣିଷ ଅଛି ।”

“ଜାଣେ । ହୋସୋଡ଼ା ନା ?”

ମୁଁ ନୀରବ ରହିଲି ।

ଯେବେ ସ୍ଵାମୀ ସହିତ ଝଗଡ଼ା ହୁଏ, ଏହି କଥା ଉଠେ । ଦିନେ ରାତିରେ ସ୍ଵାମୀ ପଚାରିଲେ, ମୋ ପେଟରେ ଛୁଆଟି କଅଣ ହୋସୋଡ଼ାର ? ଭୟରେ ମୋର ସର୍ବାଙ୍ଗ ଥରିଲା । ହୋସୋଡ଼ାଙ୍କ ଅଙ୍କିତ ଛବି ସମ୍ବନ୍ଧରେ ମୋର ଏପରି ଅନ୍ଧ ଭକ୍ତି ଥିଲା ଯେ ଜଣାଶୁଣା ସମସ୍ତଙ୍କୁ କହି ବୁଲୁଥିଲି, ଏପରି ଜଣେ ଲୋକର ସ୍ତ୍ରୀ ହୋଇପାରିଲେ ଜୀବନଟା ଅପରୂପ ହୁଅନ୍ତା । ସୁତରାଂ ସମସ୍ତେ ଭୁଲ ବୁଝୁଥିଲେ । ମୁଁ ବି କଥାଟା ପ୍ରତ୍ୟାହାର ନ କରିବାରୁ ପରିସ୍ଥିତି ଜଟିଳ ହେଲା । ଫଳରେ, ମୋ ଶରୀର ଭିତରେ ଘୁମନ୍ତ କ୍ଷୁଦ୍ର ମାନବ ଶିଶୁଟି ପ୍ରତି ମୋ ସ୍ଵାମୀଙ୍କର ସନ୍ଦେହ ଉପୁଜିଲା । ଆମ ଦୁହିଁଙ୍କ ଭିତରୁ କେହି ବିବାହ ବିଚ୍ଛେଦ କଥା ଉଠାଇଲୁ ନାହିଁ, ଅଥଚ ପରିବେଶ ଦିନକୁ ଦିନ ଖରାପ ହେଲା । ମୁଁ ମାଆଙ୍କ ଠାକୁ ଫେରିଆସିଲି । ମୃତ ଶିଶୁ ପ୍ରସବ ପରେ, ଅସୁସ୍ଥ ହୋଇ ବିଛଣା ଧରିଲି । ତାହା ଆଗରୁ ସ୍ୱାମୀ ସହିତ ମୋର ସମ୍ପର୍କ ଶେଷ ହୋଇଯାଇଥିଲା ।

 

ମୋ ବିବାହ ବିଚ୍ଛେଦ ବ୍ୟାପାରରେ ନିଜକୁ ଅପରାଧୀ ମନେକରି ନାଓଜି କାନ୍ଦି କାନ୍ଦି ନିଜର ମରଣ କାମନା କଲା । ମୁଁ ତାହାକୁ କହିଲି–“ଉୟେହାରାଙ୍କ ସହିତ ମୋର ଆଳାପ ହୋଇଛି-। ଚମତ୍କାର ଲୋକ । ମଝିରେ ମଝିରେ ତିନିହେଁ ମିଶି ମଦ ଖାଇଲେ, ବେଶ୍ ମଜା ହୁଅନ୍ତା-। ଯଦି ତୁ ଶସ୍ତା ଚାଉଳି ମଦ ଧରୁ, ସେହି ଖରଚ ଯୋଗାଇବା ମୋ ପକ୍ଷରେ କଠିନ ହେବ ନାହିଁ । ଡାକ୍ତରଖାନାର ଧାର ପାଇଁ ଗୋଟାଏ ବ୍ୟବସ୍ଥା ହେବ ।”

 

ମୋ କଥା ଶୁଣି ନାଓଜି ଆନନ୍ଦରେ ଗଦଗଦ ହେଲା । ସେହି ରାତିରେ ମୋ’ଠାରୁ ଟଙ୍କା ନେଇ ଭଦ୍ରଲୋକଙ୍କ ଘରକୁ ଧାଇଁଲା । ଉୟେହାରାଙ୍କ ପ୍ରଶଂସାରେ ପଞ୍ଚମୁଖ ହେଲି ଏବଂ ନାଓଜିଠାରୁ ତାଙ୍କର ବହିସବୁ ନେଇ ପଢ଼ିବାକୁ ଲାଗିଲି । ମୁଁ ତାଙ୍କର ଜଣେ ସମଝଦାର ଜାଣି ନାଓଜି ଅବାକ୍‍ ହେଲା । ପ୍ରାୟ ନିତି ରାତିରେ ନାଓଜି ଉୟେହାରାଙ୍କ ସାଙ୍ଗରେ ମଦଖଟିକୁ ଯାଇ କ୍ରମେ କ୍ରମେ ମଦ ନିଶାରେ ମଶଗୁଲ ହୋଇଗଲା ।

 

ତା’ପରେ ଛଅଟି ବର୍ଷ କଟିଯାଇଛି ।

 

ହଁ, ନାଓଜିର ଅବସ୍ଥା ନିଶ୍ଚୟ ଶୋଚନୀୟ । ଅଦ୍ୟାବଧି ଉଦ୍ଧାରର ସବୁ ବାଟ ବନ୍ଦ । ମରଣର ଆଶାରେ ସେ ବୋଧହୁଏ ନିତି ମାତାଲ ହୁଏ ।

 

ନାଓଜି ଟିପାଖାତାରେ ଲେଖିଛି–କିଏ ଯେ ମନ୍ଦ ନୁହେଁ ତାହା ତ ଜାଣେନା । ଏହା ପଢ଼ି ମୁଁ ନିଜକୁ, ଏପରିକି ମୋ ମାଆଙ୍କୁ ସୁଦ୍ଧା ନୀତିଭ୍ରଷ୍ଟା ବୋଲି ମନେକରିଛି ।

 

 

ଆଜି ସକାଳେ ହଠାତ୍ ଯୀଶୁଙ୍କର ଉକ୍ତି “ସର୍ପପରି ସତର୍କ ଓ କପୋତ ପରି ନିରୀହ” ମୋର ମନେପଡ଼ିଲା । ଦମ୍ଭ ଧରି ମୁଁ ତାହାଙ୍କୁ ପ୍ରଥମେ ଚିଠି ଲେଖିଲି :

 

‘‘ମୁଁ ନାଓଜିର ଭଉଣୀ । ଯଦି ମୋତେ ଭୁଲି ଯାଇଥିବେ, ଦୟାକରି ଥରେ ମନେପକାଇବାକୁ ଚେଷ୍ଟା କରିବେ ।

 

ନାଓଜି ପୁଣି ବେହେଡ଼ା ହୋଇ ଆପଣଙ୍କୁ ଉତ୍ତ୍ୟକ୍ତ କରୁଥିବାରୁ, ପ୍ରଥମେ କ୍ଷମା ମାଗୁଛି-। ଆଜି ମୋ ନିଜ ପାଇଁ ଆପଣଙ୍କଠାରୁ କିଛି ଭିକ୍ଷା ଚାହେଁ ।

 

ଆପଣଙ୍କ ସହିତ ମୁଁ ଗୋଟିଏ ବିଷୟ ଅଲୋଚନା କରିବାକୁ ଚାହେଁ । ହୁଏତ ତାହା କୌଣସି ତରୁଣୀ ପକ୍ଷରେ ଅଶାଳୀନ, ମାତ୍ର ମୁଁ ଏ ଅବସ୍ଥାରେ ଆଉ ରହିପାରୁନାହିଁ । ସୁତରାଂ ଆପଣଙ୍କୁ ଅନୁରୋଧ କରୁଛି ମୋର ନିରାଭରଣ ଅନୁଭୂତିଗୁଡ଼ିକ ଶୁଣି ବାଟ ବତାଇଦେବା ପାଇଁ ।

 

ଗଲା କାଲି ସର୍ବାଙ୍ଗରେ ଅସହ୍ୟ ବେଦନା ସହିତ ଜ୍ଵର ବି ଥିଲା । ଦି’ପହରେ ଜଣେ ଚାଷୀ ଝିଅ ମେଘରେ ତିନ୍ତି ତିନ୍ତି ଆସି ଲୁଗା ବଦଳରେ ଚାଉଳ ଦେଇଗଲା । ସେ ମୋତେ ପଚାରିଲା–ଏମିତିକା ଆଉ କେତେ ଦିନ ଚଳିବ ?

 

ଜବାବ ଦେଲି–ବଡ଼ ଜୋରରେ ବର୍ଷେ ଖଣ୍ଡେ ।

 

ମୋ ଆଖି ଲୁହରେ ଛଳଛଳ ହେଲା । ଉଠିପଡ଼ିଲି ଦୁଇଟି କଥା ମୋ ମନ ଭିତରେ ଗୁମରିଲା–ବାସ୍ତବ ଓ କଳ୍ପନା । ବାସ୍ତବ ସମ୍ବନ୍ଧରେ ମୋର କିଛି ଧାରଣା ନାହିଁ । ସେହି କାରଣରୁ ମୋର ବଞ୍ଚିରହିବା ସମ୍ଭବ ହେଉଛି । ମାଆ ପ୍ରାୟ ଅଥର୍ବ । ନାଓଜିର ମାନସିକ ଅସୁସ୍ଥତା ତ ଆପଣଙ୍କୁ ଅବିଦିତ ନାହିଁ । ମୁଁ ପରିଷ୍କାର ଦେଖିପାରୁଛି, ମୁଁ ଦିନକୁ ଦିନ ଆପଣାର ଅସ୍ତିତ୍ୱ ନିଃଶେଷ କରୁଛି । ଏହା ମୋ ପକ୍ଷରେ ଅତୀବ ଅସହ୍ୟ । ତେଣୁ ମୁଁ ପରିତ୍ରାଣ ଚାହେଁ ।

 

ଏଥର ମୁଁ ମୋ ମାଆ ଓ ନାଓଜିକୁ ଦ୍ଵିଧାହୀନ ଭାଷାରେ ଜଣାଇଦେବାକୁ ଚାହେଁ, କିଛି ଦିନ ହେଲା ମୁଁ ଜଣକୁ ନିବିଡ଼ ଭାବରେ ଭଲପାଉଛି ଏବଂ ତାଙ୍କର ରକ୍ଷିତା ହୋଇ ରହିବି । ତାଙ୍କର ସଂକ୍ଷିପ୍ତ ସ୍ଵାକ୍ଷର ହେଉଛି ଏମ.ସି. । ଆପଣଙ୍କ ପରି ତାଙ୍କର ରୂପସୀ ସ୍ତ୍ରୀ ଓ ଝିଅଟିଏ ଅଛନ୍ତି । ତାଙ୍କର ସ୍ତ୍ରୀକୁ ମୁଁ କେବେହେଲେ ଦେଖି ନାହିଁ । ତେବେ ଶୁଣିଛି, ତାଙ୍କର ସ୍ଵଭାବ ଅତିଶୟ ମଧୁର । ତାହାଙ୍କ କଥା ଭାବିଲେ ନିଜକୁ ଜଘନ୍ୟ ମନେହୁଏ । ତଥାପି ମୋର ବର୍ତ୍ତମାନ ଜୀବନ ଅଧିକ ଭୟାବହ ଥିବାରୁ, ମୁଁ ମୋର ଏହି ପ୍ରେମକୁ ଯେକୌଣସି ମତେ ଚରିତାର୍ଥ କରିବି । ଏପରି ଅବସ୍ଥାରେ ଯଦି ଏମ.ସି. କହନ୍ତି ଯେ ମୋତେ ବରଦାସ୍ତ କରିବା ତାହାଙ୍କ ପକ୍ଷରେ ଅସମ୍ଭବ, ତାହାହେଲେ ମୋର କହିବାର କିଛି ନାହିଁ । ଆପଣଙ୍କୁ ମୋର ଏକମାତ୍ର ଅନୁରୋଧ, ଆପଣ ତାହାଙ୍କୁ ଦୟାକରି ପଚାରିବେ ମୋ ସମ୍ବନ୍ଧରେ ତାଙ୍କର କି ଧାରଣା । ସେ କଅଣ ମୋତେ ବର୍ଷାଝରା ଆକାଶରେ ଇନ୍ଦ୍ରଧନୁ ପରି ଭାବିଛନ୍ତି, ଆଉ ଇତିମଧ୍ୟରେ ତାହା କଅଣ ଧୋଇଧାଇ ନିଃଶେଷ ହୋଇଯାଇଛି ? ଯଦି ତାହା ହୁଏ, ତେବେ ମୁଁ ମୋ ମନର ଆକାଶରୁ ଇନ୍ଦ୍ରଧନୁକୁ ପୋଛି ପକାଇବି ।

 

ଜବାବ ପାଇଁ ପ୍ରାର୍ଥନା କରେ ।

 

ଦ୍ଵିତୀୟ ଚିଠି–

 

“ଆପଣଙ୍କଠାରୁ କିଛି ଜବାବ ନ ପାଇ ପୁଣି ଚିଠି ଲେଖି ବସିଲି । ଆଗ ଚିଠିଟି ଅବଶ୍ୟ ଅତ୍ୟନ୍ତ କୂଟ ଷଡ଼ଯନ୍ତ୍ରରେ ପୂର୍ଣ୍ଣ । ବୋଧହୁଏ ଆପଣ ତାହା ଧରିପାରିଥିବେ । ହଁ, ସେ କଥା ସତ । ଆପଣ ହୁଏତ ଭାବିଛନ୍ତି ଯେ ଜୀବନ ଧାରଣ ନିମନ୍ତେ ଅର୍ଥ ସଂସ୍ଥାନ କରିବା ମୋର ଉଦ୍ଦେଶ୍ୟ । ତାହା ତ ଅସ୍ଵୀକାର କରୁ ନାହିଁ । ଯାହାହେଉ, କ୍ଷମା କରିବେ, ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ଖାଲି ମୁରବିର ସନ୍ଧାନ ମୋର ଉଦ୍ଦେଶ୍ୟ ହୋଇଥିଲେ ମୁଁ ବିଶେଷ କରି ଆପଣଙ୍କୁ ବାଛି ନ ଥାଆନ୍ତି । ମୋର ଧାରଣା, ବହୁ ଧନୀ ବୃଦ୍ଧ ମୋର ଭାର ବହନ କରିବାକୁ ରାଜି । ଏପରିକି, କିଛି ଦିନ ତଳେ, ମୋ ଠାକୁ ଗୋଟାଏ ବିବାହର ପ୍ରସ୍ତାବ ଆସିଥିଲା । ଆପଣ ଭଦ୍ରଲୋକଙ୍କୁ ଚିହ୍ନିଥିବେ-। ତାଙ୍କର ବୟସ ଷାଠିଏ ଉପରେ, ବିପତ୍ନୀକ, ଶିଳ୍ପ ଆକାଦମିର ସଭ୍ୟ, ସ୍ୱନାମଧନ୍ୟ ଶିଳ୍ପୀ, ନିଶିକାତା ଷ୍ଟ୍ରୀଟରେ ଆମର ପ୍ରତିବେଶୀ ଥିଲେ, ବେଳେବେଳେ ସଭା ସମିତିରେ ତାହାଙ୍କ ସହିତ ଭେଟ ହେଉଥିଲା । ସେ ଜଣକ ଜରିଆରେ ମାଆଙ୍କ ଠାକୁ ମୋତେ ବିଭା ହେବାଲାଗି ପ୍ରସ୍ତାବ ପଠାଇଥିଲେ । ବିଶେଷ କିଛି ଚିନ୍ତା ନ କରି ମୁଁ ଜବାବ ଦେଲି–ବର୍ତ୍ତମାନ ବିବାହରେ ମୋର ଆଦୌ ରୁଚି ନାହିଁ । ଦୁଇ ଦିନ ପରେ, ମୋ ଚିଠି ପାଇବା ଆଗରୁ, ମୋ ଜବାବ କଥା କିଛି ନ ଜାଣି, ଭଦ୍ରଲୋକ ଅପ୍ରତ୍ୟାଶିତ ଭାବରେ ଆମ ଘରେ ଆସି ଉପସ୍ଥିତ ହେଲେ । ମାଆ ଅସୁସ୍ଥ ଥିବାରୁ, ମୁଁ ନିଜେ ତାହାଙ୍କୁ ଅଭ୍ୟର୍ଥନା କଲି । ଚାହା ଢ଼ାଳୁ ଢ଼ାଳୁ ଜଣାଇଲି–ଆପଣଙ୍କ ପ୍ରସ୍ତାବ ମୋ ପକ୍ଷରେ କୌଣସିମତେ ସମ୍ଭବପର ବୋଲି ମନେହେଲା ନାହିଁ । ଝାଳ ପୋଛି ଭଦ୍ରଲୋକ ଅଧୈର୍ଯ୍ୟ ସ୍ୱରରେ କହିଲେ–ଆଶା କରେ, ଆଉଥରେ ବିବେଚନା କରି ଦେଖିବ । ହୁଏତ ମୁଁ ତୁମକୁ ମାନସିକ ଆନନ୍ଦ ଦେଇପାରିବି ନାହିଁ, ମାତ୍ର ତୁମକୁ ପାର୍ଥିବ ସୁଖ ଦେବାର ଯଥେଷ୍ଟ କ୍ଷମତା ମୋର ଅଛି । ମୁଁ ଜବାବ ଦେଲି–ନା, ଧନ୍ୟବାଦ । ମୁଁ ସନ୍ତାନ ଚାହେଁ । ଅର୍ଥରେ ମୋର ସେତିକି ଆସକ୍ତି, ଯେତିକି ସନ୍ତାନକୁ ମଣିଷ କରିବା ନିମନ୍ତେ ପ୍ରୟୋଜନ । ଭଦ୍ରଲୋକ ଅପ୍ରସ୍ତୁତ ଭାବରେ ହସି ହସି କହିଲେ–ତୁମପରି ଜଣେ ଅସାମାନ୍ୟା ନାରୀ ସହିତ ଜୀବନ ବାନ୍ଧିପାରିଲେ ହୁଏତ ମୁଁ ନୂତନ ଭାବରେ କାର୍ଯ୍ୟରେ ଉଦ୍ଦୀପନା ପାଆନ୍ତି । ପୁଣି ଜବାବ ଦେଲି–କିନ୍ତୁ ମୋ’ପରି ଝିଅ ପ୍ରେମ ଛଡ଼ା ବିବାହ କଳ୍ପନା କରି ନ ପାରେ । ଆସନ୍ତା ବର୍ଷ ମୁଁ ତିରିଶରେ ପାଦ ଦେବି ।

 

ନିଜ କଥାରେ ନିଜେ ଚମକି ପଡ଼ିଲି । ତିରିଶ ବର୍ଷ ପର୍ଯ୍ୟନ୍ତ ନାରୀର ଦେହରେ କୁମାରୀ ସୁଲଭ କୋମଳତା ଥାଏ, ମାତ୍ର ତିରିଶ ପରେ ନାରୀର ଦେହ ନିଃସ୍ଵ ଓ ରିକ୍ତ ହୁଏ–ବହୁଦିନ ତଳେ ଖଣ୍ଡିଏ ଫରାସୀ ଉପନ୍ୟାସରେ ପଢ଼ିଥିବା ଏହି କଥାଟି ମନେପଡ଼ିବାରୁ, ମୋତେ ଭୀଷଣ ଅବସାଦ ଗ୍ରାସ କଲା । ତଥାପି ମନକୁ ମନ ପଚାରିଲି–ପ୍ରୌଢ଼ାବସ୍ଥା କଅଣ ନାରୀର ଜୀବନ ନୁହେଁ ? ମନେପଡ଼ିଲା, ଜଣେ ଶିକ୍ଷୟିତ୍ରୀ ଥରେ ସାବଧାନ କରିଦେଇଥିଲେ ତିରିଶ ଟପିଲେ ଯାଇ ପ୍ରେମ କର ।

 

ପ୍ରାୟ ଦୁଇ ବର୍ଷ ତଳେ ଆପଣଙ୍କ ସହିତ ମୋର ପ୍ରଥମ ସାକ୍ଷାତ ହୋଇଥିଲା । ସେତେବେଳେ ମୁଁ ଆପଣଙ୍କୁ ମୋ ଭାଇର ଗୁରୁ ହିସାବରେ ଜାଣିଥିଲି । ଏକା ସାଙ୍ଗରେ ଆମେ ମଦ ପାନ କରିଥିଲେ । ମୋର ଆପଣଙ୍କୁ ଟିକିଏ ବେପରୁଆ ମନେହୋଇଥିଲା । ମୋତେ ଆପଣ ଭଲ କି ମନ୍ଦ ଲାଗିଲେ ନାହିଁ । କିନ୍ତୁ ଗଲା ଛଅ ବର୍ଷ ଭିତରେ ଆପଣଙ୍କ ସ୍ମୃତି ମୋ ମନକୁ କୁହୁଡ଼ି ପରି ଘେରି ରହିଛି । ସେହି ରାତିରେ ସିଡ଼ିରେ ଓହ୍ଲାଇ ଆସିଲାବେଳେ ଯେଉଁ ଘଟଣା ଘଟିଥିଲା, ତାହା ଏବେ ବି ସ୍ପଷ୍ଟ ମୋ ଆଖି ଆଗରେ ଭାସୁଛି । ଆପଣଙ୍କର ଅଭାବ ସବୁବେଳେ ଅନୁଭବ କରେ । ହୁଏତ ଏହାକୁ ପ୍ରେମ କହନ୍ତି । ଦୁନିଆର ସବୁ ପୁରୁଷଙ୍କଠାରୁ ଆପଣ ଭିନ୍ନ । ମୁଁ ଆପଣଙ୍କଠାରୁ ସନ୍ତାନ ଚାହେଁ ।

 

ହୁଏତ ଅନେକ ଦିନ ଆଗରୁ ଆମର ଦେଖା ହୋଇଥିଲେ, ଆମର ବିବାହ ହୋଇପାରିଥାଆନ୍ତା ଏବଂ ମୁଁ ଆଜିକାର ଯନ୍ତ୍ରଣାର ହାତରୁ ମୁକ୍ତି ପାଇ ଥାଆନ୍ତି । କିନ୍ତୁ ଆପଣଙ୍କ ସହିତ କଦାପି ବିବାହ ହେବ ନାହିଁ, ଏହା ମୁଁ ମାନି ନେଇଛି । ଆପଣଙ୍କ ସ୍ତ୍ରୀର ସ୍ଥାନ ଅଧିକାର କରିବାର ଚିନ୍ତା ହେଉଛି ବର୍ବରତା । ମୁଁ ଆପଣଙ୍କର ରକ୍ଷିତା ହେବାକୁ ରାଜି ।

 

ଏକମାତ୍ର ସମସ୍ୟା ଆପଣଙ୍କର ଜବାବ ସମ୍ବନ୍ଧରେ । ଏକ୍ଷଣି ମୋର ମନେହେଉଛି, ଆପଣଙ୍କ ଜବାବ ନ ପାଇଲେ ମୋର ଆକୁଳତା ଭିତ୍ତିହୀନ ହୋଇ ଶୂନ୍ୟରେ ମିଳେଇଯିବ । ଅବଶିଷ୍ଟ ଅଭିଶପ୍ତ ଜୀବନ ନିଃସଙ୍ଗ ଭାବରେ କଟିବ । ଆପଣଙ୍କଠାରୁ ଜବାବ ନ ମିଳିଲେ ମୁଁ ଶେଷ ହୋଇଯିବି ।”

 

ପର ଚିଠିଟି–

 

“ମିଷ୍ଟାର ଏମ.ସି. (ମୋର ଶେଖଭ) ସମୀପେଷୁ,

 

ଆଜି ଫେର୍ ବର୍ଷା ହେଲା । କୁହୁଡ଼ି ଓ ମେଘ ମିଶି ସବୁ ଝାପ୍‍ସା ହୋଇଯାଇଛି । ନିତି ଆପଣଙ୍କ ଜବାବର ଆଶାରେ ଥାଏଁ । ଘରୁ ବାହାରିବାକୁ ଭରସା ହୁଏ ନାହିଁ । କିନ୍ତୁ ଏ ଅବଧି କିଛି ଜବାବ ମିଳିଲା ନାହିଁ । କଅଣ ଭାବୁଛନ୍ତି ?

 

କିଛି ଦିନ ହେଲା ମାଆ ଜିଭର ବ୍ୟଥାରେ କଷ୍ଟ ପାଉଥିଲେ । କିନ୍ତୁ ନାଓଜିର ସୌଖିନ ଚିକିତ୍ସାର କଲ୍ୟାଣରେ ବ୍ୟଥାଟା କମିଛି । ଆଜି ମାଆଙ୍କର ମିଜାଜ ଖୁବ୍ ଭଲ ଅଛି । ସେ ମୋତେ ପଚାରିଲେ–ନାଓଜିର ଗୁରୁ ଜଣକ କେମିତିକା ?

 

ମୋ ଶରୀର ଭିତରେ ଗୋଟାଏ ଥଣ୍ଡା ସୁଅ ଅଚାନକ ବହିଗଲା । ଜବାବ ଦେଲି–ଠିକ୍ କରି କହିପାରିବି ନାହିଁ । ତେବେ ଭଦ୍ରଲୋକଙ୍କ ଦେହରେ ସତେଯେମିତି ‘ଅନାଚାରୀ’ ଲେଖାହୋଇଥିବା ତକମାଟାଏ ଝୁଲୁଛି ।

 

ମାଆଙ୍କର ଆଖିରେ କୌତୁକର ଛାଇ ଖେଳିଗଲା–ଭାରୀ ମଜା କଥା ତ । ଯଦି ତକମା ରହିଲା, ତାହାହେଲେ ତ ସେ ନିର୍ଦ୍ଦୋଷ ।

 

ଏହା ଶୁଣି ମୋତେ ଖୁବ୍ ଭଲଲାଗିଲା । ଭାରି ଖୁସି ହେଲି ।

 

ଆପଣ କଅଣ କେବେ ଏଠାକୁ ଆସିବେ ନାହିଁ । ଆପଣଙ୍କୁ ନେଇ ଆସିବା ପାଇଁ ମୁଁ ନାଓଜିକୁ କହି ଥାଆନ୍ତି । କିନ୍ତୁ ତାହା ଅସ୍ଵାଭାବିକ ଓ ଅଦ୍ଭୁତ ମନେହେବ । ନାଓଜି ଟୋକିଓରେ ଥିଲାବେଳେ ଆପଣ ଏକା ଚାଲି ଆସିଲେ ଭଲ ହୁଅନ୍ତା । ବଂଶାନୁକ୍ରମେ ଆମ ପରିବାରରେ ଶିଳ୍ପୀ-ପ୍ରୀତି ବର୍ତ୍ତମାନ କିଓଟୋରେ ଆମ ଘରେ ବହୁ ବର୍ଷ ରହି ଚିତ୍ରକର କୁରିନ ଗୁଡ଼ାଏ ସୁନ୍ଦର ଛବି ଆଙ୍କିଥିଲେ । ସୁତରାଂ ଆପଣ ଆସିଲେ ମାଆ ଖୁବ୍ ଖୁସି ହେବେ ।

 

ଅନାଚାରୀ ଲେକଙ୍କୁ ମୁଁ ଭଲପାଏ, ବିଶେଷତଃ ଯାହାର ନାମ ସହିତ କଳଙ୍କ ଜଡ଼ିତ ଅଛି । ମୁଁ ନିଜେ ବି ଅନାଚାରୀ ହେବାକୁ ଚାହେଁ । ମୋର ବିଶ୍ଵାସ, ଏହା ଛଡ଼ା ବଞ୍ଚିବାର ଆଉ କିଛି ରାହା ମୋର ନାହିଁ । ସାରା ଜାପାନରେ ଆପଣ ଲମ୍ପଟ୍ୟର ଉଦାହରଣ ସ୍ଵରୂପ ବୋଲି ଶୁଣିଲାଠାରୁ ଆପଣଙ୍କ ପ୍ରତି ମୋର ଆକର୍ଷଣ ଦୁଇ ଗୁଣ ବଢ଼ି ଯାଇଛି । ଏବଠୁଁ ଆପଣ ଖାଲି ମୋତେ ଭଲପାଇବେ । ମୋ ସାଙ୍ଗରେ ରହିଲେ ଆପଣ କାମରେ ବି ନୂତନ ସ୍ଵାଦ ପାଇବେ । ଶୈଶବରୁ ଅନେକଙ୍କ ତୁଣ୍ଡରୁ ଶୁଣିଛି, ମୋର ସଙ୍ଗସୁଖ ମଣିଷକୁ ଦୁଃଖ ଭୁଲାଇ ଦିଏ । ଜୀବନରେ କେହି କେବେ ମୋତେ ଅପସନ୍ଦ କରି ନାହିଁ । ଏଇଥିପାଇଁ ମନେହେଉଛି, ମୋତେ ଅପସନ୍ଦ କରିବାର ସାଧ୍ୟ ଆପଣଙ୍କର ମଧ୍ୟ ନାହିଁ ।

 

ଥରେ ଆପଣଙ୍କର ଦେଖା ମିଳିଲେ ଭଲ ହୁଅନ୍ତା । ତାହାହେଲେ ମୋ ଚିଠିର ଜବାବର କିଛି ପ୍ରୟୋଜନ ନାହିଁ । ସବୁଠାରୁ ଭଲ ହୁଅନ୍ତା, ଯଦି ଆପଣଙ୍କ ଟୋକିଓର ବସାକୁ ଯାଇ ଦେଖା କରି ପାରନ୍ତି । କିନ୍ତୁ ମାଆଙ୍କୁ ଏକା ଛାଡ଼ିଦେଇ ଯିବା ମୋ ପକ୍ଷରେ ସମ୍ଭବ ନୁହେଁ । ଆପଣଙ୍କ ଗୋଡ଼ ତଳେ ପଡ଼ୁଛି, ଥରେ ମାତ୍ର ଏଠାକୁ ଆସନ୍ତୁ । ସେତେବେଳେ ଆପଣ ମୋର ସବୁ କଥା ବୁଝି ପାରିବେ ।

 

ପ୍ରଥମ ଚିଠିରେ ମୋ ହୃଦୟରେ ଏକ ବିଚିତ୍ର ଇନ୍ଦ୍ରଧନୁର କଥା ଲେଖିଥିଲି । ସେହି ଇନ୍ଦ୍ରଧନୁ ଅଗ୍ନିଶିଖାରେ ରଚିତ । ଏହି ଅନୁଭୂତି ଏତେ ତୀବ୍ର ଯେ ତାହା ମୋ ହୃଦୟକୁ ଅହରହ ଦଗ୍ଧ କରୁଛି । କିନ୍ତୁ ମଝିରେ ମଝିରେ ନିଜ ମନର ତାଡ଼ନାରେ ମୁଁ ଚମକି ପଡ଼େ, ଏ ମୁଁ କି ଅସମ୍ଭବ ନିର୍ବୋଧ ପରି କାମ କରିବାକୁ ଯାଉଛି । ପ୍ରାୟ ଅବାକ୍ ହୋଇ ଭାବେ, ହୁଏତ ମୁଁ ପାଗଳ ହୋଇଯାଇଛି ।

 

ଥରେ ଆସି ମୋତେ ଦେଖି ଯାଆନ୍ତୁ । ତା’ପରେ ଅପସନ୍ଦ ହେଲେ ମୋତେ ସ୍ଵଚ୍ଛନ୍ଦରେ ଜଣାଇପାରିବେ । ଆପଣଙ୍କ ହାତରେ ପ୍ରଜ୍ଜ୍ୱଳିତ ମୋ ଅନ୍ତରର ଏହି ବହ୍ନିଶିଖାକୁ ଆପଣ ସ୍ୱେଚ୍ଛାରେ ଲିଭାଇଦେଇ ପାରିବେ । ନିଃସଙ୍ଗ ପ୍ରଚେଷ୍ଟାରେ ତାହା ନିର୍ବାପିତ କରିବା ଅସମ୍ଭବ । ମୁଁ ଜାଣେ, ଖାଲି ଥରେ ଆମର ସାକ୍ଷାତ ହେଲେ ମୁଁ ବଞ୍ଚି ଯିବି । ହାୟ ! ଯଦି ସେହି ‘ଗେଞ୍ଜିର ଉପାଖ୍ୟାନ’ର ଦିନଗୁଡ଼ିକ ଫେରି ଆସନ୍ତା, ତାହାହେଲେ ମୋର ଏକ୍ଷଣି ଚାହିଁବା ମୋଟେ ଅସମ୍ଭବ ଶୁଭନ୍ତା ନାହିଁ ।

 

ମୋର ବିଶ୍ଵାସ, ଦୁନିଆ ଯେଉଁମାନଙ୍କୁ ଭଲ ବୋଲି କହେ ସେମାନେ ସମସ୍ତେ ମିଥ୍ୟାବାଦୀ ଓ ଭଣ୍ଡ । ଦୁନିଆ ଉପରେ ମୋର ଆଦୌ ଆସ୍ଥା ନାହିଁ । ମୋର ଏକମାତ୍ର ବନ୍ଧୁ ହେଉଛି ଜଣେ ପରିଚିତ ତକମାଧାରୀ ବ୍ୟଭିଚାରୀ ପୁରୁଷ । ଏକମାତ୍ର ସେହି କ୍ରୁଶ ଉପରେ ମୁଁ ଆତ୍ମ-ବିସର୍ଜନ କରିବାକୁ ପ୍ରସ୍ତୁତ । ଲୋକେ ମୋତେ ଯେତେ ସମାଲୋଚନା କଲେ ସୁଦ୍ଧା ମୁଁ ସେମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରୁଛି–ପାପର ସ୍ଵରୂପକୁ ଲୁଚାଇ ରଖିବା ଅଧିକ ମାରାତ୍ମକ ନୁହେଁ କି-?

 

ମୋର ଏକମାତ୍ର ବକ୍ତବ୍ୟ, ମୁଁ ଆପଣଙ୍କ ପଥ ଚାହିଁ ରହିଲି । ଜୀବନରେ ମାତ୍ର ଏକ ଭାଗ ସମୟ ସୁଖ, ଦୁଃଖ, କ୍ରୋଧ, ଇତ୍ୟାଦି ଆବେଗରେ କଟେ ବାକି ଅନେଶତ ଭାଗ ଆଶାରେହିଁ କଟେ । ସେହି ପରମ ମୁହୂର୍ତ୍ତର ଅପେକ୍ଷାରେ ବସିଛି । ପ୍ରତ୍ୟହ ସକାଳୁ ରାତି ଅବଧି ଆପଣଙ୍କ ପଥ ଚାହିଁ ଚାହିଁ ନିରାଶ ହୁଏ ।

 

ଆପଣ କଅଣ ନୀତିର ଅନୁଶାସନକୁ ଛାଡ଼ିପାରିବେ ନାହିଁ ?

 

 

ଏହି ଗ୍ରୀଷ୍ମ ଋତୁରେ ମୁଁ ତାହାଙ୍କୁ ତିନି ଖଣ୍ଡ ଚିଠି ଦେଇଛି, କିନ୍ତୁ ବହୁକାଳ ଅପେକ୍ଷା କରି କିଛି ଜବାବ ପାଇଲି ନାହିଁ । ଥରେ କଥା କଥାରେ ନାଓଜିକୁ ପଚାରିଲି, ଭଦ୍ରଲୋକ କେମିତି ଅଛନ୍ତି-। ନାଓଜି ଜବାବ ଦେଲା–ବରାବର ଯେମିତି ଥାଆନ୍ତି ସେମିତି ଅଛନ୍ତି, ନିତି ରାତିରେ ମଦ ଓ ଆନୁଷଙ୍ଗିକ ହୈଚୈ, ଲେଖୁଛନ୍ତି ଅଧିକ ଅଶ୍ଳୀଳ ଲେଖା, ସଭ୍ୟ ସମାଜ ଛି ଛାକର କରୁଛି । ସେ ନାଓଜିକୁ ପୁସ୍ତକ-ପ୍ରକାଶନରେ ହାତଦେବାକୁ କହିଛନ୍ତି । ସେ ବି ଏହି ପ୍ରସ୍ତାବକୁ ମହା ଉତ୍ସାହରେ ଗ୍ରହଣ କରିଛି । ନାଓଜିର କଥା ଶୁଣି ପରିଷ୍କାର ବୁଝିପାରିଲି ଯେ ମୋ ମନର କାଣିଚାଏ ହେଲେ ସୁରଭି ପାରିପାର୍ଶ୍ଵିକତା ଭେଦି ମୋ ମନର ମଣିଷଠାରେ ପହଞ୍ଚି ପାରି ନାହିଁ । ଏଥିରୁ ବୁଝିପାରିଲି ଯେ ବାସ୍ତବ ଜଗତ ସହିତ ମୋ କଳ୍ପନାର ବହୁତ ତଫାତ । ଏକ ଅନନୁଭୂତ ନିଃସଙ୍ଗତା ମୋତେ ଗ୍ରାସ କଲା । ମନେହେଲା, ହେମନ୍ତର କେଉଁ ସନ୍ଧ୍ୟାରେ ଏକ ପତିତ ପ୍ରାନ୍ତରରେ ମୁଁ ପରିତ୍ୟକ୍ତା-। ନିଜକୁ ପଚାରିଲି, ସୂର୍ଯ୍ୟ ଦୃଷ୍ଟିର ସମ୍ପୂର୍ଣ୍ଣ ଅନ୍ତରାଳକୁ ଚାଲିଯିବା ପରେ ଏକାକୀ ବିଜନ ପ୍ରାନ୍ତରରେ ନିଷ୍ଠୁର ଶିଶିରାଘାତରେ ମରଣ କଅଣ ମୋର ନିୟତି ? ମୋର କାନ୍ଧ ଓ ଛାତି ଥରିଲା, ଚାପା କାନ୍ଦଣାରେ ଦମ୍‍ ବନ୍ଦ ହୋଇ ଆସିଲା । ଆଉ ଅପେକ୍ଷା କରିପାରିଲି ନାହିଁ ।

 

ଦିନେ ରାତିରେ ମାଆ ଭୀଷଣ କାଶିବାକୁ ଲାଗିଲେ । ଦେଖିଲି, ଦେହର ଉତ୍ତାପ ଶହେ ଦୁଇ ଡିଗ୍ରୀ । ପରଦିନ ଡାକ୍ତର ଆସି ମାଆଙ୍କୁ ପରୀକ୍ଷା କରି ମୋତେ କହିଲେ–“ଭୟର କିଛି କାରଣ ନାହିଁ । ମୋ ବ୍ୟବସ୍ଥାପତ୍ର ଅନୁଯାୟୀ ଔଷଧ ଖାଇଲେ ଭଲ ହୋଇଯିବେ ।”

 

କିନ୍ତୁ ସପ୍ତାହେ ଗଲା, ମାଆଙ୍କୁ ଜର ଛାଡ଼ିଲା ନାହିଁ । ନାଓଜି ଦଶ ଦିନ ହେଲା ଟୋକିଓକୁ ଯାଇଛି । ହଡ଼ବଡ଼େଇ ଯାଇ ମାମୁଁଙ୍କ ଠାକୁ ଖବର ଦେଲି । ମନଦେଇ ମାଆଙ୍କର ଛାତି ପରୀକ୍ଷା କରି ଡାକ୍ତର ହଠାତ୍ ଚିତ୍କାର କଲେ–“ଏଥର ଠିକ୍ ଧରାପଡ଼ିଲା । ବାମ ଫୁସ୍‍ଫୁସ୍‍ଟା ଜଖମ ହୋଇଛି । ମାତ୍ର ଉଦ୍ବେଗର କାରଣ ନାହିଁ । ଜର କିଛି ଦିନ ରହିବ । ଯଦି ତୁମ ମାଆ ଚୁପ୍‍ଚାପ୍‍ ଶୋଇରହନ୍ତି, ତାହାହେଲେ ଭୟର କିଛି କାରଣ ନ ଥିବ ।”

ଡାକ୍ତର ଚାଲିଗଲେ । ମୁଁ ଖୁସିହୋଇ ମାଆଙ୍କୁ କହିଲି–“ମନକୁ ଟିକିଏ ଶକ୍ତ କଲେ ଶୀଘ୍ର ଭଲ ହୋଇଯିବ । ଏଥର ଗରମ କାଳର ଆବହାଓ୍ୟାଟା ଏକାବେଳେ ଅସ୍ଵାଭାବିକ ।”

ଆଖି ବୁଜି ମାଆ ହସିଲେ–“ଲୋକେ କହନ୍ତି, ଯେଉଁମାନେ ଗ୍ରୀଷ୍ମର ଫୁଲକୁ ଭଲପାଆନ୍ତି ସେମାନେ ଗରମ ଦିନରେ ମରନ୍ତି । ମୁଁ ଏହି ଗ୍ରୀଷ୍ମରେ ଶେଷ ନିଃଶ୍ୱାସ ତ୍ୟାଗ କରିବି ବୋଲି ଭାବିଥିଲି । କିନ୍ତୁ ନାଓଜି ଘରକୁ ଫେରିଆସିଛି ବୋଲି ବୋଧହୁଏ ଶରତ୍ କାଳ ପର୍ଯ୍ୟନ୍ତ ରହିଯିବି ।”

ନାଓଜି ପରି ଏମିତି ଅପଦାର୍ଥ ଆଜି ମାଆଙ୍କର ନୟନ ମଣି ହେଲା ଭାବି ମୁଁ ଅନ୍ତରରେ ବ୍ୟଥା ପାଇଲି ।

ପ୍ରାୟ ଏକ ସପ୍ତାହ ପରେ ମାମୁଁ ଟୋକିଓରୁ ଜଣେ ପ୍ରବୀଣ ଡାକ୍ତରକୁ ନେଇ ଆସିଲେ । ଡାକ୍ତର ମିୟାକି ବାବାଙ୍କର ପରିଚିତ । ମାଆ ତାହାଙ୍କୁ ଦେଖି ଖୁସି ହେଲେ । ତାଙ୍କର ଅମାର୍ଜିତ ବ୍ୟବହାର ଓ ରୁକ୍ଷ ଭାଷା ମାଆଙ୍କ ମନ ତରଳାଇ ଦେଲା । ମୁଁ ହାଣ୍ଡିଶାଳରୁ ଆସି ଡାକ୍ତରଙ୍କୁ ପଚାରିଲି–“ମାଆଙ୍କୁ ଦେଖିଲେ ତ ? କଅଣ କହୁଛନ୍ତି ?”

ଡାକ୍ତର ନିର୍ବିକାର ମୁଖରେ ଜବାବ ଦେଲେ–‘‘ତୁମ ମାଆର କିଛି ହୋଇ ନାହିଁ ।”

“ବଞ୍ଚିଲି !”

ତା’ପରେ ଡାକ୍ତର ମିୟାକି ଚୀନା-ଘର ଆଡ଼କୁ ଚାଲିଗଲେ । ମୁଁ ତାହାଙ୍କୁ ଅନୁସରଣ କଲି । ପରଦା କତିରେ ସେ ରହିଯାଇ କହିଲେ–“ଛାତିରେ ଗୋଟାଏ ଅଦ୍ଭୁତ ଶବ୍ଦ ହେଉଛି । ଉଭୟ ଫୁସ୍‍ଫୁସ୍‍କୁ ମାଡ଼ି ଗଲାଣି ।”

‘‘ଯଦି ମାଆଙ୍କୁ ପ୍ରଚୁର ପରିମାଣରେ ଅଣ୍ଡା, ଦୁଧ, ଲହୁଣୀ, ଫଳ ଖାଇବାକୁ ଦିଆଯାଏ, ସେ ଭଲ ହୋଇଯିବେ ତ ?”

‘‘ଖାଇବାକୁ ଦିଅ । କିନ୍ତୁ ଏଟା ମାରାତ୍ମକ ରୋଗ । ତୁମର ଆଗରୁ ହୁସିଆର ହେବା ଦରକାର ।”

କମ୍ପିତ କଣ୍ଠରେ ପଚାରିଲି–“କେତେ ଦିନ ଲାଗିବ ? ଦୁଇ ବର୍ଷ ? ତିନି ବର୍ଷ ?”

‘‘କହି ହେବ ନାହିଁ । ମୋଟ ଉପରେ କୌଣସି ଉପାୟ ନାହିଁ । ନାଗଓୟା ଉଷ୍ଣ ପ୍ରସ୍ରବଣକୁ ପଠାଇବାର ବ୍ୟବସ୍ଥା କର ।”

ଡାକ୍ତରଙ୍କୁ ଫାଟକଠାରେ ଛାଡ଼ିଦେଇ ଫେରିଆସି ମାଆଙ୍କ ବିଛଣା ପାଖରେ ଛିଡ଼ା ହେଲି । ମାଆ ପଚାରିଲେ–“ଡାକ୍ତର ବାବୁ କଅଣ କହିଲେ ?’’

‘‘ଜର ଛାଡ଼ିଗଲେ ସବୁ ଠିକ୍ ହୋଇଯିବ ।”

ନିଜ ଭିତରେ କଥାଗୁଡ଼ାକ ବିଶ୍ଵାସ କରିବାକୁ ଚାହିଁଲି । ସ୍ଥିର କଲି, ଏବେଠୁଁ ମାଆଙ୍କ ଲାଗି ସବୁ ରକମ ସୁସ୍ଵାଦୁ ଖାଦ୍ୟ ତିଆରି କରିବାହିଁ ହେବ ମୋର ଏକମାତ୍ର ସାଧନା । ସେଥିପାଇଁ ମୋର ଯାହା କିଛି ଅଛି ସବୁ ବିକିଦେବି । ମାଆଙ୍କ ସୁଖରେ ଅସୁସ୍ଥତାର ତିଳେମାତ୍ର ଲକ୍ଷଣ ନାହିଁ । ଆଖି ଦୁଇଟି ଉଜ୍ଜ୍ୱଳ, ଦେହ ସତେଜ ଓ ମସୃଣ । ଠିକ୍ ଦ୍ଵିପହର ପରେ ଜର ଆସେ । ମନରୁ ଡାକ୍ତରଙ୍କ କଥା ପୂରାପୂରି ପୋଛି ଦେଲି ।

ଗୋଧୂଳିରେ ଶେଷ ଆଲୁଅ ଅନ୍ଧକାରମୟ ବାରନ୍ଦାକୁ ଓହ୍ଲାଇ ଆସିଛି । ବର୍ଷା ହେଉଛି । ମାଆଙ୍କ ରୂପ ଦେଖି ମୁଗ୍ଧ ହେଲି । ସେ ବଞ୍ଚିଥିବାରୁ କୃତଜ୍ଞତାରେ ମୋର ଆଖି ଛଳ ଛଳ ହେଲା । ପଚାରିଲି–“ରାତିରେ କଅଣ ଖାଇବ ?”

“ଆଜି କିଛି ଖାଇବି ନାହିଁ । ଜର ଶହେ ତିନି ଡିଗ୍ରୀକୁ ଉଠିଥିଲା ।”

ବାହାରେ ଅନ୍ଧାର । ପବନ ବହୁଛି । ଆଲୁଅ ଜାଳିଲି । ମାଆ କହିଲେ–“ଆଲୁଅଟା ବଡ଼ କଡ଼ା, ଲିଭାଇ ଦେ । ଅନ୍ଧାରରେ ଶୋଇଲେ ମୋତେ ଆଦୌ ଏକା ମନେହୁଏ ନା । ଆଲୁଅର ତେଜ ମୋଟେ ସହିପାରୁ ନାହିଁ । ଏଣିକି ଏ ଘରେ ଆଉ ଆଲୁଅ ଜଳାନା ।”

ଆଲୁଅ ଲିଭାଇ ଦେଲି । ଏକା ଥିବାରୁ ଅସହ୍ୟ ମନେହେଲା । ହାଣ୍ଡିଶାଳକୁ ଗଲି । ଥଣ୍ଡା ଭାତ ସାଙ୍ଗରେ ଟିଜୀର ସାଲମନ ମାଛ ଖାଇ ବସି ମୋ ଆଖିରୁ ଥପ ଥପ ହୋଇ ଲୁହ ଗଡ଼ିପଡ଼ିଲା ।

ରାତି ବଢ଼ିବା ସଙ୍ଗେ ସଙ୍ଗେ ପ୍ରଚଣ୍ଡ ଝଡ଼ ଓ ମୁଷଳଧାରାରେ ବର୍ଷା ହେଲା । ଗୋଟାଏ ଅଦ୍ଭୁତ ଉତ୍ତେଜନା ଘେନି ମାଆଙ୍କ ପାଖ ଘରେ ରୋଜା ଲୁକସେମବାର୍ଗଙ୍କ ‘ଅର୍ଥନୀତିର ଭୂମିକା’ ବହିଟି ପଢ଼ିବାକୁ ବସିଲି । ବହିଟି ମୋ ମନରେ ଯଥେଷ୍ଟ କୌତୂହଳ ଉଦ୍ରେକ କଲା । ବାର ବର୍ଷ ତଳେ ପଢ଼ିଥିବା “ସାରାଶିନା ଦିନଲିପି”ର ଅବସ୍ଥା ଟପି ମୁଁ ଏକ ପାହୁଣ୍ଡ ସୁଦ୍ଧା ଅଗ୍ରସର ହୋଇ ନାହିଁ-। ସାଧାରଣ ସତ୍ୟ ହିସାବରେ ମୁଁ ବିଶ୍ୱାସ କରେ ଯେ ପ୍ରେମ ଓ ବିଦ୍ରୋହ ସକାଶେ ହିଁ ମଣିଷର ଜନ୍ମ-

ଅକ୍ଟୋବର ଆସିଲା । କିନ୍ତୁ ଆକାଶ ଓ ପବନରେ ଶରତର ରଙ୍ଗ ଲାଗିଲା ନାହିଁ । ବରଂ ବର୍ଷାଋତୁ ପରି ଗୋଟାକ ପରେ ଗୋଟାଏ ଗରମ ସନ୍ତସନ୍ତିଆ ଦିନ ଗଡ଼ିଯିବାକୁ ଲାଗିଲା । ନିତି ସନ୍ଧ୍ୟାରେ ମାଆଙ୍କର ଜର ଶହେ ଉପରେ ରହିଲା ।

ଦିନେ ସକାଳେ ହଠାତ୍ ମାଆଙ୍କ ଡାହାଣ ହାତ ଫୁଲିଥିବାର ଦେଖି ହଡ଼ବଡ଼େଇ ଗଲି । ଏବେ ସେ ସକାଳର ଖାଦ୍ୟଟା ନାମକୁ ମାତ୍ର ମୁଖରେ ଦିଅନ୍ତି । ସେ ଦିନର ଝୋଳଟା ମୁଖ ପାଖକୁ ନେଇ ନ ଚାଖି ସେ ଟ୍ରେରେ ପୁଣି ରଖି ଦେଲେ ।

ପଚାରିଲି–“ମାଆ, ତୁମ ହାତରେ ଏ କଅଣ ହେଲା ?”

“କିଛି ନୁହେଁ । ଟିକିଏ ଫୁଲିଛି ।”

ତାଙ୍କର ମୁଖରେ ଗୋଟାଏ ଆଚ୍ଛନ୍ନ ଭାବ ଫୁଟିଲା । ମୋର କୋହ ଉଠିଲା । ବୁଝିପାରିଲି, ଆଖିର ଲୁହ ରୋକି ପାରିବି ନାହିଁ । ଅସହ୍ୟବୋଧ ହେବାରୁ ହଠାତ୍ ହାଣ୍ଡିଶାଳକୁ ଚାଲିଗଲି । ସେଠାରେ ବସି ନାଓଜି ଗୋଟାଏ ନରମ ସିଝା ଅଣ୍ଡା ଖାଉଥିଲା ।

 

ତଳକୁ ମୁହଁପୋତି କହିଲି–“ମାଆଙ୍କର ଡାହାଣ ହାତ ଫୁଲିଛି ।” ଆଉ କିଛି କହିପାରିଲି ନାହିଁ, ଦେହଟା ଥରିଲା ।

 

ନାଓଜି କିଛି ଜବାବ ଦେଲା ନାହିଁ ।

 

ମୁଖ ଟେକି ପୁଣି ତାହାକୁ ଜଣାଇଲି–“ଆଉ ଆଶା ନାହିଁ ।” ଟେବୁଲକୁ ଜୋରରେ ଧରି ଠିଆହୋଇଥିଲି । “ଯେକୌଣସି ମତେ ମାଆଙ୍କୁ ବଞ୍ଚାଇବାକୁ ହେବ ।”

 

ହଠାତ୍ ନାଓଜି କାନ୍ଦଣାରେ ଭାଙ୍ଗିପଡ଼ିଲା–“ଦେଖି ପାରୁ ନାହୁଁ, ମାଆ ଏକ୍ଷଣି ଆମ ହାତର ବାହାରେ ! ଆମର କିଛି କରିବାର ସାଧ୍ୟ ନାହିଁ ।”

 

ମାମୁଁଙ୍କ ସହିତ ପରାମର୍ଶ କରିବାଲାଗି ନାଓଜି ସେଦିନ ଟୋକିଓକୁ ଚାଲିଗଲା । ଦିନଯାକ ମୁଁ ଖାଲି କାନ୍ଦି କାନ୍ଦି କଟାଇଛି । ମାଆଙ୍କ ସହିତ ଜଡ଼ିତ ନାନା ରକମ ଘଟଣାସବୁ ଆଖି ସାମନାରେ ଛବିପରି ଭାସି ଯାଉଥିଲା ।

 

ପରଦିନ ମାଆଙ୍କ ହାତରେ ଫୁଲା ଆହୁରି ବଢ଼ିଗଲା । ସେ କିଛି ଖାଇଲେ ନାହିଁ, ଏପରିକି କମଳାର ରସ ସୁଦ୍ଧା ଢୋକି ପାରିଲେ ନାହିଁ ।

 

ଦି’ପହରେ ନାଓଜି ସାଙ୍ଗରେ ଡାକ୍ତର ମିୟାକି ଓ ଜଣେ ସେବିକାକୁ ନେଇ ଫେରିଆସିଲା । ଡାକ୍ତର ମାଆଙ୍କୁ ପରୀକ୍ଷା କରି ଗୋଟାଏ ଇଞ୍ଜେକ୍‍ସନ୍‍ ଦେଇ କହିଲେ–“ଖୁବ୍ କାହିଲ ହୋଇପଡ଼ିଛନ୍ତି ।” ହାତ ଠାରି ସେ ନାଜିଓକୁ ଡାକି କଅଣ କହିଲେ ।

 

ରୋଗୀର ଘରୁ ବାହାରି ଆସିଲାରୁ, ଦେଖିଲି, ନାଓଜି କାନ୍ଦ ଚାପିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି । ବିକୃତ ହସରେ ତାହାର ଓଠ ଥରିଲା । ମୁଁ ପଚାରିବାରୁ ସେ ଜଣାଇଲା–“ଡାକ୍ତର ବାବୁଙ୍କ ମତରେ, ବେଶୀ ହେଲେ ଆଉ ଦିନେ କି ଦୁଇ ଦିନ ।” ତାହାର ଆଖିରେ ଲୁହ ଭରିଗଲା ।

 

କହିଲି “ବୋଧହୁଏ ସମସ୍ତଙ୍କୁ ଖବରଦେବା ଦରକାର ।”

 

“ମାମୁଁଙ୍କ ସାଙ୍ଗରେ କଥା ହେଲି । ସେ କହିଲେ, ବର୍ତ୍ତମାନ ଅବସ୍ଥାରେ ଆମ ପକ୍ଷରେ ଏତେ ବଡ଼ ଆୟୋଜନ କରିବା ସମ୍ଭବ ନୁହେଁ । କାରଣ ଆତ୍ମୀୟସ୍ୱଜନ ସମସ୍ତେ ଆସି ପହଞ୍ଚିଲେ ରହିବାକୁ ଆମ ଘରେ ଥାନ ନାହିଁ । ତାହା ଛଡ଼ା ନିକଟରେ କୌଣସି ଭଲ ହୋଟେଲ ବି ନାହିଁ । ସେ ନିଜେ ଆସିବେ ସତ, ମାତ୍ର ସେ ଏତେ କୃପଣ ଯେ ତାହାଙ୍କଠାରୁ କିଛି ସାହାଯ୍ୟ ଆଶା କରିବା ବୃଥା ।”

 

“ଯାହାହେଲେ ସୁଦ୍ଧା, ତୋତେ ତ ତାଙ୍କରି ଉପରେ ଭରସା କରିବାକୁ ହେବ ।”

 

“କଦାପି ନୁହେଁ । ବରଂ ଭିକ ମାଗି ଖାଇବି । ତୋତେ ବରଂ ତାଙ୍କର ମୁଖ ଚାହିଁ ରହିବାକୁ ପଡ଼ିବ ।”

 

ଆଖିରେ ଲୁହ ଭରିଗଲା–“ମୋର ଯିବାର ଜାଗା ଅଛି ।”

 

“ବିବାହ କରିବୁ ?”

 

“ନା ।”

 

“ଚାକିରି କରିବୁ”

 

“ନା, ବିଦ୍ରୋହୀ ଦଳରେ ମିଶିବି ।”

 

ଠିକ୍ ସେତିକିବେଳେ ସେବିକାର ଡାକ ଶୁଣି ମାଆଙ୍କ ପାଖକୁ ଧାଇଁଗଲି । ପଚାରିଲି–“ପାଣି ?”

 

ମାଆ ଆସ୍ତେ ମୁଣ୍ଡ ହଲାଇ ମନାକଲେ । କିଛି କ୍ଷଣ ପରେ ଅତି ମୃଦୁ ସ୍ୱରରେ କହିଲେ–“ସ୍ୱପ୍ନ ଦେଖିଲି ।”

 

“କି ସ୍ୱପ୍ନ ?”

 

“ସାପ । ମୋର ବିଶ୍ୱାସ, ଗାଡ଼ି-ବାରନ୍ଦା ସାମନାରେ ସିଡ଼ି ପାଖକୁ ଲାଲ ଡୋରିଆ ସାପୁଣୀଟା ଆସିଛି । ଦେଖ ତ ଯାଇ ।”

 

ଉଠିପଡ଼ି ବାରନ୍ଦାକୁ ଯାଇ କାଚ ଝରକା ବାଟେ ବାହାରକୁ ଅନାଇଲି । ଗୋଟାଏ ସାପୁଣୀ ସିଡ଼ି ଉପରେ ନିଶ୍ଚିନ୍ତରେ ଦେହ ମେଲିଦେଇ ଶରତର ଖରା ଉପଭୋଗ କରୁଥିଲା । ମୋ ମଥା ଝିମଝିମ ହେଲା । ପରମୁହୂର୍ତ୍ତରେ ଅନାବଶ୍ୟକ ଜୋରରେ ତଳେ ପାଦ କଚାଡ଼ି ବଡ଼ ପାଟିରେ କହିଲି–“ନାଁ, ମାଆ, ଏଠି ତ କୌଣସି ସାପ ଦେଖୁ ନାହିଁ । ସେଟା ତୁମର ମିଥ୍ୟା ସ୍ୱପ୍ନ ।” ପୁଣି ସିଡ଼ି ଆଡ଼କୁ ଅନାଇଲି, ସାପଟା ଚାଲିଯାଉଛି । ମାଆଙ୍କର ଆଶା ଏକାବେଳେ ଛାଡ଼ି ଦେଲି । ଜାଣେ, ବାବାଙ୍କ ମୃତ୍ୟୁ ସମୟରେ ଗୋଟାଏ କଳା ସାପ ବିଛଣା ପାଖରେ ଦେଖାଯାଇଥିଲା ।

 

ପରଦିନ ମାଆଙ୍କ ପାଖରେ ବୁଣା ସରଞ୍ଜାମ ଧରି ବରାବର ବସିରହିଲି । ସକାଳଠୁଁ ସେ କିଛି ଖାଇଲେ ନାହିଁ । ଯାହାହେଉ ତାଙ୍କର ସମ୍ପୂର୍ଣ୍ଣ ଜ୍ଞାନ ଥିଲା । ସେ ମଝିରେ ମଝିରେ ଶାନ୍ତ ଗଳାରେ କଥା କହୁଥିଲେ । ମ୍ଳାନ ହସି ସେ କହିଲେ–“ଆଜିକାଲି କାନ୍ଦିବାକୁ ଚାହିଁଲେ ବି ମୋତେ କାନ୍ଦ ମାଡ଼ୁ ନାହିଁ ।”

 

ଶରତର ଶାନ୍ତ ସକାଳ । ସୂର୍ଯ୍ୟାଲୋକର ସ୍ନିଗ୍ଧ ସ୍ପର୍ଶରେ ଉଦ୍ୟାନର ମନୋରମ ଶୋଭା-। ବୁଣା ସରଞ୍ଜାମ ଥୋଇଦେଇ ଦୂରରେ ଉଜ୍ଜ୍ୱଳ ସମୁଦ୍ର ଆଡ଼କୁ ଅନାଇ କହିଲି–“ମାଆ, ଏତେଦିନ ଯାଏ ମୁଁ ସଂସାର ବିଷୟ କିଛି ଜାଣିନଥିଲି ।”

 

ମୃଦୁ ହସି ମାଆ ପଚାରିଲେ–“ଏକ୍ଷଣି କଅଣ ତୁ ସଂସାରକୁ ଚିହ୍ନିଲୁ ।”

 

ମୋ ମୁଖ ଲାଲ ପଡ଼ିଗଲା ।

 

ଅନ୍ୟ ଦିଗକୁ ମୁଖ ବୁଲାଇ ମାଆ କ୍ଷୀଣ କଣ୍ଠରେ କହିଲେ–“କିନ୍ତୁ ମୁଁ ଆଜିଯାଏ ଚିହ୍ନି ନାହିଁ । ଆଉ କେହି ଚିହ୍ନିଛନ୍ତି କି ନା ମୋତେ ଜଣା ନାହିଁ । ସମୟ ନିଜ ଅନୁସାରେ ଗଡ଼ି ଚାଲେ । ଆମେ ସମସ୍ତେ ପିଲା ହୋଇ ରହୁ । ଆମେ କିଛି ବୁଝୁନା ।”

 

ଦିପହରେ ଟୋକିଓରୁ ମାମୁଁ ଓ ମାଇଁ ଆସି ପହଞ୍ଚିଲେ । ମାମୁଁ ସିଧା ରୋଗୀର ଘରକୁ ଯାଇ ମାଆଙ୍କ ପାଖରେ ବସିଲେ । ମାଆ ରୁମାଲରେ ମୁଖର ତଳ ପଟଟା ଢାଙ୍କି ମାମୁଁଙ୍କ ଆଡ଼କୁ ଅନାଇ କାନ୍ଦିବାକୁ ଲାଗିଲେ, କିନ୍ତୁ ଆଖିରୁ ଟୋପାଏ ଲୁହ ବହିଲା ନାହିଁ ।

 

“ନାଓଜି କାହିଁ ?” କିଛି କ୍ଷଣ ପରେ ମାଆ ମୋତେ ପଚାରିଲେ ।

 

ମୁଁ ତତ୍‍କ୍ଷଣାତ୍ ତେତାଲାକୁ ଯାଇ ନାଓଜିକୁ ଡାକିଆଣିଲି । ଆମେ ଭାଇ ଭଉଣୀ ଦୁହେଁ ମାଆଙ୍କ ବିଛଣା ପାଖରେ ଯାଇ ବସିଲୁ । ହଠାତ୍ ଚାଦର ତଳୁ ହାତ କାଢ଼ିଆଣି ମାଆ ନୀରବରେ ପ୍ରଥମେ ନାଓଜି ଓ ପରେ ମୋ ଆଡ଼କୁ ନିର୍ଦ୍ଦେଶ ଦେଇ ଅନୁରୋଧର ଭଙ୍ଗୀରେ ହାତ ଯୋଡ଼ି ମାମୁଁଙ୍କୁ ଅନାଇଲେ ।

 

ମାମୁଁ ଉଦାର ଭାବରେ କାନ୍ଧ ହଲାଇ କହିଲେ–“ହଁ, ବୁଝିଲି, ବୁଝିଲି ।”

 

ମାଆ ଆଖି ବୁଜିଲେ । ମାମୁଁଙ୍କ କଥାରେ ନିଶ୍ଚିନ୍ତ ହେଲେ । ହାତ ଦୁଇଟି ପୁଣି ଚାଦର ଭିତରକୁ ଟାଣିନେଲେ ।

 

ମୁଁ କାନ୍ଦୁଥିଲି । ନାଓଜି ମୁହଁପୋତି ଧକାଉଥିଲା ।

 

ଭୋଜନ ସାରି ମାମୁଁ, ମାଇଁ ଓ ଡାକ୍ତର ରାତିରେ ଟୋକିଓକୁ ଫେରିଗଲେ । ମାମୁଁ ମୋତେ କିଛି ଟଙ୍କା ଦେଇଗଲେ । ସମସ୍ତଙ୍କୁ ଫାଟକ ପର୍ଯ୍ୟନ୍ତ ବାଟେଇଦେଇ ମାଆଙ୍କ ପାଖକୁ ଫେରିଆସିଲି । ସେ ଫୁସ୍‍ଫୁସ୍‍ କରି ମୋତେ କହିଲେ–“ତୋ ଉପରେ ଖୁବ୍ ଝଡ଼ ବହି ଚାଲିଛି ।”

 

ତା’ପରେ ମାଆ ଆଉ କଥା କହିପାରିଲେ ନାହିଁ । ପ୍ରାୟ ତିନି ଘଣ୍ଟା ପରେ ସେ ଆମକୁ ଛାଡ଼ି ଚାଲିଗଲେ । ତାଙ୍କର ଓଠରେ ଈଷତ୍‍ ହସ ଲାଖି ରହିଥିଲା, ଦେହରେ ଅଧିକ ଲାବଣ୍ୟ । ହଠାତ୍ ମୋତେ ମାଲୁମ ହେଲା, ସତେଯେମିତି ମୃତ ଯୀଶୁଙ୍କୁ କୋଳରେ ଧରି ବସିଥିବା ମେରୀଙ୍କ ସହିତ ଏହି ଚେହେରାର ସାମଞ୍ଜସ୍ୟ ଅଛି ।

 

 

ମାମୁଁ ଇଜୁରେ ସମାଧି ଓ ଟୋକିଓରେ ଅନୁଷ୍ଠାନାଦିର ବ୍ୟବସ୍ଥା କଲେ । ତା’ପରେ ନାଓଜି ଓ ମୁଁ ଦୁହେଁ ଏକା ସାଙ୍ଗରେ ସଂସାର ଚଳାଇବାକୁ ଯାଇ ଏମିତି କଦର୍ଯ୍ୟ ପରିସ୍ଥିତି ଉପୁଜିଲା ଯେ ଆମେ ସାମନାସାମନି ହେଲା କ୍ଷଣି କଥା କଟାକଟି ହେଲୁ । ମାଆଙ୍କର ସବୁ ଗହଣା ବିକି ନାଓଜି ପୁସ୍ତକ ପ୍ରକାଶନୀର ମୂଳଧନ ସଂଗ୍ରହ କଲେ । ଟୋକିଓରେ ନିଶାରେ ଚୁର୍ ହୋଇ ସେ ଯେତେବେଳେ ଟଳି ଟଳି ଘରକୁ ଫେରେ, ସେତେବେଳେ ତାହାର ମଡ଼ାପରି ସାଦା ମୁଖଟା ଦେଖି କଠିନ ବ୍ୟାଧିଗ୍ରସ୍ତ ରୋଗୀର ଶେଷ ଅବସ୍ଥା ବୋଲି ମୋର ମନେହୁଏ ।

 

ଦିନେ ଅପରାହ୍ନରେ ସେ ଜଣେ ବାଇଜୀ ମାଇକିନାକୁ ନେଇ ଘରକୁ ଫେରିଲା । ତାହା ଦେଖି ମୁଁ କହିଲି–“ଆଜି ମୁଁ ଟୋକିଓକୁ ଯାଉଛି, ଜଣେ ବନ୍ଧୁ ସହିତ ଦେଖାକରି ଦୁଇ ତିନି ଦିନ ପରେ ଫେରିବି । ଏହି କେତୁଟା ଦିନ ତୁ ଘରଦ୍ଵାର ଦେଖାଶୁଣା କରିବୁ ।” ସୁତରାଂ ଦଣ୍ଡେ ଉଛୁର ନ କରି ଟୋକିଓ ଅଭିମୁଖେ ଅଭିସାରରେ ବାହାରି ପଡ଼ିଲି ।

 

ଥରେ କଥା ପ୍ରସଙ୍ଗରେ ନାଓଜିଠାରୁ ଜାଣିପାରିଥିଲି ଯେ ଟୋକିଓର ସହରତଳିରେ ଓଗିକାବୁ ଷ୍ଟେସନର ଉତ୍ତର ଫାଟକଠାରୁ ଉୟେହାରାଙ୍କ ଘର ହେଉଛି ମାତ୍ର କୋଡ଼ିଏ ମିନିଟ୍‍ର ରାସ୍ତା । ସେଦିନ ଶରତର ହାଉଆ ବହୁଥିଲା । ଓଗିକାବୁ ଷ୍ଟେସନରେ ଓହ୍ଲାଇଲା ବେଳକୁ ଅନ୍ଧାର ଘନେଇ ଆସିଥିଲା । ବାଟରେ ଜଣକୁ ଉୟେହାରାଙ୍କ ଘରର ଠିକଣା ପଚାରିଲି । ପ୍ରାୟ ଘଣ୍ଟାଏ ଖଣ୍ଡେ ଅନ୍ଧାରୁଆ ଗଳିକନ୍ଦିରେ ଉଦ୍ଦେଶ୍ୟହୀନ ଭାବରେ ଘୂରି ବୁଲିଲି । ହଠାତ୍ ଖଣ୍ଡିଏ ପଥରକୁ ଝୁଣ୍ଟି ପଡ଼ିଲି, ପଟେ ଚଟିର ଫିତା ଛିଣ୍ଡି ଗଲା । ଡାହାଣ ହାତି ଧାଡ଼ିଏ ଘର ଭିତରୁ ଗୋଟିକରେ ଗୃହସ୍ଥଙ୍କର ନାମଫଳକ ଆଖିରେ ପଡ଼ିଲା । ଖଲେଇ ଖଲେଇ ଦୁଆର ପର୍ଯ୍ୟନ୍ତ ଗଲି । ଘରର ଭିତରଟା ଅନ୍ଧାର ହୋଇଥିଲା । କ୍ଷୀଣ ସ୍ଵରରେ ଡାକିଲି । ନାରୀ କଣ୍ଠର ଜବାବ ମିଳିଲା ।

 

ମୋ’ଠାରୁ ତିନି ଚାରି ବର୍ଷ ବଡ଼ ଜଣେ କ୍ଷୀଣକାୟା ମହିଳା କବାଟ ଖୋଲିଦେଲେ ଏବଂ ମୋର ପରିଚୟ ପଚାରିଲେ । ମୋ ନାମ କହିବାର ଅବକାଶ ନଥିଲା । ମୁଁ ପଚାରିଲି–“ଉୟେହାରା ଘରେ ଅଛନ୍ତି ?” ସେ ମନା କଲେ, ଆଉ ଜଣାଇଲେ ଯେ ଓଗିକାବୁ ଷ୍ଟେସନ ସାମନାରେ ଶିରାଇଶି ଜଳଖିଆ ଦୋକାନରେ ପଚାରିଲେ ସେମାନେ ବତାଇଦେଇ ପାରିବେ ସେ କେଉଁଠି ଅଛନ୍ତି । ସେ ମୋତେ ଭିତରକୁ ଡାକିନେଇ ଖଣ୍ଡିଏ ଚମଡ଼ା ଫିତା ଦେଲେ, ଚଟିରେ ଲଗାଇଲି । ତାହାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇ ବାହାରି ଆସିଲି ।

 

ଶିରାଇଶି ଜଳଖିଆ ଦୋକାନରେ ପଚାରିବାରୁ ଜଣାପଡ଼ିଲା ଯେ ସେ ଆସାଗାଓୟା ଷ୍ଟେସନର ଉତ୍ତର ଫାଟକଠାରୁ ସିଧା ଦେଢ଼ଶହ ଗଜ ଦୂରରେ ଉଇଲୋ ହୋଟେଲରେ ଥିବେ । ସେଠାରେ ଜଣେ ପରିଚାରିକା ସାଙ୍ଗରେ ବର୍ତ୍ତମାନ ମାତିଛନ୍ତି । ଷ୍ଟେସନରେ ଟିକଟ କାଟି ଟୋକିଓର ଟ୍ରେନ ଧରିଲି । ଆସାଗାଓୟାରେ ଓହ୍ଲାଇ ଉଇଲୋ ହୋଟେଲରେ ଯାଇ ଉପସ୍ଥିତ ହେଲି । ସେତେବେଳେ ହୋଟେଲରେ କେହି ନଥିଲେ । ପରିଚାରିକାଟି ଜଣାଇଲା ଯେ ସେ ଏବେ ଦଳେ ଲୋକଙ୍କ ସାଙ୍ଗରେ ବାହାରିଗଲେ, ନିଶିଓଗିର ‘ଚିଦୋରୀ’ରେ ରାତିଟା ମଦ ଖାଇ କଟାଇବେ ।

 

ଫେର୍ ଟ୍ରେନରେ ଚଢ଼ିଲି, ଏଥର ଏକାବେଳେ ବିପରୀତ ଦିଗକୁ । ନିଶିଓଗିରେ ଓହ୍ଲାଇ ‘ଚିଦୋରୀ’ର ନୀଳ ଆଲୁଅ ଚିହ୍ନି ସିଧା ଦରଜା ଠେଲି ଭିତରେ ପଶିଲି । ଦମ୍‍ ବନ୍ଦ ହୋଇଯାଉଥିବା ଧୂଆଁରେ ଭର୍ତ୍ତି ଗୋଟିଏ ଛୋଟ କୋଠରୀରେ ଦଶ ବାରଜଣ ଲୋକ ଟେବୁଲକୁ ଘେରି ରହି ପାଟି ଗୋଳ କରି ମଦ ଖାଉଥିଲେ । ସେମାନଙ୍କ ଭିତରେ ମୋ’ଠାରୁ କମ୍‍ ବୟସୀ ତିନିଜଣ ଝିଅ ମଧ୍ୟ ଥିଲେ । ସେମାନେ ପୁରୁଷଙ୍କ ସହିତ ସମାନ ତାଳଦେଇ ସିଗାରେଟ ଟାଣୁଥିଲେ ଏବଂ ମାତଲାମି କରୁଥିଲେ ।

 

ଚାରିଆଡ଼େ ଆଖି ବୁଲାଇ ତାହାଙ୍କୁ ଖୋଜି ବାହାର କଲି । ମନେହେଲା, ହୁଏତ ସ୍ଵପ୍ନ ଦେଖୁଛି । ଛଅ ବର୍ଷ ଭିତରେ ସେ ଏକାବେଳେ ବଦଳି ଯାଇଛନ୍ତି–ଅସଜଡ଼ା ବିବର୍ଣ୍ଣ କେଶ, ନିଷ୍ପ୍ରଭ ମୁଖ, ରକ୍ତ ଚକ୍ଷୁ । ମୋତେ ଦେଖିପାରି ଝିଅଟିଏ ଆଖିମାରି ଉୟେହାରାଙ୍କୁ ଠାରି ଦେଲା । ସେ ମୁଣ୍ଡ ଟେକି ମୋତେ ଦେଖିଲେ ଏବଂ ନିର୍ବିକାର ଭାବରେ ଚିବୁକ ହଲାଇ ମୋତେ ଡାକିଲେ । ମୁଁ ଯାଇ ଚୁପ୍‍ଚାପ୍‍ ତାହାଙ୍କ ପାଖରେ ବସିପଡ଼ିଲି । ଉୟେହାରା ମୋତେ ଗିଲାସେ ଚାଉଳି ମଦ ଦେଲେ । ଦୁହେଁ ମଦ ଖାଇଲୁ । ଅନ୍ୟମାନେ ମାତଲାମି କରୁଥାଆନ୍ତି଼ । ମୁଁ ନିଃଶବ୍ଦରେ ପାଖଘରକୁ ଯାଇ ହୋଟେଲର ମାଲିକାଣୀକୁ ପଚାରି କଳ ଘରକୁ ଗଲି । ସେଠାରୁ ଫେରିଲାବେଳେ ଦେଖିଲି, କମ୍‍ ବୟସୀ ସୁନ୍ଦରୀ ଝିଅ ଚୀ ମୋତେ ଅପେକ୍ଷା କରିଛି । ହୋଟେଲର ମାଲିକାଣୀ ମୋତେ କହିଲା–“ଯାହା କିଛି ଅଛି ଟିକିଏ ଖାଇ ଦିଅ । ଏହି ମାତାଲଗୁଡ଼ାକର ପାଲରେ ପଡ଼ିଲେ ରାତିଟା ତୁମକୁ ଭୋକ ଉପାସରେ କଟାଇବାକୁ ପଡ଼ିବ । ଚୀ, ଏଠି ଆସି ବସ ।”

 

ମୁଁ ଚୀ ପାଖରେ ବସି ହିଟାରରେ ହାତ ସେକିବାକୁ ଲାଗିଲି । ମାଲିକାଣୀ ବୋତଲରୁ ପିଆଲାରେ ମଦ ଢାଳିଲା । ଆମେ ତିନିଜଣ ନୀରବରେ ପାନ କଲୁ ।

 

ମାଲିକାଣୀ ଉଦ୍ବେଗରେ ଚୀକୁ ପଚାରିଲା–“ନାଓଜି କେମିତି ଅଛି ?” ମୁଁ ଚମକି ପଡ଼ିଲି-

 

ଚୀର ଗାଲ ଲାଲ ପଡ଼ିଗଲା । ଇତସ୍ତତଃ କରି ସେ ଜବାବ ଦେଲା–“କିପରି ଜାଣିବି ? ମୁଁ ତ ତାହାର ମାଲିକ ନୁହେଁ ।”

 

ମାଲିକାଣୀ ନାଓଜି ସମ୍ବନ୍ଧରେ ମଦ ଓ ମାଇକିନା ନେଇ ସମାଲୋଚନା କରିବାକୁ ଲାଗିଲା ।

 

ଈଷତ୍ ହସି ବାଧା ଦେବାକୁ ବାଧ୍ୟ ହେଲି–“ମାଫ୍ କରିବେ । ନାଓଜି ମୋ ଭାଇ ।”

 

ମାଲିକାଣୀ ଅବାକ୍‍ ହୋଇ ମୋ ମୁହଁକୁ ଅନାଇ ରହିଲା । କିନ୍ତୁ ଚୀ ସହଜ ସ୍ଵରରେ କହିଲା–“ତୁମ ଦୁହିଁଙ୍କ ଚେହେରାରେ ଖୁବ୍ ମେଳ ଅଛି ।”

 

ମାଲିକାଣୀର ଗଳାରେ ଶ୍ରଦ୍ଧାର ଭାବ ଫୁଟିଲା–“ହଁ, ସେୟା ତ ! ତାହାହେଲେ ତୁମେ ଏହି ନରକକୁ ଆସିଲ କାହିଁକି ? ଉୟେହାରାଙ୍କ ସହିତ ପରିଚୟ ଅଛି ବୋଧହୁଏ ?”

 

“ହଁ, ପ୍ରାୟ ଛଅ ବର୍ଷ ତଳେ ଥରେ ତାହାଙ୍କୁ ଦେଖିଥିଲି ।” ମୁହଁ ନୁଆଁଇଲି ।

 

ମାଲିକାଣୀ ମୋ ହାତକୁ ନୁଡ୍‍ଲ ବଢ଼ାଇ ଦେଲା । ମୁଁ ନୁଡ୍‍ଲର ବାମ୍ଫରେ ମୁହଁ ଗୁଞ୍ଜି ଚଟପଟ ଖାଇବାକୁ ଲାଗିଲି । ମନେହେଲା, ସତେଯେମିତି ବଞ୍ଚିରହିବାର ଅସୀମ ଦୁଃଖକୁ ମୁଁ ଏହି ପ୍ରଥମଥର ଗଭୀର ଭାବରେ ଅନୁଭବ କଲି । ଗୁଣୁଗୁଣୁ କରି କରି ଉୟେହାରା ଆସି ମୋ ପାଖରେ ବସିପଡ଼ିଲେ ଏବଂ ମାଲିକାଣୀର ହାତକୁ ଖଣ୍ଡିଏ ବଡ଼ ଲଫାପା ବଢ଼ାଇ ଦେଲେ । ସେଥିରେ ଦଶ ହଜାର ଇୟେନ ଥିଲା । ମାଲିକାଣୀ ହସି ହସି କହିଲା–“ଭାବ ନାହିଁ ଯେ ଏତିକିରେ ତୁମେ ପାର ପାଇଯିବ ।”

 

“ବାକି ପାଉଣା ଆସନ୍ତା ବର୍ଷ ପଇଠ କରିଦେବି ।” ଉୟେହାରା ଚାପା ଗଳାରେ ମୋତେ ପଚାରିଲେ–“ଏଠାରେ ରାତିରେ ରହିବାର ତୁମର କିଛି ବ୍ୟବସ୍ଥା ନାହିଁ ବୋଧହୁଏ ? ତାହାହେଲେ ଆମ ସମସ୍ତଙ୍କ ସାଙ୍ଗରେ ଗୋଟାଏ ଘରେ ଶୋଇପାରିବ ?”

 

ମାଲିକାଣୀ ବାଧା ଦେଲା ।

 

ରାସ୍ତାକୁ ବାହାରି ଆସିଲାରୁ ବେଶ୍ ଜଣାପଡ଼ିଲା, ସେତେବେଳେ ପ୍ରାୟ ଅଧରାତି । ପବନର ବେଗ କମିଛି । ଆକାଶରେ ତାରା ଭରପୁର । ଆମେ ଦୁହେଁ ପାଖାପାଖି ଚାଲିଲୁ ।

 

ମୃଦୁ ହସି ମୁଁ ପଚାରିଲି–“ଆମେ ଦୁହେଁ ଏକା ରହିପାରିବାକୁ ଆପଣ ଚାହିଁଥିଲେ ନା ?”

 

ସେ ମୁଖ ବିକୃତ କରି ଜବାବ ଦେଲେ–“ସେୟା ହୋଇଛି ତ !”

 

“ଆପଣ ଅତ୍ୟଧିକ ମଦ ଖାଆନ୍ତି । ମଦ କଅଣ ଏତେ ଭଲ ଲାଗେ ?”

 

“ବିକଟ ଗନ୍ଧ ।”

 

“ଆପଣଙ୍କ କାମ କେମିତି ଚାଲିଛି ?”

 

“ଭାରି ଖରାପ । ଏବେ ଯାହା ଲେଖିବାକୁ ବସୁଛି, ସବୁ ଏକାବେଳେ ନିର୍ବୋଧର ଅର୍ଥହୀନ ପ୍ରଳାପ ହୋଇଯାଉଛି । ଜୀବନର ଗୋଧୂଳି, ଶିଳ୍ପର ସନ୍ଧ୍ୟା !”

 

ମୋ ତୁଣ୍ଡରୁ ଖସିଗଲା–“ଇଉଟ୍ରିଲୋ ।”

 

“ହଁ, ଇଉଟ୍ରିଲୋ । ଲୋକେ କହନ୍ତି, ଭଦ୍ରଲୋକ ଏବେ ବି ଜୀବିତ ଅଛନ୍ତି । ଏକ୍ଷଣି ମଦ ତାହାଙ୍କୁ ଖାଉଛି । ଗଲା ଦଶ ବର୍ଷ ହେଲା ତାଙ୍କର ଛବିସବୁ ଅସମ୍ଭବ ରକମ ଅଶ୍ଳୀଳ ଓ ଜଘନ୍ୟ ହୋଇଅଛି ।”

 

‘‘ଖାଲି କଅଣ ଇଉଟ୍ରିଲୋ । ଆଜି ଅଧିକାଂଶ ପ୍ରତିଭାଶାଳୀଙ୍କର ଏକ ଅବସ୍ଥା ।”

 

“ହଁ, ସେମାନେ ସୃଜନୀଶକ୍ତି ହରାଇଛନ୍ତି । କିନ୍ତୁ ନୂତନମାନଙ୍କର ମଧ୍ୟ ସେହି ଅବସ୍ଥା । କୋଡ଼ିଏରେ ପାଦଦେଇ ଶୁଖି ଯାଉଛନ୍ତି ।”

 

ସେ ମୋ କାନ୍ଧ ଉପରେ ହାତ ରଖିଲେ । ଧୀରେ ଧୀରେ ଆଗେଇ ଯାଉଁ ଯାଉଁ ତାଙ୍କର ଆଲିଙ୍ଗନ ଭିତରେ ମୋତେ ଘନୀଭୂତ କରିଦେଲେ ।

 

“ମୋ ଚିଠିସବୁ ପଢ଼ିଛନ୍ତି ?”

 

“ହଁ ।”

 

“ଆପଣଙ୍କଠାରୁ କି ଧରଣର ଉତ୍ତର ଆଶା କରିପାରେ ?”

 

“ସତରେ ମୁଁ ଆଭିଜାତ୍ୟ ପସନ୍ଦ କରେନା । ସେ ଦିଗରୁ ତୁମ ଭାଇ ନାଓଜି ଯଥେଷ୍ଟ ସୁଧୁରିଛି । ବେଳେବେଳେ ତାହାର ଢଙ୍ଗ ବି ମୋ ପକ୍ଷରେ ଅସହ୍ୟ ହୁଏ । ମୁଁ ତ ଚଷା ପୁଅ । ଏମିତି ଏକ ଛୋଟ ନଦୀ ପାଖରେ ଗଲାବେଳେ ପୁରୁଣା ଦିନର କଥା ମୋର ମନେପଡ଼େ ।”

 

ଅନ୍ଧାରରେ ଅସ୍ପଷ୍ଟ ଶବ୍ଦ କରି ଗୋଟିଏ ଛୋଟ ନଦୀ ବହିଯାଉଛି । ଆମେ ତାହାରି କୂଳେ କୂଳେ ଚାଲିଛୁ ।

 

“ମୁଁ ବି ଗାଁର ଝିଅ, ଚାଷ କରେ, ଏକାବେଳେ ଗରିବ ଗାଉଁଲି ଝିଅ ।”

 

ତାଙ୍କର ଗଳାର ସ୍ଵର ରୁକ୍ଷ ହେଲା–“ତୁମେ କଅଣ ଏବେ ବି ମୋତେ ଭଲପାଅ ? ମୋ’ଠାରୁ ସନ୍ତାନ ଚାହଁ ?”

 

ମୁଁ ଉତ୍ତର ଦେଲି ନାହିଁ ।

 

ସେ ହଠାତ୍ ତାଙ୍କର ମୁଖ ମୋ ମୁଖ ଉପରକୁ ନେଇ ଆସିଲେ ଏବଂ ମୋତେ ପ୍ରଚଣ୍ଡ ଭାବରେ ଚୁମା ଦେଲେ । ସେହି ଚୁମ୍ବନ ଭିତରେ ତୀବ୍ର କାମନାର ଆଭାସ ଥିଲା । ସେହି ଚୁମ୍ବନ ଗ୍ରହଣ କଲାବେଳେ ମୋ ଆଖିରେ ଲୁହ ଆସିଲା ।

 

ପାଖାପାଖି ଯାଉଁ ଯାଇଁ ସେ କହିଲେ–“ଦେଖୁଛି, ତୁମ ପ୍ରେମରେ ମଜି ଯାଇଛି ।” ହସିପକାଇଲେ ।

 

କିନ୍ତୁ ମୋତେ ଟିକିଏ ହସ ମାଡ଼ିଲା ନାହିଁ । ମାଲୁମ ହେଲା, ସତେଯେମିତି ମୁଁ ଅନ୍ଧାରରେ ଏକା ଚାଲିଛି ।

 

ବୋଧହୁଏ ଶିଳ୍ପୀ ମିଷ୍ଟର ଫୁକିଙ୍କ ଘରେ ସମସ୍ତେ ଶୋଇପଡ଼ିଥିଲେ । “ଟେଲିଗ୍ରାମ ! ମିଷ୍ଟର ଫୁକି, ଟେଲିଗ୍ରାମ ଆସିଛି”–ଉୟେହାରା ଚିତ୍କାର କରି ଦରଜାରେ ଧକା ମାରିବାକୁ ଲାଗିଲେ-

 

“ଉୟେହାରା ନା କଅଣ ?” ପୁରୁଷ କଣ୍ଠରେ ଜବାବ ମିଳିଲା ।

 

“ଠିକ୍ ଧରିଛ । ରାଜପୁତ୍ର ଓ ରାଜକନ୍ୟା ଆସିଛନ୍ତି ମାତ୍ର ଗୋଟିଏ ରାତିର ଆଶ୍ରୟର ଆଶାରେ । ବାହାରେ ଏତେ ଶୀତ ଯେ କାଶି କାଶି ପ୍ରାଣ ବାହାରିଗଲାଣି ।”

 

ଦଣ୍ଡଦୁଆର ଖୋଲି ଗଲା । ଜଣେ ପଚାଶ ବର୍ଷ ବୟସ କ୍ଷୁଦ୍ରକାୟ ଭଦ୍ରଲୋକ ଲାଜରେ ହସି ହସି ଆସି ଆମକୁ ଅଭ୍ୟର୍ଥନା କଲେ । ଉୟେହାର କୋଟ୍‍ ନ ଖୋଲି ମୋତେ ହାତ ଧରି ସିଡ଼ରେ ଦୋତାଲାକୁ ନେଇଗଲେ । ଆମେ ଗୋଟାଏ ଅନ୍ଧାର ଘରେ ପ୍ରବେଶ କଲୁ । ଉୟେହାର ସୁଇଚ ଟିପି ଆଲୁଅ ଜଳାଇଲେ । ଆଲମାରିରୁ ବିଛଣାପତ୍ର କାଢ଼ି ଆଣିଲେ–“ତୁମେ ଏକ୍ଷଣି ଶୋଇପଡ଼ ସକାଳେ ଆସି ମୁଁ ତୁମକୁ ନେଇ ଯିବି ।” ପ୍ରଚଣ୍ତ ଶବ୍ଦ କରି ସେ ସିଡ଼ିରେ ତଳକୁ ଓହ୍ଲାଇ ଗଲେ । ଆଲୁଅ ଲିଭାଇ କୋଟ୍‍ଟା ଖୋଲି କିମନୋ ପିନ୍ଧି ବିଛଣାରେ ଗଡ଼ି ପଡ଼ିଲି ।

 

କେତେବେଳେ ଠିକ୍ ମନେ ନାହିଁ, ଆଖି ଖୋଲି ଦେଖିଲି ଭଦ୍ରଲୋକ ମୋ କତିରେ ଶୋଇଛନ୍ତି । ପ୍ରାୟ ଘଣ୍ଟାଏ କାଳ ଦୃଢ଼ ପ୍ରତିଜ୍ଞ ଭାବରେ ନିଃଶବ୍ଦରେ ତାହାଙ୍କ ସହିତ ଯୁଝିଲି । ହଠାତ୍ ତାହାଙ୍କ ପ୍ରତି କେମିତିକା ମାୟା ହେଲା, ଆତ୍ମସମର୍ପଣ କଲି ।

 

“ଆପଣ ଯେମିତି ଭାବରେ ଜୀବନଯାପନ କରୁଛନ୍ତି, ସେଥିରେ ଶରୀର ଖରାପ ହେଉ ନାହିଁ ? ମୋର ଧାରଣା, ଆପଣଙ୍କର କାଶ ସାଙ୍ଗରେ ବୋଧହୁଏ ରକ୍ତ ପଡ଼ୁଛି ।”

 

“କେମିତି ଜାଣିଲ ?”

 

“ମାଆଙ୍କ ମୃତ୍ୟୁ ଆଗରୁ ଏମିତି ଗୋଟାଏ ଗନ୍ଧ ପାଇଥିଲି ।”

 

“ଜୀବନରେ ହତାଶ ହୋଇ ମୁଁ ମଦ ଧରିଛି । ଏହି ଦୁଃଖମୟ ସଙ୍ଗୀହୀନ ଶିଥିଳ ଜୀବନ ମୋ ହୃଦୟ ବିଦୀର୍ଣ୍ଣ କରୁଛି । ଯେତେବେଳେ ମଣିଷ ଉପଲବ୍ଧି କରେ ଯେ ଦୁନିଆରେ ବଞ୍ଚିରହି ଆଉ କେବେ ଯଶ କିମ୍ଵା ସୁଖର ମୁଖ ଦେଖିପାରିବ ନାହିଁ, ସେତେବେଳେ କି ଅବସ୍ଥା ହୁଏ-? ପ୍ରଚଣ୍ଡ ଜୀବନ ସଂଗ୍ରାମ ! ହାଡ଼ଭଙ୍ଗା ପରିଶ୍ରମ ! ଫଳ କଅଣ ସେଥିରେ ? ଖାଲି ଭୋକିଲା ପଶୁର ମୁଖରେ ଦାନା ଦେବା । ଏହା କଅଣ ଅଭିନୟ ?”

 

“ନା ।”

 

“ଖାଲି ଅଛି ଭଲପାଇବା, ଠିକ୍ ଯେମିତି ତୁମେ ଲେଖିଥିଲ ।”

 

“ହଁ ।”

 

ମୋ ପ୍ରେମର ପ୍ରଦୀପ ଲିଭିଗଲା ।

 

ଯେତେବେଳେ ଘରେ ପୁଣି ମୃଦୁ ଆଲୁଅ ହେଲା, ମୁଁ ଦେଖିଲି ସେହି ଘୁମନ୍ତ ମଣିଷର ପ୍ରକୃତ ଚେହେରା । ତାହାର ମୁଖମଣ୍ଡଳରେ ଆସନ୍ନ ମୃତ୍ୟୁର ଛାୟା । ଏହି ମୁଖ ବଳିର ପଶୁର । ଏକ ଅମୁଲ୍ୟ ଉତ୍ସର୍ଗ ।

 

ମୋ ମନର ମଣିଷ । ମୋର ଇନ୍ଦ୍ରଧନୁ । ମୋର ଶିଶୁ । ଘୃଣ୍ୟ ମଣିଷ । ବ୍ୟଭିଚାରୀ ପୁରୁଷ ।

 

ମନେହେଲା, ସାରା ଦୁନିଆରେ ଏମିତି ସୁନ୍ଦର ମୁଖର ପଟାନ୍ତର ନାହିଁ । ନୂତନ ପ୍ରେମର ଉତ୍ତେଜନାରେ ମୋ ଛାତି କମ୍ପିଲା । ମୁଁ ତାହାଙ୍କ ଚୁମ୍ବନ କଲି । ଆଖି ବୁଜି ଉୟେହାରା ମୋତେ ଛାତି ଉପରକୁ ଭିଡ଼ି ନେଲେ ।

 

“ଏତେଦିନେ ମୁଁ ସୁଖୀ ।”

 

ଉୟେହାରା ହସିଲେ–“କିନ୍ତୁ ଖୁବ୍ ବିଳମ୍ବ ହେଲା । ସନ୍ଧ୍ୟା ଯେ ମାଡ଼ି ଆସୁଛି ।”

 

“ଏବେ ପରା ଭୋର ହେଲା ।’’

 

ସେଦିନ ସକାଳେ ନାଓଜି ଆତ୍ମହତ୍ୟା କଲା ।

 

 

ନାଓଜିର ଶେଷ କଥା :

 

କାଜୁକୋ ।

 

କିଛି ଫଳ ନାହିଁ । ମୁଁ ଚାଲିଲି ।

 

ଯେଉଁମାନେ ବଞ୍ଚିବାକୁ ଚାହାନ୍ତି, ସେମାନେ ହିଁ କେବଳ ବଞ୍ଚି ରହନ୍ତି ଦୁନିଆରେ । ମଣିଷର ଯେମିତି ବଞ୍ଚିରହିବାର ଅଧିକାର ଅଛି, ସେମିତି ମରିବାର ସ୍ଵାଧୀନତା ମଧ୍ୟ ରହିବା ଉଚିତ-

 

ମୋ’ପରି କିଶଳୟ ପକ୍ଷରେ ଦୁନିଆରେ ପ୍ରାଣଧାରଣ କଠିନ । ମୋ ଭିତରେ ଅପୂର୍ଣ୍ଣତା ରହିଛି । ତେବେ ବହୁ ଚେଷ୍ଟାରେ ଏତେଦିନ ବଞ୍ଚିରହିଲି ।

 

ଉଚ୍ଚ ବିଦ୍ୟାଳୟରେ ଭର୍ତ୍ତି ହେବାପରେ ଯେତେବେଳେ ମୁଁ ପ୍ରଥମେ ମୋ’ଠାରୁ ସମ୍ପୂର୍ଣ୍ଣ ଭିନ୍ନ ପରିବେଶରେ ବଢ଼ିଥିବା ଦୁଷ୍ଟ ପିଲାମାନଙ୍କ ପାଲରେ ଯାଇ ପଡ଼ିଲି ସେତେବେଳେ ସେମାନଙ୍କ ଉଦ୍ଦାମତାରୁ ରକ୍ଷା ପାଇବା ପାଇଁ ନିଶା ଆରମ୍ଭ କଲି । ଅଧା ନିଶାର ଜୋରରେ ମୁଁ ସେମାନଙ୍କର ପ୍ରତିରୋଧ କରୁଥିଲି । ପରେ ଫଉଜରେ ଭର୍ତ୍ତି ହୋଇ ବଞ୍ଚିରହିବାର ଶେଷ ଅବଲମ୍ବନ ସ୍ୱରୂପ ଅଫିମ ଧରିଲି । ସେତେବେଳେ ମୋର କି ଅବସ୍ଥା ବୋଧହୁଏ ତୁ କଳନା କରିପାରିବୁ ନାହିଁ ।

 

ମୁଁ ନୃଶଂସ ହେବାକୁ ଚାହିଁଲି । ମୋତେ ବଂଶମର୍ଯ୍ୟାଦା ଭୁଲିଯିବାକୁ ହେଲା । ପିତୃ ରକ୍ତ ଅସ୍ଵୀକାର କଲି, ମାଆଙ୍କ ଦାକ୍ଷିଣ୍ୟ ପ୍ରତ୍ୟାଖ୍ୟାନ କଲି, ଆଉ ଭଉଣୀ ପ୍ରତି ଉଦାସୀନ ହେଲି । ଅମାର୍ଜିତ ହେଲି । ଏହାର ଷାଠିଏ ଭାଗ ଥିଲା ଛଳନା, ଅଭିନୟ, ଚାତୁରୀ ମାତ୍ର । ସାଧାରଣ ଲୋକଙ୍କ ସହିତ ଏମିତି ଉଦ୍ଧତ ବ୍ୟବହାର କରୁଥିଲି ଯେ ସେମାନେ ମୋ ପ୍ରତି କ୍ରୁଦ୍ଧ ହେଉଥିଲେ । ଉଚ୍ଚ ଶ୍ରେଣୀର ଶିଷ୍ଟାଚାର ସବୁ ମୁହୂର୍ତ୍ତେ ବରଦାସ୍ତ କରୁନଥିଲି । ଅନ୍ୟ ଦିଗରେ ଯେଉଁ ଜ୍ଞାନୀ ଓ ଗୁଣୀମାନଙ୍କର ସଙ୍ଗ ମୁଁ ଦିନେ ସ୍ୱେଚ୍ଛାରେ ବର୍ଜନ କରିଥିଲି, ସେଠାକୁ ଫେରିଯିବା ବି ଅସମ୍ଭବ ହେଲା ।

 

ସବୁ ମଣିଷ ସମାନ । ଯେ ଏହି ଆସାଧାରଣ ଉକ୍ତି ବ୍ୟକ୍ତ କରିଥିଲେ ମୁଁ ତାହାଙ୍କୁ ଜଣେ ଦାର୍ଶନିକ ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ । ଏହା ମୂଳରେ ଅଛି ବିରକ୍ତି କିମ୍ଵା ଈର୍ଷା । ଏହା ସହିତ ଗଣତନ୍ତ୍ର କିମ୍ଵା ମାର୍କସବାଦର କିଛି ସମ୍ପର୍କ ନାହିଁ । ଏହି ହୀନ ମନ୍ତବ୍ୟ ସହିତ ଜଡ଼ିତ ଅଛି ମଣିଷର ଅଧଃପତନ, ଗର୍ବର ଅବସାନ ଓ ଉଦ୍ୟମର ଉଚ୍ଛେଦ । କେବଳ ଅପଦାର୍ଥ ହିଁ କହିବୁଲିବ ଯେ ସେ ଆଉ ସମସ୍ତଙ୍କ ସହିତ ସମାନ । କାହିଁକି ସମାନ ? ଶ୍ରେଷ୍ଠତର ବୋଲି କହିପାରୁନାହିଁ ? ମୋର ଧାରଣା, ଏ ଯୁଗର ଯାବତୀୟ ଉତ୍କଣ୍ଠା, ସଂଶୟ, ଅବମାନନା, ଉପହାସ, ବଞ୍ଚନା, ଅପମାନ, ହୀନମନ୍ୟତାର ମୂଳରେ ରହିଛି ଏହି ଅଶାଳୀନ ଘୃଣ୍ୟ ଉକ୍ତି ଟିକକ ।

 

ଏହି ଉକ୍ତିର କଦର୍ଯ୍ୟତା ସମ୍ବନ୍ଧରେ ମୋର କିଛି ସନ୍ଦେହ ନଥିଲା । ମୁଁ ଖୁବ୍ ଭୟ ପାଇଲି ଏବଂ ବିବ୍ରତ ହେଲି । ସକଳ ପ୍ରାୟାସ ବ୍ୟର୍ଥ ହେବାରୁ, ମଦ ଓ ବିଷାକ୍ତ ମାଦକ ଦ୍ରବ୍ୟର ଗୁଣରେ କ୍ଷଣିକ ବିଶ୍ରାମ ପାଇଲି । ତା’ପରେ ସବୁ ଗୋଳମାଳ ହେଲା ।

 

ମୁଁ ଶୈଶବରୁ ଗୋଟାଏ ଅଳସୁଆ, କାମୁକ, ସ୍ଵାର୍ଥପର ଓ ନଷ୍ଟ ପିଲା–ଅଦ୍ୟାବବଧି ଲୋକ ମୁଖରୁ ଏହି ମନ୍ତବ୍ୟ ଶୁଣି ଶୁଣି ଅପ୍ରସ୍ତୁତ ହୋଇ ମୁଣ୍ଡ ତଳକୁ କରିଛି । କିନ୍ତୁ ଆଜି ମୃତ୍ୟୁର ମୁଖରେ ଠିଆହୋଇ ପ୍ରତିବାଦ ଜଣାଉଛି ।

 

କାଜୁକୋ, ସୁନା ଭଉଣୀଟା ପରା, ମୋତେ ବିଶ୍ୱାସ କର ।

 

ଆମୋଦ ଆହ୍ଲାଦରେ କେବେ ତୃପ୍ତି ପାଇ ନାହିଁ । ଆଭିଜାତ୍ୟର ଛାୟାରୁ ଦୂରେଇଯିବା ଆଶାରେ ନିଦାରୁଣ ଉଚ୍ଛୃଙ୍ଖଳତା ଭିତରେ ବୁଡ଼ି ରହିଲି ।

 

ଆହୁରି ଆଗରୁ ମୋର ମରିବା ଉଚିତ ଥିଲା । ଖାଲି ମାଆଙ୍କର ସ୍ନେହ ଯୋଗୁଁ ତାହା ସମ୍ଭବ ହୋଇପାରି ନାହିଁ । ସେ ଜୀବିତ ଥିବାଯାଏ ସ୍ଵେଚ୍ଛା ମରଣକୁ ଜୋର୍‍ କରି ଦୂରକୁ ଠେଲି ରଖିଥିଲି । ଏକ୍ଷଣି ମୋ ମୃତ୍ୟୁରେ କେହି ଏତେ ବେଶୀ ବ୍ୟଥିତ ହେବେ ନାହିଁ । ତୋର କେତେ କଷ୍ଟ ହେବ ମୁଁ ଜାଣେ । ତେବେ ମୋର ସ୍ଵେଚ୍ଛାକୃତ ମରଣର ଉଦ୍ଦେଶ୍ୟ ଜାଣି ତୁ ସାନ୍ତ୍ୱନା ପାଇବୁ ।

 

କାଜୁକୋ, ମୋ ପକ୍ଷରେ ମରଣ ବରଂ ଭଲ । ଅର୍ଥ ନିମନ୍ତେ ମଣିଷ ସହିତ ଝଗଡ଼ା କରିବାର ଶକ୍ତି ମୋର ନାହିଁ । ଏପରିକି ଉୟେହାରାଙ୍କ ସହିତ ମଦ ଖାଇଲେ ମୋ ଭାଗର ଦାମ୍‍ ମୁଁ ଦେଇଛି । ସେଥିପାଇଁ ସେ ମୋତେ ଘୃଣା କରୁଥିଲେ । କିନ୍ତୁ ମୁଁ ବୁଝିଥିଲି, ଅପରର କଷ୍ଟାର୍ଜିତ ଅର୍ଥରେ ଆମୋଦ ଆହ୍ଲାଦ କଲେ ମୋତେ ଅସ୍ୱସ୍ତି ଲାଗେ । ଏପରିକି ନିଜ ଘରୁ ଟଙ୍କା ନେଇ ମାଆଙ୍କୁ ଓ ତୋତେ ଦାରୁଣ କଷ୍ଟରେ ପକାଇ ଫୁର୍ତ୍ତି କରି ରାତିଏ ସୁଖ ପାଇନାହିଁ ।

 

ଯାହା ଘଟିଯାଇଛି ତା’ପରେ ମୋର ବଞ୍ଚିବା ନିରର୍ଥକ । ମୋ ପାଖରେ ଗୋଟାଏ ବିଷ ଅଛି ଯାହାକୁ ଖାଇଲେ ମଲାବେଳେ କିଛି ଯନ୍ତ୍ରଣା ହୁଏ ନାହିଁ । ଫଉଜରେ ଚାକିରି ସମୟରେ ଏହି ବିଷ ମୋ ହାତକୁ ଆସିଥିଲା ।

 

କାଜୁକୋ, ତୁ ସୁନ୍ଦରୀ ଓ ବୁଦ୍ଧିମତୀ । ତୋ’ପାଇଁ ମୋର ଆଦୌ ଚିନ୍ତା ନାହିଁ । ମୋର ଦୃଢ଼ ବିଶ୍ୱାସ ଯେ ତୁ ନିଶ୍ଚୟ ବିଭା ହେବୁ, ତୋର ଛୁଆ ପିଲା ହେବେ ଏବଂ ସ୍ଵାମୀର ବାହୁବନ୍ଧନ ଭିତରେ ତୁ ନବଜୀବନ ଲଭିବୁ ।

 

ମୋର ଗୋଟାଏ ଗୁପ୍ତ କଥା ଅଛି । କାହାକୁ ମୁଁ ଏଯାଏ ଏହା କହି ନାହିଁ । ବହୁତ ଦିନରୁ ଲୁଚାଇ ରଖିଛି । ଖାଲି ଆଜି ତୋତେ ମୋର ଧାରଣା, ଆଖିରେ ନ ଦେଖିଲେ ସୁଦ୍ଧା ତୁ ତାହାକୁ ଜାଣୁ । ସେ ତୋ’ଠାରୁ ଟିକିଏ ବଡ଼ ହେବ । ଆଖି ଦୁଇଟି ବାଦାମ ଆକାରର, ସୁଦୀର୍ଘ କେଶ, ଧୋବ ଫରଫର ପୋଷାକ । ଜଣେ ଲମ୍ପଟ ବର୍ବର ଚିତ୍ରକରର ସ୍ତ୍ରୀ । ଅତି ଶାନ୍ତ ଓ ମଧୁର, ଅଧର କୋଣରେ ନିରନ୍ତର ମୃଦୁ ହସ ଲାଖି ରହିଥାଏ ।

 

ଗ୍ରୀଷ୍ମର ଏକ ସନ୍ଧ୍ୟାରେ ମୁଁ ସେହି ଚିତ୍ରକରର ଘରକୁ ଯାଇ ଦେଖିଲି ସେ ନାହିଁ । ତାହାର ସ୍ତ୍ରୀ ମୋତେ ଅପେକ୍ଷା କରିବାକୁ କହିଲା । ପ୍ରାୟ ଅଧ ଘଣ୍ଟାଏ ଯାଏ ବସି ବସି ପତ୍ରିକାର ପୃଷ୍ଠା ଲେଉଟାଇଲି । ଯେତେବେଳେ ଦେଖିଲି ତାହାର ଫେରିବାର କିଛି ଲକ୍ଷଣ ଦିଶୁ ନାହିଁ, ଉଠିପଡ଼ିଲି । ବିଦାୟ ନେବାର ଅବକାଶରେ ତାହାର ଆଖି ଆଡ଼କୁ ଅନାଇ ମୋର ମରଣ ହେଲା । କହିଲି–ଯାଉଛି । ସଙ୍ଗେ ସଙ୍ଗେ ସେ ମୋ ପାଖକୁ ଆସି ମୋ ମୁହଁକୁ ଚାହିଁ ଅବିଚଳିତର ଶାନ୍ତ ଅସଙ୍କୋଚ ସ୍ୱରରେ ପଚାରିଲା–କାହିଁକି ? ମୋର ସମସ୍ତ ସଙ୍କୋଚ ଦୂର ହୋଇଗଲା । ମାତ୍ର ଫୁଟେ ଦୂରରେ ସେହି ଅପରୂପ ନୟନ ଯୁଗଳକୁ ଚାହିଁରହି ଏକ ଅସୀମ ସୁଖର ପାରାବାରରେ ବୁଡ଼ିଗଲି । ଶେଷକୁ ସ୍ମିତ ହସି କହଲି–କିନ୍ତୁ... । ତାହାର ମୁଖରେ ଗାମ୍ଭୀର୍ଯ୍ୟର ଛାୟା–ତାଙ୍କର ଆସିବା ବେଳ ହେଲା । ହଠାତ୍ ମୋର ମନେହେଲା, ଏହି ମୁଖର ଭାବରେ ଯେଉଁ ଅପୂର୍ବ ବସ୍ତୁ ମିଳିଲା ହୁଏତ ଲୋକେ ତାହାକୁ ସତତା ସଂଜ୍ଞା ଦେଇ ଥାଆନ୍ତି । କହିଲି–ଫେର୍ ଆସିବି । ସେ କହିଲା–ଆସିବେ ।

 

ଆଉ ଗୋଟିଏ ଶୀତର ସନ୍ଧ୍ୟାରେ ତାହାର ମୁଖର ସୌନ୍ଦର୍ଯ୍ୟରେ ମୁଁ ଅଭିଭୂତ ହୋଇଗଲି । ସେଦିନ ସକାଳୁ ଚିତ୍ରକରର ଘରେ ମଦ ଖାଇ ଖାଇ ତଥାକଥିତ ଜାପାନୀ ସଂସ୍କୃତିର ଧ୍ଵଜାଧାରୀ ସମାଜକୁ ଗାଳିଗୁଲଜ କରି ହୈଚୈ ହସ ପରିହାସରେ ବୁଡ଼ିଯାଇଥିଲି । କିଛି କ୍ଷଣ ପରେ ଚିତ୍ରକର ଶୋଇପଡ଼ି ଘୁଙ୍ଗୁଡ଼ି ମାରିଲା । ମୋର ବି ତନ୍ଦ୍ରା ଆସୁଥିଲା । ଏତିକିବେଳେ କିଏ ମୋ ଉପରକୁ ଖଣ୍ଡିଏ କମ୍ବଳ ଫିଙ୍ଗିଦେଲା । ମୁଁ ଦରମୁଦା ଆଖିରେ ଦେଖିଲି, ସେହି ମହିଳା ଝରକା କତିରେ ବସି ତନ୍ମୟ ହୋଇ ଟୋକିଓର ଶାନ୍ତ ଆକାଶରେ ଶୀତର ନୀଳ ରଙ୍ଗ ଦେଖୁଛି । ମୋ ଉପରକୁ କମ୍ବଳ ଫିଙ୍ଗିଦେବା ଭିତରେ ମୁଁ ତାହାର ଏକ କାମନା ବର୍ଜିତ ମମତାର ସ୍ପର୍ଶ ପାଇଲି । ମୁଁ ଆଖି ମୁଦି ପଡ଼ିରହିଲି । ମୋର ସର୍ବାଙ୍ଗରେ ପ୍ରେମ ଓ ବାସନାର ତରଙ୍ଗ ଖେଳିଗଲା ।

 

ସେହି ଦିନରୁ ଚିତ୍ରକରର ସ୍ତ୍ରୀର ଆନ୍ତରିକ ଅପୂର୍ବ ମାଧୁରୀ ମୋତେ ଦୁର୍ବାର ବେଗରେ ଟାଣିବାକୁ ଲାଗିଲା । ପ୍ରକୃତ ପ୍ରେମରେ ପରିପୂର୍ଣ୍ଣ ଜଣେ ନାରୀକୁ ମୁଁ ଭଲପାଇବାକୁ ଶିଖିଲି । ଖାଲି ଥରେ ଚାରି ଚକ୍ଷୁର ମିଳନ ଆଶାରେ ମୁଁ ତାହାର ଘରକୁ ଯିବାକୁ ଲାଗିଲି ।

 

ଆଜି କେବଳ ତୋତେ ଜଣାଉଛି ଯେ ଦିନ ପରେ ଦିନ ତାହାର ସ୍ତ୍ରୀ ସକାଶେ ନିଷ୍ଫଳ କାମନାରେ ମୁଁ ଜଳିପୋଡ଼ି ମରିଛି । କିନ୍ତୁ ଗୋଟିଏ କଥା । ତୋ ଭାଇର ଏହି ବ୍ୟର୍ଥ ପ୍ରେମ ତାହାର ମରଣ ପରେ କାହାରି ଦୁଆରେ ପହଞ୍ଚାଇ ଦେବୁ ନାହିଁ । ଆଉ କେହି ବୁଝୁ ବା ନ ବୁଝୁ, ଅନ୍ତତଃ ତୁ ବୁଝିବୁ କି ନିଦାରୁଣ ଯନ୍ତ୍ରଣାରେ ମୋର ଜୀବନ କଟିଛି ।

 

ଥରେ ସ୍ଵପ୍ନ ଦେଖିଲି, ମୁଁ ତାହାର ସ୍ତ୍ରୀର ହାତ ଧରିଛି । ନିଜ ଭାଙ୍ଗିଲା ପରେ ତାହାର ଆଙ୍ଗୁଳିର ପରଶ ମୋ ହାତରେ ଲାଗିଥିଲା । ମନେମନେ ସ୍ଵୀକାର କଲି, ଏତିକି ମାତ୍ର ମୋର ପାଉଣା । ସେହି ନାରୀକୁ ଭୁଲିବା ପାଇଁ ମୁଁ ହୃଦୟରେ ନିଆଁ ଧରି ଉଚ୍ଛୃଙ୍ଖଳତା ଓ କାମନା ଭିତରକୁ ଡେଇଁ ପଡ଼ିଲି । କିନ୍ତୁ କିଛି ଫଳ ହେଲାନାହିଁ । ମୋ’ପରି ମଣିଷ କଦାପି ଦୁଇଥର ପ୍ରେମରେ ପଡ଼େ ନାହିଁ ।

 

ମୃତ୍ୟୁ ଆଗରୁ ଥରେ ତାହାର ନାମ ଲେଖିଦେବି–ଶୁଗା ।

 

କାଲି ଜଣେ ବାଇଜୀକୁ ଏଠାକୁ ଆଣିଛି । ତାହା ପ୍ରତି ମୋର ତିଳେହେଲେ ଦୁର୍ବଳତା ନାହିଁ । ଝିଅଟି ଗାଡ଼ିରେ ଚଢ଼ି ବୁଲିବାକୁ ଚାହିଁଥିଲା । ମୁଁ ବି ଟୋକିଓ ସହରରେ ଅନାଚାରରେ କ୍ଳାନ୍ତ ହୋଇ ଦୁଇ ଦିନ ଖଣ୍ଡେ ସେହି ବୋକା ଝିଅଟି ସାଙ୍ଗରେ ଏଠାରେ ଜଡ଼ିତ ହୋଇଯିବି ବୋଲି ଭାବିଥିଲି । ତୋତେ ଅବଶ୍ୟ ଭାରି ଖରାପ ଲାଗିଲା । ତୁ ଟୋକିଓକୁ ଚାଲିଗଲା ମାତ୍ରେ ମୋର ମନେହେଲା, ଯଦି ମରିବାକୁ ହୁଏ ଏହି ତ ସୁଯୋଗ ଉପସ୍ଥିତି ।

 

ଆଜି ଅପୂର୍ବ ସୁଯୋଗ ମିଳିଛି । ତୁ ଏଠାରେ ନାହୁଁ । ଜଣେ ବୋକା ନର୍ତ୍ତକୀ ମୋ ଆତ୍ମହତ୍ୟାର ଏକମାତ୍ର ସାକ୍ଷୀ ।

 

କାଲି ରାତିରେ ଆମେ ଦୁହେଁ ଏକାଠି ବସି ମଦ ଖାଇଲୁ । ତା’ପରେ ତାହାକୁ ତେତାଲାର ଘରେ ଶୋଇବାକୁ ନେଇଗଲି । ମୁଁ ତଳକୁ ଆସି ମାଆ ଯେଉଁ ଘରେ ମରିଥିଲେ ସେଠାରେ ବିଛଣା ବିଛାଇଲି । ତା’ପରେ ଏହି ଉଚ୍ଛୃଙ୍ଖଳର କଥା ଲେଖିବାକୁ ବସିଛି ।

 

କାଜୁକୋ ।

 

ଆଉ ଆଶା ନାହିଁ, ବିଦାୟ ।

 

କିନ୍ତୁ ଅନ୍ତିମ ବିଶ୍ଳେଷଣରେ ମୋର ମୃତ୍ୟୁ ସ୍ଵାଭାବିକ । କେବଳ ଆଦର୍ଶର ଖାତିରରେ ବଞ୍ଚିବା ଅସମ୍ଭବ । ତୋତେ ଗୋଟାଏ ଅନୁରୋଧ କରିବାକୁ ଭାରି ସଙ୍କୋଚ ହେଉଛି । ମନେଅଛି ନା, ମାଆଙ୍କର ଖଣ୍ଡିଏ ତସରର କିମନୋ ଆସନ୍ତା ଗ୍ରୀଷ୍ମରେ ମୋର କାମରେ ଲାଗିବ ବୋଲି ଭାବି ଠିକ୍ କରି ରଖିଥିଲୁ ? ସେହି ଖଣ୍ଡିକ ମୋ କଫିନରେ ଦେବୁ । ସେଟା ପିନ୍ଧିବା ପାଇଁ ମୋର ଖୁବ୍ ଇଚ୍ଛା ଥିଲା ।

 

ଭୋର ହୋଇ ଆସିଲା ।

 

ବିଦାୟ !

 

ଗଲା ରାତିର ନିଶାର ଆମେଜ ସମ୍ପୂର୍ଣ୍ଣ କଟିଯାଇଛି । ଶେଷ ସମୟରେ ମୁଁ ଶାନ୍ତିରେ ମରିବି ।

 

ପୁଣି ବିଦାୟ ନେଉଛି ।

 

କାଜୁକୋ ।

 

ଯାହାହେଉ ପଛକେ, ମୁଁ ଅଭିଜାତ ।

 

 

ଦୁଃସ୍ଵପ୍ନ ।

 

ଜଣ ଜଣ କରି ସଭିଏଁ ମୋତେ ଛାଡ଼ି ଚାଲିଗଲେ ।

 

ନାଓଜିର ମୃତ୍ୟୁ ପରେ ମାସେ ମୁଁ ଏକା ଗାଁର ସେହି ଘରେ ଥିଲି ।

 

ତା’ପରେ ଅନ୍ତର ନୈରାଶ୍ୟରେ ହାହାକାର କଲାରୁ, ଉୟେହାରାକୁ ମୋର ଶେଷ ଚିଠି ଲେଖିଲି–

 

ମନେହେଉଛି, ଆପଣ ବି ମୋତେ ତ୍ୟାଗ କରିଛନ୍ତି । ନା, ବୋଧହୁଏ ମୋତେ ଧୀରେ ଧୀରେ ପାଶୋରିବାକୁ ବସିଛନ୍ତି ।

 

କିନ୍ତୁ ଆଉ କିଛି ଦୁଃଖ ନାହିଁ । ଏତେଦିନେ ମୋର ମନ ସାଧ ମେଣ୍ଟିଛି । ମୁଁ ସନ୍ତାନ ସମ୍ଭବା ।

 

ଏହାକୁ ମୁଁ ବିରାଟ ଭୁଲ ବୋଲି କୌଣସିମତେ ସ୍ଵୀକାର କରିବି ନାହିଁ । ବର୍ତ୍ତମାନ ମୋ ନିକଟରୁ ଦୁନିଆର ସବୁ କିଛି ବ୍ୟାପାର ଦୂରେଇ ଯାଇଛି । ମୋର ମନେହୁଏ, ଆପଣ ଏସବୁ କିଛି ବୁଝନ୍ତି ନାହିଁ । ସେଥିପାଇଁ ଆପଣ ସଦାସର୍ବଦା ବିଷଷ୍ଣ । ମୁଁ କହୁଛି କାହିଁକି । ଏସବୁର କାରଣ ହେଉଛି, ଯୁଗେ ଯୁଗେ ନାରୀ ସୁସ୍ଥ ସବଳ ଶିଶୁ ଜନ୍ମ କରିବ ।

 

ମୂଳରୁ ଆପଣଙ୍କ ଚରିତ୍ର ଓ ଦାୟିତ୍ଵଜ୍ଞାନ ଉପରେ ମୋର ବିଶେଷ ଆସ୍ଥା ନଥିଲା । ଏକମାତ୍ର ଉଦ୍ଦେଶ୍ୟ ଥିଲା, ମୋର ଏହି ବିଶେଷ ଏକାଗ୍ର ପ୍ରେମର ଅଭିଯାନରେ ଜୟ ଲାଭ କରିବା-। ବର୍ତ୍ତମାନ ମୋର ବାସନା ଚରିତାର୍ଥ ହେବାରୁ, ଗଭୀର ଅରଣ୍ୟରେ ସ୍ତବ୍ଧ ଜଳାଭୂମି ପରି ମୋ ହୃଦୟ ମଧ୍ୟ ପ୍ରଶାନ୍ତରେ ପରିପୂର୍ଣ୍ଣ ହୋଇଛି ।

 

ଆଜି ମୋର ଜୟ ହୋଇଛି ।

 

ମେରୀ ଯେଉଁ ସନ୍ତାନ ଜନ୍ମ କରିଥିଲେ, ସେ ତାଙ୍କର ସ୍ୱାମୀର ନ ହେଲେ ସୁଦ୍ଧା ଏକମାତ୍ର ମାତୃ ହୃଦୟର ଗର୍ବରେ ମେରୀ ଓ ତାଙ୍କର ସନ୍ତାନ ଦେବ ମାତା ଓ ଦେବ ଶିଶୁର ଆସନରେ ଅଧିଷ୍ଠିତ ହେଲେ ।

 

ବିବେକର ସମ୍ପୂର୍ଣ୍ଣ ସମର୍ଥନରେ ମୁଁ ସନାତନ ନୀତି ଅଗ୍ରାହ୍ୟ କରିଛି । ଫଳରେ, ମୁଁ ଏକ ସୁସ୍ଥ ସନ୍ତାନର ଜନନୀ ହେବାରେ ପରିତୃପ୍ତି ପାଇବି ।

 

ଆଶାକରେ, ଆମର ଶେଷ ଦେଖା ପରେ ବି ଆପଣ ପୂର୍ବପରି ନର ନାରୀ ପରିବେଷ୍ଟିତ ହୋଇ ସୁରାର ବନ୍ୟାର ଭିତରଦେଇ ଅବକ୍ଷୟର ପଥରେ ଚାଲିଛନ୍ତି ।

 

“ମଦ ଛାଡ଼ିଦିଅନ୍ତୁ, ନିଜ ସ୍ଵାସ୍ଥ୍ୟ ପ୍ରତି ନଜର ଦିଅନ୍ତୁ, ଦୀର୍ଘାୟୁ ହୁଅନ୍ତୁ, ଆପଣଙ୍କର ଅପୂର୍ବ ଶିଳ୍ପସମୃଦ୍ଧ ଜୀବନର ସମ୍ଭାବନା ପୂର୍ଣ୍ଣ କରନ୍ତୁ ।” ଏପରି କିଛି ଭଣ୍ଡ ଅନୁରୋଧ କରିବାକୁ ମୋର ଆଦୌ ଇଚ୍ଛା ନାହିଁ । ଯେତେଦୂର ମନେହୁଏ, ଆଗାମୀ ଦିନର ମଣିଷ ଆପଣଙ୍କୁ ଅପୂର୍ବ ସମୃଦ୍ଧ ଜୀବନ ପାଇଁ ନୁହେଁ, ନିଜର ନିରବଚ୍ଛିନ୍ନ ବ୍ୟଭିଚାରିତା ପାଇଁ ଅଧିକ ମନେରଖିବ ।

 

ତେଣୁ ଆମେ ଦୁହେଁ ଯୁଗସନ୍ଧିର ନୀତିବୋଧର ବଳି ।

 

ପୃଥିବୀରେ କେଉଁଠି ନିଶ୍ଚୟ ବିପ୍ଳବ ଚାଲିଛି । କିନ୍ତୁ ପୁରୁଣାକାଳିଆ ନୀତି ଜ୍ଞାନ ଆଜି ମଧ୍ୟ ଅବ୍ୟାହତ ଅବସ୍ଥାରେ ଆମ ଚତୁର୍ଦ୍ଦିଗରେ ରହିଛି ଏବଂ ଆମ ପଥ ଆଗୁଳାଇ ବସିଛି । ସମୁଦ୍ର ଉପରେ ତରଙ୍ଗ ଯେତେ ଉତ୍ତାଳ ହେଉ ପଛକେ, ତାହାର ଆଘାତ ସମୁଦ୍ରର ତଳଭାଗରେ ପହଞ୍ଚେ ନାହିଁ । ସେଠାରେ ନିଦ୍ରାର ଛଳନା କରି ଜଳଧି ନିଃଶବ୍ଦରେ କାଳର ପଦଧ୍ଵନି ଶୁଣେ ।

 

କିନ୍ତୁ ମୋର ଏହି ପ୍ରଥମ ପ୍ରଣୟଦ୍ଵାରାହିଁ ମୁଁ ବୋଧହୁଏ ପ୍ରାଚୀନ ବିଧି ନିଷେଧର ପ୍ରାଚୀର ଉଲ୍ଲଙ୍ଘନ କରିପାରିଛି । ମୋ ଭାବୀ ସନ୍ତାନର ହାତ ଧରି ଦ୍ୱିତୀୟ ଓ ତୃତୀୟ ଯୁଦ୍ଧରେ ଅଗ୍ରସର ହେବି ।

 

ଯାହାକୁ ଭଲପାଏ, ତାହାର ସନ୍ତାନର ଜନନୀ ହେବା ଏବଂ ତାହାକୁ ମଣିଷ କରିବାହିଁ ହେବ ମୋର ନୈତିକ ଅଭିଯାନର ସାର୍ଥକ ପରିଣତି ।

 

ଯଦି ଆପଣ ମୋତେ ପାଶୋରି ପକାନ୍ତି ଏବଂ ମଦର ପଙ୍କରେ ବୁଡ଼ିଯାଇ ଆପଣଙ୍କର ମୃତ୍ୟୁ ହୁଏ, ତାହାହେଲେ ମୋର ମନେହୁଏ, ମୁଁ ସୁସ୍ଥ ସବଳ ଶରୀରରେ ବଞ୍ଚି ରହି ପାରିବି । କାରଣ ମୋର ବିଦ୍ରୋହ ସାର୍ଥକ ହୋଇଛି ।

 

କିଛି ଦିନ ତଳେ ମୁଁ ଜଣେ ଲୋକଠାରୁ ଆପଣଙ୍କର ଚାରିତ୍ରିକ ଅପଦାର୍ଥତା ସମ୍ବନ୍ଧରେ ଅବିହିତ ହୋଇଛି । ଯାହାହେଉ ଆପଣ ମୋତେ ଯଥେଷ୍ଟ ଶକ୍ତି ଦେଇଛନ୍ତି, ମୋ ଅନ୍ତରରେ ବିଦ୍ରୋହର ଇନ୍ଦ୍ରଧନୁ ଆଙ୍କିଛନ୍ତି ଏବଂ ମୋତେ ବଞ୍ଚିରହିବାର ପ୍ରେରଣା ମଧ୍ୟ ଯୋଗାଇଛନ୍ତି ।

 

ଆପଣଙ୍କ ସମ୍ବନ୍ଧରେ ମୋ ମନରେ ଯେଉଁ ଗର୍ବ ଅଛି, ତାହାର ବୀଜ ମୁଁ ମୋ ସନ୍ତାନ ଭିତରେ ବପନ କରିବି ।

 

ଜାରଜ ସନ୍ତାନ ଓ ତାହାର ମାଆ !

 

ସୂର୍ଯ୍ୟଙ୍କ ପରି ପ୍ରାଚୀନ କୁସଂସ୍କାର ବିରୁଦ୍ଧରେ ଆମର ଲଢ଼େଇ ଚାଲିବ ।

 

ଆପଣ ମଧ୍ୟ ନିଜର ସଂଗ୍ରାମ ଚଳାଇବାର ଚେଷ୍ଟା କରନ୍ତୁ ।

 

ଏହି ବିପ୍ଳବ ଏକ୍ଷଣି ଢେର୍ ଡେରି ଅଛି । ଏଥିପାଇଁ ଆହୁରି ଆନେକ ଅମୂଲ୍ୟ ପ୍ରାଣର ବଳିଦାନ ଲୋଡ଼ା ।

 

ସଂସାରରେ ବଳି ହେବା ଭଳି ସୁନ୍ଦର କଥା କିଛି ନାହିଁ ।

 

ଆଉ ଗୋଟିଏ ତୁଚ୍ଛ ବଳି ହେଲା ।

 

ଉୟେହାରା, ଆପଣଙ୍କ ନିକଟରେ ମୋର ଆଉ କିଛି କାମ୍ୟ ନାହିଁ । କିନ୍ତୁ ଏହି କ୍ଷୁଦ୍ର ପ୍ରାଣଟି ତରଫରୁ ଆପଣଙ୍କ ନିକଟରେ ଏକମାତ୍ର ଅନୁଗ୍ରହ ଭିକ୍ଷା କରୁଛି ।

 

ମୁଁ ଚାହେଁ, ମୋ ସନ୍ତାନକୁ ଆପଣଙ୍କ ସ୍ତ୍ରୀ ଅନ୍ତତଃ ଥରେ କୋଳରେ ଧରିବେ, ଆଉ ମୁଁ ତାହାଙ୍କୁ କହିବି–“ନାଓଜି ଏହି ପିଲାଟିକୁ ପାଇଛି କୌଣସି ଏକ ନାରୀ ସହିତ ଗୋପନ ମିଳନର ଫଳରେ ।”

 

କାହିଁକି ଏମିତି କରିବି ? ଏହାର କାରଣ ମୁଁ କାହାକୁ କହିପାରିବି ନାହିଁ । କିନ୍ତୁ ଦୟାକରି ଏତକ ଆପଣଙ୍କୁ କରିବାକୁ ହେବ ।

 

ଜଣେ ପରିତ୍ୟକ୍ତା ନାରୀ, ଯେ ସ୍ମୃତିରୁ ଦୂରେଇ ଯାଇଛି, ଏହାହିଁ ତାହାର ଏକମାତ୍ର ଅପରାଧ ।

 

ମୋ କଥା ନିଶ୍ଚୟ ରଖିବେ ।

 

Image

 

ସୁନ୍ଦରୀ ଆସମାନ ଦାସ ଉତ୍ତମଚାନ୍ଦାନୀ

Unknown

ରେଖା

 

ଦୀପକର ଶେଷ ଚିଠି–ବାବା, ଦୋକାନର ସବୁ ଜିନିଷପତ୍ର ନିଲାମରେ ଉଠିବାକୁ ବାକି ଅଛି । ବଜାରରେ ସମସ୍ତଙ୍କଠାରୁ ଧାର କରଜ କରି ବସି ରହିଛି । ପାଉଣାଦାରମାନେ ତାଗଦା ଉପରେ ତାଗଦା କରି ମୋତେ ବ୍ୟତିବ୍ୟସ୍ତ କରିପକାଉଛନ୍ତି । ଏହି ପରିସ୍ଥିତିରେ କାରବାର ଗୋଟାଇ ନେଇ ପକାଇବା ଛଡ଼ା ଆଉ କିଛି ବାଟ ଖୋଜି ପାଉ ନାହିଁ ।

 

ଗୋପାଳ ଦାସ ବିଦେଶରେ ଅନେକ ବର୍ଷ ଦୋକାନ ଚଳାଇ ବାକି ଜୀବନଟା ଶାନ୍ତିରେ କଟାଇବା ପାଇଁ ପୁଅର ହାତରେ ଦୋକାନର ଭାରଦେଇ ଗାଁକୁ ଫେରିଆସିଛି । ଦୀପକର ଯୋଗ୍ୟତା ଉପରେ ତାହାର ତିଳେମାତ୍ର ସନ୍ଦେହ ନଥିଲା । କିନ୍ତୁ ଦୀପକର ଦୋକାନରେ ବସିବାର ପାଞ୍ଚ ବର୍ଷ ଭିତରେ ସବୁ ଓଲଟ ପାଲଟ ହୋଇଗଲା ।

 

ବ୍ୟବସାୟ ବନ୍ଦ କରିଦେବାର ଖବର ପାଇଲା ଦିନରୁ ଗୋପାଳ ଦାସର ବୟସ ସତେଯେମିତି ହୁହୁ ବଢ଼ିଗଲା । ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବିକିଦେଇ ପନ୍ଦର କୋଡ଼ିଏ ହଜାର ଟଙ୍କା ଖରଚ କରି ଜାକଜମକରେ ବଡ଼ ଝିଅ ଶୀଳବନ୍ତୀର ବିବାହ କରିଦେଲା । ବର୍ତ୍ତମାନ ଗୋପାଳ ଦାସ ଭଡ଼ା ଘରେ ଅଛି । ତାହା ସାଙ୍ଗରେ ଅଛନ୍ତି ସ୍ତ୍ରୀ ରୁକ୍ମିଣୀ, ଝିଅ ରେଖା ଏବଂ ଗୋଟିଏ ନାତି । ଯେଉଁ ଆତ୍ମୀୟ ସ୍ଵଜନମାନେ ଅତୀତରେ ଦିନ ପରେ ଦିନ ଏମାନଙ୍କ ଘରେ କଟାଇ ଦେଉଥିଲେ, ସେମାନେ ଏକ୍ଷଣି ଆଉ ଚିହ୍ନିପାରନ୍ତି ନାହିଁ ।

 

ରେଖା ବି ବଡ଼ ହୋଇଛି । ଆଜି କି କାଲି ତାହାର ବିଭାଘର କରିବା ଦରକାର । ଦୀପକ ଯେ କୁଆଡ଼େ ପଳାଇଲା, ତାହାର କିଛି ପତ୍ତା ନାହିଁ । ଏହିସବୁ ବିଷୟ ଗଭୀର ଭାବରେ ଚିନ୍ତା କରି ରେଖାର ମାଆ ଉଦ୍‍ବିଗ୍ନ ହୋଇପଡ଼ୁଥିଲା ।

 

ରେଖା ଚମତ୍କାର ବୀଣା ବଜାଏ । ତାହାର ବାପ ମାଆ ଅନେକ ସମୟ ଯାଏ ତାହା ପାଖରେ ବସି ସେହି ମଧୁର ବାଜଣା ଶୁଣନ୍ତି । ସେମାନେ ନିଜ ମନର କରୁଣ ସ୍ଵର ସହିତ ବୀଣାର ସ୍ଵରର ମେଳ ଖୋଜି ପାଆନ୍ତି ।

 

ଗୋପାଳ ଦାସର ପାରିବାରିକ ଅବସ୍ଥା ଏପରି ଥିଲାବେଳେ ଦେଶ-ବିଭାନର ପର୍ବ ଆରମ୍ଭ ହେଲା । ନାନା ରକମ ଖବର ଶୁଣି ବାପ-ମାଆ ରେଖାର କୋମଳ ସୁନ୍ଦର ଚେହେରା ପ୍ରତି ଦୃଷ୍ଟିଦେଇ ଅଜଣା ଆଶଙ୍କାରେ ଉଦ୍‍ବିଗ୍ନ ହୋଇପଡ଼ିଲେ । ପ୍ରତିବେଶୀ ଓ ଆତ୍ମୀୟସ୍ଵଜନମାନଙ୍କଠାରୁ ରୁକ୍ମିଣୀ ଝିଅ ରେଖାର ସୌନ୍ଦର୍ଯ୍ୟ ସମ୍ବନ୍ଧରେ ପ୍ରଶଂସା ଶୁଣିଛି । ତାହାର ନାକ, ମୁଖ, ଆଖି ଏକାବେଳେ ନିଖୁଣ । ବର୍ତ୍ତମାନ ରେଖା ତ ପରିପୂର୍ଣ୍ଣ ଯୌବନର ଆଧାର । ତାହାର ରୂପଲାବଣ୍ୟ ଆହୁରି ଝଟକୁଛି । ସ୍ଵାଭାବିକ ଅବସ୍ଥାରେ ଝିଅ ବଡ଼ ହେଲେ ବାପ-ମାଆଙ୍କର ଦୁଶ୍ଚିନ୍ତାର ସୀମା ନ ଥାଏ । ତାହା ଉପରେ ଦେଶର ଏହି ଚରମ ଆଶଙ୍କାଜନକ ପରିସ୍ଥିତିର ମୁହୂର୍ତ୍ତରେ ଦୁର୍ଭାବନା ଆହୁରି ବଢ଼ିଯିବା ସ୍ଵାଭାବିକ ।

 

ଦିନେ ଗୋପାଳ ଦାସର ବଡ଼ ଭଉଣୀ ଆସି କହିଲା–ଗୋପାଳ, ଦୀପକ ଲାଗି ତୋହର ବ୍ୟବସାୟ ନଷ୍ଟ ହୋଇଯାଇଥିଲେ ସୁଦ୍ଧା ଏବେ ବି ତୋ ହାତରେ ଯେତିକି ଟଙ୍କା ଅଛି ସେଥିରେ ଯେକୌଣସି ସମୟରେ ତୁ ଅନ୍ୟ କେଉଁଠାକୁ ଯାଇ କିଛି ଉପାୟ କରି ଖାଇପାରିବୁ । ମାତ୍ର ମୋ ଅବସ୍ଥା ତ ଆଉ କହିବାର କଥା ନୁହେଁ–ଗୋଠେ ଛୁଆପିଲା ଧରି ଅନ୍ୟ କେଉଁଠାକୁ ଯିବାକୁ ଚାହିଁଲେ ବି ଖାଲି ଗାଡ଼ି ଭଡ଼ା ପ୍ରାୟ ଦୁଇଶହ ଟଙ୍କା ଲାଗିବ ।

 

ଗୋପାଳ ଦାସ କହିଲା–ଅପା, ତୁ ତ ଅନ୍ତତଃ ଗୋଟାଏ ବ୍ୟାପାରରେ ନିଶ୍ଚିନ୍ତ, ତୋ ଝିଅମାନେ ସମସ୍ତେ ସାନ ସାନ । ଏଣେ ମୋ ରେଖା ପାଇଁ ତାହାର ମାଆର ଆଖିକୁ କେବେ ନିଦ ଆସୁନାହିଁ । ତୁ ଯାହା ଭାବୁଛୁ, ମୋ ପାଖରେ ଏତେ ଟଙ୍କା ନାହିଁ । ତେବେ ହଁ, ରେଖାର ବିବାହ ପାଇଁ କେତେ ହଜାର ଟଙ୍କା ଉଠାଇ ରଖିଛି । ଯାହାହେଉ, ଦରକାର ହେଲେ ତୋତେ ଦୁଇଶହ ଖଣ୍ଡେ ଟଙ୍କା ଦେଇପାରେ ।

 

ସତରେ ବଞ୍ଚିଗଲି । କି ଦୁଶ୍ଚିନ୍ତାରେ ଯେ ପଡ଼ିଥିଲି । ଭଲ କଥା, ଯଦି କିଛି ମନେ ନ କରୁ ତୋତେ ଗୋଟାଏ କଥା କହିବି ।

 

ଏତେ ସଙ୍କୋଚ କରିବାର କଅଣ ଅଛି, ଅପା ! ମୋ ଝିଅଠାରୁ ବି ତୋତେ ଅଧିକ ନିଜର ମନେକରେ । ନିଃସଙ୍କୋଚରେ ତୋ କଥା କହିପାରୁ ।

 

ଗୋଟାଏ କାମ କର । ମୋ ଦେବରାଣୀର ଦିଅରର ପୁଅ ସାଙ୍ଗରେ ରେଖାର ବିବାହ ଦେ । ପିଲାଟି ଦେଖିବାକୁ ଭାରି ଭଲ, ନମ୍ର ବ୍ୟବହାର, କଲେଜରେ ତିନି ତିନିଟା ପାସ୍‍ କରିଛି, ରୋଜଗାର ବି ମନ୍ଦ ନୁହେଁ । ଯୌତୁକର କିଛି ଝମେଲା ନାହିଁ । ସେମାନଙ୍କ ଘରର ଲୋକେ ଏକ୍ଷଣି ଲୁଣପାଣି ପିଇ ଭଲ ପାତ୍ରୀର ସନ୍ଧାନରେ ଲାଗି ପଡ଼ିଛନ୍ତି । ତାହାଙ୍କ ଘରର ବଡ଼ବୋହୂ କୁଆଡ଼େ ଅନେକ ଦିନ ହେଲା ବାପଘରେ ଯାଇ ରହିଛି । ତେଣୁ ଘରସଂସାରର କାମ ଦାମରେ ଭୀଷଣ ଅସୁବିଧା ହେଉଛି ।

 

ଏତେ ବେଳଯାଏ ରୁକ୍ମିଣୀ ଦରଜାର ଆଢ଼ୁଆଳରେ ଛିଡ଼ା ହୋଇଥିଲା । ନଣନ୍ଦ ଚାଲିଯିବା ସଙ୍ଗେ ସଙ୍ଗେ ରୁକ୍ମିଣୀ ବଡ଼ପାଟିରେ ନିଜର ସିଦ୍ଧାନ୍ତ ଘୋଷଣା କଲା–ଏମିତି କାଙ୍ଗାଳ ଘରେ ମୁଁ ତ ରେଖାକୁ କେବେହେଲେ ଦେବି ନାହିଁ ।

 

ଦିନେ ଜଣେ ପଡ଼ିଶାର ଘରେ ଢେର୍ ବେଳଯାଏ କଥାବାର୍ତ୍ତା କରି ଫେରିଆସି ରୁକ୍ମିଣୀ ସ୍ୱାମୀକୁ ଜଣାଇଲା–ଯାହା କୁହ ପଛକେ, ଏଠାରେ ଆଉ ଦଣ୍ଡେ ରହିବାକୁ ମୋ ମନ ଟେକୁ ନାହିଁ । ସମସ୍ତେ ଜମିବାଡ଼ି ଘରଦ୍ୱାର ଛାଡ଼ି ଚାଲିଯାଉଛନ୍ତି । ଏହି ଦରବୁଢ଼ୀ ଝିଅଟାକୁ ନେଇ କଅଣ କରିବି କିଛି ଭାବିପାରୁ ନାହିଁ । ଅଥଚ ଏକ୍ଷଣି ଏଠାରେ ରହିବା ମଧ୍ୟ ନିରାପଦ ନୁହେଁ । ପାତ୍ରର ସନ୍ଧାନ ନେଲ ? ଶୁଣିଲି, ଶୀତଳ ଦାସର ଘରେ ଗୋଟିଏ ଉତ୍ତମ ପାତ୍ର ଅଛି ।

 

ଗୋପାଳ ଦାସ କହିଲା–ସେ ତ ଅଛି ସତ । ମାତ୍ର ସେ ଯେ କୋଡ଼ିଏ ହଜାର ଟଙ୍କା ଦାବି କରିବ । ମୋ ପାଖରେ ଏକ୍ଷଣି କୋଡ଼ିଏ ଶହ ଟଙ୍କା ବି ନାହିଁ ।

 

ଯେତେବେଳେ ଟଙ୍କା ଥିଲା ସେତେବେଳେ ତ ପରବାଏ କଲ ନାହିଁ । ଏକ୍ଷଣି ମରମେ ମରମେ ବୁଝ ।

 

ରୁକ୍ମିଣୀ ଅହରହ ଝିଅର ବିବାହର ଚିନ୍ତା କରିବାକୁ ଲାଗିଲା । ଘରେ ଗୋଟାଏ କୋଣରେ ବସି ସେ ପ୍ରାୟ ଆଖିରୁ ଲୁହ ଢାଳେ । ଦିନେ ରାତିରେ ସେ ସ୍ୱାମୀକୁ ପଚାରିଲା–ଆଚ୍ଛା, ତୁମ ଅପା ଯେଉଁ ପାତ୍ରଟିର କଥା କହୁଥିଲା ଯଦି ତାହା ସହିତ ବିବାହ ଠିକ୍ ହୁଏ, ରେଖା ଅରାଜି ହେବ ନାହିଁ ତ ?

 

ସେ କଥା ନିଜେ ରେଖାକୁ ପଚାରିଲେ ଭଲ ହୁଅନ୍ତା–ଗୋପାଳ ଦାସର ହାତରେ ରୁକ୍ମିଣୀର ଆଖିର ଲୁହ ପଡ଼ିଲା । ସେ ଚମକି ପଡ଼ି କହିଲା–ଆରେ, ଏ କଅଣ ? ତୁମର ମଥା ଖରାପ ହେଲା ନା କଅଣ ! କାନ୍ଦୁଛ କାହିଁକି ! ଦେଖ, ଏସବୁ କଥାରେ ଯାହାର କପାଳରେ ଯାହା ଅଛି, ନିଶ୍ଚୟ ତାହା ହେବ । ଯଦି ରେଖାର କପାଳରେ ସେୟା ଥାଏ– ।

 

ତାହାକୁ ଆଉ କଅଣ ପଚାରିବି ? ଏତେ ଯତ୍ନରେ ତାହାକୁ ଏଯାଏ ଫୁଲପରି ବଢ଼ାଇ ଶେଷରେ ଆଜି ତାହାକୁ କଣ୍ଟାବଣକୁ ଠେଲି ଦେବି !

 

ମାଆ, ମୁଁ ଅରାଜି ହେବି ନାହିଁ ।

 

ବାପ-ମାଆ ବିସ୍ମିତ ହେଲେ । ଏ ଯେ ରେଖାର କଣ୍ଠ ସ୍ୱର ।

 

ଗୋପାଳ ଦାସ କହିଲା–କିଏ, ମା’ ରେଖା ? ଆ, ମା’, ଭିତରକୁ ଆ ।

 

ବର୍ତ୍ତମାନ ରେଖା ମୁହଁରେ ପଦେ କଥା କହିଦେଲା ସିନା, ମାତ୍ର ଦରଜାକୁ ଆଉଜି କଇଁ କଇଁ କାନ୍ଦିଲା ।

 

ଏକ ସପ୍ତାହ କଟିଗଲା । ବିବାହର ସବୁ ଆୟୋଜନ ପ୍ରାୟ ସରିଲାଣି । ବିବାହ ଦିନ ସକାଳେ ନିଦ ଭାଙ୍ଗିଲାରୁ ରେଖାର ମନେହେଲା, ସତେଯେମିତି ସମୁଦାୟ ପୂର୍ବାକାଶ ନିଆଁପରି ଜଳୁଛି । ରାତିରେ ବହୁତ କଥା ଭାବି ଭାବି କେତେବେଳେ ଯେ ସେ ଶୋଇପଡ଼ିଥିଲା ତାହାର ଖିଆଲ ନଥିଲା । କଅଣ ସବୁ ଯେ ସେ ଭାବିଛି, ତାହା ବି ତାହାର ମନେପଡ଼ିଲା ନାହିଁ ।

 

ସକାଳ ହେଉ ନ ହେଉଣୁ ଇନ୍ଦିରା, ଶୀଳା ଓ ଗୋପୀ ପହଞ୍ଚିଗଲେ । ସେମାନେ ସମସ୍ତେ ରେଖାର ମାଉସୀ ଝିଅ ଭଉଣୀ । ବିବାହ ଦିନ ରେଖା ସହିତ ଥଟା ତାମସା କରିବା ପାଇଁ ସେମାନେ ଆସିଛନ୍ତି । କେତେ ଘଣ୍ଟା ପରେ ରେଖା ଲକ୍ଷ୍ୟକଲା ଯେ ଘରର ସମସ୍ତଙ୍କ ମୁଖରେ ଗୋଟାଏ କେମିତିକା ଦୁଶ୍ଚିନ୍ତାର ଛାଇ ପଡ଼ିଛି ।

 

ରେଖା ଉଠିଯାଇ ମାଆକୁ ପଚାରିଲା–ମାଆ, ତୁମେ ସବୁ ଏମିତି ଚୁପ୍‍ଚାପ୍‍ ବସିଛ କାହିଁକି ? କଅଣ ହୋଇଛି ?

 

ରୁକ୍ମିଣୀ ଝିଅର ମୁଣ୍ଡରେ ହାତ ବୁଲାଉଁ ବୁଲାଉଁ କହିଲା–ସେମିତି କିଛି ହୋଇ ନାହିଁ, ମାଆ । ଖାଲି ଏମିତି ।

 

ମୋ ମୁଣ୍ଡ ଖାଇବୁ, କହ, କିଛି ଗୋଟାଏ ହୋଇଛି ନିଶ୍ଚୟ ।

 

କାଲି ରାତିରେ ଗୋଟାଏ ଖରାପ ଖବର ମିଳିଲା । ସେଥିପାଇଁ ଆମର ବଡ଼ ଚିନ୍ତା ।

 

ମାଆର ବେକ ଜାବୁଡ଼ି ଧରି ରେଖା ପଚାରିଲା–କି ଖରାପ ଖବର, ମାଆ, କୁହନା ।

 

ପଣତ କାନିରେ ଆଖି ପୋଛୁ ପୋଛୁ ରୁକ୍ମିଣୀ କହିଲା–ରାତିରେ ହରିରାମ ତୋ ବାପା ପାଖକୁ ଆସିଥିଲା । ଦେଖିଛୁ ତ ? ଭଦ୍ରଲୋକ ତୋ ବଡ଼ ମାଆର ଆତ୍ମୀୟ । ସେ କହିଲା, ଚନ୍ଦନ କୁଆଡ଼େ ମାସରେ ଖୁବ୍ ବେଶୀ ହେଲେ ଅଶୀ ଟଙ୍କା ମାତ୍ର ରୋଜଗାର କରେ । ଘରର ଅବସ୍ଥା ଏତେ ଖରାପ ଯେ ମଝିରେ ମଝିରେ ବଡ଼ବୋହୂ ଦୁଇ ଓଳି ଠିକ୍‍ଭାବରେ ଖାଇବାକୁ ପାଇଲା ନାହିଁ ବୋଲି ବାପଘରକୁ ଚାଲିଗଲା ।

 

ରେଖା କିଛି କ୍ଷଣ ନୀରବ ରହି ହଠାତ୍ ଏକ ଚଞ୍ଚଳା ବାଳିକା ପରି କହିପକାଇଲା–ଏଟା ଏମିତି କି ମାରହାଣ ଖବର ଯେ ଘରର ସମସ୍ତେ ମୁହଁ ଓଳାଇ ବସିରହିଛ !

 

ଝିଅର ସହଜ ସରଳ କଥା ଶୁଣି ରୁକ୍ମିଣୀ କହିଲା–ମୁଁ ଯେ ତୋତେ ଫୁଲପରି ଯତ୍ନ କରି ଏତେ ବଡ଼ କରିଛି । ଏସବୁ ଜାଣିଶୁଣି କିପରି ମୁଁ ତୋତେ ସେମାନଙ୍କ ହାତରେ ସମର୍ପି ଦେବି କହିଲୁ ? ଏ ବିବାହରେ ଯେ ମୁଁ ମୂଳରୁ ଅରାଜି ଥିଲି ।

 

ରେଖା ଚମକି ପଡ଼ିଲା । ତାହାର ବାପ ତାହା ପାଖରେ ଛିଡ଼ା ହୋଇଥିଲା । ଗୋପାଳ ଦାସ ଘରେ ଗୋଡ଼ ଦେଲା ବେଳେ ନିଜ ସ୍ତ୍ରୀର ଶେଷକଥା ପଦକ ତାହାର କାନରେ ବାଜିଲା । ସେ ସ୍ତ୍ରୀକୁ କହିଲା–ଆରେ ପାଗଳ ହେଲ ନା କଅଣ ? ସେହି ଖବରଟା ପାଇଛି ବୋଲି କଅଣ ଆଜି ବିବାହ ଦିନରେ ସବୁ ଭାଙ୍ଗି ଭୁଙ୍ଗି ଦେବି ? ଯେଉଁ ଦିନ ପକ୍କା ଜବାବ ଦେଲି, ଧରିନେବାକୁ ହେବ ଯେ ସେହି ଦିନହିଁ ଝିଅର ବିବାହ ହୋଇଯାଇଛି । କପାଳରେ ଯାହା ଅଛି ନିଶ୍ଚୟ ତାହା ହେବ । ତୁମର ବୁଝିବା ଉଚିତ ଯେ ବର୍ତ୍ତମାନ ଆମର ଆର୍ଥିକ ଅବସ୍ଥା ଖୁବ୍ ଭଲ ନୁହେଁ । ତାହା ଛଡ଼ା ବିନା ପଣରେ ତାହାଠାରୁ ଭଲ ପରିବାରର ପାତ୍ର ବା କେଉଁଠି ମିଳିବ ?

 

ରୁକ୍ମିଣୀ କିଛି କହିଲା ନାହିଁ । ଖାଲି ମୁଣ୍ଡ ତଳକୁ ପୋତି ବସିରହି ସେ ଭୂଇଁରେ ନଖର ଗାର କାଟିବାକୁ ଲାଗିଲା ।

 

 

ମଧୁଶଯ୍ୟା ରାତି । ଦୁଇ ଚାରି ପଦ କଥା ପରେ ଚନ୍ଦନ କହିଲା–ଚାଲ ।

 

ନା, ମୁଁ ଅନ୍ୟ ବିଛଣାରେ ଶୋଇବି–ରେଖା ହାତ ଛଡ଼ାଇ ନେଲା ।

 

ଚନ୍ଦନ ହସି ହସି କହିଲା–ତୁମେ ଯେ କେଡ଼େ ଅଭାଗିନୀ, ତାହା ତ ତୁମେ ନିଜେ ଜାଣ ନାହିଁ । ଏ ଘରେ ଆଉ ଗୋଟିଏ ବିଛଣା କରିବାକୁ ଯେ ମୋଟେ ଜାଗା ନାହିଁ !

 

ରେଖା ସ୍ୱାମୀର ଏହି ସହଜ ସରଳ ଅଥଚ ବାସ୍ତବ କଥା ଶୁଣି ଆଶ୍ଚର୍ଯ୍ୟାନ୍ଵିତ ହେଲା । ସେ ନିଜର ବାନ୍ଧବୀମାନଙ୍କଠାରୁ ମଧୁଶଯ୍ୟା ରାତି ସମ୍ବନ୍ଧରେ ଅନେକ ଗପ ଶୁଣିଥିଲା । ତେଣୁ ସେ ଭାବିଥିଲା, ସ୍ଵାମୀ ନିଜେ ତାହାର ହାତ ଧରି ବିଛଣାରେ ଶୁଆଇବେ ଏବଂ ଚୁମ୍ବନରେ ତାହାର ସର୍ବାଙ୍ଗ ଭରିଦେବେ ।

 

କିନ୍ତୁ ରେଖାର ସେହି ଅନୁମାନ ଖାଲି କଳ୍ପନାରେ ରହିଗଲା । ସେହି ରାତିରେ ସେମାନଙ୍କ ଭିତରେ କେତେ ରକମ କଥାବାର୍ତ୍ତା ହେଲା । କଥା ପ୍ରସଙ୍ଗରେ ରେଖା କହିଲା–ମୋ ମତରେ, ଦାମ୍ପତ୍ୟ ଜୀବନରେ ଗଭୀର ପ୍ରେମ ସଞ୍ଚାର କରିବା ସଭିଙ୍କ ଜୀବନର ଲକ୍ଷ୍ୟ ହେବା ଉଚିତ ।

 

ଚନ୍ଦନ କହିଲା–କିନ୍ତୁ ମୋ ମତରେ, ଦେଶବାସୀଙ୍କର ସେବାହିଁ ଜୀବନର ଏକମାତ୍ର ଲକ୍ଷ୍ୟ ହେବା ଉଚିତ ।

 

ଢେର୍ ରାତିଯାଏ କଥାବାର୍ତ୍ତା, ଆଲିଙ୍ଗନ, ଇତ୍ୟାଦି ପରେ ଦୁହିଁଙ୍କୁ କେତେବେଳେ ଯେ ନିଦ ଲାଗିଲା ସେମାନଙ୍କୁ ମାଲୁମ ହେଲା ନାହିଁ ।

 

ସକାଳେ ନିଦ ଭାଙ୍ଗିଲାରୁ ରେଖାର ମନେହେଲା, ଯେମିତି ରାତିସାରା ସେ ଦୁଃସ୍ଵପ୍ନ ଦେଖୁଥିଲା । ଯେମିତି ତାହାର ସର୍ବାଙ୍ଗରେ ଗୋଟାଏ ବ୍ୟଥା ମାଲୁମ ହେଲା । ଝରକା ଖୋଲି ଦେବାରୁ ସୂର୍ଯ୍ୟ କିରଣ ଆସି ସେମାନଙ୍କ ବିଛଣାରେ ପଡ଼ିଲା । ମଧୁଶଯ୍ୟାରେ ସେତେ ଫୁଲ ନଥିଲା । ରେଖାର ନଜର ଯାଇ ପଡ଼ିଲା ଲୁଣି ଧରା କାନ୍ଥ ଉପରେ । କବାଟ ଖୋଲିଦେଲା ମାତ୍ରେ ସେ ଦେଖିଲା, କୋଡ଼ିଏ ବର୍ଷର ଜଣେ ଯୁବତୀ ଦାନ୍ତ ଘଷୁଛି । ରେଖାକୁ ଘରୁ ବାହାରିବାର ଦେଖି ସେ ତାହାକୁ ଟାଣିନେଇ ଦୋତାଲାରେ ଯାଇ ବସିଲା । ଦୁହିଁଙ୍କର ହସରେ ଦୁଷ୍ଟାମି ପରିଷ୍କାର ଇଙ୍ଗିତ ଫୁଟିଲା । କମଳା ଭାବୁଥିଲା, ମୋ ଜୀବନରେ କଅଣ ଏମିତିକା ଦିନ ଆସିବ ନାହିଁ ? ଅନ୍ୟ ପକ୍ଷରେ ରେଖା ଭାବୁଥିଲା, ସଂସାରର ସବୁ ଲୋକେ ଗଲା ରାତିକୁ ଏକାବେଳେ ଭୁଲି ଯାଆନ୍ତୁ । ମୁଁ ଯେ ବିବାହିତା, ସେହି ସ୍ମୃତି ସମସ୍ତଙ୍କ ମନରୁ ଲିଭି ଯାଉ । ମୁଁ ଫେରିଯାଏ ମୋ ବାପଘରକୁ । କିନ୍ତୁ ଦୁହେଁ ଅସମର୍ଥ । କମଳାର ବାବା ଗରିବ, ଆଉ ରେଖାର ତ ବିବାହ ହୋଇଯାଇଛି ।

 

ତିନି ଦିନ ଭିତରେ ରେଖା ଓ କମଳା ମଧ୍ୟରେ ଶ୍ରଦ୍ଧା ଗଭୀରତର ହେଲା । ସତେଯେମିତି ଉଭୟଙ୍କର ଅସହାୟ ଭାବକୁ ଭୁଲିଯିବାର ଏହା ଏକ ଉତ୍ତମ ମାଧ୍ୟମ ।

 

ଚତୁର୍ଥ ଦିନ କମଳା ରେଖା ପାଖକୁ ଆସି କହିଲା–ପିଇସୀ, ହୁଏତ ଆଜି ଭାଇ ମୋତେ ନେଇଯିବାକୁ ଆସିବେ । ସତକୁ ସତ ସେହି ଦିନ କମଳା ଚାଲିଗଲା । ଘରର ବଡ଼ବୋହୂ ମଧ୍ୟ ସେହି ଦିନ ଦିପହରେ କଜିଆ କରି ତାହାର ବାପଘରକୁ ଚାଲିଗଲା । ଘଟଣା ସେମିତି କିଛି ଗୁରୁତର ନୁହେଁ । ତେବେ ଗୋଟାଏ ଛଳନାରେ ଝଗଡ଼ାର ସୂତ୍ରପାତ ହେଲା । ରେଖାର ଶାଶୁ ଖରାରେ ଗହମ ଦେଇ ନିଜେ ଜଗି ବସିଥିଲା । ବୁଢ଼ୀ ଖରା ପୋହୁଁ ଥିଲା ।

 

ସର୍ଦ୍ଦି ହୋଇ ନଥିଲା, ଅଥଚ ଗୋଲାପର ସ୍ତ୍ରୀ ପିଲାଟିକୁ ଗରମ ପାଣିରେ ଗାଧୋଇ ଦେଉଥିଲା । ହଠାତ୍ କିଛି ପାଣି ସେହି ଗହମ ଉପରେ ଛିଟିକି ପଡ଼ିଲା । ଗୋଲାପର ମାଆ କହିଲା–ଦେବୀ, ଟିକିଏ ଘୁଞ୍ଚିଯାଇ ପିଲାକୁ ଗାଧେଇ ଦେ । ପିଲାକୁ ତ ସର୍ଦ୍ଦି କାଶ ହୋଇ ନାହିଁ ଯେ ଗରମ ପାଣିରେ ଗାଧୋଇ ଦେବାକୁ ହେବ !

 

ସେ କଥା ତ ବୁଝିଲି, ମାଆ । କିନ୍ତୁ ଆପଣଙ୍କୁ ତ ସର୍ଦ୍ଦି ହୋଇ ନାହିଁ, ତଥାପି ଖରାରେ ବସିଛନ୍ତି କାହିଁକି । ପିଲାମାନଙ୍କର ତ ବରାବର ଟିକିଏ ସର୍ଦ୍ଦି ଭାବ ଥାଏ ।

 

ଠିକ୍ ସେତିକିବେଳେ ରେଖା ଖଣ୍ଡିଏ ଝକଝକିଆ ନୂଆ ଶାଢ଼ି ପିନ୍ଧି ସଜବାଜ ହୋଇ ଅଗଣାରେ ଶାଶୁ ପାଖକୁ ଆସି ଠିଆହେଲା । ଦେବୀ ତ ତୁଚ୍ଛାକୁ ରାଗରେ ପାଚି ଯାଇଥିଲା । ରେଖା ଯେ ପଛରେ ଆସି ଠିଆହୋଇଛି, ତାହା ସେ ଲକ୍ଷ୍ୟ କରିନଥିଲା । ହଠାତ୍ ସବୁ ପାଣି ଏକାଥରେ ସେ ପିଲାଟିର ଉପରେ ଢାଳିଦେଲା । ପାଣିର କେତୁଟା ଛିଟା ଯାଇ ରେଖାର ଶାଢ଼ି ଉପରେ ପଡ଼ିଲା । ଯେଉଁ ଘରକୁ ସେ ମାତ୍ର ତିନି ଦିନ ହେଲା ଆସିଛି, ସେଠାରେ ସେ ବା ଆଉ କଅଣ କହିବ ! ତେବେ ତତ୍‍କ୍ଷଣାତ୍ ତାହାର ମୁଖ ଶୁଖିଗଲା । ବଡ଼ବୋହୂର କାଣ୍ଡ ଦେଖି ଶାଶୁ ଚଟି ଗଲେ ସୁଦ୍ଧା ଉପରେ ରାଗ ପ୍ରକାଶ କଲେ ନାହିଁ । ରେଖା ତାହାଙ୍କୁ ପ୍ରଣାମ କଲାରୁ ସେ କହିଲେ–ହେଉ ମାଆ, ଭଗବାନ ତୋର ମଙ୍ଗଳ କରନ୍ତୁ । ହଁ, ସେଠାରେ ବେଶୀ ବେଳ ଯାଏ ରହିବୁ ନାହିଁ, ଖାଲି ଯିବୁ ଆସିବୁ ।

 

ରେଖା ମୁଣ୍ଡ ହଲାଇ ଚାଲିଗଲା । ଶାଶୁବୁଢ଼ୀ ତାହାର ଯିବା ବାଟ ଆଡ଼କୁ ଅନାଇ କହିଲା–ବିଚାରୀ କେତେ ବିନୟୀ । ଏମିତି ଝକଝକିଆ ନୂଆ ଶାଢ଼ିରେ ପାଣି ପଡ଼ି ଏକାବେଳେ ଖରାପ ହୋଇଗଲା । ତଥାପି ସେ ତୁଣ୍ଡ ଫିଟାଇ ପଦିଏ ହେଲେ କଥା କହିଲା ନାହିଁ ।

 

ବଡ଼ବୋହୂର ରାଗର ନିଆଁରେ ଯେମିତି ଘିଅ ପଡ଼ିଲା । ଗଲା ତିନି ଚାରି ଦିନ ହେଲା ସେ ଶାଶୁର ମୁଖରେ ଅହରହ ସାନବୋହୂର ରୂପରେ ପ୍ରଶଂସା ଶୁଣି ଆସୁଥିଲା । କଥା କଥାକେ ସେ ତାହାର ସୌନ୍ଦର୍ଯ୍ୟ ସହିତ ଅନ୍ୟର ତୁଳନା କରୁଥିଲା । ଆଉ ସମ୍ଭାଳି ନ ପାରି ସେ କହିଲା–ଏତେ ଯେ କହୁଛ ମାଆ, ସେହିସବୁ ଛୋଟ ଛୋଟ କଥାରେ କଅଣ କେହି କେବେ ଝଗଡ଼ା କରେ-

 

ବୁଢ଼ୀ ତାହାର ମନୋଭାବ ବୁଝିପାରି କହିଲା–ମୁଁ ତ ତୋତେ କହୁ ନାହିଁ, ବୋହୂ । ଆଉ ଯଦି ବା କହିଥାଏଁ, ତାହାହେଲେ ସେଥିରେ କି ଦୋଷ ହେଲା ? ବିଚାରୀ ବାହାରିଲାବେଳେ ତାହାର ନୂଆ ଶାଢ଼ିଟା ଖରାପ ହୋଇଗଲା, ସେ ମନରେ କିଛି ଭାବିବ ନାହିଁ ! ତାହାର ମନ ତ ନିଶ୍ଚୟ କଷ୍ଟ ହେବ ।

 

ଦେବୀ ଶାଶୁର ପ୍ରତ୍ୟେକ ଶବ୍ଦ ଉପରେ ଜୋର୍‍ ଦେଇ କହିଲା–ତାହା ତ ସତ, ମାଆ । ତେବେ ମୋର କହିବାର କଥା, ଯେଉଁ ବୋହୂ ବାପଘରୁ କିଛି ନେଇ ଆସିଥାଏ ତାହାର ମନଦୁଃଖ କରିବା ସାଜେ । ଯେ କିଛିହେଲେ ଆଣି ନାହିଁ, ସେ ଫେର୍ କେଉଁଥିପାଇଁ ଦୁଃଖ କରିବ !

 

ଦିଆ ନିଆ କଥାରେ ତୋର ଏତେ ମଥା ଖେଳାଇବା କି ଦରକାର ! ଭଗବାନ ମୋ ଚନ୍ଦନର କପାଳରେ ଯାହା ଲିହିଛନ୍ତି ତାହା ହେବ ।

 

ଦେବୀ ଈର୍ଷାରେ ଜଳିଜାଇ କହିପକାଇଲା–ତାହା ଅବଶ୍ୟ ସତ । ମାତ୍ର ମୋ ମୁହଁ ଦେଖିବା ସଙ୍ଗେ ସଙ୍ଗେ ଏକା ଅନେକଙ୍କର କପାଳ ଫାଟିଯାଏ । ମୁଁ ତ ଖାଲି ବାପଘରୁ ଆସିବାକୁ ଚାହୁଁ ନଥିଲି । ମୁଁ ଆପଣଙ୍କୁ ହାଡ଼େ ହାଡ଼େ ଚିହ୍ନିଛି । ତଥାପି ମୋ ବାପଘରକୁ ଯାଇ ଆପଣ ଖୋସାମତ କଲେ, ଅନ୍ତତଃ ଏହି ବିଭାଘରରେ ଟିକିଏ ଦେଖାଶୁଣା କରିବା ପାଇଁ ଯେକୌଣସି ମତେ ଆସିବି । ଏକ୍ଷଣି ବିଭାଘର ସରିଗଲା, ମୋତେ କଅଣ ଏଣିକି ଘରେ ଆଉ ରହିବାକୁ ଦେବେ ! ମାଆ ପରା ମୋତେ ଠିକ୍ କଥା କହିଥିଲା । ହେଉ, ଚାଲ ସୁନ୍ଦର, ଜାମାପଟା ପିନ୍ଧିପକା, ତୋ ମାମୁଁଘରକୁ ଯିବା ।

 

ସନ୍ଧ୍ୟାବେଳେ ରେଖା ବାପଘରୁ ଫେରିଆସି ଦେଖିଲା, ଦେବୀ ନାହିଁ, ବାପଘରକୁ ଚାଲିଯାଇଛି ।

 

ଚନ୍ଦନ ନିଆଁରେ ହାତ ଗରମ କରୁଁ କରୁଁ ପଚାରିଲା–ମାଆ, ଭାଉଜ ଏମିତି ତରବରରେ ଚାଲିଗଲେ କାହିଁକି ?

 

ମାଆ ସବୁ ଘଟଣା ଜଣାଇଲା । ଶେଷରେ ସେ କ୍ଷୋଭ ସହକାରେ କହିଲା–ଜାଣେନା, ଏହି ରାକ୍ଷସୀଟା କୁଆଡ଼ୁ ଆସି ଗୋଲାପର କାନ୍ଧରେ ସବାର ହୋଇଛି ।

 

ଭାଇଙ୍କର ତ ଏହି ଭାଉଜ ଦରକାର ନଥିଲା । ଦରକାର ଥିଲା ପାଞ୍ଚହଜାର ଟଙ୍କା ।

 

ଦେଖ ଚନ୍ଦନ, ସେମିତି ଭାବରେ ଟଙ୍କା ଯୋଗାଡ଼ ନ କରିଥିଲେ ସେ ସାତ ସମୁଦ୍ର ତେର ନଦୀ ପାର ହୋଇପାରିନଥାଆନ୍ତା । ସେୟା ନ କରିଥିଲେ ଆଜି ସେ ଯେତେ ଟଙ୍କା ରୋଜଗାର କରୁଛି ତାହା ଆଉ ହୋଇନଥାନ୍ତା । ଢେର୍ ଭାବି ଚିନ୍ତି ସେ ଏହି ଦରପୋଡ଼ା କାଠକୁ ବିଭା ହୋଇଛି । ଯାହାହେଉ ପଛେ ଆଜିଯାଏ ତୋ ଭାଉଜର ବାପାଘରୁ କିଛି ନା କିଛି ଜିନିଷ ଆସୁଛି ।

 

ରେଖା ସେମାନଙ୍କୁ ପରିବେଷଣ କରୁ କରୁ ଏହିସବୁ କଥା ଶୁଣି ମନେମନେ ଭାବିଲା ଯେ ଗୋଲାପ ଅର୍ଥାତ୍ ତାହାର ଦେଢ଼ସୁର ନିଶ୍ଚୟ ଖୁବ୍‍ ଭଲ ମଣିଷ ନୁହେଁ । ଯେ ଖାଲି ଟଙ୍କା ଲାଗି ବିଭା ହୁଏ, ସେ ଆଉ ଯାହାହେଉ ନା କାହିଁକି ଆଦୌ ଭଲ ଲୋକ ନୁହେଁ । କିନ୍ତୁ ତାହାର ଫଟ ଆଡ଼କୁ ଅନାଇଲେ ତ ମାଲୁମ ହୁଏ ନାହିଁ ଯେ ସତରେ ଲୋକଟା ଖରାପ । ସୁନ୍ଦର ହସ ହସ ମୁଖ । ରେଖାକୁ ଗୋଲାପର ଫଟ ଭଲ ଲାଗେ ।

 

ଚନ୍ଦନ କହିପକାଇଲା–ମାଆ, ଦେଖୁଛି ପାଞ୍ଚ ମିନିଟ୍‍ ଭିତରେ ତୁ ଘରର ଯାବତୀୟ କଥା କହିଦେଲୁ । ଏସବୁ ଶୁଣି ମୁଁ କି ପାଇବି !

 

ଯଦି ଏକ୍ଷଣି ସଂସାରିକ ବ୍ୟାପାରରେ ମନ ନ ଦେଉ, କିପରି ଚଳିବୁ ! ଯେମିତି ତୁ ସଂସାରୀ ହେବୁ, ଘରେ ତୋର ମନ ବସିବ, ସେଇଥିପାଇଁ ତ ତୋତେ ବିଭା ଦେଲି ।

 

ଚନ୍ଦନ ଦୀର୍ଘନିଶ୍ଵାସ ପକାଇ କହିଲା–ତାହା ତ ମୁଁ ଜାଣିନଥିଲି, ମାଆ । ମୋ ଜୀବନର ଧାରା ବଦଳାଇବା ପାଇଁ ମୋର ବିବାହର ବ୍ୟବସ୍ଥା କରିଛ ବୋଲି ଜାଣିପାରିଥିଲେ ମୁଁ କଦାପି ବିଭା ହୋଇନଥାଆନ୍ତି । ଛାଡ଼, ତଥାପି କହୁଛି, ମୋତେ ସଂସାରର କାମରେ ଜଡ଼ାଇ ପାରିବ ନାହିଁ-। ଅବଶ୍ୟ ଆଗନ୍ତୁକକୁ ଜଡ଼ାଇ ପାରୁ ।

 

ରେଖା ଆପଣା କଥା ଭାବୁଁ ଭାବୁଁ ଘର ଆଡ଼କୁ ଆଗୋଉ ଥିଲା । ତାହାର ଛାଇ କ୍ରମେ କ୍ରମେ ତାହା ଆଗରୁ ଅନ୍ଧାରରେ ଅପସରି ଗଲା ।

 

ଖାଇଲାବେଳେ ରେଖା ଭାବିଲା, ମାତ୍ର ଏହି ତିନି ଦିନରେ ତାହାର ଜୀବନରେ ଗୋଟାଏ କେତେ ବଡ଼ ପରିବର୍ତ୍ତନ ହୋଇଯାଇଛି–ଏ ଘର ଆଉ ସେ ଘର ଭିତରେ ଗୋଟାଏ କେଡ଼େ ବଡ଼ ପ୍ରଭେଦ । ସେ ଘରର ଉଚ୍ଚ ଶିଖରରୁ ଲୋକେ ଦ୍ରୁତ ଗତିରେ ତଳେ ପଡ଼ି ଯାଉଛନ୍ତି, ଆଉ ଏ ଘରର ଲୋକେ ଉପରକୁ ଉଠିବାର ସ୍ଵପ୍ନ ଦେଖୁଛନ୍ତି । ଆମ ଘରର ଲୋକେ ବି ତ ସ୍ଵପ୍ନ ଦେଖୁଛନ୍ତି । କିନ୍ତୁ ସେମାନଙ୍କର ଓ ସେମାନଙ୍କ ସ୍ଵପ୍ନ ଦେଖିବା ଭିତରେ ଯେମିତି ଗୋଟାଏ ବିରାଟ ପାର୍ଥକ୍ୟ ରହିଛି । ଶାଶୁ ଭାବୁଛି, ତାହାର ପ୍ରତ୍ୟେକ ପୁଅ ବଡ଼ ବଡ଼ ଚାକିରି କରିବେ, ମୋଟା ଦରମା ଆସିବ ଏବଂ ଘରେ ଚାକର ଚାକରାଣୀ ରହିବେ । ବାସନକୁସନ ସବୁ ରୂପାର ହେବ, ଆଉ ଚାହାର ସରଞ୍ଜାମ ହେବ ସୁନ୍ଦର କାରିଗରୀ ଚୀନା ମାଟିର ପାତ୍ର ।

 

ମାଆ କହିଲା–ଚନ୍ଦନ, ଆମର ଆଉ ଏଠାରେ ରହିବା ଚଳିବ ନାହିଁ, ବାବା । ଚାରିଆଡ଼େ ଯାହା ଅବସ୍ଥା ଦେଖୁଛି, ସେଥିରେ ପ୍ରତି ମୁହୂର୍ତ୍ତରେ ମୋର ଭୟ ହେଉଛି ।

 

ନନ୍ଦନକୁ ଅନ୍ୟମନସ୍କ ରହିବାର ଦେଖି ମାଆ ପୁଣି କହିଲା–ତୋରି ଲାଗି ଏମିତିକା ଫୁଲପରି ସୁନ୍ଦର ବୋହୂ ଆଣିଛି । ତଥାପି ତୋ ମନ କେଉଁଠି ଯେ ପଡ଼ିଥାଏ, ଆଉ ତୁ ଯେ କଅଣ ଭାବୁଥାଉ, ମୁଁ ତାହା ବୁଝିପାରେନାହିଁ, ବାବା ।

 

ଚନ୍ଦନ ରେଖାର ମୁଖ ଆଡ଼କୁ ଅନାଇଲା । ଚାରି ଆଖି ଏକ ହେବାରୁ, ରେଖା ଯେମିତି ଲାଜରେ ସଢ଼ିଗଲା । ଚନ୍ଦନ କହିଲା–ମାଆ, ସୁବାସହୀନ ସୁନ୍ଦର ଫୁଲ ପାଇ କି ଲାଭ ! କେତେ ବା ଆନନ୍ଦ ପାଇବି ସେହି ଫୁଲ ପାଇ ! ଛାଡ଼ ସେ କଥା । ଶୁଣ ମାଆ, ଏ ଦେଶ ଛାଡ଼ି ଯିବା ପାଇଁ ମୋ ମନ ଡାକୁ ନାହିଁ । ଏକ୍ଷଣି ଆଉ ଯାହାହେଉ ନା କାହିଁକି, ଅଶୀ ଟଙ୍କା ଦରମାରେ ତ ଖଣ୍ଡିଏ ଚାକିରି ରହିଛି, ଆଉ ଆମ ନିଜର ଖଣ୍ଡିଏ ଘର ଅଛି । ଏସବୁ ଛାଡ଼ିଛୁଡ଼ି ଚାଲିଗଲେ ଆଉ କେଉଁଠି ପୁଣି ତାହା ପାଇବା !

 

ମାଆ କଅଣ ଗୋଟାଏ କଥା କହିବାକୁ ଯାଉଥିଲା । କିନ୍ତୁ ଆର୍ଥିକ ଅସ୍ଵଚ୍ଛଳତାର କଥା ମନେପଡ଼ିବାରୁ ସେ ରହିଗଲା ।

 

ଭୋଜନ ପରେ ଯେଝେ ଯେଝାର ଘରକୁ ଚାଲିଗଲେ । ରେଖା ଶାଶୁର ଗୋଡ଼ ଘଷିବାକୁ ବସିଲା । ନିଦ ମାଡ଼ିବାରୁ ଯାଇ ସେ ଶୋଇବାକୁ ଉଠିଗଲା ।

 

ସକାଳେ ଚନ୍ଦନ ଚାକିରିକୁ ବାହାରି ଯାଏ । ଦିନସାରା ରେଖା ତାହାର ଶାଶୁ ଓ ଦୁଇଟି ସାନ ସାନ ଦିଅରଙ୍କୁ ନେଇ ରହିଥାଏ । ସେମାନଙ୍କର ନାମ ହେଉଛି ଗୋପ ଓ ଶ୍ୟାମ । ସେମାନେ ଦିନଯାକ ଭାଉଜ ସାଙ୍ଗରେ ଖେଳାଖେଳି କରିବାକୁ ଭଲପାଆନ୍ତି । ରେଖା ବି ସେମାନଙ୍କ ସହିତ ଠିକ୍‍ଭାବରେ ମିଳିମିଶି ଚଳେ ।

 

ଆଜିକାଲି ଘରର ଯାବତୀୟ କାମ ରେଖା ନିଜ ହାତରେ କରେ । ପ୍ରଥମ ଅବସ୍ଥାରେ ତାହାର ରୂପଲାବଣ୍ୟର ଯେଉଁ ପ୍ରଶ‍ଂସା ହେଉଥିଲା, କେତେ ଦିନ ଯାଉ ନ ଯାଉଣୁ ତାହା କମିଗଲା । ସେହି ଆଦର ଆଉ ନାହିଁ । ଘରେ କେଉଁଠି କଅଣ ଅଛି ସେସବୁ ତାହାର ନଖ ଦର୍ପଣରେ । ପ୍ରାୟ ଦିନସାରା ତାହାକୁ ଘରର ନାନା କାମଦାମ ଭିତରେ ବୁଡ଼ି ରହିବାକୁ ହୁଏ ।

 

ଦିନେ ରାତିରେ ସେ ଗୋଡ଼ ଘଷିଲାବେଳେ ଶାଶୁ କହିଲା–ବୁଝିଲୁ ସାନବୋହୂ, ସେହି ଗାନ୍ଧୁଙ୍କ ଘରେ କିଛି ବାସନକୁସନ ନଥିଲା । କିନ୍ତୁ ସେହି ଘରର ବୋହୂମାନେ ବାପଘରୁ ବାସନକୁସନଠାରୁ ଆରମ୍ଭ କରି ବାକ୍ସ ପେଟରା ଓ ଖଟ ପଲଙ୍କ ଏତେ ଆଣିଛନ୍ତି ଯେ ତାଙ୍କର ଘର ଏବେ ପୂରି ଯାଇଛି ।

 

ଗୋଡ଼ ଘଷୁଁ ଘଷୁଁ ରେଖା ସେସବୁ କଥା ଶୁଣେ ଏବଂ ହସେ । ତାହାର ଇଚ୍ଛାହୁଏ ଶାଶୁକୁ କହିଦିଅନ୍ତା, ଗାନ୍ଧୁର ମାଆ ତ ଆଉ ମୋ’ପରି ସୁନ୍ଦରୀ ବୋହୂ ପାଇ ନାହିଁ । ପରମୁହୂର୍ତ୍ତରେ ସେ ଭାବେ, ଏହାଙ୍କ ପାଖରେ ସେସବୁ କଥା କହିବା ନିଷ୍ପ୍ରୟୋଜନ ।

 

ରେଖା ମୁଣ୍ଡ ନୁଆଁଇ କିଛି କଥା ନ କହି ଗୋଡ଼ ଘଷୁଥିଲା । ଶାଶୁ କହିଲା–ବୋହୂ, ହଠାତ୍ ତୁ ମୁହଁ ଓଳାଇ ବସିଛୁ କାହିଁକି ? ମୁଁ ତ ତୋତେ କଟାକ୍ଷ କରି କିଛି କହି ନାହିଁ ।

 

ରେଖା ଉପରେ ଉପରେ ଟିକିଏ ହସିଲା ସିନା, କିନ୍ତୁ ତାହାର ଅନ୍ତର କହିପକାଇଲାଲା-

 

ତାହାହେଲେ ଏ କଥା ପକାଇଲେ କାହିଁକି ମାଆ ?–ମୁହେଁ ମୁହେଁ ଗୋଟାଏ ଜବାବ ଦେଇ ପାରିଥିବାରୁ ରେଖା ମନେମନେ ହସିଲା ।

 

ଦେଖୁଛି, ତୁ ତ ଭାରି ସିଆଣା ଝିଅ ! ବେଶ୍, ଯଦି ମୁଁ ସେୟା କହିଥାଏ, ତାହାହେଲେ କି ଭୁଲ କଥାଟାଏ ବା କହିଲି ! ପୁଅକୁ ଖୋଇ ପେଇ ଯେ ଏତେ ବଡ଼ କଲି, ତାହା କଅଣ ଏମିତି ସେମିତି କଥା ! ମୋ ପୁଅକୁ ତ ମୁଁ ରାସ୍ତାରୁ ସାଉଣ୍ଟି ଆଣି ନାହିଁ !

 

ଶାଶୁର ଏମିତିକା ଥଟାଳିଆ କଥା ଶୁଣି ରେଖା ଅବାକ୍‍ ହୋଇଗଲା ।

 

ପରଦିନ ରେଖାର ବାପଘରୁ ବହୁତ ଖାଦ୍ୟଦ୍ରବ୍ୟ ଆସିଲା । ଯାହା ଦିଆ ହୋଇ ନାହିଁ ସେଇଥିପାଇଁ ରେଖାର ଶାଶୁ ଗଜର ଗଜର ହେବାକୁ ଲାଗିଲା । କିନ୍ତୁ ଚନ୍ଦନ ସେସବୁ ସମ୍ବନ୍ଧରେ ଆଉ କିଛି କହିବା ଅଶାଳୀନ ବୋଲି ମନେକଲା ।

 

 

ଗୋଧୂଳି ବେଳା । ଅବିର ବିଛା ଯାଇଛି । ମାଙ୍ଗୁରମାଣ୍ଟୁଗା ବସ୍ତିର ଅଦୂରରେ ଧାଡ଼ି ଧାଡ଼ି ନଡ଼ିଆ ଗଛ । ତାହାରି ପାଖଦେଇ ବଡ଼ ରାସ୍ତାଟା ଚାଲିଯାଇଛି । ରାସ୍ତା ଟପି ସମୁଦ୍ର କୂଳରେ ଖଣ୍ଡିଏ ବଡ଼ ପଥର ଉପରେ ବସି ରେଖା ଭାବୁଛି, କେତେ ଦିନ ପରେ ଏହି ଉନ୍ମୁକ୍ତ ଆକାଶ ତଳେ ବସିବାର ଅବକାଶ ସେ ପାଇଛି । ଆଜି ତାହାର ଭାରି ଇଚ୍ଛା ହୋଇଛି, ସେ ଅସ୍ତମାନ ସୂର୍ଯ୍ୟର ଲୀଳା ଖେଳା ଦେଖିବ ।

ଦେଶ ଛାଡ଼ି ଆସିବା ପରଠୁଁ ସେ ଏମିତି ଗୋଟାଏ ସୁଯୋଗ ପାଇନଥିଲା । ଢେର୍ ଖୋଜା ଖୋଜି ପରେ ମାଣ୍ଟୁଗାରେ ଯେଉଁ ଛୋଟ ଛୋଟ ଦୁଇ ବଖରା ଘର ମିଳିଲା ସେଥିରେ ହାଣ୍ଡିଶାଳ କି ପିଣ୍ଡା ନାହିଁ । ଯେଉଁ ରେଖା ହାଇଦ୍ରାବାଦର ପ୍ରକାଣ୍ଡ ଅଟ୍ଟାଳିକାରେ ଏତେ ବଡ଼ ହୋଇଛି, ସେ ଏତେ ଛୋଟ ଘରର କଳ୍ପନା ବି କରିପାରିଲା ନାହିଁ । ବହୁତ ବେଳଯାଏ ସେ ପଥର ଉପରେ ବସି ରହି ଏକ ଦୃଷ୍ଟିରେ ଆକାଶ ଆଡ଼କୁ ଅନାଇ ରହିଲା ।

ଧଇଁ ସଇଁ ହୋଇ ଚନ୍ଦନ ଆସି ପହଞ୍ଚିଲା–ଏ କଅଣ ! ତୁମେ ଶେଷରେ ଏଠାକୁ ଆସିଲ-? ବୁଲିବା ପାଇଁ ତ ତୁମକୁ କେହି ବାରଣ କରି ନାହିଁ । ମାତ୍ର ଘରେ କାହାକୁ ନ କହି ଚାଲି ଆସିଲ କାହିଁକି ? ଆମେ କେତେ ବେଳୁ ତୁମକୁ ଚାରିଆଡ଼େ ଖୋଜିବାରେ ଲାଗିଛୁ !

ରେଖା କିଛି ଜବାବ ନ ଦେଇ ତୁନି ତାନି ସ୍ୱାମୀକୁ ଅନୁସରଣ କଲା । ଘରେ ଗୋଡ଼ ଦେଉ ନ ଦେଉଣୁ ଶାଶୁ ଗର୍ଜନ କଲା–କିଲୋ, ଘର ତୋତେ କାମୁଡ଼ି ପକାଇଲା କି ! ବାହାରେ ବୁଲିବାର ଏତେ ସଉକ ହେଲା !

 

ପଣତ ସଜାଡ଼ି ନେଇ ରେଖା କହିଲା–ମାଆ, ଆଜି ଘରେ ମନ ଲାଗିଲା ନାହିଁ । ତେଣୁ ଟିକିଏ ବୁଲିବାକୁ ଚାଲିଗଲି ।

 

ଶୁଣ ବୋହୂର କଥା । ଘରେ କୁଆଡ଼େ ତାହାର ମନ ଲାଗିଲା ନାହିଁ । ତାହାହେଲେ ମନ କଅଣ ସେହି ପଥର ଉପରେ ଲାଗେ, ବୋହୂ ? ଆମେ ଏଣେ ସେହି ସେତିକି ବେଳୁ ନୟାନ୍ତ ହୋଇ ଖୋଜାଖୋଜିରେ ଲାଗିଛୁ । ଶେଷକୁ ଶ୍ୟାମ ଓ ଗୋପ କହିଲେ, ସେମାନଙ୍କୁ ଘୁଡ଼ି ଉଡ଼ାଇବାକୁ କହିଦେଇ ତୁ କୁଆଡ଼େ ପଥର ଉପରେ ଯାଇ ବସିଥିଲୁ ।

 

ରେଖା ସେଠାରେ ଆଉ ଦଣ୍ଡେ ଠିଆହୋଇ ସେସବୁ କଥା ଶୁଣିପାରିଲା ନାହିଁ । ବିବାହ ପରେ ସେ କେବେହେଲେ ନିଜକୁ ଏତେ ପରାଧୀନ ବୋଲି ମନେକରିନଥିଲା । କୌଣସି ଜଣେ ବନ୍ଧୁ ସହିତ କାମ ଅଛି ବୋଲି କହି ଚନ୍ଦନ ତରବରରେ ଚାଲିଗଲା । ରେଖାକୁ ବିଛଣାରେ ମୁହଁ ମାଡ଼ି ପଡ଼ିରହି କାନ୍ଦିବାର ଦେଖି ଶାଶୁ କହିଲା–ହାୟରେ, ଏ କି କଥା ! ମୁଁ ଏମିତି କି ମାରହାଣ କଥା କହିଲି ଯେ ତୁ କାନ୍ଦିକାଟି ଏକାକାର ହେଲୁଣି । ଦେଖୁଛି, ଆଜିକାଲିକା ଝିଅ ବୋହୂଙ୍କୁ ଆଉ ପଦେ କଥା କହିବାର ଜୁ ନାହିଁ ।

 

ସେଦିନ ରେଖା ଢେର୍ ରାତିଯାଏ ଚେଇଁ ରହିଲା । ବିଛଣାରେ ପଡ଼ିରହି ସେ ଶାଶୁର କଥାଗୁଡ଼ାକ ମନେମନେ ଗୁଣି ହେବାକୁ ଲାଗିଲା–ଆଜି କାଲିକା ଝିଅ ବୋହୂମାନଙ୍କୁ କିଛି କଥା ବୁଝାଇବା କାଠିକର ପାଠ । କଅଣ ଗୋଟାଏ ମାରହାଣ କଥା ମୁଁ କହିଲି ଯେ ତୁ ସେଥିପାଇଁ କାନ୍ଦି କାଟି ଏକାକାର ହେଲୁଣି ! ସ୍ୱାମୀକୁ ଦେଖିବା ସଙ୍ଗେ ସଙ୍ଗେ ତାହାର କାନ୍ଦଣା କୁଆଡ଼େ ଉଭେଇ ଗଲା ।

 

ଚନ୍ଦନ ଏହି କଥା ଯେତେ ଭାବିଲା, ତାହା ପକ୍ଷରେ ସେତେ ବିରକ୍ତିକର ମନେହେଲା । ଚନ୍ଦନ ଭାବିଲା, ରେଖା ପ୍ରକୃତରେ କଅଣ ଚାହେଁ । ବମ୍ବାଇର ଜୀବନ ଯେ କେତେ କଠିନ ତାହା କଅଣ ସେ ବୁଝିପାରୁ ନାହିଁ ! ଏଠାରେ ଟିକିଏ ମୁଣ୍ଡ ଗୁଞ୍ଜିବାର ଜାଗା ପାଇବା ମୁସ୍କିଲ୍‍ । ଏହି ଖୁପରି ଦୁଇ ଖଣ୍ଡ ପାଇଁ ମୋତେ ଦେଢ଼ ହଜାର ଟଙ୍କା ସଲାମୀ ଦେବାକୁ ହୋଇଛି । କେତେ ଉପାୟ କରି ଯାଇ ନସରବାଞ୍ଜି ମିଲରେ ଖଣ୍ଡିଏ ସାଧାରଣ କିରାନୀ ଚାକିରି ଯୋଗାଡ଼ ହେଲା । ଜୀବନର ଏହିସବୁ ବାସ୍ତବ ଦିଗ କଅଣ ରେଖାର ନଜରରେ ପଡ଼ୁ ନାହିଁ ?

 

ପାରିବାରିକ ବ୍ୟାପାରରେ ବେଶୀ ସମୟ ଚିନ୍ତା କରିବାର ଅବକାଶ ଚନ୍ଦନର ନଥିଲା । ବମ୍ବାଇର ସଂଘର୍ଷମୟ ଜୀବନ ଓ ଜୀବିକା ବିଷୟ ସେ ନିଜର ରାଜନୈତିକ ତଥା ଅର୍ଥନୈତିକ ଚିନ୍ତା ଧାରାର ଆଲୋକରେ ବିଚାର କରିବାକୁ ଚେଷ୍ଟାକଲା ।

 

ମାସ କେତୁଟା ଭିତରେ ମିଲ୍‍ର ଅନେକଙ୍କ ସହିତ ତାହାର ପରିଚୟ ହେଲା । ଅଳ୍ପ ଦିନରେ ସେ ଜନପ୍ରିୟ ହେଲା ଏବଂ କର୍ମଚାରୀ ସମିତିର ସହକାରୀ ସମ୍ପାଦକ ପଦ ପାଇଲା । ତାହାରି ଉଦ୍ୟମରେ ଗୋଟିଏ ପାଠଚକ୍ର ଗଠିତ ହୋଇଛି । ଆଜିକାଲି ସେଠାରେ ନାନା ଧରଣର ଆଲୋଚନା ଚାଲିଛି । ସମସ୍ତେ ଖୁବ୍ ଉତ୍ସାହରେ ଲାଗି ପଡ଼ିଛନ୍ତି ।

 

ଗଭୀର ରାତିରେ ରେଖାର ନିଦ ଭାଙ୍ଗିଗଲା । ତାହାକୁ ଉଠିପଡ଼ିବାର ଦେଖି ଚନ୍ଦନ ପଚାରିଲା–ମୁଁ ଜଣେ ବନ୍ଧୁର ଘରକୁ ଚାଲିଯିବା ପରେ ତୁମେ ଏତେ କାନ୍ଦୁଥିଲ କାହିଁକି ?

 

ରେଖା କିଛି ଜବାବ ଦେଲା ନାହିଁ ।

 

ଚନ୍ଦନ ପୁଣି କହିଲା–ହୁଏତ ଏଠାରେ ତୁମକୁ ଭଲ ଲାଗୁ ନାହିଁ । ଟିକିଏ ହେଲେ ବିଶ୍ରାମ ପାଉ ନାହଁ । ମୁଁ ସୁନ୍ଦର ସୁନ୍ଦର ଶାଢ଼ିସବୁ ତୁମକୁ କିଣିଦେଇପାରୁନାହିଁ ।

 

ରେଖା ଥରେ ତୀବ୍ର ଦୃଷ୍ଟିରେ ସ୍ଵାମୀ ଆଡ଼କୁ ଅନାଇଲା ।

 

ଯେଉଁ ଚନ୍ଦନ ସ୍କୁଲ କଲେଜରେ ବିତର୍କ ସଭାରେ ପ୍ରଥମ ହେଉଥିଲା, ଆଉ ହଜାର ହଜାର ଲୋକ ମୁଗ୍ଧ ହୋଇ ଯାହାର ଭାଷଣ ଶୁଣୁଥିଲେ, ତାହା ନିକଟରେ ସ୍ତ୍ରୀର ସେହି ଚାହାଣି ଦୁର୍ବୋଧ୍ୟ ବୋଧ ହେଲା ।

 

ରେଖା କଡ଼ ଲେଉଟାଇ ଶୋଇ ମନେମନେ କାନ୍ଦୁଥିଲା ଏବଂ ଭାବୁଥିଲା–କିଏ ଚାହିଁଛି ଏତେ ସୁନ୍ଦର ଶାଢ଼ି ! ମୁଁ ତ କେବେ ତାହା ଚାହିଁ ନାହିଁ ! ସ୍ଵାମୀ ତ ଘରେ ବେଶୀ ବେଳ ରହିବାକୁ ସମୟପାଏନା । ଯେତେ ସବୁ ମରାଠୀ ଓ ଗୁଜରାତୀମାନଙ୍କ ସାଙ୍ଗରେ ତାହାର ବନ୍ଧୁତା । ସେମାନଙ୍କ ସାଙ୍ଗରେ ତାହାର ଯେତେ ସବୁ କଥା । ପ୍ରତିବେଶିନୀ ରାଧାର କଥା ରେଖାର ମନେପଡ଼ିଲା । ସେ ଥରେ କହିଥିଲା, ତୁମ ସ୍ଵାମୀ ଜଣେ କେମିତିକା ଲୋକ । ମୁଁ ପ୍ରାୟ ଦେଖେଁ, ସେ ମରାଠୀମାନଙ୍କ ପରି ପେଣ୍ଟ ଓ ଜାମା ସାଙ୍ଗରେ ଚଟି ଜୋତା ପିନ୍ଧନ୍ତି, ଆଉ କାନ୍ଧରେ ଗୋଟାଏ ଥଳିରେ ଗୁଡ଼ାଏ ବହିପତ୍ର ପୂରାଇ ବୁଲୁ ଥାଆନ୍ତି ।

 

ରେଖା କିଛି ଜବାବ ଦେଲା ନାହିଁ । ରାଧା ରେଖାର ସେହି ଉଦାସ ବିଷଣ୍ଣ ଭାବ ଲକ୍ଷ୍ୟକଲା ଏବଂ କହିଲା–ମୋ କଥା ଖରାପ ଲାଗିଲା କି, ଭଉଣୀ ? ତୁମେ ଯାହା ଭାବ ପଛକେ, ଲୋକଟା କିନ୍ତୁ ଭାରି ସାଦାସିଧା । ଆଉ ପାଞ୍ଚଜଣଙ୍କଠାରୁ ସେ ନିଶ୍ଚୟ ଯଥେଷ୍ଟ ଭଲ । ଯାହାହେଉ, ତୁମ ସ୍ଵାମୀଠାରୁ ତ ଆଉ ଏ କଥା ଶୁଣିବାକୁ ହୁଏ ନାହିଁ ଯେ ଶଶୁର ଘର ଏଟା ଦେଲେ ନାହିଁ ସେଟା ଦେଲେ ନାହିଁ । ଯାହା କୁହ ଭଉଣୀ, ଆଜିକାଲି ସମସ୍ତଙ୍କର ନଜର ଶଶୁର ଘରର ସମ୍ପତ୍ତି ଉପରେ ରହିଛି । ଘରେ କାଣି କଉଡ଼ିଟିଏ ନ ଥାଉ ପଛକେ, ପୁଅର ନାମ କିନ୍ତୁ ହେବ ଧନପତି ।

 

ରାଧାର କଥାରେ ରେଖା ଟିକିଏ ସାନ୍ତ୍ଵନା ପାଇଥିଲା । ସମୁଦ୍ର କୂଳରେ ବସି ବେଳେବେଳେ ସେ ଏହି ଧରଣର ସାନ୍ତ୍ଵନା ପାଏ । ରେଖା ମନେମନେ ଭାବେ, ତାହାକୁ କଅଣ ଜୀବନ ଯାକ ଏମିତି ଭାବରେ କଟାଇବାକୁ ହେବ ? ତାହାର ଜୀବନରେ କଅଣ ନୂତନତାର କୌଣସି ଆଭାସ ମିଳିବ ନାହିଁ ? ଅନେକ ସମୟ ଯାଏ ତାହାର ମନର ଆକାଶରେ ହଜାରେ ରକମ ପ୍ରଶ୍ନର ପକ୍ଷୀସବୁ ଉଡ଼ି ବୁଲିଲେ ।

 

ରେଖା ରାତିର ଶେଷ ପ୍ରହରରେ ଶୋଇପଡ଼ିଲା । ସକାଳେ ଟିକିଏ ଉଛୁରରେ ତାହାର ନିଦ ଭାଙ୍ଗିଲା । ନିକଟରେ ମନ୍ଦିରର ଘଣ୍ଟା ବାଜିଲାରୁ, ତାହାର ବାପଘର କଥା ମନେପଡ଼ିଲା । ସେଠାରେ ନିତି ଏତିକିବେଳେ ଗୀତା ପାଠ ହୁଏ । ସେ ଦେଖିଲା, ପାଖ ଘରେ ଚନ୍ଦନ ଓ ଆଉ ଜଣେ ଯୁବକ ଖୁବ୍ ମନଦେଇ ଖବରକାଗଜ ପଢ଼ୁଛନ୍ତି । ମୁଖ ଧୋଇ ଦର୍ପଣ ସାମନାରେ ଠିଆହୋଇ ସେ ଦେଖିଲା, ତାହାର ଚେହେରା ଭାରି ଫିକା ଦିଶୁଛି । ଚନ୍ଦନ କହିଲା–ମାଆ, ହୀରେ ପାଇଁ ବି କପେ ଚାହା ହେବ ।

 

ରେଖା ଚାହା ଆଣିବାକୁ ଗଲାରୁ ଶାଶୁ କହିଲା–ଏତେବେଳେ ମହାରାଣୀଙ୍କର ନିଦ ଭାଙ୍ଗିଲା ! ଟିକିଏ ଆଖି ଖୋଲି ଦେଖ ନା, କେତେବେଳ ଆସି ହେଲାଣି ।

 

ରେଖା ସଙ୍କୋଚରେ ମୁଣ୍ଡ ନୁଆଁଇ ଚାହା କପ୍‍ ଉଠାଇ ନେଇ ଚାଲିଗଲା । ହୀରେ ସାମନାରେ ଚାହା କପ୍‍ ରଖିଲାବେଳେ ତାହାର ମନେହେଲା, ସତେଯେମିତି ଦୁଇଟା ସକୃତଜ୍ଞ ଆଖି ତାହା ଉପରେ ନିବଦ୍ଧ ହୋଇଛି । ଯୁବକଟି ଚାଲିଯିବା ସମୟରେ ରେଖା ଲକ୍ଷ୍ୟକଲା, ତାହାର ଗମନ ଭଙ୍ଗୀ ମନ୍ଦ ଦିଶୁ ନାହିଁ । କିନ୍ତୁ ସେ ପାଦରେ ପୁରୁଣା ଚଟି ପିନ୍ଧିଥିଲା । ରେଖା ମନେମନେ ହସିପକାଇଲା । ଯାହାହେଉ, ସେ କାହାର ବନ୍ଧୁ, ତାହା ତ ଦେଖିବାକୁ ହେବ ।

 

 

ଆଜି ଗୋଲାପର ମାଆର ମୁଖ ଉଜ୍ଜ୍ଵଳ ଦିଶୁଛି । ଘରର ଚେହେରା ବି ବଦଳି ଯାଇଛି । ଘରେ ଭଲ ଭଲ ଖାଦ୍ୟସବୁ ତିଆରି ହେଉଛି । ରାନ୍ଧଣାର ସୁଗନ୍ଧ ପାଖଆଖରେ ମହକୁଛି । ଉପଲକ୍ଷ୍ୟ ହେଉଛି ଗୋଲାପର ଆଗମନ । ରେଖା ଭାବୁଛି, ଦେଢ଼ଶୁରର ସ୍ଵଭାବ କେମିତିକା ହୋଇଥିବ, ତାହାର ହାତର ରାନ୍ଧଣା ପସନ୍ଦ ହେବ କି ନା, ଏବଂ ରାନ୍ଧଣା ଭଲ ହୋଇଥିଲେ ସେ ତାରିଫ କରିବେ କି ।

 

ତିନିଟା ନୂଆ ଟ୍ରଙ୍କ, ଗୋଟିଏ ରେଡ଼ିଓ ଓ ଛଅ ସାତଟା ଛୋଟ ଛୋଟ ବାକ୍ସ ଟାକ୍ସିରୁ ଓହ୍ଲାହେଲା । ଗୋଲାପର ଦେହରୁ ଗମଗମ ହୋଇ ଝାଳ ବୋହୁଥାଏ । ରେଖା ଝରକା ବାଟେ ଦେଢ଼ଶୁରକୁ ଥରେ ଦେଖି ନେଲା । ଗୋଲାପର ଦୃଷ୍ଟି ମଧ୍ୟ ତାହା ଉପରେ ପଡ଼ିବା ମାତ୍ରେ ସେ ସେଠାରୁ ତତ୍‍କ୍ଷଣାତ ଘୁଞ୍ଚିଗଲା । ଶ୍ୟାମ ଓ ଗୋପ ହାତତାଳି ମାରି ବଡ଼ ପାଟିରେ ଖୁବ୍ ଖୁସିରେ କହୁଥାଆନ୍ତି–ମାଆ, ଭାଇ ଆସିଲେ, ବଡ଼ଭାଇ ଆସିଲେ ।

 

ମାଆ ଘରୁ ବାହାରି ଆସି ପୁଅର ମୁଣ୍ଡରେ ହାତ ବୁଲାଇଲା । ପରମୁହୂର୍ତ୍ତରେ ସେ ଥରିଲା ସ୍ଵରରେ କହିଲା–ଯଦି ଆଜି ତୋ ବାବା ବଞ୍ଚିଥାଆନ୍ତେ, ତାହାହେଲେ... । ରେଖାକୁ ଇଙ୍ଗିତରେ ପାଖକୁ ଡାକି ସେ କହିଲା–ଗୋଲାପ, ଏ ହେଉଛି ଆମର ସାନବୋହୂ ।

 

ରେଖା ମୁଣ୍ଡ ନୁଆଁଇଲା ।

 

ଶାଶୁ ପୁଣି ପଚାରିଲା–ଗୋଲାପ, ଚନ୍ଦନର କପାଳ ତେଜ, ତାହାର ବୋହୂ ସୁନ୍ଦର ନୁହେଁ ? ଗୋଲାପର ମାଆ ଏମିତି ଭାବରେ କହିଲା, ସତେଯେମିତି ରେଖା ତାହାର ହାତରେ ତିଆରି ସୁନ୍ଦର ପିତୁଳାଟିଏ । ରେଖା ଆଡ଼ଚାହାଣିରେ ଲକ୍ଷ୍ୟକଲା, ଦେଢ଼ଶୁର ତାହା ଆଡ଼କୁ ଏକ ଦୃଷ୍ଟିରେ ଅନାଇ ରହିଛନ୍ତି ।

 

ଇତିମଧ୍ୟରେ ଏକ ସପ୍ତାହ କଟିଗଲା । ରେଖା ଏକ୍ଷଣି ନିଃସଙ୍କୋଚରେ ଗୋଲାପର ସାମନାରେ ଯାତାୟତ କରୁଛି । ସେ ଗୋଲାପର ଲୁଗାପଟା ଆଲଣାରେ ସଜାଡ଼ି ରଖୁଛି, ତାହାର ଜୋତା ବୁରୁସ୍‍ କରୁଛି ଏବଂ ତାହାର ରୁମାଲ କାଢ଼ି ଦେଉଛି । ରେଖା ମନେମନେ ଭାବୁଛି, ତାହାର ଦେଢ଼ଶୁରର ରୁମାଲ କେମିତିକା ବାସୁଛି । ଯଦି ତାହାର ସ୍ଵାମୀ ଏମିତିକା ଅତର ବ୍ୟବହାର କରୁଥାଆନ୍ତା...

 

ରେଖା, ଏଠାରେ କଅଣ କରୁଛ ? ଗୋଟାଏ କାମ କର ତ କାଲିପରି ବେଶ୍ ଗରମ ଗରମ ରୋଟି କେତେ ଖଣ୍ଡ ତିଆରି କର ତ ।

 

ଗୋଲାପ ବିଲାତରୁ ରେଡ଼ିଓ ଆଣିଛି । ସେ ଫେରିଲା ପରଠୁଁ ଝରକାରେ ରେଶମୀ ପରଦା ଟଙ୍ଗା ହୋଇଛି ।

 

ଗୋଲାପର ମାଆ କହିଲା–ବୁଝିଲୁରେ ଗୋଲାପ, ତୁ ରେଡ଼ିଓଟିଏ ଆଣି ଭଲ କଲୁ । ମୁଁ ମନେମନେ ଭାବୁଥିଲି, କେବେ ମୁଁ ଘରେ ବସି ରେଡ଼ିଓରେ ଗୀତ ଶୁଣିପାରିବି । ଆମ ସାନବୋହୂ ତ ଗାଧୁଆ ଘରେ ବସି ଗୀତର ସ୍ୱର ଲହରୀ ଛୁଟାଇ ଦିଏ । ମୁଁ ଦିନେ ତାହାକୁ ବାରଣ କରିଥିଲି ।

 

ତହୁଁ ଗୋଲାପ ହସି ହସି କହିଲା–ସତେ, ରେଖା ଗୀତ ବୋଲିପାରେ ? ରେଖା, ଶୁଣ, ଆଜି ତୁମକୁ ଏଠାରେ ଗୀତ ଶୁଣାଇବାକୁ ହେବ ।

 

ରେଖାର ମନ ଆନନ୍ଦରେ ନାଚିଲା । ସେ ତଳକୁ ମୁହଁପୋତି ହସିପକାଇଲା ।

 

ଖାଲି ହସିଦେଲେ ଚଳିବ ନାହିଁ, ଏକ୍ଷଣି ଗୀତ ଶୁଣାଇବାକୁ ହେବ ।

 

ତାହାର ମାଆ କହିଲା–ନା ବାବା, ମୁଁ ଏସବୁ ପସନ୍ଦ କରେ ନାହିଁ । ତୋ ଖୁଡ଼ୀ ମୋ’ଠାରୁ କେତେ ସାନ । ତଥାପି ତାହାର ବୋହୂମାନେ ତାହାକୁ ଭାରି ଡରି ଡରି ଚଳନ୍ତି ।

 

ରାତିରେ ଶ୍ୟାମ ଓ ଗୋପ ବେଳାବେଳି ଖାଇସାରି ଶୋଇପଡ଼ିଲେ । ରେଖା ଶାଶୁ ଓ ଦେଢ଼ଶୁରକୁ ଖାଇବାକୁ ଦେଇ ମଝିରେ ମଝିରେ ଗୋଟାଏ ସିନେମା ପତ୍ରିକାର ପୃଷ୍ଠା ଲେଉଟାଉଥିଲା ।

 

ଗୋଲାପ କହିଲା–ବୁଝିଲୁ ମାଆ, ଯାହାର କପାଳରେ ସୁନ୍ଦରୀ ସ୍ତ୍ରୀ ଜୁଟେ ସେ ହିଁ ପ୍ରକୃତରେ ଭାଗ୍ୟବାନ ।

 

ତୋ କପାଳରେ ଯେ ସୁନ୍ଦରୀ ସ୍ତ୍ରୀ ଜୁଟୁ ନଥିଲା ତାହା ତ ନୁହେଁ । ତୁ ପରା ନିଜେ କନ୍ୟା ପକ୍ଷର ଲୋକଙ୍କୁ କହିଲୁ, ଝିଅ ଯେମିତିକା ହେଉ ନା କାହିଁକି ମୋର ଟଙ୍କା ବେଶୀ ଲୋଡ଼ା ।

 

ମାଆ, ସେତେବେଳେ ଦୁଇନାହାରେ ଗୋଡ଼ ଦେବା କଅଣ ମୋ ପକ୍ଷରେ ଉଚିତ ହୋଇଥାଆନ୍ତା ? ସେହି ସମୟରେ ଘରର ଅବସ୍ଥା କଅଣ ଥିଲା ଟିକିଏ ଭାବି ଦେଖ । ଆଜି କେତେ ଗୁଣ ବେଶୀ ଟଙ୍କା ନେଇ ମୁଁ ଫେରିଆସିଛି । ଆଉଥରେ ମୁଁ ବିଲାତରୁ ଘୂରିଆସି ପାରିଲେ, ତୁମେ ସୁନା ଥାଳିରେ ଭାତ ଖାଇବ ।

 

ଠିକ୍ ସେତିକିବେଳେ ରେଖା ପାଣି ଗିଲାସଟା ରଖୁଁ ରଖୁଁ ଦେଢ଼ଶୁର ଆଡ଼କୁ ଚାହିଁଦେଇ ଅବାକ୍‍ ହେଲା । ତାହାର ମନେହେଲା, ଖାଲି ଟଙ୍କା ପାଇଁ ଜଣେ ପ୍ରେମିକ ନିଜର ପ୍ରେମ ବିକ୍ରି କରିଛି । ଯଦି ବିଚରାର କପାଳରେ ସୁନ୍ଦରୀ ଗୁଣବତୀ ବୋହୂଟିଏ ଜୁଟି ଥାଆନ୍ତା, ତାହାହେଲେ ତାହାର ଜୀବନରେ କିଛି ଅବଶୋଷ ନ ଥାଆନ୍ତା ।

 

ପରମୁହୂର୍ତ୍ତରେ ଶାଶୁ ବଡ଼ ପାଟିରେ ବୋହୂକୁ ଶୁଣାଇ ଶୁଣାଇ କହିଲା–ସେ କି କଥା କହୁଛୁ, ବାପ । ସମ୍ପତ୍ତି ନ ଆଣିଥିବା ସୁନ୍ଦରୀ ବୋହୂକୁ ଘରକୁ ଆଣି ତ ଦେଖୁଛି, କି ସୁଖ ମିଳୁଛି । ସ୍ୱାମୀକୁ ତ ଦିନଯାକ କାରଖାନାରେ ଖଟି ଖଟି ମରିବାକୁ ହେଉଛି । ଖାଲି ସୁନ୍ଦରୀ ହୋଇଗଲେ ଯେ ଦୁନିଆରେ ସବୁ କିଛି ମିଳି ପାରିବ, ତାହା ଠିକ୍ ନୁହେଁ ।

 

ଶାଶୁର କାଥାଗୁଡ଼ାକ ରେଖାର ମନ ଭିତରେ କଣ୍ଟାପରି ଫୋଡ଼ି ପକାଉଥିଲା । କିନ୍ତୁ ସେମାନଙ୍କ କଥାରେ ମୁଣ୍ଡ ଖେଳାଇବା ସେ ଉଚିତ ମନେକଲା ନାହିଁ । ସେଠାରେ ଆଉ ରହି ନ ପାରି ସେ ତୁରନ୍ତ ତଳକୁ ମୁହଁପୋତି ନିଜ କୋଠରୀକୁ ଚାଲିଗଲା ।

 

 

ଅଷ୍ଟମୀ ଦିନ । ଗୋଲାପର ଘରେ ପଡ଼ାର ପୁଅଝିଅ ସବୁ ଠୁଳ ହୋଇଥିଲେ । ମାଆ ସେମାନଙ୍କୁ ଡାକିଥିଲା, ସବୁ ଛୁଆଙ୍କୁ ମିଠେଇ ଖାଇବାକୁ ଦେବ । ପାରିବାରିକ ଶୁଭକାମନା କରି ରଚିତ ଗୀତସବୁ ସେମାନେ ମହା ଆନନ୍ଦରେ ବୋଲୁଥିଲେ ।

 

ମାଆ କହିଲା–ଗୋଲାପ, ଏଥର ତୁ ନିଜେ ପିଲାମାନଙ୍କ ହାତରେ ଅଣାଏ ଲେଖାଏଁ ଦେ । ସେମାନେ ଖୁସି ହେଲେ ତ ଆମେ ଆନନ୍ଦିତ ହେବା ।

 

ଗୋଲାପ ସବୁ ପିଲାଙ୍କ ହାତରେ ଅଣାଏ ଲେଖାଏଁ ଦେଉଁ ଦେଉଁ ଅନ୍ୟମନସ୍କ ହୋଇଗଲା । ହଠାତ୍ ନିଜର ସ୍ତ୍ରୀ ଓ ପୁଅର କଥା ତାହାର ମନେପଡ଼ିଲା । ତାହାର ସବୁ ଅଛି ମାତ୍ର ଏହି ଉତ୍ସବର ଶୁଭ ଦିନରେ ତାହା ପାଖରେ କେହି ନାହାନ୍ତି । ସାଢ଼େ ଛଅ ବର୍ଷ ତଳେ ସେ ସ୍ତ୍ରୀକୁ ଏହି ଘରକୁ ଆଣିଲା ଦିନ ତାହାର ମାଆ ଠିକ୍ ଏମିତି ଏକ ଉତ୍ସବର ଆୟୋଜନ କରିଥିଲା । ସେହି ଦିନ ସେ ପ୍ରତି ପିଲାଙ୍କ ହାତରେ ମାତ୍ର ଗୋଟିଏ ଲେଖାଏଁ ପଇସା ଦେଇ ପାରିଥିଲା ।

 

ବିଲାତ ଯିବାର ଛଅ ମାସ ଭିତରେ ମାଆଠାରୁ ସେ ଖଣ୍ଡିଏ ଚିଠି ପାଇଥିଲା । ସେଥିରେ ମାଆ ଲେଖିଥିଲା–ବାବା ଗୋଲାପ, ତୋର ଯିବା ଆଜିକି ଛଅ ମାସ ହେଲା । କିନ୍ତୁ ତୋ’ଠାରୁ ଏଯାଏ ଫଟା ପାହୁଲାଟାଏ ଆସିଲା ନାହିଁ । ଏଣେ ବୋହୂ ମୋତେ ଶୁଣାଇ ଶୁଣାଇ ଢେର କଡ଼ା କଥା କହୁଛି । ଆଜିକାଲିକା ଝିଅ ବୋହୂଙ୍କ କଥା ତୁ କଅଣ ଜାଣୁନା ? ପାନରୁ ଚୂନ ଖସିଗଲେ ସେମାନଙ୍କର ଆଉ ରକ୍ଷା ନାହିଁ, ଶାଶୁକୁ ଝିଣି ପକାନ୍ତି । କଥାଟା ବହୁତ ଦୂରକୁ ଗଲାଣି, ବାବା । ଦିନେ ତାହାର ବାପ ଆସି ମୋ ମୁହଁ ଉପରେ କହିଲା–ମୋ ଝିଅକୁ ହୀରା ଜହରତ ଦେଇ ତୁମ ଘରକୁ ପଠାଇଥିଲି । ତୁମେ ତାହାକୁ ଦୁଇବେଳା ମୁଠାଏ ଖାଇବାକୁ ଦେଇପାରୁ ନାହଁ । କେଉଁଥି ପାଇଁ ହଜାର ହଜାର ଟଙ୍କା ପଣ ଦେଇଛି ? ଭୋରରୁ ରାତି ଅଧଯାଏ ତାହାକୁ ଖଟେଇ ଖଟେଇ ମାରୁଛ, ଅଥଚ ତାହାର ପେଟକୁ ଦୁଇଟା ଦାନା ନାହିଁ । ଝିଅ ମୋର ନ ଖାଇ ନ ପିଇ କଣ୍ଟା ହେଲାଣି । ତାହାକୁ ମାରି ଦେବାର ଉପକ୍ରମ କରୁଛ । ଖୁନୀ କେଉଁଠିକାର ! ଏକ୍ଷଣି ବାହାର କର ମୋର ସେହି ପାଞ୍ଚ ହଜାର ଟଙ୍କା । ନୋହିଲେ ମୁଁ ତୁମକୁ ଜେଲ୍‍କୁ ପଠାଇବି । ଏମିତି ଦେହ ଜଳା କଥାରେ ମୁଁ ଆଉ ରହିପାରିଲି ନାହିଁ, ବାବା । ରାଗିଯାଇ କହିଲି–ପଚାରେ, ଖୁନୀ କିଏ ? ଆମେ ନା ତୁମେ ? ଦେଖି ଭଲା, ବିଭା ହେଲା ଝିଅକୁ କେତେ ଦିନ ଘରେ ରଖି ପାରିବ । ସଙ୍ଗେ ସଙ୍ଗେ ତୋ ଶଶୁର ତାହାର ଝିଅକୁ ହାତ ଧରି ଟାଣି ଟାଣି ନେଇ କହିଲା–ଚାଲ ମାଆ, ଏଠାରେ ତୋତେ ଆଉ ଦଣ୍ଡେ ହେଲେ ରହିବାକୁ ଦେବି ନାହିଁ । ଦେବୀ ମଧ୍ୟ ତତ୍‍କ୍ଷଣାତ ପାଦରେ ଚଟି ଗଳାଇ ମୋ ଆଖି ସାମନାରେ ପଟପଟ ଶବ୍ଦ କରି କରି ଚାଲିଗଲା ।

 

ତିନି ମାସ ପରେ ତାହାର ମାଆଠାରୁ ଆଉ ଖଣ୍ଡିଏ ଚିଠି ଆସିଥିଲା–ବାବା, ଗୋଲାପ, ତୁ ପୁତ୍ର ରତ୍ନଟିଏ ପାଇଲୁ । ଦେବୀ ଏବେ ବି ବାପଘରେ ଅଛି । ଯଦିଚ ଏଯାଏ ମୋର ନାତିର ମୁଖ ଦେଖିବାର ସୌଭାଗ୍ୟ ହୋଇ ନାହିଁ, ତଥାପି ମୋର ନାତି ହୋଇଛି ବୋଲି ଖବର ପାଇ ମୁଁ ଖୁବ୍ ଖୁସି ହୋଇଛି, ବାବା ।

 

ସେହି ଦିନ ନିଜ ସନ୍ତାନର ମୁଖ ଦେଖିବା ପାଇଁ ଗୋଲାପ ଅତିଶୟ ଚଞ୍ଚଳ ହୋଇପଡ଼ିଥିଲା । କିନ୍ତୁ ବିଲାତରୁ ସ୍ଵଦେଶକୁ ଫେରିଆସିବାର କ୍ଷମତା ତାହାର ନଥିଲା ।

 

ରାତିରେ ଶୋଇବାକୁ ଗଲାବେଳେ ଗୋଲାପ ତାହାର ମାଆକୁ ପଚାରିଲା–ମାଆ, ଦେବୀ କଅଣ ଚିରଦିନ ପାଇଁ ତାହାର ବାପଘରେ ରହିବ ?

 

ମାଆ ମର୍ମାହତ ହୋଇ ଜବାବ ଦେଲା–ମୁଁ କେମିତି ସେ କଥା କହିପାରିବି, ବାବା । ଚନ୍ଦନର ବିବାହ ସମୟରେ ଏକରକମ ତାହାର ହାତ ଓଠ ଧରି ତାହାକୁ ଏ ଘରକୁ ଆଣିଥିଲି । ସେ ଏତେଦିନ ଯାଏ ବାପଘରେ ନଥିଲେ ଚନ୍ଦନର ଆହୁରି ଭଲଘରର ଝିଅ ସାଙ୍ଗରେ ବିଭାଘର ହୋଇପାରିଥାଆନ୍ତା । ସେ ବି ଅନେକ ଟଙ୍କା, ପଣ ଓ ଜିନିଷପତ୍ର ପାଇପାରିଥାଆନ୍ତା । ଭଗବାନଙ୍କୁ ଡାକୁଛି, ବାବା, ଏମିତିକା ବୋହୂ ଯେମିତି କାହାରି ଭାଗ୍ୟରେ ନ ଜୁଟୁ । ବାପର ଟଙ୍କା ଅଛି ବୋଲି କୌଣସି ବୋହୂର ଏତେ ଅହଙ୍କାର ରହିବା ଉଚିତ ନୁହେଁ ।

 

ଗୋଲାପ ଛାତି ଫୁଲାଇ କହିଲା–ମୁଁ ବି ତିରିଶ ହଜାର ଟଙ୍କା ଆଣିଛି । ନୂଆ କୋଠାଟିଏ ତିଆରି କଲେ ଦେଖିବୁ, ସେହି ବୋହୂ ଆସି ଫେର୍ ମୋ ଗୋଡ଼ ଧରିବ ।

 

ଠିକ୍ ସେତିକିବେଳେ ରେଖା ଦୁଧ ଗିଲାସ ନେଇ ସ୍ୱାମୀର ଘରକୁ ଯାଉଥିଲା । ଆଗରୁ ଦେବୀ ପ୍ରତି ତାହାର ମନରେ ତୀବ୍ର ଘୃଣା ଥିଲା । ଦେଢ଼ଶୁରର ଏହି କଥା ଶୁଣି ସେ ସ୍ୱାମୀକୁ କହିଲା–ତୁମ ଭାଉଜ ଏତେ ନୀଚ କାହିଁକି ? ସ୍ଵାମୀ ଗରିବ ଥିଲାବେଳେ ସେ ବାପଘରକୁ ଚାଲିଗଲା, ଆଉ ଏକ୍ଷଣି ସ୍ଵାମୀ କିଛି ଟଙ୍କା ରୋଜଗାର କରୁଛି ବୋଲି ତାହାର ଗୋଡ଼ ତଳେ ପଡ଼ିବ ? ବଡ଼ଘରର ଝିଅମାନେ କଅଣ ଏତେ ନୀଚ ହୁଅନ୍ତି ?

 

ଚନ୍ଦନ ଜବାବ ଦେଲା–ନାରୀ ନରକର ଦ୍ଵାର ଏବଂ ପୁଅଝିଅଙ୍କ ପାଇଁ ସ୍ତ୍ରୀର ପ୍ରୟୋଜନ, ଏହିସବୁ ଧାରଣା ହଜାରେ ବର୍ଷ ହେଲା ଆମ ସମାଜରେ ଚଳି ଆସୁଛି । ସେଇଥିପାଇଁ ଝିଅମାନେ ନିଜକୁ ସେହି ଭାବରେ ତିଆରି କରନ୍ତି । ଏଥିରେ ସେମାନଙ୍କ ମନର ଜୋର୍‍ ଏତେ ଟାଣ ରହିବ କିପରି !

 

ରେଖା କିଛି କ୍ଷଣ ଚିନ୍ତା କରି କହିଲା–ସବୁ ଝିଅ ତ ଏତେ ଦୁର୍ବଳ ନୁହନ୍ତି ।

 

ଯେଉଁ ଝିଅମାନଙ୍କର ନିଜର ଶକ୍ତି ଉପରେ ଆସ୍ଥା ଅଛି, ସେମାନେ କଦାପି ଏମିତିକା ହେବେ ନାହିଁ ।

 

ଦେଢ଼ଶୁର ଓ ସ୍ୱାମୀର କଥା ଭାବୁଁ ଭାବୁଁ ରେଖାକୁ ନିଦ ଆସିଗଲା । ସକାଳେ ନିଦ ଭାଙ୍ଗିଲା କ୍ଷଣି ଘରେ ଗୋଳମାଳର ଶବ୍ଦ ତାହାର କାନରେ ବାଜିଲା । ଭାବିଲା, ହୁଏତ ନୂଆ ଜମି ଓ ଆସବାବପତ୍ର କିଣା ସମ୍ପର୍କରେ ମାଆ ଓ ପୁଅଙ୍କ ଭିତରେ କଥା କଟାକଟି ଚାଲିଛି । ଗତ ତିନି ଦିନ ହେଲା ଏହି ବିଷୟରେ ବହୁବାର ସେମାନଙ୍କ ଭିତରେ ଝଗଡ଼ା ହୋଇଛି । କିନ୍ତୁ ଜଣେ ମହିଳାର ଗଳା ଶୁଣି ରେଖାର ସେହି ଭୁଲ ଭାଙ୍ଗିଲା । ଦୁଆର ଖୋଲି ସେ ବାହାରକୁ ଆସି ଦେଖିଲା, ଦେବୀ ଖଟ ଉପରେ ବସି ବଡ଼ ପାଟିରେ କଳି କରୁଛି ।

 

ଶାଶୁ କହିଲା, ସେହି ଦିନ ଏମିତି ତରବରରେ ଏଠାରୁ ଚାଲିଗଲୁ ଯେ ସତେଯେମିତି ସେଠାରେ ତୋ’ପାଇଁ କେହି ଭାତ ବାଢ଼ି ବସିଥିଲା । ଚନ୍ଦନର ବିଭାଘରବେଳେ କେତେ କୁହାବୋଲା କରିବାରୁ ଆସି ମାତ୍ର ଦିନ ତିନିଟା ଯାଉ ନ ଯାଉଣୁ ତୁ ହମହମ ହୋଇ ପୁଣି ଏଠାରୁ ଚାଲିଗଲୁ । ଭାବିଥିଲୁ, ଶଶୁର ଘର ଗରିବ ବୋଲି ଚାରିଆଡ଼େ ଢୋଲ ବାଡ଼େଇ ଘୂରି ବୁଲି ପାରିବୁ-

 

ଦେବୀ ଚଢ଼ା ଗଳାରେ କହିଲା–ତେଣେ ରାଇଜ ଯାକର ଲୋକେ କହିବୁଲୁଛନ୍ତି ଯେ ଦେବୀର ସ୍ଵାମୀ ଏତେ ଟଙ୍କା ରୋଜଗାର କରୁଛି, ତୁମେ କାହିଁକି ଝିଅଟାକୁ ଆଣି ଏତେଦିନ ହେଲା ତୁମ ଘରେ ରଖିଛ ? ଚାରିଆଡ଼େ ଲୋକଙ୍କ କଥା ଶୁଣି ବାବା ମୋତେ ଯିବାକୁ କହିଲେ ।

 

ଶାଶୁ ଜୋରରେ ଖୁଣ୍ଟା ଦେଲା–ଓ, ତାହାହେଲେ ଲୋକନିନ୍ଦାର ଭୟରେ ସେଠାରୁ ପଳାଇ ଆସିଲୁ । ଖୁବ୍ ତ ଛାତି ଟାଣ କରି ଚାଲିଯାଇଥିଲୁ, ଏକ୍ଷଣି ଆଉ ମୁକାବିଲା କରିପାରିଲୁ ନାହିଁ ।

 

ରେଖା ଅଦୂରରେ ଠିଆହୋଇ ଲକ୍ଷ୍ୟକଲା, ଦେଢ଼ଶୁର ସ୍ତ୍ରୀର ପଛରେ ଛିଡ଼ା ହୋଇ ମାଆକୁ ଚୁପ୍‍ କରିବା ପାଇଁ ଇଙ୍ଗିତ ଦେଲା । ରେଖା ଭାବିଲା, ଯାହାହେଉ ପଛକେ ଯଦି ସ୍ୱାମୀ ନିଜ ସ୍ତ୍ରୀର ସମ୍ମାନ ରଖିବା ପାଇଁ ଚେଷ୍ଟା ନ କରେ ତାହାହେଲେ ଆଉ କଅଣ ହେବ !

 

ଗୋଲାପର ମାଆ ଚଢ଼ା ଗଳାରେ କହିଲା–ଏ ଘରେ ରହିବାକୁ ହେଲେ ଏତେ ଦିମାକ ଦେଖାଇଲେ ଚଳିବ ନାହିଁ । ସନ୍ଧ୍ୟାବେଳେ ବାପଘରକୁ ଯାଇ ଶାଢ଼ି ଫାଢ଼ି ଯାହା କିଛି ଏଠାରୁ ନେଇ ଯାଇଥିଲୁ ସବୁ ନେଇ ଆସିବୁ ।

 

ଦେବୀ ମାସେ ଖଣ୍ଡେ ଟିକିଏ ଚୁପ୍‍ଚାପ୍‍ ରହିଲା । କିନ୍ତୁ ତା’ପରେ ସେ ନିଜର ଅସଲ ରୂପ ଧାରଣ କଲା । ଏବେ ସେ ଆଉ ବାପଘରକୁ ଯିବା କଥା ଉଠାଏ ନାହିଁ । ମଝିରେ ମଝିରେ ସେ ପଦେ ଦୁଇ ପଦ କଥାର ନିଆଁ ହୁଳା ଶାଶୁର ଦେହରେ ଚେଙ୍କି ଦିଏ । ଏଣେ ଗୋଲାପ ଓ ଦେବୀର ସମ୍ପର୍କ ଦିନକୁ ଦିନ ଗଭୀର ଓ ନିବିଡ଼ ହେବାକୁ ଲଗିଲା । ଗୋଲାପର ମାଆ ଲକ୍ଷ୍ୟକଲା, ଗୋପ ଓ ଶ୍ୟାମର ଭାଗରେ ଗିଲାସେ ଦୁଧ ପଡ଼େ ନାହିଁ, କିନ୍ତୁ ନାତି ସୁନ୍ଦର ଦୁଇ ଓଳି ପେଟ ପୂରା ଦୁଧ ଖାଏ । ଏହି କଥା ନେଇ ଦିନେ ପାଟି ଫିଟାଇବାରୁ ଦେବୀ ବିଦ୍ରୂପ କରି ଶାଶୁକୁ କହିଲା–ଭାଗ୍ୟକୁ ମୋ ସ୍ୱାମୀ ବେଶୀ ଟଙ୍କା ରୋଜଗାର କରି ଆଣିଛି, ନୋହିଲେ ଦୁଧ ତ ଦୂରର କଥା, ଭାତ ମୁଠାଏ ତୁମକୁ ଆଜି ମିଳନ୍ତା ନାହିଁ ।

 

ଦେଖୁଁ ଦେଖୁଁ ସେମାନଙ୍କର ପାରିବାରିକ ସମ୍ପର୍କ ଜଟିଳ ଓ ତିକ୍ତ ହେବାକୁ ଲାଗିଲା । ଦିନେ ଦେବୀ କଇଁ କଇଁ କାନ୍ଦି ସ୍ଵାମୀକୁ କହିଲା–ଶୁଣୁଛ, ତୁମେ ଯେତେ ଖଟି ଖଟି ମର, ଯେତେ ଟଙ୍କା ରୋଜଗାର କର ନା କାହିଁକି, ଏ ଘରର ଲୋକଙ୍କୁ କେବେ ଖୁସି କରିପାରିବ ନାହିଁ । ଅନବରତ ଏଟା ନାହିଁ, ସେଟା ନାହିଁ ଲାଗି ରହିଛି । ସାମାନ୍ୟ ଖଣ୍ଡିଏ ପାମ୍ପଡ଼ ସୁନ୍ଦରକୁ ଭାଜି କରି ଦେଲି ବୋଲି ମାଆ ଘର ଦୁଆର କମ୍ପାଇ ହୈଚୈ କଲେ । ମୋର ଅପରାଧ ଏତିକି ଯେ ମୁଁ ଗୋପ ଓ ଶ୍ୟାମକୁ ଦେଇ ନାହିଁ । ଜିନିଷ ନ ଥିଲେ ଆଉ କେଉଁଠୁ ଆଣି ଦେବି !

 

ଏହା ଶୁଣି ଗୋଲାପ ରାଗରେ ଜଳିଗଲା । କାଣ୍ଡଜ୍ଞାନ ହରାଇ ସେ ସିଧା ଧାଇଁଯାଇ ଶ୍ୟାମ ଓ ଗୋପର ଗାଲରେ ଦୁଇ ଥାପଡ଼ ବସାଇ ଦେଲା ।

 

ମାଆ ଆର୍ତ୍ତନାଦ କଲା–କିରେ, କିରେ, ସେମାନଙ୍କୁ ମାରୁଛୁ କାହିଁକିରେ !

 

ଗୋଲାପ ରାଗରେ ଫୁଲିଯାଇ କହିଲା–ତୋର ଏତେ ମୁଣ୍ତ ବଥଉଛି କାହିଁକି ! ବୁଢ଼ୀ ହେଲୁଣି, ଚୁପ୍‍ ହୋଇ ଗୋଟିଏ କୋଣରେ ବସିଥାଆ ।

 

ମାଆ ପୁଣି କହିଲା–ଏତେ ରାଗୁଛୁ କାହିଁକିରେ, ବାବା । ତୋରି ପୁଅ ଏକା ଆନନ୍ଦରେ ଯାହାଇଚ୍ଛା ଖାଉ ଥାଉ । କିରେ, ଗୋପ ଆଉ ଶ୍ୟାମ ତ କେଉଁଠୁ ସାଉଁଟି ଆଣିଲା ପିଲା ନୁହନ୍ତି । ଦୁଇ ଖଣ୍ଡ ପାମ୍ପଡ଼ ଏକା ସୁନ୍ଦରକୁ ନ ଦେଇ ଶ୍ୟାମ ଓ ଗୋପର ହାତରେ ସେଥିରୁ ଭାଙ୍ଗି ଟିକିଏ ଟିକିଏ ଦେଇଥିଲେ କଅଣ ତାହାର ପେଟରୁ ଊଣା ହୋଇଥାଆନ୍ତା !

 

ସଙ୍ଗେ ସଙ୍ଗେ ଦେବୀ ସ୍ୱାମୀକୁ କହିଲା–କହୁଥିଲି ପରା, ଆମ ସୁନ୍ଦରକୁ ସେମାନେ ଦୁଇ ଆଖିରେ ଦେଖି ପାରୁ ନାହାନ୍ତି ।

 

ଗୋଲାପର ମାଆ ଗର୍ଜନ କଲା–କେଉଁଠିକାର ଭାଇଭଗାରିଆ ଝିଅ ଆସିଛି ଆମ ଘର ଭାଙ୍ଗିବା ପାଇଁ । ତାହା ନ ହେଲେ ମୋ ଗୋଲାପ ତ କେବେ ତାହାର ଭାଇମାନଙ୍କ ଦେହରେ ହାତ ଦିଏ ନାହିଁ । ଦିନସାରା ସ୍ୱାମୀ କତିରେ ବସିରହି ସେ ତାହାର କାନ ଭିତରେ ଯାବତୀୟ ଘରଭଙ୍ଗା କଥା ପୂରାଉଛି ।

 

କିନ୍ତୁ ଗୋଲାପ ନିକଟରେ ସେହି କଥାର ଅର୍ଥ ଅନ୍ୟ ରକମ ଜଣାଗଲା । ସେ ତୁରନ୍ତ କହିପକାଇଲା–ତାହାର ମାନେ, ତୁ କହିବାକୁ ଚାହୁଁ ଯେ ମୁଁ ମୋ ସ୍ତ୍ରୀର କଥାରେ ଉଠୁଛି ବସୁଛି !

 

ମାଆ ଦିକବିଦିକ ଜ୍ଞାନଶୂନ୍ୟ ହୋଇ କହିଲା–ହଁ, ତାହା ଛଡ଼ା ଆଉ କଅଣ ! ନୋହିଲେ କଅଣ ତୁ ମୋ ପିଲାମାନଙ୍କୁ ଏମିତି ଭାବରେ ମାରି ଥାଆନ୍ତୁ । ମୋ ପୁଅ ଦୁହେଁ ଛେଉଣ୍ଡ ପିଲା କି ରେ ?

 

ଗୋଲାପ ରାଗରେ ଥରି ଥରି କହିଲା–ଆଉ ମୋ ପୁଅ ! ମୁଁ ବୋଧହୁଏ ପର ?

 

ଆଉ କିଛି କଥା ନ କହି ଗୋଲାପ ପାଖଘରକୁ ପଶିଗଲା । ଦିପହରେ ଭୋଜନ ହୋଇ ନାହିଁ, ଆଉ ତେଣେ ରାତିରେ ବି ତାଆସ ଖେଳ ହୋଇ ନଥିଲା ।

 

ଚନ୍ଦନ ଘରକୁ ଫେରିଲା ପରେ ମାଆ ତାହାକୁ ସବୁ କଥା କହିଲା । ବଡ଼ଭାଇର ବ୍ୟବହାରରେ କ୍ଷୋଭ ପ୍ରକାଶ କରି ଚନ୍ଦନ କହିଲା–ମୁଁ ଆଉ କଅଣ କହିବି ମାଆ ? ପ୍ରୟୋଜନର ଅତିରିକ୍ତ ଟଙ୍କା ହାତକୁ ଆସିଲେ ମଣିଷର କାଣ୍ଡଜ୍ଞାନ ଲୋପ ପାଏ ।

 

ଚନ୍ଦନ କଥାଗୁଡ଼ାକ ଆସ୍ତେ ଆସ୍ତେ କହିଲେ ସୁଦ୍ଧା, ପାଖ ଘରୁ ସେସବୁ ଶୁଣିପାରି ଗୋଲାପ ଚିତ୍କାର କଲା–ହଁରେ, ମୋର କାଣ୍ଡଜ୍ଞାନ ଥିଲେ କଅଣ ଆଉ ନିଜର ରକ୍ତକୁ ପାଣି କରି ଅର୍ଜିତ ଟଙ୍କାରେ ତୁମ୍ଭମାନଙ୍କୁ ପୋଷୁ ଥାଆନ୍ତି ! କେତୁଟା ଦିନ ହେଲା ତ ଆସିଛି । ତାହାରି ଭିତରେ ଜମା ଛଅ ଶହ ଟଙ୍କା ଖରଚ ହୋଇଛି !

 

ଚନ୍ଦନ ବୁଝିଲା, ଏକ୍ଷଣି ମୁହଁ ଖୋଲିଲେ ଝଗଡ଼ା ଲାଗିବ । ସୁତରାଂ ସେ କହିଲା–ହୁଏତ ମାଆ ରାଗରେ ତୁମକୁ ଗୋଟାଏ କିଛି କହିଦେଇଛି । ତାହା ବୋଲି ତୁମର ଏତେ ଅଧୈର୍ଯ୍ୟ ହେବା ଉଚିତ ହୋଇ ନାହିଁ । ଯେତେହେଲେ ସେ ତ ତୁମର ମାଆ !

 

ଗୋଲାପ କହିଲା–ସେଟା ସତ । ଏବେ ତ କଳିର ସନ୍ଧ୍ୟା । ଏହାପରେ ଘରଦ୍ୱାର କଲେ ଆହୁରି କେତେ କଥା ଶୁଣିବାକୁ ହେବ । ଏତେଦିନ ହେଲା ମୁଁ ଦେବୀର କଥା ବିଶ୍ଵାସ କରୁନଥିଲି । ଏକ୍ଷଣି ଦେଖୁଛି, ତାହାର କଥା ଅକ୍ଷରେ ଅକ୍ଷରେ ଫଳୁଛି । ଅସଲ କଥା ହେଲା, ମୁଁ କେତେ ହଜାର ଟଙ୍କା ରୋଜଗାର କରିଛି ବୋଲି ତୁମମାନଙ୍କର ଦେହ ସହୁ ନାହିଁ । ଯଦି ଏତେ କ୍ଷମତା ଅଛି, ତାହାହେଲେ ଟଙ୍କା ରୋଜଗାର କରି ଦେଖାଇ ଦେଇ ପାରୁ । ପରର ଦେଖି ଏତେ ଜଳିଯାଉଛୁ କାହିଁକି !

 

ମାଆ ଆଉ ଚୁପ୍‍ ହୋଇ ରହିପାରିଲା ନାହିଁ । ଅଳ୍ପ ସମୟ ଭିତରେ ସମସ୍ତଙ୍କର କଥା କଟାକଟି ଓ ହୈଚୈ ଘରର ବାତାବରଣକୁ ଗରମ କରିଦେଲା । ଯାହା ତୁଣ୍ଡକୁ ଆସିଲା ଗୋଲାପ ସମସ୍ତଙ୍କୁ ତାହା କହିଲା । ଶେଷରେ ସଶବ୍ଦରେ ଛେପ ପକାଇ ସେ କହିଲା–ଆଗରୁ ଯେମିତି କାଙ୍ଗାଳଙ୍କ ପରି ଚଳୁଥିଲ, ଏଣିକି ସେୟା ହେବ । ଏତେଦିନ ହେଲା ମୁଣ୍ଡର ଝାଳ ତୁଣ୍ତରେ ମାରି ମୁଁ ତୁମ୍ଭମାନଙ୍କର ଯେଉଁ ଉପକାର କରିଛି, ଯେତେବେଳେ ସେସବୁର କିଛି ଫଳ ନାହିଁ, ସେତେବେଳେ ମୋର ଆଉ ଏ ଘରେ ରହିବା କି ଦରକାର ।

 

ପରଦିନ ଗୋଲାପ ସତକୁ ସତ ଦେବୀ ଓ ସୁନ୍ଦରକୁ ନେଇ ହୋଟେଲରେ ଯାଇ ରହିବା ପାଇଁ ପ୍ରସ୍ତୁତ ହେଉଥିଲା । ଏହା ଦେଖି ତାହାର ମାଆ କହିପକାଇଲାଲା । କାନ୍ଦୁ କାନ୍ଦୁ ସେ କହିଲା–ଜୀବନଟା ଯାକ ଅଭାବ ଅନାଟନ ଭିତରେ କଟାଇଛି, ଛିଣ୍ଡା ତାଳିପକା ଲୁଗା ପିନ୍ଧି ଦିନ ବିତାଇଛି, କେତେ ଦିନ ଉପବାସ ବି ରହିଛି । ଭାବିଥିଲି ଏତେଦିନ ଟିକିଏ ଭଲଭାବରେ ଖାଇ ପିଇ ବାକି ଦିନଗୁଡ଼ାକ କୌଣସିମତେ କଟାଇ ଦେବି । ମାତ୍ର ଭଗବାନ ତାହା ସହିପାରିଲେ ନାହିଁ ।

 

ଗୋଲାପ କହିଲା–ଭଗବାନଙ୍କର କାହିଁକି ଅସହ୍ୟ ହେବ, ସେ ଠିକ୍ ସହିଛନ୍ତି । ସହ୍ୟ ହେଲା ନାହିଁ ତୋର କାଙ୍ଗାଳ ଚନ୍ଦନର । ଟଙ୍କା ହୋଇଛି ବୋଲି ମୁଁ କୁଆଡ଼େ କାଣ୍ଡଜ୍ଞାନ ସବୁ ହରାଇ ବସିଛି ।

 

ମାଆ ପୁଣି ଦୁଃଖରେ କହିଲା–ମୋ ଚନ୍ଦନ ହିଁ ରାଇଜ ଯାକର ଅନର୍ଥର ମୂଳରେ ଅଛି । ଯଦି ସେ ଖଣ୍ଡିଏ ଭଲ ଚାକିରି କରିଥାଆନ୍ତା ଏବଂ ମୋଟା ଦରମା ପାଉଥାଆନ୍ତା, ତାହାହେଲେ ଆମର ଆଜି ଏତେ ଦୁଃଖ ନ ଥାଆନ୍ତା ।

 

ରେଖା ଥରେ ଶାଶୁର ମୁହଁକୁ ଏବଂ ତା’ପରେ ଥରେ ଦେଢ଼ଶୁରର ମୁହଁକୁ ଅନାଇ ମୁଖ ବୁଲାଇନେଇ ରୋଷେଇ କରିବାକୁ ଚାଲିଗଲା । ଗୋଲାପ କହିଲା–ଦେଖଛି, ଆଜିକାଲି ସାନବୋହୂ ବି ଏମିତି ଦିମାକ ଦେଖାଉଛି ଯେ ମନେହେଉଛି, ସତେଯେମିତି ତାହାର ବାପଘରର ସମ୍ପତ୍ତି ବିକି ଭାଙ୍ଗି ଆମେ ଚଳୁଛୁ ।

 

କଥାଗୁଡ଼ାକ ରେଖାର କାନରେ ବାଜିଲା । ସେ ମନେମନେ ଭାବିଲା, କଳି କେଉଁଠୁ ଆରମ୍ଭ ହୋଇଛି, ଆଉ କୁଆଡ଼େ ଯାଉଛି ! ଚନ୍ଦନର କାନରେ ନିଶ୍ଚୟ ଏସବୁ କଥା ପଡ଼ୁଛି, କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ସେ ପଦେହେଲେ କଥା କହୁ ନାହିଁ । ସ୍ୱାମୀର ଏହି ଭୂମିକା ରେଖାକୁ ଖୁବ୍ ଭଲ ଲାଗିଲା । ସେ ମନେମନେ ସ୍ୱାମୀକୁ ପ୍ରଣାମ କଲା ।

 

ଯାହା ହେବାର କଥା ତାହାହିଁ ହେଲା । ଗୋଲାପ ଗୋଟିଏ ଫ୍ଲାଟରେ ଯାଇ ରହିଲା । ତାହା ସାଙ୍ଗରେ ମାଆ ଓ ସାନଭାଇ ଦୁହେଁ ଗଲେ । ସେମାନଙ୍କର ଯିବାବେଳେ ରେଖାର ମୁଖ ଅତ୍ୟନ୍ତ କରୁଣ ଦିଶିଲା । ସେହି ସମୟରେ ତାହାର ଆଖି ଓ ମୁଖ ଦେଖି ମନେହେଉଥିଲା, ଯେମିତି ସେ ଅନେକ ଦିନ ହେଲା କାନ୍ଦୁଛି । ଶାଶୁର ପେଟରା ଓ ବାକ୍ସ ଗାଡ଼ିରେ ଉଠାଇ ଦେଉଁ ଦେଉଁ ରେଖା କହିଲା–ମାଆ, ତୁମର ସାନବୋହୂକୁ ଭୁଲିଯିବ ନାହିଁ । ନିତି ଅନ୍ତତଃ ଥରେ ଲେଖାଏଁ ଆସିବ । ଏହି ଘରେ ମୋତେ ଦିନସାରା ଏକା ରହିବାକୁ ହେବ ଭାବିଲା କ୍ଷଣି ଭାରି ଡର ମାଡ଼ୁଛି ।

 

ସଙ୍ଗେ ସଙ୍ଗେ ଦେବୀ କହିପକାଇଲା–ଆହା, ମରିଯାଉଥାଏ, ଆମ ଘରେ ବୋଧହୁଏ ଆଉ କିଛି କାମ ଦାମ ନାହିଁ । ନିତି ନିତି ଆସି ଏହି ଚୌଧୁରାଣୀକୁ ଦେଖିଯିବାକୁ ହେବ ! ମାଆ, ତୁମେ ତାହାକୁ କହିଦିଅ ତ, ପ୍ରୟୋଜନଟା ତାହାର ନା ଆମର । ଯଦି ଘରେ ଏକା ରହିଲେ ତୋତେ ଡରମାଡ଼ିବ, ତୁ ଆମ ଘରକୁ ଯିବୁ । ଆମେ କେଉଁ ଦୁଃଖରେ ଏଠାକୁ ଆସିବୁ !

 

ରେଖାର ଖୁବ୍ ଇଚ୍ଛା ହେଲା କହିଦେବାକୁ, ପିମ୍ପୁଡ଼ିର ପର ଲାଗେ ମରିବା ପାଇଁ । କିନ୍ତୁ ବିଦାୟବେଳେ ଏହି ରକମ ଅପ୍ରିୟ ସତ୍ୟ କଥା କହିବାକୁ ତାହାର ମନ ବଳିଲା ନାହିଁ । ସେ ଚୁପ୍‍ ହୋଇ ରହିଲା । ଆଜି ଦେବୀ ଆଡ଼କୁ ତରାଜୁ ଢଳିଛି । ତାହାର ଜୟ ହେଉ !

 

ଯିବାବେଳେ ଗୋଲାପର ମାଆ କାନ୍ଦି କାନ୍ଦି ରେଖାକୁ କୁଣ୍ଢାଇ ଧରି କହିଲା–ହୁସିଆର ହୋଇ ରହିବୁ, ମାଆ । ତୋ’ପରି କୋମଳ ମତି ଝିଅକୁ ଏଠାରେ ଏକା ଛାଡ଼ିଦେଇ ଯିବାକୁ ମୋତେ ଭାରି କଷ୍ଟ ହେଉଛି । ପରେ ଗୋଲାପ ମୋତେ ଭୁଲ ନ ବୁଝୁ, ସେଇଥିପାଇଁ ଆଜି ତାହା ସାଙ୍ଗରେ ଯାଉଛି । ତାହା ଛଡ଼ା, ମୋ ଜୀବନଟା ଯାକ ତ ଦୁଃଖ କଷ୍ଟ ଭିତରେ କଟିଲା, ବାକି ଦିନଗୁଡ଼ାକ ଯଦି ଟିକିଏ– ।

 

ନୂଆ ଜାଗାକୁ ଯିବାର ଆନନ୍ଦରେ ଶ୍ୟାମ ଉତ୍‍ଫୁଲ୍ଲ ଦିଶୁଥିଲେ ସୁଦ୍ଧା ଗୋପ ମନମରା ଜଣାଯାଉଥିଲା । ସେହି ଦୁଇଜଣଙ୍କୁ ବିଦାୟ ଦେଲାବେଳେ ରେଖା ଭୋ ଭୋ ହୋଇ କାନ୍ଦିପକାଇଲା । ଦେବୀ ଚଟି ପିନ୍ଧି ପଟପଟ କରି ଯାଉଁ ଯାଉଁ ଗରମ ମସଲାର ଶିଶିଟା ମୁଣିରେ ପୂରାଇ କହିଲା–ହେଉ, ରେଖା, ଏବେ ଯାଉଛି ।

 

ସୁନ୍ଦର ଟା ଟା କହିଲା । ସୁନ୍ଦରକୁ କାଖେଇ ରେଖା ଆର୍ତ୍ତନାଦ କଲା । ଦେବୀ ସୁନ୍ଦରକୁ ତାହାର କୋଳରୁ ନେଇଯାଇ ଥରେ ହେଲେ ପଛକୁ ନ ଚାହିଁ ସିଧା ଚାଲିଗଲା ।

 

ପରାଜିତ ସୈନିକ ପରି ଟଳି ଟଳି ଆସି ରେଖା ବିଛଣାରେ ପଡ଼ିଯାଇ ଧକେଇ କାନ୍ଦିଲା-। ତାହାର ଆଖିର ଲୁହରେ ତକିଆ ଓଦା ହୋଇଗଲା, କିନ୍ତୁ ଦୁଃଖ ଲାଘବ ହେଲା ନାହିଁ-

 

 

ରାତି ସାଢ଼େ ଦଶଟା । ବର୍ଷା ଛାଡ଼ିଲାଣି । ଏଯାଏ ଚନ୍ଦନ ଘରକୁ ଫେରି ନାହିଁ ।

 

ରେଖା ବହଳ ଅନ୍ଧାର ଆଡ଼କୁ ଅନାଇ ଭାବୁଛି, ଏ ଧରଣର ଜୀବନ ତାହାକୁ ଆଉ କେତେ ବର୍ଷ ବିତାଇବାକୁ ହେବ କେଜାଣି । ଏକ ଅସହ୍ୟ ଦୁଃଖର ଯନ୍ତ୍ରଣାରେ ତାହାର ମନ ହାହାକାର କଲା । ସେ ଏକା ବସିରହି ଅନେକ କ୍ଷଣଯାଏ ଚିନ୍ତା କଲା । ହଠାତ୍ ଏକ ସମୟରେ ତାହାର ମନେହେଲା, ତାହାର ଛାତିର ଡାହାଣ ପଟଟା ଚିନ୍‍ଚିନ୍‍ କରୁଛି । ସେ ଏହାର କାରଣ ମନେମନେ ଖୋଜିବାକୁ ଚେଷ୍ଟାକଲା । ଗୋଟିଏ ସୁନ୍ଦର ଶିଶୁର ଛବି ତାହାର ମନ ଆକାଶରେ ଭାସି ଉଠିଲା ।

 

ଅନେକ କ୍ଷଣ ପରେ ଦରଜାରେ ଖଟଖଟ ଆବାଜ ଶୁଭିଲା । କ୍ଳାନ୍ତ ଶ୍ରାନ୍ତ ଚନ୍ଦନ ଘରେ ପ୍ରବେଶ କଲା । ତାହାର ଅଲକ୍ଷ୍ୟରେ ଚନ୍ଦନ ବହୁତ ବେଳଯାଏ ରେଖା ଆଡ଼କୁ ଚାହିଁ ରହିଲା । ଏକ ଅଦ୍ଭୁତ ବିଷାଦ ଭିତରେ ବି ରେଖା ସୁନ୍ଦର ଦିଶୁଥିଲା । ଖିଆପିଆ ସାରି ରେଖା ଅନ୍ୟଆଡ଼କୁ ମୁହଁ ବୁଲାଇ ଶୋଇପଡ଼ିଲା । କିଛି କ୍ଷଣ ପଦାଚାରଣ କରି ଚନ୍ଦନ ଆସି ବିଛଣାରେ ବସିଲା । ପଡ଼ିଶା ଘରର କାନ୍ଥ ଘଡ଼ିରେ ଘଣ୍ଟାଟା କେତେଥର ବାଜିଲା ।

 

ରେଖାର ଆଖିକୁ ନିଦ ଆସୁ ନଥିଲା । ତଥାପି ଯେତେବେଳେ ସ୍ୱାମୀ ତାହାକୁ ପଚାରିଲା ଯେ ସେ ଶୋଇ ପଡ଼ିଲାଣି କି ନା, ସେତେବେଳେ ସେ କିଛି ଜବାବ ଦେଲା ନାହିଁ । କିନ୍ତୁ ସେ ବେଶୀ ବେଳଯାଏ ଛଳନା କରି ରହିପାରିଲା ନାହିଁ । ଚନ୍ଦନ ରେଖାର ଦେହରେ ହାତ ଦେଲା ମାତ୍ରେ ସେ ତାହାର ହାତଟା ଘୁଞ୍ଚାଇ ଦେଲା । ଚନ୍ଦନ ନିଜର ଅପରାଧ ସ୍ୱୀକାର କରି କହିଲା–ସତରେ ଆଜି ମୋର ଘରକୁ ଫେରିବାରେ ଢେର୍ ଉଛୁର ହୋଇଗଲା । କିନ୍ତୁ କାହିଁକି ହେଲା, କହିପାରିବ ?

 

ରେଖା କିଛି ଜବାବ ଦେଲା ନାହିଁ ।

 

ଚନ୍ଦନ ପୁଣି କହିବାକୁ ଲାଗିଲା–ଆଜି ମୋର ଜଣେ ସହକର୍ମୀର ସ୍ତ୍ରୀର ଦେହାନ୍ତ ହେଲା-। ମୋତେ ଶ୍ମଶାନକୁ ଯିବାକୁ ପଡ଼ିଲା । ସେଠାରୁ ସିଧା ଘରକୁ ଫେରୁଛି ।

 

ସଙ୍ଗେ ସଙ୍ଗେ ତାହାର ଆଖି ଆଗରେ ଭାସିଗଲା ସେହି ସହକର୍ମୀର ଚେହେରା । କି ଅଦ୍ଭୁତ ମମତାପୂର୍ଣ୍ଣ ଦୃଷ୍ଟିରେ ସେ ସ୍ତ୍ରୀର ମୃତ ଦେହ ଆଡ଼କୁ ଅନାଇଥିଲା । ସେହି ଛବିଟି ଆଖି ସାମନାରେ ଭାସିଲା ମାତ୍ରେ ଚନ୍ଦନର ସର୍ବାଙ୍ଗରେ ଶିହରଣ ଖେଳିଗଲା । ହଠାତ୍ ରେଖାକୁ ପାଖକୁ ଟାଣିନେଇ ସେ ଲକ୍ଷ୍ୟକଲା ଯେ ସେ କାନ୍ଦୁଛି । ଅନେକ କ୍ଷଣ କିଛି କଥା ନ କହି ଏକ ଦୃଷ୍ଟିରେ ତାହା ଆଡ଼କୁ ଅନାଇ ତାହାକୁ ଆହୁରି ଜୋରରେ ଭିଡ଼ି ଧରି ସେ କୋମଳ କଣ୍ଠରେ ପଚାରିଲା–ରେଖା, କାନ୍ଦୁଛ କାହିଁକି ? କଅଣ ଚାହଁ, କହୁ ନାହଁ ?

 

କିଛି ନୁହେଁ–ରେଖା ସ୍ୱାମୀର ଛାତିରେ ମୁହଁ ଲୁଚାଇଲା ।

 

ଚନ୍ଦନ ଅନେକ କ୍ଷଣ କିଛି କଥା କହିପାରିଲା ନାହିଁ । ତା’ପରେ ସେ କହିଲା–ମୁଁ ତ ତୁମର କିଛି ଅଭାବ ରଖି ନାହିଁ । ତୁମର ଖିଆପିଆରେ ଯେମିତି କିଛି କଷ୍ଟ ନ ହୁଏ, ସେଥି ପ୍ରତି ମୁଁ ବରାବର ନଜର ରଖିଛି ।

 

ରେଖା ବହୁ କଷ୍ଟରେ କହିପକାଇଲା–ଖିଆପିଆ ତ ବାପଘରେ ବି ହେଉଥିଲା ! ବିବାହ କଅଣ ସେଇଥିପାଇଁ ହୁଏ ?

 

ଆଚ୍ଛା, ତୁମେ କୁହ ତ, ବିବାହ କେଉଁଥି ପାଇଁ ହୁଏ ?

 

ସୁଖକର ଦାମ୍ପତ୍ୟ ଜୀବନ ପାଇଁ । ନୁହେଁ ?

 

ତୁମର କଅଣ ଧାରଣାଯେ ମୁଁ ତୁମକୁ ଭଲପାଏନା ?

 

ଥାଉ । ସେହି ବିଷୟରେ ତୁମକୁ ଆଉ କିଛି ନୂଆ ବକ୍ତୃତା ଦେଇ ବୁଝାଇବା ପାଇଁ ଚେଷ୍ଟା କରିବାକୁ ହେବ ନାହିଁ । ମୁଁ ତୁମକୁ ଏ ବିଷୟରେ କେବେ କିଛି କହିବି ନାହିଁ । ଏଣିକି ତୁମେ ଯେତେ ଇଚ୍ଛା ସେତେ ଉଛୁର କରି ଫେରି ପାର ।

 

ଦେଖ ରେଖା, ଯଦି ବୁଦ୍ଧି ଓ ଯୁକ୍ତିଦ୍ଵାରା ମୋତେ ବୁଝାଇବାକୁ ଚେଷ୍ଟା ନ କର, ତାହାହେଲେ ମୁଁ ସତରେ ଅକ୍ଷମ । ଅବଶ୍ୟ ତୁମେ ଯେମିତି ଭାବରେ ଚିନ୍ତା କର, ସାଧାରଣ ନାରୀମାନେ ସେୟା କରନ୍ତି । ଦେଶର ପରିସ୍ଥିତି ସମ୍ପର୍କରେ ନୂଆ କିଛି ଚିନ୍ତା କରିବାର ସୁଯୋଗ ତୁମ୍ଭମାନଙ୍କର ନଥିଲା । ଏଥିପାଇଁ ଅବଶ୍ୟ ବ୍ୟକ୍ତିଗତ ଭାବରେ ତୁମେ ଦୋଷୀ ନୁହଁ । ଦୋଷ ଆମ ସମାଜର ।

 

ତୁମର ଯାହା ଇଚ୍ଛା ତାହା କୁହ । ମୁଁ ଆଉ ତୁମକୁ କିଛି କହିବି ନାହିଁ ।

 

ଚନ୍ଦନର ମନେହେଲା, ଯେମିତି ସେ ବହୁ କଷ୍ଟରେ ଗୋଟିଏ ନୌକାକୁ କୂଳରେ ଲଗାଇବାକୁ ଚେଷ୍ଟା କରୁଥିଲା, ମାତ୍ର ହଠାତ୍ ଝଡ଼ ଓ ଉତ୍ତାଳ ତରଙ୍ଗର ଧକ୍କାରେ କୂଳରେ ନୌକା ଭିଡ଼ିପାରିଲା ନାହିଁ । ସେହି ନୌକାଟି ପୁଣି ମଝି ଦରିଆରେ ଭାସି ଭାସି ଚାଲିଗଲା । ପରିଶ୍ରାନ୍ତ ନାଉରି ପରି ସେ ସ୍ତ୍ରୀ ଆଡ଼କୁ ଅନାଇ ରହିଲା । ରେଖାର ଆଖିର କୋଣରେ ଲୁହ ଛଳ ଛଳ ହେଲା-। ତାହାର କଣ୍ଠ ସ୍ଵରରେ ବେହାଗର ମୂର୍ତ୍ତ ବିଷାଦ । ଭାବୁଁ ଭାବୁଁ ଦୁହେଁ ଶୋଇପଡ଼ିଲେ-!

 

 

ଦୁଇ ଭାଇ ଅଲଗା ହୋଇଯିବାରୁ, ରେଖା ଅତି ବିଷଣ୍ଣ ଭାବରେ ଘରେ ଏକା ଦିନ ବିତାଇବାକୁ ଲାଗିଲା । ଚନ୍ଦନ ଯାହା ରୋଜଗାର କରେ, ତାହା ଘର ଖରଚକୁ କୁଳାଏ ନାହିଁ । ମାସିକ ଦରମା ଶହେ ପଚିଶ ଟଙ୍କା ଭିତରୁ ଚାଳିଶ ଟଙ୍କା ଖାଲି ଘରଭଡ଼ା ଦେବାକୁ ହୁଏ । ଆର୍ଥିକ ଅଭାବ ସାଙ୍ଗକୁ ନିଃସଙ୍ଗ ଜୀବନ ତାହା ପକ୍ଷରେ ଅତୀବ ଦୁଃସହ ବୋଧ ହେଲା । ବେଳେବେଳେ ପ୍ରତିବେଶିନୀମାନେ ଆସନ୍ତି, କିଛି କ୍ଷଣ ଗପ ସପ ଚାଲେ । ଇତିମଧ୍ୟରେ ରାଧା ସାଙ୍ଗରେ ରେଖାର ବନ୍ଧୁତା ନିବିଡ଼ ହୋଇଛି । ମଝିରେ ମଝିରେ ଚନ୍ଦନର ବନ୍ଧୁ ମଧ୍ୟ ତାହାକୁ ଭଉଣୀ ବୋଲି ଡାକି ତାହା ସହିତ ପଦେ ଦି’ପଦ କଥା ହୁଏ । ଏକମାତ୍ର ହୀରେ ତାହାକୁ ଭାଉଜ ବୋଲି ଡାକେ । ତାହାରିଦ୍ଵାରା ରେଖା ଘରର ଛୋଟ-କାଟର ଗୋଟାଏ ଦୁଇଟା କାମ କରାଇ ନିଏ । ବିଦ୍ୟାଳୟରେ ଶିକ୍ଷକତା କରି ସାରି ହୀରେର ହାତରେ କିଛି ସମୟ ପ୍ରାୟ ବଳକା ରହେ । ଯେତେବେଳେ ରେଖା ବେରାମ ପଡ଼ିଥିଲା, ହୀରେ ତାହାର ସେବା ଶୁଶ୍ରୂଷାରେ ଯଥେଷ୍ଟ ସାହାଯ୍ୟ କରିଥିଲା ।

 

ଦିନେ ଦିପହରେ ହୀରେ ଖରାରେ ଧଇଁସଇଁ ହୋଇ ଆସି ପହଞ୍ଚିଲା ।

 

ରେଖା କହିଲା–ଏକ୍ଷଣି ତୁମେ ଆସିଲ ଖୁବ୍ ଭଲ କଲ । ଏଠାରେ ଏକା ମୋତେ ଭଲଲାଗୁନଥିଲା ।

 

ଖଟିଆ ଉପରେ ବସିପଡ଼ି ହୀରେ କହିଲା–ଭାଉଜ, ଦେଖୁଛି, ତୁମେ ସବୁବେଳେ ମନମରା ହୋଇ ରହୁଛ । ଏତେ ଉଦାସ ରହୁଛ କାହିଁକି ?

 

କେମିତି ବୁଝିଲ ?

 

ସତ କଥା କହିବି ?

 

ନା, ମିଛ କଥା କୁହ ।

 

ଯେତେବେଳେ ତୁମେ ଗଲାଥର ବେରାମ ପଡ଼ିଥିଲ, ମୁଁ ଡାକ୍ତରଖାନାରୁ ଔଷଧ ନେଇ ଆସି ଦିନେ ଦେଖିଲି ଯେ ତୁମେ ପ୍ରଳାପ କରୁଛ । ମୋତେ ଚନ୍ଦନ ବୋଲି ଭାବି ତୁମେ କଇଁ କଇଁ କାନ୍ଦି କହିଲ, ତୁମେ ହିଁ ମୋର ଦେବତା, ମୋର ଗୋଟିଏ ଛୋଟ ହାତୀ ଲୋଡ଼ା । ନା, ନା, ମୁଁ ଚାହେଁ, ମାନେ ମୁଁ କଅଣ କେବେ ମାଆ ହୋଇପାରିବି ନାହିଁ ? ଇତ୍ୟାଦି ।

 

ରେଖା ଲାଜରେ ଲାଲ ପଡ଼ିଯାଇ ତଳକୁ ମଥା ପୋତିଲା ।

 

ହୀରେ ପଚାରିଲା–ଆଚ୍ଛା, ଭାଉଜ, ବେରାମ ପଡ଼ିବା ଆଗରୁ ତୁମର ଚନ୍ଦନ ସାଙ୍ଗରେ ଝଗଡ଼ା ହୋଇଥିଲା କି ?

 

ରେଖା ମୁହଁ ନୁଆଁଇ ଆସ୍ତେ ଆସ୍ତେ କହିଲା–ତୁମେ ତ ଜାଣ ହୀରେ, ଦିନସାରା ମୋତେ ଏକା ଏହି ଘରେ ରହିବାକୁ ପଡ଼େ । ବିଶେଷତଃ ସନ୍ଧ୍ୟା ପରେ ଯେତେବେଳେ ଅନ୍ୟମାନଙ୍କ ଘରେ ଆଲୁଅଲାଗେ, ପିଲାମାନେ ବିସ୍କୁଟ ଓ ମିଠେଇ ଲାଗି ହୈଚୈ କରନ୍ତି ଏବଂ ସେମାନଙ୍କର ବାପମାନେ ଅଫିସ୍‍ କି କଳକାରଖାନାରୁ ଫେରିଆସନ୍ତି, ସେତେବେଳେ ଜାଣେ ନା କାହିଁକି ମୋ ମନ ଖୁବ୍ ଖରାପ ହୁଏ ଏବଂ ମୁଁ ଦବିଯାଏ । ହୁଏତ ସେହି ସମୟରେ ତୁମର ବନ୍ଧୁ ଅଫିସରେ ବସି ଗରିବଗୁରୁବାଙ୍କର ଦୁଃଖର କଥା ଶୁଣୁଥାଆନ୍ତି ଏବଂ ସେମାନଙ୍କୁ ନାନା ରକମର ଆବେଦନ ପତ୍ର ଲେଖି ଦେଉ ଥାଆନ୍ତି । ସେତିକିବେଳେ ମୁଁ ଏକା ଏହି ଘରେ ଥାଏଁ । ଆଉ କିଛି ନ ହେଉ ପଛକେ, ଯଦି ମୋର ଗୋଟିଏ ଛୋଟ ପିଲା ଥାଆନ୍ତା, ତାହାହେଲେ ତାହା ମୁହଁକୁ ଚାହିଁ ମୁଁ ସବୁ କିଛି ପାଶୋରି ଦିଅନ୍ତି । ତୁମ ବନ୍ଧୁଙ୍କ ମତରେ, ଏହି ଅଭାବ ଅନାଟନର ଦିନରେ ଗୋଟିଏ ନୂତନ ସନ୍ତାନ ପୃଥିବୀକୁ ଆମଦାନି କରିବା ଉଚିତ ନୁହେଁ । ତାହାକୁ ତ ମୁଁ ମଣିଷ କରିପାରିବି ନାହିଁ-

 

ହୀରେ ଅନେକ କ୍ଷଣ ମଉନ ରହି କହିଲା–ସତ କଥା କଅଣ ଜାଣ, ଭାଉଜ ? ଚନ୍ଦନର କଥାକୁ ହସି ଉଡ଼େଇଦବା ଆଦୌ ଠିକ୍ ନୁହେଁ ।

 

ତୁମେ ବି ସେହି କଥା କହୁଛ, ହୀରେ ! କାହିଁକି ? ଗରିବ ଘରେ କଅଣ ପୁଅଝିଅ ହେବା ମନା ? ଖାଲି ବଡ଼ ଘରେ ହେବେ ?

 

ଦେଖ, ଭାଉଜ ପ୍ରଶ୍ନଟା ଖାଲି ହେବା କି ନ ହେବା ନୁହେଁ, ସେମାନଙ୍କୁ ଠିକ୍‍ଭାବରେ ମଣିଷ କରିବାଟା ହେଉଛି ଅସଲ କଥା । ତା’ଛଡ଼ା ଚନ୍ଦନ ଯେମିତିକା ଦେଶ ସେବାର କାମରେ ବ୍ୟସ୍ତ, ତାହା ପକ୍ଷରେ ପୁଅଝିଅଙ୍କୁ ମଣିଷ କରିବା ପାଇଁ ଯେତିକି ସମୟ ଦେବା ଦରକାର, ହୁଏତ ସେତିକି ସମୟ ତାହାର ହାତରେ ନାହିଁ ।

 

ତୁମ ବନ୍ଧୁ ଦେଶ ସେବାର କାମରେ ବ୍ୟସ୍ତ ବୋଲି କଅଣ ମୋତେ ଏହି ଚାରି କାନ୍ଥ ଭିତରେ ଅଟକି ରହି ପଚିସଢ଼ି ମରିବାକୁ ପଡ଼ିବ ?

 

ତୁମେ ସେମିତି ଭାବରେ ମରିବାକୁ ଯିବ କାହିଁକି ? ହାଣ୍ଡିଶାଳ ଭିତରେ ଆବଦ୍ଧ ରହିବାର ଦିନ ଆଉ ନାହିଁ । ଆଜିକାଲିକା ସମାଜରେ ନାରୀମାନେ ଖାଲି ଘର-କାମରେ ନୁହେଁ, ବାହାର ଆଡ଼କୁ ମଧ୍ୟ ପାଦ ବଢ଼ାଇଲେଣି । ଆଜି ନାରୀମାନଙ୍କୁ ସାମାଜିକ ପ୍ରୟୋଜନରେ ପଦାକୁ ବାହାରିବାକୁ ହେବ, ଏପରିକି ଦରକାର ପଡ଼ିଲେ ସେମାନଙ୍କୁ ମଧ୍ୟ ରୋଜଗାର କରିବାକୁ ହେବ ।

 

ମୁଁ ରୋଜଗାର କରିବି ! ଥାଉ, ଥାଉ, ଢେର୍ ହେଲାଣି ! ହୁଏତ ଏକ୍ଷଣି ଆହୁରି ଏମିତିକା କେତେ କଥା କହିବ । କେଉଁ ବଂଶର ଝିଅ ମୁଁ ଜାଣ ? ତାହା ଛଡ଼ା, ଝିଅ ହୋଇ ଜନମି ଫେର୍ ଚାକିରି କରିବି ! କୁଳର ମାନମହତ ସବୁ ବୁଡ଼ାଇବାକୁ ହେବ ନା କଅଣ !

 

ଭାଉଜ, ତୁମର ଇଛା ଥାଉ ବା ନ ଥାଉ, ଏହା ହେଉଛି ଯୁଗର ଦାବି ।

 

ଖୁବ୍ ହୋଇଛି । ଥାଉ, ଆଉ ଦୁଃଖର ବୋଝ ବଢ଼ାଇବାକୁ ଚାହେଁନା ।

 

ହୀରେ ଚୁପ୍ ରହିଲା । ସେ ମନେମନେ ଭାବିଲା, ମଣିଷ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ଅହେତୁକ ନିଜକୁ କେତେ ଦୂର ଭାରାକ୍ରାନ୍ତ କରିପକାଏ । ହଠାତ୍ ସେ ଘଡ଼ି ଦେଖି କହିଲା–ଭାଉଜ, ଢେର୍ ବେଳ ହେଲାଣି, ଯାଉଛି ।

 

ତା’ପରେ ସେ ଚନ୍ଦନର ଟେବୁଲ ଉପରୁ କେତେ ଖଣ୍ଡ ବହି ନେଇ ଦାଣ୍ଡକୁ ଚାଲିଗଲା ।

 

ରେଖା ମନେମନେ ଭାବିଲା, ଏହି ପୁରୁଷ ଜାତିଟା କି ଧରଣର ଯନ୍ତ୍ର ! ଜୀବନ ସହିତ କଅଣ ଏମାନଙ୍କର କିଛିହେଲେ ସମ୍ପର୍କ ନାହିଁ ?

 

ସୂର୍ଯ୍ୟ ଅସ୍ତାଚଳରେ । କଳକାରଖାନା ଓ ଅଫିସ୍‍ରୁ ଲୋକେ ଫେରୁଥିଲେ । ପ୍ରତ୍ୟେକଙ୍କ ଘରେ ଆଲୁଅ ଜଳିଲା । କିନ୍ତୁ ରେଖା ଆଲୁଅ ଜାଳିବାକୁ ବି କ୍ଳାନ୍ତିବୋଧ କରି ଏକା ଅନ୍ଧାରରେ ବସି ରହିଲା ।

 

 

ପରଦିନ ସନ୍ଧ୍ୟାବେଳେ ରେଖା ଏକା ବସି ବସି ଅବାକ୍‍ ହୋଇ ଭାବିଲା, ନାରୀମାନେ କିପରି ବଜାର କରିବାକୁ ଯାଆନ୍ତି ! ରାଧାକୁ ବଜାର କରି ଆସିବାର ଦେଖି ସେ ପଚାରିଲା–ତୁମର ସେ ନାହାନ୍ତି କି ? ତୁମେ ଯେ ବଜାର କରିବାକୁ ଗଲ ?

 

ରାଧା ସହଜ ସ୍ୱାଭାବିକ ଜବାବ ଦେଲା–ସେ ତ ପରିବାରର ସମସ୍ତଙ୍କର ପେଟ ପୂରାଇବା ପାଇଁ ଦିନସାରା ହାଡ଼ଭଙ୍ଗା ଖଟଣି କରନ୍ତି । ଯଦି ମୁଁ ସାମାନ୍ୟ ବଜାରଟା କରି ନ ପାରିବି, ତାହାହେଲେ ବିଚରା ଖଟି ଖଟି ମରିଯିବ ଯେ । ନିତି ଗାଡ଼ିରେ ଯିବା ଆସିବା କରିବା ଯେ କି ମୁସ୍କିଲ ତାହା ଯେଉଁମାନେ କରନ୍ତି କେବଳ ସେମାନେ ଜାଣନ୍ତି । ତେଣୁ ମୁଁ ତ ପ୍ରାୟ ନିତି ବଜାରକୁ ଯାଏ ।

 

ରାଧାର କଥା ରେଖାର ମନରେ ରେଖାପାତ କଲା । ସେ ବି ବଜାର କରିବାକୁ ମନ ବଳାଇଲା । ସେଦିନ ସନ୍ଧ୍ୟାବେଳେ ସେ ଅନ୍ୟାନ୍ୟ ଦିନପରି ଘରେ ଏକା ବସିଥିଲା । ହଠାତ୍ ଗୋପ ହାଜର ହୋଇ କହିଲା–ଭାଉଜ, ଏହି ନିଅ ମୋ ଲୁଗାପଟା ରଖ । ଏଣିକି ମୁଁ ତୁମ ପାଖରେ ରହିବି-। ମରିଗଲେ ସୁଦ୍ଧା ଆଉ ବଡ଼ଭାଇଙ୍କ ଘରକୁ ଯିବି ନାହିଁ ।

 

ରେଖା ଆଲୁଅ ଲଗାଇ ଗୋପକୁ ଆଦର କରି କହିଲା–କେତେ ଦିନ ପରେ ତୋତେ ଦେଖିଲି । ତାହାର ମୁଣ୍ଡରେ ହାତ ବୁଲାଉଁ ବୁଲାଉଁ ସେ ପଚାରିଲା–ଇସ୍, ଏତେ ରୋଗଣା ହୋଇଯାଇଛୁ କାହିଁକି ? ହାଡ଼ସବୁ ଏକାବେଳେ ବାହାରି ପଡ଼ିଛି ।

 

ଗୋପ ଏକଦୃଷ୍ଟିରେ ରେଖା ଆଡ଼କୁ ଅନାଇ କାନ୍ଦି କାନ୍ଦି ଗୋଲାପ ଓ ତାହାର ସ୍ତ୍ରୀର ନାନା ରକମ ଦୁର୍ବ୍ୟବହାର ଓ ଅତ୍ୟାଚାରର କଥା ତାହା ଆଗରେ ବର୍ଣ୍ଣନା କଲା । ଶେଷରେ କହିଲା–ବଡ଼ଭାଇ, ବଡ଼ଭାଉଜ ଓ ସୁନ୍ଦର ବହୁତ ଦାମିକା ଜିନିଷସବୁ ଖାଆନ୍ତି । ଆମକୁ ତାହା ଦିଅନ୍ତି ନାହିଁ । ଆମକୁ ଭିକାରି ପରି ଦେଖନ୍ତି । ଯେତେବେଳେ ପାରେ ସେତେବେଳେ ଆମକୁ ଜଙ୍ଗଲୀ ବୋଲି କହନ୍ତି । ଜଙ୍ଗଲୀମାନେ କୁଆଡ଼େ ତାହାଙ୍କ ଘରେ ଯାଇ ଜମା ହୋଇଛନ୍ତି ।

 

ରେଖା ହସି ହସି କହିଲା–ଓ, ସେମାନେ ତୁମକୁ ସବୁ ଜଙ୍ଗଲୀ କହନ୍ତି ! ଦୁର୍ ପାଗଳା, ସେମାନେ ତ ନିଜେ ଜଙ୍ଗଲୀ !

 

ଗୋପ ଉତ୍ସାହିତ ହୋଇ କହିଲା–ହଁ, ସେମାନେ ଜଙ୍ଗଲୀ ଛଡ଼ା ଆଉ କଅଣ ! କାହାର ମଥାରେ ନଡ଼ିଆ ପିଟିବେ ଦିନସାରା ସେମାନଙ୍କର ଏହି ଚିନ୍ତା । ମଝିରେ ମଝିରେ ବିରାଟ ବଡ଼ ଲୋକସବୁ ଆସିଲେ ସେମାନଙ୍କର ପାଦ ଚାଟିଲା ଭଳି ବ୍ୟବହାର କରନ୍ତି, ଆଉ ସେମାନେ ଘରୁ ଚାଲିଗଲା ମାତ୍ରେ ସେମାନଙ୍କୁ ଗାଳି ଫଜିତ କରନ୍ତି । ଭାଉଜ, ଆଜିକାଲି ସେ ଘରେ ଆହୁରି ଅନେକ କାଣ୍ଡ ହେଉଛି ! ସବୁ ତୁମକୁ କହିବି । ଜାଣ ଭାଉଜ, ବଡ଼ଭାଇ କୁଆଡ଼େ ଆଜିକାଲି ଜୁଆ ଖେଳନ୍ତି, ମଦ ଖାଆନ୍ତି, ବହୁତ ରାତିରେ ଘରକୁ ଫେରନ୍ତି । ଏହି ତ ସେଦିନ ଟଳି ଟଳି ଆସି ଅଜ୍ଞାନ ହୋଇ ବିଛଣାରେ ପଡ଼ି ଭୁଲ କଥାସବୁ ବକିବାକୁ ଲାଗିଲେ । ବଡ଼ର ବଡ଼ର କରି ସେ କେତେ ନାମ କହିଗଲେ–ସୁଶୀଳା, ଚମ୍ପା, ପୁଷ୍ପା । ଆହୁରି କେତେ ନାମ । ଜାଣ ଭାଉଜ, ସେଦିନ ବଡ଼ଭାଉଜ କୁଆଡ଼େ ରାତିସାରା ବସି କାନ୍ଦୁଥିଲେ ।

 

ରେଖା ଅବାକ୍‍ ହେଲା–ସତେ ନା କଅଣ ! ବ୍ୟାପାର ଏତେ ଦୂରକୁ ଗଡ଼ିଗଲାଣି ! ଛାଡ଼, ବାକି କଥା ପରେ ଶୁଣିବି । ଏକ୍ଷଣି ଖାଇବ ଚାଲ ।

 

ଆଜି ରେଖାରେ ମନେହେଲା, ସତେଯେମିତି ତାହାର ଘରର ପ୍ରତ୍ୟେକ କାନ୍ଥ ମୁଖର ହୋଇଛି ।

 

 

ଗୋପ ଚନ୍ଦନର ଘରେ ଅଛି । ଦୁଇ ତିନି ଦିନ ଯାଏ ଚନ୍ଦନ ତାହାକୁ କିଛି କହି ନଥିଲା । ସେ ତାହାକୁ କିଛି କହିବ ବୋଲି ମନେମନେ ଭାବୁଥିଲା, ଏହି ସମୟରେ ରେଖା ତାହାକୁ ଜଣାଇଲା–ଗୋପ ଏଠାରେ ରହୁ । ସେ କୁଆଡ଼େ ତୁମପରି ଦେଶର କାମ କରିବାକୁ ଚାହେଁ । ସେ ଆଉ ତୁମ ଭାଇର ଘରକୁ ଫେରିବାକୁ ଚାହେଁନା ।

 

ଚନ୍ଦନ ଖୁସି ହୋଇ ଚୁପ୍‍ କରି ରହିଲା । କିନ୍ତୁ ତୃତୀୟ ଦିନ ରାତିରେ ଘରକୁ ଫେରିଆସି ଚନ୍ଦନ ତାହାର ସ୍ତ୍ରୀର ହାତକୁ ଖଣ୍ଡିଏ ଚିଠି ବଢ଼ାଇଦେଇ କହିଲା–ଗୋପର ଆଉ ଏଠାରେ ରହିବା ଉଚିତ ନୁହେଁ ।

 

ରେଖା ଚିଠିଟା ପଢ଼ି ସ୍ତମ୍ଭିତ ହେଲା । ସେ ଆଖିର ଲୁହ ସମ୍ଭାଳି ପାରିଲା ନାହିଁ । ତାହାର ମୁଣ୍ଡ ଘୂରିବାକୁ ଲାଗିଲା । ଟଳି ଟଳି ସେ ଚଉକିରେ ବସିପଡ଼ିଲା । ଚିଠିରେ ଗୋଲାପ ଅନେକ ଏଣୁ ତେଣୁ କଥା ଲେଖି ଶେଷରେ ଅଭିଯୋଗ କରିଛି–ଆଉ ଦୁଇ ବର୍ଷ ପରେ ଗୋପ ରୋଜଗାର କରିପାରିବ । ଏହି ଲୋଭରେ ତୁ ଗୋପକୁ ଶିଖାଇ ଏଠାରୁ ନେଇ ଯାଇଛୁ ।

 

ରେଖା ଅବାକ୍‍ ହୋଇ ଭାବିଲା–ସଂସାରରେ ଏତେ ବଡ଼ ମିଥ୍ୟାବାଦୀ ବି ଅଛନ୍ତି !

 

ପରଦିନ ଚନ୍ଦନ ଗୋପକୁ ବହୁତ ବୁଝାଇ ସୁଝାଇ ଭାଇର ଘରକୁ ଫେରିଯିବା ପାଇଁ ରାଜି କରାଇ ପାରିଲା, କିନ୍ତୁ ଏକମାତ୍ର ସର୍ତ୍ତରେ ଯେ ତାହାକୁ ସେଠାରେ ଛାଡ଼ିଦେଇ ଆସିବା ପାଇଁ ରେଖାକୁ ଗୋପ ସାଙ୍ଗରେ ଯିବାକୁ ହେବ ।

 

ଗୋଲାପର ଘରେ ପହଞ୍ଚିଲା କ୍ଷଣି ପ୍ରଥମେ ଦେବୀ ରେଖାର ନଜରରେ ପଡ଼ିଲା । ଦେବୀ ସଙ୍ଗେ ସଙ୍ଗେ କହିଲା–ହଁ, କହୁଛି ପରା । ଭଲ ହେଲା । ଗୋପ ଆମ ସାଙ୍ଗରେ ଝଗଡ଼ା କରି ଚାଲିଯାଇଥିଲା । ତାହା ନ ହୋଇଥିଲେ କି ତୋର ଦର୍ଶନ ମିଳି ଥାଆନ୍ତା ! ଯେତେହେଲେ ଆମେ ତ ତୁମପରି ବଡ଼ଲୋକ ନୋହୁଁ, କେଉଁ ଗରଜ ପଡ଼ିଛି ଯେ ଆମ ପାଖକୁ ଆସିବ ।

 

ରେଖା ଦେବୀର କଥା ଶୁଣୁଥିଲା, ଆଉ ତେଣେ ଘରର ଆସବାବପତ୍ର ଆଡ଼କୁ ଅନାଇ ଦେଖୁଥିଲା । ଦେବୀର ଓଠର ରଙ୍ଗ ଖୁବ୍ ଗାଢ଼ ଓ କଦର୍ଯ୍ୟ ଦିଶୁଥିଲା । ତାହାର କଥାକୁ ଗୁରୁତ୍ୱ ନ ଦେଇ ରେଖା ପଚାରିଲା–ମାଆ ଓ ଶ୍ୟାମ ନାହାନ୍ତି ?

 

ଦେବୀ କହିଲା–ତୋର ଫେର୍ ମାଆ ସାଙ୍ଗରେ କି ଦରକାର ! ଗୋପ ସମ୍ବନ୍ଧରେ କିଛି କହିବାର ଥିଲେ ମୋତେ କହ । ଏଥିରେ ମାଆର କିଛି କରିବାର ନାହିଁ ।

 

ଠିକ୍ ସେତିକିବେଳେ ଶାଶୁ କେଉଁଠୁ ଆସି ସେଠାରେ ପହଞ୍ଚିଗଲେ । ଦୁଧ ଗିଲାସଟା ଦେବୀର ସାମନାରେ ରଖି ସୁନ୍ଦରକୁ କୋଳରୁ ଓହ୍ଲାଇଦେଇ ସେ କହିଲା–ବୋହୂ, ତୋର ଏହି ପୁଅଟା ମୋତେ ଜଳେଇ ପୋଡ଼େଇ ମାରିଲା । ଯେତେ ଚେଷ୍ଟା କଲେ ସୁଦ୍ଧା ତାହାକୁ ଦୁଧ ଟିକିଏ ପିଆଇ ପାରିଲି ନାହିଁ । ଖାଲି ଚାହା ଖାଇବ ବୋଲି ଜିଗର ଧରିଛି ।

 

ରେଖା ସୁନ୍ଦରକୁ କାଖେଇ ଦୁଧ ଗିଲାସଟା ଉଠାଇ ନେଇ ଝରକା ପାଖକୁ ଗଲା । ସୁନ୍ଦରକୁ ନିକଟସ୍ଥ ପାର୍କ ଦେଖାଇ ରେଖା କହିଲା–ଏହି ଦେଖ କି ସୁନ୍ଦର ଫୁଲଗଛ । ସୁନାଟା ପରା, ଏହି ଦୁଧ ଟିକକ ଖାଇ ଦେ । ମୁଁ ତୋତେ ସେଠାକୁ ନେଇଯିବି । ଏହି ଯେ ଦେଖୁଛୁ ଝୁଲଣା, ସେଥିରେ ତୁ ଆଉ ମୁଁ ବସି ଝୁଲିବା । ବହୁତ ଉଚ୍ଚକୁ ଉଠିଯିବା, ଆଉ ଉପରେ ସେହି ଆକାଶରୁ ତାରା ଫୁଲସବୁ ଛିଣ୍ଡାଇ ଆଣିବା । ନେ, ସୁନା ପୁଅଟା ପରା, ଦୁଧତକ ଖାଇ ଦେ ।

 

ସୁନ୍ଦରକୁ ଦୁଧ ପିଆଇଲାବେଳେ ଦେବୀର କଥାସବୁ ଯାଇ ରେଖାର କାନରେ ବାଜିଲା-। ଦେବୀ ଗୋପକୁ ବକୁଥିଲା–ଆମ ପାଖରେ ତୋ ବାପ-ଅଜା କଅଣ ଛାତି ରଖିଛନ୍ତି ଯେ ଆମେ ଜୀବନସାରା ତୁମ ସମସ୍ତଙ୍କୁ ବସାଇ ଗିଳୋଉଥିବୁ । ସବୁ ଭାଇ ମିଶି ତ ଏହି ଜଣେ ଲୋକର ରକ୍ତ ଶୋଷିବା ପାଇଁ ତିଆରି ହୋଇଛ । ଭାରି ତ ଦଉଡ଼ି ଯାଇଥିଲୁ ତୋ ସାନଭାଇ ପାଖକୁ । ସେମାନେ ମୁହଁରେ ଢେର କଥା କହନ୍ତି । ରଖନ୍ତୁ ନା ତୁମ ଭିତରୁ ଜଣକୁ । ତାହାହେଲେ ଯାଇ ଜଣାପଡ଼ିବ, କେତେ ଧାନରେ କେତେ ଚାଉଳ ହେବ ।

 

ଶାଶୁ କହିଲା–ବୋହୂ, ତାହାକୁ ଏତେ ବକୁଛ କାହିଁକି ? ଆମ ଭାଗ୍ୟରେ ଅଛି ବୋଲି ସିନା ଗୋଲାପ ଏତେ ଟଙ୍କା ରୋଜଗାର କରୁଛି । ସମସ୍ତଙ୍କର ଶାସନକର୍ତ୍ତା ତ ଭଗବାନ, ତୁ ନୋହୁଁ କି ମୁଁ ବି ନୁହେଁ ।

 

ଦେବୀ କହିଲା–ମାଆ, ତୁମେ ଖୁବ୍ ବନେଇ ଚୁନେଇ କଥା କହି ପାର । ଦେଖିପାରୁଛ ତ, ତୁମ ସମସ୍ତଙ୍କ ପଛରେ କେତେ ଟଙ୍କା ପାଣିପରି ଖରଚ ହୋଇଯାଉଛି ।

 

ଆମ ପାଇଁ କେତେ ଟଙ୍କା ଖରଚ ହେଉଛି, ବୋହୂ ? ଦୁଇ ଓଳି ଚାରି ଖଣ୍ଡ ଲେଖାଏଁ ରୋଟି ତ, ଆଉ କଅଣ ! ଯଦି ଅଧିକ ଖରଚ ହେଉଥାଏ, ତାହାର ମଦ ଓ ଅନ୍ୟସବୁ ବ୍ୟାପାରରେ ହେଉଥିବ ।

 

ଆମ ଖିଆପିଆ ଉପରେ ତ ତୁମର ସବୁ ନଜର ! ଚାରିଆଡ଼ୁ ଧାର ଉଧାର କରି ଆଣି ତୁମମାନଙ୍କୁ ଗିଳାଉଛି ନା, ସେଇଥିପାଇଁ ଆଜି ଏତେ କଥା ଶୁଣାଉଛ ।

 

ହଁ, ରେଖା, ତୋତେ ବି କହିଦେଉଛି, ଗୋପର ଆଉ ଏ ଘରେ ରହିବା ହେବ ନାହିଁ । ମୁଁ ଏ ବୁଢ଼ୀଟାକୁ ବସେଇ ବସେଇ ଆଉ ଗିଳେଇ ପାରିବି ନାହିଁ ।

 

ଗୋପ କ୍ରୁଦ୍ଧ ଦୃଷ୍ଟିରେ ବଡ଼ଭାଉଜ ଆଡ଼କୁ ଅନାଇଲା । ରେଖା ତାହାକୁ ଟାଣି ଟାଣି ଶାଶୁର ଘରକୁ ନେଇଗଲା । ଶାଶୁ ରେଖାର ହାତ ଧରି କହିଲା–ଶୁଣିଲୁ ବୋହୂ ତାହାର କଥା ? ତାହାପରି ଝିଅ ସାଙ୍ଗରେ ମୋ ଗୋଲାପର ବିବାହ ହେବା ଠାରୁ ବରଂ ତାହାର ପାଗଳ ହେବା ଖୁବ୍ ଭଲ ଥିଲା । ଗୋଲାପ ନିଜେ ମୋତେ କହିଲା, ଆସନ୍ତା ମାସ ମଟର କିଣିବ, ଆଉ ଏହି ମହାରାଣୀ କହୁଛି କଅଣ ନା ଆମରି ପାଇଁ କୁଆଡ଼େ ସେମାନେ ଦେଉଳିଆ ହୋଇଯାଉଛନ୍ତି ।

 

ଶାଶୁ ସାଙ୍ଗରେ ଏହି ଧରଣର ଝଗଡ଼ା ରେଖାକୁ ଆଦୌ ପସନ୍ଦ ହେଲା ନାହିଁ । ଠିକ୍ ସେତିକିବେଳେ ଗୋଲାପ ମାଆ ପାଖକୁ ଆସି କହିଲା–ମୁଁ ପରା ଠିକ୍ ଜାଣିଥିଲି, ଚନ୍ଦନ ତୋତେ ଦିନ ତିନିଟା ବି ରଖିବ ନାହିଁ ।

 

ରେଖାକୁ ଏହି କଥା ପଦକ ଭାରି ବାଧିଲା । ଦେବୀ ସ୍ୱାମୀର ପଛରେ ଠିଆହୋଇ କହିଲା–ପକେଇଲା ଛେପକୁ ଆଉ ଢୁକିବି ନାହିଁ । ଆମର ତିଳେହେଲେ ଆପତ୍ତି ନାହିଁ, ଗୋପ ସେମାନଙ୍କ ପାଖରେ ରହି ରୋଜଗାର କରି ସେମାନଙ୍କୁ ଯେତେ ପାରେ ସେତେ ଟଙ୍କା ଦେଉ ।

 

ରେଖା ତାହା ସହି ନ ପାରି କହିଲା–ଏକ୍ଷଣି ତ ତାହାର ରୋଜଗାର କରିବାର ପ୍ରଶ୍ନ ଉଠୁ ନାହିଁ । ଏକ୍ଷଣି ତାହା ପଛରେ ଟଙ୍କା ଢାଳିବା ଦରକାର, ଯଦ୍ୱାରା ତାହାର ପଢ଼ାଶୁଣା ଭଲଭାବରେ ହୋଇପାରିବ ।

 

ଦେବୀ କହିଲା–ବାଃ, ତୁ ତ କମ୍‍ ଚାଲାକ ନୋହୁଁ ! ଦୁଇ ବର୍ଷ ପରେ ଯେ ରୋଜଗାର କରି ଟଙ୍କା ଆଣିଦେବ, ତୁମେ ତାହାର ପାଠପଢ଼ାର ଖରଚ ବି ତୁଲାଇବ ନାହିଁ । ସବୁ ଭାଇଙ୍କର ଲେଖାପଢ଼ା ଓ ସେମାନଙ୍କୁ ମଣିଷ କରିବାର ଦାୟିତ୍ୱ କଅଣ ଜଣେ ଠିକା ନେଇଛି !

 

ଗୋଲାପ କହିଲା–ବେଶ୍, ଯେତେବେଳେ ସେ ରୋଜଗାର କରିବ, ତୁମେ ସବୁ ନିଅ । ଦୁଇ ବର୍ଷ ଭିତରେ ତ ସେ ମାଟ୍ରିକ ପାସ୍‍ କରିବ, ତା’ପରେ ନିଶ୍ଚୟ କିଛି ଚାକିରି ବାକିରି କରିବ । ମାଆ ଓ ସାନଭାଇ ପାଇଁ ତୁମେ ପଛକେ କିଛି ନ ଦେଲ ନାହିଁ ।

 

ରେଖା ଠିକ୍‍ଭାବରେ ବୁଝିପାରିଲା ନାହିଁ, କିପରି ସେଠାରେ ଠିଆହୋଇ ସେ ଏହି କଥାସବୁ ସହିବ । ସେ ଗୋପକୁ ଏତେଦିନ ହେଲା ଗୋଟିଏ ସାଧାରଣ ପିଲାପରି ଦେଖି ଆସିଛି । ତାହାର ରୋଜଗାରର କଥା ସେ କେବେହେଲେ ମନରେ ଭାବି ନାହିଁ । ଶେଷରେ ସେ କହିଲା–ଯଦି ଗୋପର ରୋଜଗାରର ଟଙ୍କା ସମ୍ବନ୍ଧରେ ଆପଣମାନେ ଏତେ ଚିନ୍ତିତ ହେଉଛନ୍ତି, ତାହାହେଲେ ତାହାକୁ ନିଜ ପାଖରେ ରଖନ୍ତୁ ।

 

ଦେବୀ ଦୁଇ ହାତ ହଲାଇ କହିଲା–ନାହିଁରେ ବାବା, ଏକ୍ଷଣି ଯେଉଁମାନେ ଅଛନ୍ତି ସେମାନଙ୍କୁ ନେଇ ତ ଆମେ ସମ୍ଭାଳି ପାରୁ ନାହୁଁ । ଫେର୍ ବୋଝ ଉପରେ ନଳିତା ବିଡ଼ା ଆଉ ଆମ ଉପରେ ଲଦ ନାହିଁ । ସେମାନଙ୍କୁ ପୋଷିବା ଏଡ଼େ ସହଜ କଥା ନୁହେଁ । ଆଜି ଜାମା ପେଣ୍ଟ ନାହିଁ ତ କାଲି ଜୋତା ନାହିଁ, ପହରିଦିନ ଦରମା, ତା’ ପରଦିନ ଆଉ କିଛି, ଏମିତି ବରାବର ଲାଗି ରହିଥିବ !

 

ତହୁଁ ଗୋପ କହିଲା–ଯଦି ମୋତେ ଏଠାରେ ରଖିବାକୁ ନ ଚାହୁଁଛ, ରଖ ନାହିଁ । କିଏବା ତୁମ ପାଖରେ ରହିବାକୁ ଚାହୁଁଛି ? କେତେ ଲୋକ ତ ଫୁଟପାଥରେ ଦିନ କାଟୁଛନ୍ତି, ନୋହିଲେ ମୁଁ ବି ସେମିତି କଟାଇବି ।

 

ଗୋଲାପ ରାଗରେ ଜଳିଯାଇ ଥରି ଥରି କହିଲା–ଓ, ଏଯାଏ ତେଜ କମି ନାହିଁ । ଦେଖୁଛି, ତିନି ଦିନ କାଳ ଘୂରି ଘୂରି ବି ତେଜ ଠିକ୍ ଅଛି । ଯାଆ ନା, ଯାଆ, ଫୁଟପାଥରେ ମରିବୁ ଯାଆ । ତୋ’ପରି ଭାଇକୁ ପୋଷିବା ଅପେକ୍ଷା ବରଂ ଗୋଟାଏ ଜାନୁଆରକୁ ପୋଷିବା ଢେର୍ ଭଲ-

 

ଆଉ ସହି ନ ପାରି ଗୋଲାପର ମାଆ କହିଲା–ଗୋଲାପ, ଧରାକୁ ସରା ମଣନା । ଟିକିଏ ବୁଝି ସୁଝି ଚାଲ, ବାପା । ଆଜି ତୋର ଯେଉଁ ଧନ ସମ୍ପତ୍ତି ହୋଇଛି, ହୁଏତ ଆମ ସମସ୍ତଙ୍କ ଭାଗ୍ୟର ଜୋର୍‍ରୁ ତୁ ତାହା ପାଇଛୁ । ତୁ ଯେତେ କଥା କହ ପଛକେ, ମୋର ଅନ୍ୟ ଗତି ନାହିଁ । ସେଥିପାଇଁ ତ ମୁଁ ଏଠାରେ ପଡ଼ିରହିଛି । ନୋହିଲେ କେଉଁଠି ଟିକିଏ ଆଶ୍ରୟ ପାଇଥିଲେ ଛୁଆ ଦୁଇଟିଙ୍କୁ ନେଇ ଚାଲିଯାଇଥାଆନ୍ତି ।

 

ରେଖା ବୁଝିପାରିଲା, ଏତାଦୃଶ ପରିସ୍ଥିତିରେ ଗୋପକୁ ସେଠାରେ ଛାଡ଼ିଦେଇ ଚାଲିଯିବା ମୋଟେ ଉଚିତ ନୁହେଁ । ତେଣୁ ସେ ତାହାକୁ ନେଇ ଘରକୁ ଫେରିଗଲା ।

 

ଗୋପ ଯାଉଁ ଯାଉଁ କହିଲା–ଦେଖିଲ ତ ଭାଉଜ, ସେମାନେ କି ଧରଣର ଲୋକ । ହାତରେ କିଛି ଟଙ୍କା ହୋଇଛି ବୋଲି ସେମାନଙ୍କର କେତେ ଦିମାକ । ନିଜର ସଉକ ମେଣ୍ଟାଇବା ପାଇଁ ଦରକାର ହେଲ ସେମାନେ ଟଙ୍କା ଧାର କରନ୍ତି । କିନ୍ତୁ ଆମର ସାମାନ୍ୟ ଜାମା ପେଣ୍ଟ କଥା ଉଠିଲେ, କହନ୍ତି ଯେ ସେମାନେ ଦେଉଳିଆ ହୋଇଯାଉଛନ୍ତି ।

 

ଗୋପର କଥା ଶୁଣି ରେଖା ମନେମନେ ହସିଲା–ଦେଖ, ପିଲା ବକଟେ, ସେ ଫେର୍ କେତେ ପୋଖତ କଥା କହୁଛି । ରେଖା ଭାବିଲା, ସତରେ ସେମାନଙ୍କ ପରିବାରରେ ଘୁଣ ଧରିଲାଣି ।

 

୧୦

 

ଗୋପ ଆସି ଚନ୍ଦନର ଘରେ ରହିଲାରୁ, ରେଖାର ନିଃସଙ୍ଗ ଜୀବନର ଅବସାନ ଘଟିଲା-। ଯେତେବେଳେ ଗୋପ ତାହାର ଭାଉଜ ପାଖରେ ବସି ବିଦ୍ୟାଳୟର ଗପ କରେ, ସେତେବେଳେ ରେଖାର ନିଜ ଛାତ୍ର ଜୀବନର କଥା ମନେପଡ଼େ । କିଛି ଦିନ ପରେ ଏହି ଆନନ୍ଦ ସାଙ୍ଗକୁ ଅର୍ଥର ଅଭାବ ମଧ୍ୟ ପ୍ରକଟିତ ହେଲା ।

 

ଦିନେ ରେଖା ବସି ଗୋପର ଛିଣ୍ଡା ପାଇଜାମା ସିଲେଇ କରୁଥିଲା । ଏହି ସମୟରେ ଗୋପ ବିଦ୍ୟାଳୟରୁ ଫେରିଆସି ଜଣାଇଲା–ଭାଉଜ, ଦେଖୁଛ, ଜୋତାଟା କି ରକମ ଛିଡ଼ି ଗଲାଣି । ରେଖା ଦେଖିଲା, ଜୋତାର ତଳି ଏକାବେଳେ ଉଡ଼ି ଯାଇଛି । ବହିର ମୁଣିଟା ରଖିଦେଇ ଗୋପ ଖଟ ଉପରେ ବସିପଡ଼ିଲା ।

 

ରେଖା ପଚାରିଲା–କିରେ, ଆଜି ଖାଇବୁ ନାହିଁ କି ? ବସିପଡ଼ିଲୁ କାହିଁକି ?

 

ଗୋପ ତଳକୁ ମୁହଁପୋତି ଗୋଡ଼ ହଲାଉ ହଲାଉ କହିଲା ଭାଉଜ, ମୋତେ ଗୋଟାଏ ଛତା କିଣି ନ ଦେଲେ ହେବ ନାହିଁ । ଏହି ଛତାର ବେଣ୍ଟଟା ଭାଙ୍ଗିଯାଇଛି, ଆଉ କେତୁଟା କଣ୍ଟା ବି ବାଙ୍କି ଗଲାଣି । ମୋ ସାଙ୍ଗମାନେ ମୋତେ ‘ବୁଢ଼ା’ ବୋଲି କହି ଚିଡ଼ାଉଛନ୍ତି । ଅନୁରୋଧ ଜଣାଇଲାବେଳେ ଗୋପର ଆଖି ଲୁହରେ ଛଳଛଳ ହେଲା । ଏହା ଦେଖି ରେଖାକୁ ଦୁଃଖ ଲାଗିଲା-। ସେ ଉଠିଯାଇ ଗୋପକୁ ଆଦର କରି କହିଲା–ତୁ ଦଶମ ଶ୍ରେଣୀରେ ପଢ଼ୁଛୁ, ତେବେ ବି ତୁ ମଝିରେ ମଝିରେ ଛୋଟ ଛୁଆଙ୍କ ପରି ତୋର କଥା କହୁଛୁ । ଧୀରେ ଧୀରେ ସବୁ ଜିନିଷ ହେବ-। ସେମାନେ ତୋତେ ଚିଡ଼ାଇଲେ, ତୁ ବା ସେମାନଙ୍କ କଥାରେ ରାଗିବୁ କାହିଁକି ?

 

ତା’ପରେ ରେଖା ଗୋପକୁ ବହଲେଇ ଆଦର କରି ନେଇ ଯାଇ ଖୁଆଇଲା ।

 

ପରଦିନ ଗୋପ ବିଦ୍ୟାଳୟକୁ ଯାଇଥିଲା । ରେଖା ଘରେ ଏକା ଥିଲା । ଡାକପିଅନ ଆସି ଖଣ୍ଡିଏ ଚିଠି ଦେଲା । ଚିଠି ପଢ଼ି ରେଖାର ମଥା ଘୂରିବାକୁ ଲାଗିଲା । ଶୀଳବନ୍ତୀର ପରିବାରର ଏ କି ଅବସ୍ଥା । ଏତେ ବଡ଼ ଗୋଟାଏ ସ୍ୱଚ୍ଛଳ ସଂସାର ଭାଙ୍ଗିପଡ଼ିବାକୁ ବସିଛି ! ତାହାର ମୁଣ୍ଡ ଗରମ ହୋଇଗଲା । ସେତିକିବେଳେ ଗୋପ ବିଦ୍ୟାଳୟରୁ ଫେରିଲା । ସେ ଗୋପକୁ ଗିଲାସେ ପାଣି ଆଣିବାକୁ କହିଲା ।

 

ଠିକ୍ ସେତିକିବେଳେ ଚନ୍ଦନ ଘରେ ପ୍ରବେଶ କରି ରେଖାର ହାତକୁ ପାଣି ଗିଲାସଟିଏ ବଢ଼ାଇ ଦେଲା । ଚନ୍ଦନ ଲକ୍ଷ୍ୟକଲା, ରେଖାର ଆଖି ଲୁହରେ ଛଳ ଛଳ । ସ୍ୱାମୀକୁ ଦେଖିପାରି ରେଖା ସଙ୍ଗେ ସଙ୍ଗେ ଶୀଳବନ୍ତୀର ଚିଠିଟା ତାହାର ହାତକୁ ବଢ଼ାଇ ଦେଲା । ଚନ୍ଦନ ନିବିଷ୍ଟ ମନରେ ଚିଠିଟି ଆମୂଳଚୂଳ ପଢ଼ିଲା । ଦେଶ ବିଭାଜନ ଫଳରେ କିପରି ଏକ ସମ୍ପନ୍ନ ପରିବାରର ଅର୍ଥନୈତିକ ଗଣ୍ଡି ଭାଙ୍ଗିଯାଇଛି ତାହାର ବାସ୍ତବ ଓ କରୁଣ ଚିତ୍ର ସେହି ଚିଠିରେ ପରିଷ୍କାର ପ୍ରକଟିତ ହୋଇଥିଲା ।

 

କିଛି କ୍ଷଣ ପରେ ଚନ୍ଦନ ରେଖାକୁ ପଚାରିଲା–ତାହାହେଲେ ଶୀଳବନ୍ତୀର ଚିଠି ପଢ଼ି କଅଣ ତୁମେ ଏତେ ଚିନ୍ତିତ ହୋଇପଡ଼ିଛ ?

 

ସେହି ଦିନ ରାତିସାରା ପ୍ରାକୃତିକ ଦୂର୍ଯୋଗରେ ସମଗ୍ର ଅଞ୍ଚଳଟା ଓଲଟ ପାଲଟ ହେଲା-। ତନ୍ଦ୍ରାଚ୍ଛନ୍ନ ଅବସ୍ଥାରେ ରେଖାର ଆଖି ସାମନାରେ ଭାସି ଉଠିଲା ତାହାର ଜଣାଶୁଣା ଲୋକଙ୍କର ଦୁଃଖ ଦୁର୍ଦ୍ଦଶାର କରୁଣ ଚିତ୍ର । ଶୋଇପଡ଼ିଲେ ସୁଦ୍ଧା ସେଥିରୁ ତାହାର ତ୍ରାହି ମିଳିଲା ନାହିଁ-। ସେ ସ୍ଵପ୍ନ ଦେଖିଲା, ଶୀଳବନ୍ତୀର ପୁଅଝିଅମାନେ ମୁଠାଏ ଭାତ ଲାଗି କାନ୍ଦି କାନ୍ଦି ଭୂଇଁରେ ଗଡ଼ି ଯାଉଛନ୍ତି । ଏଣେ ଗୋପର ଛିଣ୍ଡା ପେଣ୍ଟ, ଭଙ୍ଗା ଛତା, ଆହୁରି କେତେ କଅଣ ।

 

ପରଦିନ ସକାଳେ ରେଖା ସବୁ କାମ ଦାମ ସାରି ଚନ୍ଦନର ବହିର ଆଲମାରି ଘାଣ୍ଟିଲା । ଦିନେ ସେ ଯେଉଁ ବହିଗୁଡ଼ିକୁ ଆବର୍ଜନା ପରି ଉପେକ୍ଷା କରୁଥିଲା, ଆଜି ସେଗୁଡ଼ିକୁ ସେ ଅତି ଯତ୍ନରେ ପୋଛା ପୋଛି କରିବାକୁ ଲାଗିଲା । ଚନ୍ଦନ ଗାଧୋଇ ଆସି ବିସ୍ଫାରିତ ଦୃଷ୍ଟିରେ ତାହା ଆଡ଼କୁ ଅନାଇ କହିଲା–ଏ କଅଣ ! ଆଜି ବହିସବୁ ପୂଜା ହେବ ନା କଅଣ ?

 

ରେଖା କିଛି ଜବାବ ନ ଦେଇ ପୁଣି ଆଲମାରି ଓ ବହିର ଧୂଳି ଲୁଗା କାନିରେ ଝାଡ଼ିବାକୁ ଲାଗିଲା ।

 

ଭୋଜନ ସାରି ମିଲ୍‍କୁ ଯିବାବେଳେ ଚନ୍ଦନ କହିଲା–ଆଜି ଚାରିଟା ବେଳକୁ ମୋର କେତେଜଣ ବନ୍ଧୁ ଆସିବେ, ଏଠାରେ ଗୋଟିଏ ଘରୋଇ ବୈଠକ ବସିବ ।

 

ରେଖା ପଚାରିଲା–କେତେଜଣ ଆସିବେ ?

 

ତୁମକୁ ବେଶୀ କିଛି ବ୍ୟବସ୍ଥା କରିବାକୁ ପଡ଼ିବ ନାହିଁ । ଖାଲି ବାରଚଉଦ କପ୍‍ ଚାହା ।

 

ମୋତେ କଅଣ କରିବାକୁ ହେବ କି ନ ହେବ, ତାହା ମୁଁ ଭଲଭାବରେ ଜାଣେ ।

 

ହେଉ, କାର୍ଯ୍ୟ କ୍ଷେତ୍ରରେ ଦେଖା ଯିବ ।

 

ରେଖାର ନିଜ ଶୈଶବ କାଳର କଥା ମନେପଡ଼ିଲା । ସେତେବେଳେ ତାହାର ବାପଘରେ ପ୍ରାୟ ନିତି ମଉଜ ମଜଲିସ୍‍ ଚାଲିଥିଲା ।

 

ବିଦ୍ୟାଳୟରୁ ଫେରି ଗୋପ ତାହାର ଭାଇ ଓ ଭାଉଜଙ୍କ ସାମନାରେ ମୁହଁ ଓଳାଇ କହିଲା–ଆଜି ମୋତେ ଯେକୌଣସି ମତେ ଚାରି ଖଣ୍ଡ ଖାତା କିଣି ଦେବାକୁ ହେବ । ଆଜି ନିଶ୍ଚୟ-। ବିଦ୍ୟାଳୟରେ ଗୁରୁଜୀ ମୋତେ ଆଜି ଢେରୁ ବିକିଲେ ।

 

ଚନ୍ଦନ ଚାଲିଗଲା । ରେଖା ଚାରି ଖଣ୍ଡ ଖାତାର ପଇସା ଗୋପକୁ ଦେଇ ହିସାବ କରି ଦେଖିଲା ଯେ ବଜାର ଖରଚ ପାଇଁ ପଇସା ନିଅଣ୍ଟ ହେଲା । ତହୁଁ ସେ ମନେମନେ ଭାବିଲା, ଅର୍ଥ ଉପାର୍ଜନର ଆଉ କିଛି ବାଟ ବାହାର ନ କଲେ ଗୋପର ପଢ଼ାଶୁଣା ଚଳାଇବା ସେମାନଙ୍କ ପକ୍ଷରେ ଆଉ ସମ୍ଭବ ହେବ ନାହିଁ ।

 

୧୧

 

ମୁଷଳ ଧାରାରେ ବର୍ଷା ହେଉଥିଲା । ରେଖା ମାଟୁଙ୍ଗା ଷ୍ଟେସନରେ ଓହ୍ଲାଇ ପ୍ରତୀକ୍ଷାଗାରରେ ଠିଆହୋଇ ପ୍ରକୃତିର ରୁଦ୍ର ରୂପ ଦେଖୁଥିଲା । ମାଟିରେ ପାଣି ଜମୁଥିଲା । ଆକାଶରୁ ମେଘ ପଡ଼ିବା ସଙ୍ଗେ ସଙ୍ଗେ ପାଣିରେ ବୁଦ୍‍ବୁଦ୍‍ ସୃଷ୍ଟି ହେଉଥିଲା ଏବଂ ପରମୁହୂର୍ତ୍ତରେ ମିଳାଇ ଯାଉଥିଲା ।

 

ମେଘର ବୈଚିତ୍ର୍ୟ ଦେଖୁଁ ଦେଖୁଁ ରେଖାର ଘର କଥା ଓ ସାହି-ପଡ଼ିଶାଙ୍କ କଥା ମନେପଡ଼ିଲା । ସେ ଭାବିଲା, ଏହି ସମୟରେ ତାହାର ଖଣ୍ଡିଏ ଛତା ଥିଲେ ମନ୍ଦ ହୋଇ ନ ଥାଆନ୍ତା-। କିନ୍ତୁ ଟଙ୍କା ନ ଥିଲେ ଛତା ବା ଆସିବ କେଉଁଠୁ ! ଟଙ୍କା ପାଇଁ ତ ଗୋଟାଏ ଚାକିରି ଦରକାର । ଏହିପରି ଭାବରେ କେତେ ପରିବାରରେ କେତେ ରକମ ଜିନିଷର ପ୍ରୟୋଜନ ରହିଛି-। ସେହି ମୁହୂର୍ତ୍ତରେ ରେଖାର ମନେହେଲା, ପୃଥିବୀର ହଜାର ହଜାର ମଣିଷ ସବୁବେଳେ ନିଜର ଅଭାବ ଅନାଟନ କଥା ଭାବୁଛନ୍ତି ।

 

ମେଘ ଛାଡ଼ିଲା । ରାସ୍ତା ଉପରେ ପାଣି ଠିଆହୋଇଥିଲା । ରେଖା ବହୁ କଷ୍ଟରେ ଘରକୁ ଫେରିଗଲା ।

 

ରାତିରେ ଚନ୍ଦନକୁ ଖାଇବାକୁ ଦେଇ ରେଖା କହିଲା–ଜାଣ, ମୁଁ ଆଜି ଚାକିରିର ସନ୍ଧାନରେ ବାହାରିଥିଲି ?

 

ଚନ୍ଦନ ଅବାକ୍ ହେଲା–ତୁମେ ?

 

ହଁ, ମୁଁ । ଅବାକ୍ ହେଉଛ କାହିଁକି ?

 

ନା, ଏମିତି । କଅଣ ହେଲା ? –ଚନ୍ଦନ ପଚାରିଲା ।

 

ରେଖା ମୁହଁ ଓଳାଇ ଜବାବ ଦେଲା–କଅଣ ଆଉ ହେବ ? ମୋର ଉପସ୍ଥିତିରେ ଜଣେ ଅଫିସର ଅନ୍ୟ ଜଣକୁ ଇଂରାଜୀରେ କହିଲା–ଏହି ଶରଣାର୍ଥୀମାନଙ୍କ ଯୋଗୁଁ ଏଠାକାର ଲୋକେ ବେକାର ହୋଇ ବୁଲୁଛନ୍ତି । ଏମାନଙ୍କର ପ୍ରତ୍ୟେକଙ୍କ ମୁଖରୁ ଶୁଣିବ, ଦେଶରେ କୁଆଡ଼େ ଏମାନଙ୍କର ଜମିଦାରୀ କିମ୍ବା ବଡ଼ ବଡ଼ ବ୍ୟବସାୟ ଥିଲା, ଯେତେ ସବୁ ଭୀରୁ କାପୁରୁଷ ଦଳ । ଏସବୁ କଥା ଶୁଣି ମୋର ମିଜାଜ ବିଗିଡ଼ି ଗଲା । ମୁଁ ବି ସେମାନଙ୍କୁ ମୋ ତୁଣ୍ଡକୁ ଯାହା ଆସିଲା ମୁହେଁ ମୁହେଁ ବତାଇ ଦେଲି । ସେତେବେଳେ ମୁହଁ ମୁଲାଜାକୁ ଖାତର କଲି ନାହିଁ ।

 

ଚନ୍ଦନ ଲକ୍ଷ୍ୟକଲା, ରେଖା ଦେଶର ସମସ୍ୟାସବୁ ଗଭୀର ଭାବରେ ଅନୁଧାବନ କରିବାକୁ ଚେଷ୍ଟା କରୁଛି । ଖାଇସାରି ଆଆଁଉଁ ଆଆଁଉଁ ସେ କହିଲା–ଜାଣେ, ରେଖା, ତୁମେ ବଡ଼ଘରର ଝିଅ । ତଥାପି ତୁମେ ଚାକିରି ଖୋଜୁ ଥିବାରୁ, ମୁଁ ଗୋଟିଏ ଚାକିରିର ସନ୍ଧାନ ଦେଉଛି । ଅନ୍ଧେରୀରେ ଗୋଟିଏ ଗେଞ୍ଜି ଓ ସୋୟେଟାର କାରଖାନାରେ ଚାକିରି ଖାଲି ଅଛି । ଠିକଣା ଦେଉଛି । ପଚିଶ ତାରିଖ ଭିତରେ ଦରଖାସ୍ତ ଦେଇପାର ।

 

ଏହା ଶୁଣି ରେଖା ଈଷତ୍ ଉତ୍ତେଜିତ ସ୍ଵରରେ କହିଲା–କଅଣ କହିଲ ତୁମେ ! ଏଇଥିପାଇଁ କଅଣ ମୁଁ ମାଟ୍ରିକ ପାସ୍‍ କରିଥିଲି ! ଶେଷକୁ ଗୋଟାଏ କାରଖାନାରେ ଯାଇ ଗେଞ୍ଜି ଆଉ ସୋୟେଟାର ତିଆରି କରିବି !

 

ଗୋପ ନିଜର ବିଛଣା ସଜାଡ଼ୁ ସଜାଡ଼ୁ କହଲା–ଭାଉଜ, ଯଦି କାଲି ସକାଳେ ଆଜିକାପରି ମୁଷଳଧାରାରେ ବର୍ଷା ହୁଏ, ତାହାହେଲେ ମୁଁ ବିଦ୍ୟାଳୟକୁ ଯାଇପାରିବି ନାହିଁ । ଆଜି ଯେଉଁ ପ୍ରଚଣ୍ଡ ତୋଫାନ ହେଲା ସେଥିରେ ଭଙ୍ଗା ଛତାଟା ଏକାବେଳେ ଭାଙ୍ଗିଗଲା । ଜାମା ପେଣ୍ଟ ସବୁ ମଧ୍ୟ ଓଦା ହୋଇଯାଇଛି । କାଲି କଅଣ ପିନ୍ଧିକରି ଯିବି ?

 

ବହୁତ ବେଳଯାଏ ପାରିବାରିକ ସମସ୍ୟାର କଥା ଚନ୍ତା କରି ରେଖା ସ୍ଥିର କଲା ଯେ ଗୋପକୁ ପାଠ ପଢ଼ାଇବା ସକାଶେ ତାହାକୁ ଯେକୌଣସି ଗୋଟାଏ ଚାକିରି କରିବାକୁ ପଡ଼ିବ ।

 

ପ୍ରାୟ ସପ୍ତାହେ ପରେ । ସେଦିନ ଚନ୍ଦନ ଘରକୁ ଫେରୁଁ ଫେରୁଁ ବହୁତ ରାତି ହେଲା । ଭୋଜନ ସମୟରେ ରେଖା ହସି ହସି ଚନ୍ଦନକୁ ଜଣାଇଲା–ଗୋଟାଏ ସୁଖବର ଅଛି ।

 

ଚନ୍ଦନ ବି ତଦ୍ରୂପ ସହାସ୍ୟ ମୁଖରେ କହିଲା–ତୁମର ସୁଖବର ମାନେହିଁ ତ ମୋର ସୁଖବର । ଆରେ, ତୁରନ୍ତ କହିଦିଅ ନା ।

 

ତୁମର ସେହି ଅନ୍ଧେରୀର କାରଖାନାରେ ନବେ ଟଙ୍କା ଦରମାରେ ଖଣ୍ଡିଏ ଚାକିରି ପାଇଛି ।

 

ସତେ ? –ହସି ହସି ଚନ୍ଦନ ପଚାରିଲା ।

 

କଅଣ ? ବିଶ୍ଵାସ ହେଉ ନାହିଁ ବୋଧହୁଏ ? ସତ, ସତରେ ଚାକିରିଟିଏ ମିଳିଛି ।

 

ବିଛଣାରେ ଶୋଇରହି ଚନ୍ଦନ ପ୍ରିୟତମା ପତ୍ନୀ ରେଖାକୁ ପାଖକୁ ଟାଣିନେଲା । ରେଖା ସ୍ଵାମୀର ଚଉଡ଼ା ଛାତି ଉପରେ ମୁଖ ରଖି କ୍ଷୀଣ ସ୍ଵରରେ କହିଲା–ମୋର ଧାରଣା ଥିଲା, ତୁମେ ବୋଧହୁଏ କେବଳ ବାହାରର ଲୋକଙ୍କ କଥା ଚିନ୍ତା କର, ଆଉ ଘରକୁ ଫେରିଲେ ତୁମର ହୃଦୟ ନାମକ ବସ୍ତୁଟି ହଜିଯାଏ ।

 

ସଙ୍ଗେ ସଙ୍ଗେ ଚନ୍ଦନ ପଚାରିଲା–ଆଉ ଏବେ ତୁମେ କଅଣ ମନେକରୁଛ ?

 

ରେଖା ଅତି ଆନନ୍ଦରେ ହସି ହସି ପ୍ରକାଶ କଲା–ଏକ୍ଷଣି ମୋର ମନେହେଉଛି, କେବଳ ବାହାରର ହଜାର ହଜାର ଲୋକଙ୍କ କଥା ନୁହେଁ, ନିଜ ଘରର ଲୋକଙ୍କ କଥା ମଧ୍ୟ ତୁମେ ଭାବ । ତୁମ ହୃଦୟ ହିମାଳୟ ପରି ଉଚ୍ଚ, ଆଉ ସମୁଦ୍ର ପରି ବିଶାଳ ।

 

Image

 

ଜୋହାନେସ ଭିଲହେମ ଜେନସେନ

Unknown

ଦୀର୍ଘ ଯାତ୍ରା

 

ପୁରା କାଳ । ସେତେବେଳେ ଉତ୍ତର ଦିଗରୁ ତୁଷାର ପ୍ରବାହ ବହିବା ଆରମ୍ଭ ହୋଇ ନଥିଲା ।

 

ଆଜିକାଲି ଯେଉଁଠି ଯୁରୋପ ମହାଦେଶ ସରଗରମ ହୋଇଛି, ସେତେବେଳେ ସେହି ସବୁ ଅଞ୍ଚଳରେ ବଣମଣିଷସବୁ ଦଳ ଦଳ ହୋଇ ଘୂରି ବୁଲୁଥିଲେ । ସେମାନେ ଭୟରେ ଲୁଚି ରହୁଥିଲେ । ଖାଲି ବଣ ଜଙ୍ଗଲର ହିଂସ୍ରଜନ୍ତୁ ଜାନୁଆରଙ୍କ ଡରରେ ସେମାନେ ଛପି ଛପି ବୁଲୁନଥିଲେ, ଆଦିମ ବର୍ବର ବନ୍ୟ ଦଳପତିମାନଙ୍କର ନିର୍ମମ ବିଭୀଷିକାରେ ସେମାନେ ସଦାସର୍ବଦା ଥରହର ହେଉଥିଲେ ।

 

ସେହି ଭୟାର୍ତ୍ତ ଭ୍ରାମ୍ୟମାଣ ବଣମଣିଷଙ୍କର ଗୋଟିଏ ଦଳରେ ଦିନେ ଶିଶୁଟିଏ ଜନ୍ମ ହେଲା । ଦିନକୁ ଦିନ ବଢ଼ି ବଢ଼ି ଶିଶୁଟି ବାଳକ ହେଲା । ମାତ୍ର ବାଳକଟିର ଆକୃତି ଓ ପ୍ରକୃତି ଟିକିଏ ଭିନ୍ନଧରଣର ହେଲା, ଦଳଠାରୁ ଏକାବେଳେ ଭିନ୍ନ ଓ ସ୍ଵତନ୍ତ୍ର ।

 

ସେହି ବିଶାଳ ଜଙ୍ଗଲ ଭିତରେ ‘ଗୁଣାଙ୍ଗ ଏପି’ ନାମରେ ଗୋଟିଏ ପ୍ରକାଣ୍ଡ ଆଗ୍ନେୟଗିରି ଥିଲା । ସେତେବେଳେ ସେଥିରୁ ଅଗ୍ନ୍ୟୁତ୍ପାତ ନ ହେଉଥିଲେ ସୁଦ୍ଧା, ତାହା ଭିତରୁ ନିଆଁ ପୂରାପୂରି ଲିଭିଯାଇ ନଥିଲା ।

 

ବାଳକଟି ଏକା ଏକା ଏଣେତେଣେ ଘୂରି ବୁଲେ । ବେଳେବେଳେ ଆଗ୍ନେୟଗିରିର ଶିଖରକୁ ଉଠିବାକୁ ତାହାର ଇଚ୍ଛା ହୁଏ । ସେ ଆଗେଇଯାଏ ଏବଂ ଶିଖର ଆଡ଼କୁ ଅବାକ୍‍ ହୋଇ ଅନାଇ ରହେ । ଆଉ ଟିକିଏ ଆଗେଇ ଯାଇ ବାଳକଟି ଆଗ୍ନେୟଗିରିର ଢାଲୁ ଅଞ୍ଚଳରେ ଘୂରି ବୁଲେ ।

 

ଏମିତି ଭାବରେ ବରାବର ବୁଲୁଁ ବୁଲୁଁ ହଠାତ୍ ଦିନେ ବାଳକଟି ଆଗ୍ନେୟଗିରିର ଗର୍ତ୍ତରୁ କୌଣସିପ୍ରକାରେ ନିଆଁ ଲଗାଇବାକୁ ଶିଖିଲା । ତେଣୁ ତାହାର ନାମ ହେଲା ଅଗ୍ନି କୁମାର ।

 

ବଣ ଜଙ୍ଗଲରେ ଘୂରି ବୁଲି ଅଗ୍ନି କୁମାର କେତେ କିସମର ଜୀବଜନ୍ତୁ ଶିକାର କରେ । ସେଗୁଡ଼ାକର କଞ୍ଚା ମାଂସ ଆଣି ସେ ଆଗ୍ନେୟଗିରିର ନିଆଁରେ ପୋଡ଼ି କରି ଖାଏ । ସେ ବରାବର ଲଙ୍ଗଳା ହୋଇ ବୁଲୁଥାଏ । ଶୀତ ଲାଗିଲେ ସେ ନିଆଁ ପାଖରେ ଯାଇ ବସେ ଏବଂ ନିଆଁର ତାତିରେ ଦେହକୁ ଗରମ ରଖେ । ପ୍ରଚଣ୍ଡ ଥଣ୍ଡାର କବଳରୁ ନିଜକୁ ବଞ୍ଚାଇବା ଲାଗି ସେ ଏପରି ଏକ ଉପାୟ ଉଦ୍ଭାବନ କଲା । କ୍ରମେ କ୍ରମେ ସେ ନିଆଁକୁ ନାନା ପ୍ରକାରରେ ବ୍ୟବହାର କଲା । ତେଣୁ ଅଗ୍ନିର ମହିମା ତାହା ପକ୍ଷରେ ବଢ଼ିଯିବାରୁ, ସେ ଅଗ୍ନିକୁ ପରମ ଦେବତା ମନେକରି ପୂଜା କରିବାକୁ ଲାଗିଲା ।

 

ବେଳେବେଳେ ଅଗ୍ନି କୁମାର ଘୋର ଜଙ୍ଗଲ ଭିତରେ ମନେମନେ ଆନନ୍ଦରେ ଗୀତ ଗାଇ ଗାଇ ଘୂରି ବୁଲେ । ଦିନେ ତାହାର ସୁମଧୁର ସଙ୍ଗୀତର ମନମତାଣିଆ ସ୍ୱରରେ ଆକୃଷ୍ଟ ହୋଇ ଜଣେ ବନ୍ୟ ନାରୀ ହଠାତ୍ ତାହା ଆଡ଼କୁ ହସି ହସି ଆଗେଇ ଆସିଲା । ପ୍ରଥମ ଦର୍ଶନରେ ହିଁ ସେହି ଯୁବତୀ ଏହି ସୁପୁରୁଷକୁ ଦେଖି ବିମୋହିତ ହେଲା ଏବଂ ନିଜକୁ ତାହାର ଚରଣ ତଳେ ଅକାତରେ ସମର୍ପଣ କଲା । ଧୀରେ ଧୀରେ ପରିଚୟ ଗାଢ଼ ହୁଅନ୍ତେ, ସେମାନେ ଗୋଟିଏ ପତ୍ର କୁଡ଼ିଆ ତିଆରି କରି ଏକାଠି ବାସ କଲେ । ସେମାନଙ୍କର ଜୀବନ ସୁଖ ଶାନ୍ତିରେ ଅତିବାହିତ ହେଲା । କେତେ ମାସ ପରେ ସେହି ପ୍ରେୟସୀ ନାରୀ ଅଗ୍ନି କୁମାରକୁ ଗୋଟିଏ ସନ୍ତାନ ଉପହାର ଦେଲା ।

 

ଯୁବକ ଅଗ୍ନି କୁମାରର ଶୌର୍ଯ୍ୟ ବୀର୍ଯ୍ୟରେ ଆକୃଷ୍ଟ ହୋଇ କେତେଜଣ ବନ୍ୟ ପୁରୁଷ ଆସି ତାହାର ବଶ୍ୟତା ସ୍ଵୀକାର କଲେ । ସେମାନେ ତାହାରି ପାଖରେ କୁଡ଼ିଆ ବନାଇ ରହିଲେ ଏବଂ ଅଗ୍ନି କୁମାରକୁ ନିଜର ଦଳପତି ବୋଲି ମାନି ଚଳିଲେ । ଅଗ୍ନି କୁମାର ନିଜର ଅନୁଚରମାନଙ୍କୁ ତୀର ଧନୁର ବ୍ୟବହାର ଶିଖାଇଲା । ବିପଦ ଆପଦ ସମୟରେ ଆଶ୍ରୟ ନେବା ପାଇଁ ସେ ସେମାନଙ୍କୁ ପାହାଡ଼ରେ କେତୋଟି ଗୁହା ଦେଖାଇଲା । କାଳକ୍ରମେ ଅଗ୍ନି କୁମାରର ନେତୃତ୍ଵରେ ଗୋଟିଏ ଛୋଟକାଟର ଶିକାରୀ ଦଳ ଗଠିତ ହେଲା ।

 

ଅଗ୍ନି କୁମାର ଯେଉଁଆଡ଼େ ଯାଉ ନା କାହିଁକି, ସେହି ପୂରା ଦଳଟି ତାହା ପଛେ ପଛେ ଯାଏ । ସେମାନେ ଏକାଠି ହୋଇଯିବାରୁ, ସେମାନଙ୍କ ମନରେ କିଛି ଡର ଭୟ ରହିଲା ନାହିଁ । ତାହା ଛଡ଼ା, ଗଲାବେଳେ ସେମାନେ ବରାବର ଖଣ୍ଡିଏ ଜଳନ୍ତା କାଠ ସାଙ୍ଗରେ ଧରି ଥାଆନ୍ତି । ନିଘଞ୍ଚ ବଣ ଭିତରେ ହିଂସ୍ରଜନ୍ତୁସବୁ ନିଆଁ ଦେଖିଲା କ୍ଷଣି ଭୟରେ କୁଆଡ଼େ ପଳାଇ ଯାଆନ୍ତି ।

 

ନିଆଁ, ପଥର ଓ କାଠର ବ୍ୟବହାର ମଧ୍ୟ ବଣର ଅନ୍ୟ ଅଧିବାସୀମାନେ ଶିଖିଲେ । ଅଗ୍ନି କୁମାରର ଏତାଦୃଶ ଅଲୌକିକ କ୍ଷମତାରେ ମୁଗ୍ଧ ହୋଇ ସେମାନେ ତାହା ନିକଟରେ ଶରଣ ପଶିଲେ । ନିଜକୁ ତାହାର ଦଳ ଭିତରେ ସାମିଲ କରିପାରିବାରୁ, ସେମାନେ ମନେମନେ ଗର୍ବ ଅନୁଭବ କଲେ ।

 

ଏହିପରି ଭାବରେ ଅଗ୍ନି କୁମାରର ଦିନଗୁଡ଼ିକ ସୁଖରେ ଅତିବାହିତ ହେଉଥିଲା । କିନ୍ତୁ ସେହି ସୁଖ ତାହାର କପାଳରେ ବେଶୀ ଦିନ ସହିଲା ନାହିଁ । ଦିନେ ଦେବତା ବୋଧହୁଏ ତାଙ୍କର ଦାନର ପ୍ରତିଦାନ ଅଗ୍ନି କୁମାରଠାରୁ ଚାହିଁଲେ ।

 

ସେହି ଦିନ ଦଳର ଲୋକମାନେ ଗୋଟାଏ ବଡ଼ ଆକାରରେ ନିଆଁ ଜାଳିଲେ । ତା’ପରେ ସମସ୍ତଙ୍କ ପାପର ପ୍ରାୟଶ୍ଚିତ୍ତ ହିସାବରେ ସେମାନେ ନିଜର ଦଳପତି ଅଗ୍ନି କୁମାରକୁ ଦେବତାଙ୍କ ନିକଟରେ ଆହୁତି ଦେଲେ ।

 

ଅଗ୍ନି କୁମାରର ମୃତ୍ୟୁ ହେଲା ସତ, କିନ୍ତୁ ତାହାର ଉଦ୍ଭାବନୀ କ୍ଷମତାର ପ୍ରତୀକଟି ଅମର ହୋଇ ପଛରେ ରହିଗଲା ।

 

 

ତା’ପରେ କେତେ ଯୁଗ ବିତିଲା । ‘ଗୁଣାଙ୍ଗ ଏପି’ ଆଗ୍ନେୟଗିରିରୁ ନିଆଁ ଏକାବେଳେ ଲିଭିଗଲା । ଉତ୍ତର ଦିଗରୁ ପ୍ରବଳ ତୁଷାର ସ୍ରୋତ ପ୍ରବାହିତ ହେବାକୁ ଲାଗିଲା । କ୍ରମେ କ୍ରମେ ସେହି ସ୍ରୋତ ବଣ ଜଙ୍ଗଲ ଓ ଉପତ୍ୟକାରେ ଖେଳିଗଲା ।

 

ସେତେବେଳେ ସେହି ଘନ ଜଙ୍ଗଲରେ ଗୋଟିଏ ଛୋଟ ଶିକାରୀ ଦଳ କୌଣସିମତେ ଅତି ହୀନ ଅବସ୍ଥାରେ ବାସ କରୁଥିଲା । ପ୍ରଚଣ୍ଡ ଥଣ୍ଡା ଓ ଶୀତରେ ଅସ୍ତବ୍ୟସ୍ତ ହୋଇ ଏହି ଶିକାରୀ ଦଳଟି ବଣର ଜୀବଜନ୍ତୁଙ୍କ ସାଙ୍ଗରେ ଦକ୍ଷିଣ ମୁଲକକୁ ପଳାଇଲା ।

 

ଏହି ଦଳ ଭିତରେ କାର୍ଲ ନାମକ ଜଣେ ଲୋକ ଥିଲା । କାର୍ଲ ନିଆଁକୁ ଏତେ ବେଶୀ ଭୟ କରୁନଥିଲା । କାରଣ ସେ ନିଆଁର ବ୍ୟବହାର କେତେକ ପରିମାଣରେ ଜାଣିଥିଲା ।

 

ଦିନେ ସହସା କାର୍ଲ କୌଣସି କାରଣରୁ ଦଳଚ୍ୟୁତ ହେଲା । ସଙ୍ଗେ ସଙ୍ଗେ ସେ ନିଆଁକୁ ମଧ୍ୟ ହରାଇଲା । କାର୍ଲ ଘୂରି ଘୂରି ଦକ୍ଷିଣ ଅଞ୍ଚଳରୁ ଯାଇ ପୁଣି ଉତ୍ତର ଅଞ୍ଚଳରେ ପହଞ୍ଚି ଗୋଟିଏ ସ୍ଥାନରେ ଆଶ୍ରୟ ନେଲା । ପଶୁର ଚମଡ଼ାକୁ ଦେହର ଆଚ୍ଛାଦନ ହିସାବରେ ବ୍ୟବହାର କରିବାକୁ ସେ ଶିଖିଲା । ତାହାଦ୍ଵାରା ସେ ପ୍ରଚଣ୍ଡ ଶୀତର କବଳରୁ ନିଜର ଦେହକୁ ରକ୍ଷା କଲା ଏବଂ ଉତ୍ତପ୍ତ ମଧ୍ୟ କଲା । ବେଳେବେଳେ ସେ ମାଟିରେ ଗାତ ଖୋଳି ତାହାରି ଭିତରେ ରହୁଥିଲା । ତା’ପରେ ପଥରସବୁ ତାଡ଼ିଆଣି ଖଣ୍ଡିକ ପରେ ଖଣ୍ଡିଏ ସଜାଇ ଗୋଟାଏ ଘର ତିଆରିକରି ସେ ତାହାରି ଭିତରେ କୌଣସିମତେ ମଥା ଗୁଞ୍ଜି ରହିଲା ।

 

ଯେତେ ଦୂରକୁ ତାହାର ଦୃଷ୍ଟି ଗଲା କାର୍ଲ ଦେଖିଲା ଚାରିଆଡ଼େ ଖାଲି ବରଫର ଧଳା ଗାଲିଚା ବିଛା ହୋଇଛି । ସେଇଥିପାଇଁ ଏତେ ଥଣ୍ଡା ପଡ଼ିଛି ବୋଲି ସେ ମନେମନେ ମାଲୁମ କଲା-। ତହୁଁ ସେ ଶୀତ ବା ଶୀତ ନାମକ ଶତ୍ରୁକୁ ଖୋଜି ବୁଲିଲା । ମାତ୍ର ସେଥିରେ କିଛି ଫଳ ହେଲା ନାହିଁ ।

 

କେତେ ଦିନ ପରେ ସେ ବଣ ଭିତରେ ହଠାତ୍ ଗୋଟିଏ କୁକୁରକୁ ଦେଖି ପାରିଲା । ଜନ୍ତୁଟିକୁ ଦେଖି ଅତି ଖୁସି ହୋଇ ସେ ତାହା ସାଙ୍ଗରେ ବନ୍ଧୁତା ସ୍ଥାପନ କଲା ।

 

ଶୀତ ପରେ କାର୍ଲ ଗୋଟିଏ ମଜଭୁତ ଘର ତିଆରି କଲା । ସେ ବଣରେ ଏଣେତେଣେ ବୁଲି ଯେଉଁ ଜୀବଜନ୍ତୁ ସବୁ ଶିକାର କଲା, ସେହି ମାଂସ ଖାଇ ସେ ଦିନ ବିତାଇବାକୁ ଲାଗିଲା । କେତେବେଳେ କୌଣସି ବଣୁଆ ଲୋକ ତାହାର ହାବୁଡ଼ରେ ପଡ଼ିଲେ, ସେ ତାହାର ମାଂସ ଖାଇ ବି ତୃପ୍ତ ହୁଏ ।

 

ଦିନେ ବଣରେ ବୁଲୁ ବୁଲୁ ସହସା ଗୋଟିଏ ଲୋକକୁ ଦେଖିପାରି କାର୍ଲ ତାହାକୁ ଗୋଡ଼ାଇଲା । କିନ୍ତୁ ଯେତେବେଳେ ଶିକାର ତାହାର ହାତକୁ ଆସିଲା, ସେ ଲକ୍ଷ୍ୟକଲା ଯେ ତାହାର ଆକୃତି ଭିନ୍ନ ଧରଣର । ତାହାର ଦେହ ଓ ରୂପ ଦେଖି କାର୍ଲ ତାହା ପ୍ରତି ଆକୃଷ୍ଟ ହେଲା । ଅସଲ କଥା ହେଉଛି, ସେ ଜଣେ ସ୍ତ୍ରୀଲୋକ । ଶିକାରଟାକୁ ଅବଶ୍ୟ ସେ ତାହାର ଖାଦ୍ୟ ଭାବରେ ବ୍ୟବହାର କଲା ନାହିଁ । ମାତ୍ର ସେ ତାହାକୁ ଜୀବନ ସଙ୍ଗିନୀ ଭାବରେ ଗ୍ରହଣ କଲା । ତାହାର ନାମ ଦିଆଗଲା ‘ମାମ’ । ଶ୍ରୀମତୀ ମାମ କାର୍ଲର ଗୃହିଣୀ ହେଲା ।

 

ଶ୍ରୀମତୀ ମାମ ନିଜର ସ୍ଵାମୀ କାର୍ଲକୁ ଏକ ସନ୍ତାନ ଉପହାର ଦେଲା । ଏତିକିରେ ତାହାର କାମ ସରିଲା ନାହିଁ । ତାହାର ନାନା ରକମ ଗୁଣରେ କାର୍ଲ ମୋହିତ ହେଲା । କାର୍ଲର ସଂସାର କ୍ରମେ କ୍ରମେ ଦୃଢ଼ ହେଲା । ସେ ହେଲା ତାହାର ଏକ ସଞ୍ଚୟ ନିଧି । କ୍ରମେ କ୍ରମେ କାର୍ଲ ଗୋଟିଏ ଛୋଟ ସଂସାର ଗଢ଼ିଲା । ତାହାର ଯାଯାବର ପ୍ରକୃତି ଆଉ ରହିଲା ନାହିଁ । ଦୁହେଁ ବରାବର ନିଜ ନିଜ କାମରେ ଲାଗିଲେ ଏବଂ ଖେତରେ ସବୁଜ ଫସଲ ଫଳାଇଲେ । ଶ୍ରୀମତୀ ମାମ ପରିବାରର ସମସ୍ତଙ୍କ ପାଇଁ ରୋଷେଇ କଲା ଏବଂ ନାନା ରକମ ଖାଦ୍ୟ ପରିବେଷଣ କଲା । ଖାଲି ମାଂସ ସେମାନଙ୍କର ଏକମାତ୍ର ଖାଦ୍ୟ ହୋଇ ରହିଲା ନାହିଁ । ସେମାନେ ଆସ୍ତେ ଆସ୍ତେ ଶାଗ, ପନିପରିବା ଓ ଫଳ ମୂଳ ମଧ୍ୟ ଖାଇବାକୁ ଶିଖିଲେ ।

 

କାର୍ଲ ନିଆଁକୁ ହରାଇଥିଲେ ସୁଦ୍ଧା ତାହାର ସାବକ ବ୍ୟବହାର ଭୁଲି ନଥିଲା । ଦିନେ ଏକାଗ୍ର ଚିତ୍ତରେ ଅନବରତ ଚେଷ୍ଟା ଓ ପରିଶ୍ରମ କରି କରି ସେ ଦୁଇଟି ପଥରକୁ ଘଷି ଘଷି ଶେଷକୁ ନିଆଁ ବାହାର କଲା । କାର୍ଲ ତାହାର ସ୍ତ୍ରୀ ଓ ଶିଶୁମାନଙ୍କୁ ନିଆଁର ବ୍ୟବହାର ଶିଖାଇଲା । ନିଆଁର ସାହାଯ୍ୟରେ ନାରୀମାନେ ରାନ୍ଧିବାକୁ ଶିଖିଲେ ଏବଂ ମାଟିର ବାସନକୁସନ ମଧ୍ୟ ତିଆରି କଲେ ।

 

କାଳକ୍ରମେ କାର୍ଲର ବଂଶଧରମାନଙ୍କ ଭିତରୁ ଗୋଟିଏ ପୁରୋହିତ ସମ୍ପ୍ରଦାୟ ସୃଷ୍ଟି ହେଲା । ସେଥି ଭିତରେ ଶ୍ୱେତ ଭଲ୍ଲୁକ ଉଦ୍ଧତ ପ୍ରକୃତିର ଥିଲା ।

 

ଦିନେ ଜଣେ ସ୍ଵଜାତିର ଲୋକକୁ ହତ୍ୟା କରିବାର ଅପରାଧରେ ଶ୍ୱେତ ଭଲ୍ଲୁକ ସମାଜଚ୍ୟୁତ ହେଲା । ତହୁଁ ସେ ଦିନେ ତାହାର ସଙ୍ଗିନୀ ମାମକୁ ନେଇ କୁଆଡ଼େ ପଳାଇଲା ।

 

ଶ୍ୱେତ ଭଲ୍ଲୁକ ଶ୍ରୀମତୀ ମାମକୁ ଧରି ବୁଲି ବୁଲି ଯାଇ ସମୁଦ୍ର କୂଳରେ ପହଞ୍ଚିଲା ଏବଂ ସେଠାରେ ଘର ବାନ୍ଧିଲା । ଜଙ୍ଗଲରୁ କାଠ କାଟି ସେ ଛୋଟ ଛୋଟ ନୌକା ତିଆରି କଲା । ନିଜର ପିଲାମାନଙ୍କୁ ସେହି ନୌକରେ ବସାଇ ଶ୍ୱେତ ଭଲ୍ଲୁକ ଅଜଣା ଦେଶକୁ ନେଇଗଲା ଏବଂ ସେଠାରୁ ନାନା ରକମର ଦ୍ରବ୍ୟ ସଂଗ୍ରହ କରି ଫେରିଆସିଲା । ଏଣେ ଶ୍ରୀମତୀ ମାମ ଝିଅମାନଙ୍କୁ ସାଙ୍ଗରେ ଧରି ବିଲବାଡ଼ିରେ କାମ କଲା, ଫସଲ ଫଳାଇଲା ଏବଂ ଗୃହପାଳିତ ପଶୁଙ୍କୁ ମଧ୍ୟ ଦେଖାଶୁଣା କରିବାକୁ ଲାଗିଲା ।

 

ଶ୍ୱେତ ଭଲ୍ଲୁକ ଘୋଡ଼ାକୁ କାମରେ ଲଗାଇଲା । ସେ ଗାଡ଼ି ତିଆରି କଲା । ଘୋଡ଼ା ସେହି ଗାଡ଼ି ଟାଣିଲା ।

 

ତାହାର ପୁଅମାନେ ଶ୍ୱେତ ଭଲ୍ଲୁକଠାରୁ ଅଧିକ ଦୁଃସାହସୀ ହେଲେ । ସେମାନେ ଘୋଡ଼ାରେ ଚଢ଼ି ମହା ଆନନ୍ଦରେ ଚାରିଆଡେ଼ ଧାଇଁ ବୁଲିଲେ । ପିଲାମାନଙ୍କ ଭିତରେ ଗଧିଆ ନାମରେ ଗୋଟିଏ ପୁଅ ଥିଲା । ସେ ସବୁଠାରୁ ବେଶୀ ଦୁଷ୍ଟ ଥିଲା । ଘୋଡ଼ା ତାହାର ପରମ ପ୍ରିୟ ବାହନ ହେଲା । ଦିନେ ସେ ତାହାର ପ୍ରିୟ ଘୋଡ଼ାରେ ଚଢ଼ି କୁଆଡ଼େ ପଳାଇଲା ଏବଂ ଯାଯାବର ଜୀବନ କଲା ।

 

 

ଆଉ ଏକ ଯୁଗ ବିତିଲା ।

ଦିନେ ହଠାତ୍ ଆସି ପହଞ୍ଚିଲା ନରମା ଜେଷ୍ଟ ନାମରେ ଜଣେ ବଳିଷ୍ଠ ଯୁବା ପୁରୁଷ । କୌଣସି ଏକ ମାତୃଶାସିତ ପରିବାରଠାରୁ ବିଛିନ୍ନ ହୋଇ ସେ ଏଣେ ପଳାଇ ଆସିଲା । ସମୁଦ୍ର କୂଳ ନିକଟରେ କୌଣସି ଗୋଟିଏ ଦ୍ଵୀପର ମଝିରେ ତରୁଣ ଜେଷ୍ଟ ନିଜର ଘର ବାନ୍ଧିଲା ।

ଦିନେ ଜେଷ୍ଟ ଗୋଟିଏ ବଡ଼ ଗଛର ଗଣ୍ଡି ଖୋଳି ଗୋଟିଏ ଛୋଟ ଡିଙ୍ଗୀ ତିଆରି କଲା । ଜଣେ ତରୁଣୀକୁ ସେ ନିଜର ସଙ୍ଗିନୀ ହିସାବରେ ବାଛିଲା । ତା’ପରେ ତାହାକୁ ନେଇ ସେହି ଡିଙ୍ଗୀରେ ବସାଇ ଜେଷ୍ଟ ଦିନେ ଅଜଣା ଦେଶର ସନ୍ଧାନରେ ବାହାରିଗଲା ।

ଅନନ୍ତ ନୀଳ ସମୁଦ୍ରରେ ଭାସି ଭାସି ଯାଇ ଜେଷ୍ଟ ଗୋଟିଏ ନୂଆ ଦେଶ ଆବିଷ୍କାର କଲା । ଆଜି ସେହି ଦେଶର ନାମ ହୋଇଛି ସୁଇଡେନ । ସେଠାରେ ଜେଷ୍ଟର କେତୋଟି ପୁଅଝିଅ ଜନ୍ମ ହେଲେ । ସପରିବାରରେ ସେଠାରେ କିଛି ଦିନ ସୁଖରେ କଟାଇ ଜେଷ୍ଟ ନିଜର ପୁରୁଣା ଆସ୍ଥାନ ସେହି ଦ୍ଵୀପକୁ ବାହୁଡ଼ିଗଲା ।

ଦ୍ଵୀପକୁ ଫେରିଆସିଲା ପରେ ଜେଷ୍ଟକୁ କେତେଜଣ ସାଙ୍ଗ ମିଳିଲେ । ସେ ସେମାନଙ୍କୁ ଧରି ଦିନେ ଜଳପଥରେ ପୁଣି ବାହାରି ପଡ଼ିଲା । ଏଥର ଜେଷ୍ଟ ତାହାର ନୌକାରେ ପାଲ ବାନ୍ଧିଲା ଏବଂ ଆହୁଲା ବ୍ୟବହାର କଲା । ସଙ୍ଗୀମାନଙ୍କୁ ଧରି ସେ ଖୁବ୍ ଖୁସିରେ ଜଳପଥରେ ବହୁ ଅଜଣା ଦେଶରେ ଘୂରି ବୁଲିଲା ।

ଏମିତି ଭାବରେ କେତେ ବର୍ଷ ବିତିଲା । ଜେଷ୍ଟର ସଙ୍ଗୀମାନଙ୍କ ଭିତରୁ ଜଣ ଜଣ କରି ସମସ୍ତେ ମରିଗଲେ । କିନ୍ତୁ ଜେଷ୍ଟ ସେତେବେଳେ ବି ଯଥେଷ୍ଟ ଶକ୍ତିଶାଳୀ ଓ କର୍ମଠ ଥିଲା । ସେ ଇଛା ମରଣର ବର ପାଇଥିଲା । ତାହା ସାଙ୍ଗରେ ଥିଲା ଗୋଟିଏ ଜଳନ୍ତା ମହମବତୀ, ଅଖଣ୍ଡ ଜ୍ୟୋତି, ତାହାର ଜୀବନର ପ୍ରତୀକ ।

ଦିନେ ସକାଳେ ଜେଷ୍ଟର ନିଦ ଭାଙ୍ଗିଲାରୁ ସେ ଦେଖିଲା, ସେ ଏକ ଅଜବ ଦେଶରେ ଆସି ପହଞ୍ଚିଛି । ସେଠାକାର ଲୋକମାନେ ଅଦ୍ଭୁତ ଧରଣର ଥିଲେ–ହୁଏତ କେତେକ କ୍ରୀତଦାସ, ଆଉ କେତେକ ସମ୍ଭ୍ରାନ୍ତ ଶ୍ରେଣୀ । ଜେଷ୍ଟ ସେମାନଙ୍କର କଥାବାର୍ତ୍ତା ଓ ଚାଲିଚଳଣି ବୁଝିପାରିଲା ନାହିଁ ।

ଆଉ ଗୋଟାଏ ମଜା କଥା ହେଲା । ଦିନେ ଜେଷ୍ଟ ଜଣେ କୁତ୍ସିତ ଚେହେରାର କ୍ରୀତଦାସୀକୁ ନିଜର ସ୍ତ୍ରୀ ରୂପେ ପାଇଲା । ସେ ବହୁତ ଭାବିଚିନ୍ତି କିଛି ସ୍ଥିର କରିପାରିଲା ନାହିଁ, ତାହା ବା କିପରି ସମ୍ଭବ ହେଲା । ତହୁଁ ତାହାର ମନ ଘୃଣାରେ ଭରିଗଲା ।

ଏହି ଅଜବ ଦେଶରେ ଜେଷ୍ଟ ନିଜତ୍ଵ ହରାଇଲା । ସେ ବିଭ୍ରାନ୍ତ ହେଲା । ଦିନେ ସେ ନିଜର କ୍ରୀତଦାସୀ ସ୍ତ୍ରୀକୁ ସାଙ୍ଗରେ ଧରି ନୌକାରେ ବସିଲା, ପାଲ ଭିଡ଼ିଲା ଏବଂ ଆହୁଲା ମାରି ପୂର୍ବର ଆବିଷ୍କୃତ ଦେଶ ସୁଇଡେନ ଅଭିମୁଖରେ ସାଗର ବକ୍ଷରେ ନୌକାକୁ ଭସାଇ ଦେଲା ।

ଜେଷ୍ଟ ସେଠାରେ ପହଞ୍ଚି ଅବାକ୍‍ ହେଲା । ସେ ଦେଖିଲା, ଇତିମଧ୍ୟରେ ଆହୁରି ଅନେକ ଲୋକେ ଯାଇ ସେଠାରେ ହାଜର ହେଲେଣି ।

ଚାରିଆଡ଼େ ଖାଲି ବିଶୃଙ୍ଖଳା । ନିଜର ଶକ୍ତି ଓ ପ୍ରତିଭା ବଳରେ କିଛି ଦିନ ଭିତରେ ଜେଷ୍ଟ ସେଠାକାର ଅଧିକାରୀର ଆସନ ପାଇଲା । ସେଠାରେ ସେ ଲୋକମାନଙ୍କୁ କଠିନ ଧାତୁ ପଥରସବୁ ତରଳାଇବାର ପଦ୍ଧତି ଶିଖାଇଲା । କ୍ରମେ କ୍ରମେ ସେମାନେ ଧାତୁ ବ୍ୟବହାର କରିବାର କୌଶଳ ଶିଖିଲେ । ସୁତରାଂ ଆସିଲା ଲୌହ ଯୁଗ ।

ଜେଷ୍ଟର ନେତୃତ୍ଵରେ ସେହି ଲୋକମାନେ ସେଠାରେ ନୂଆ ଘର ବାନ୍ଧିଲେ । ସେମାନେ ପ୍ରତି ଘରେ ପାଳିଲେ ଗୃହପାଳିତ ପଶୁସବୁ, ଗୋରୁ, ମେଣ୍ଢା ଛେଳି ଓ ଘୋଡ଼ା । ସେମାନଙ୍କୁ ମଧ୍ୟ ସେମାନେ ନିଜର ନାନା କାମରେ ଲଗାଇଲେ ।

 

ସେହି ସ୍ଥାନରେ ସବା ପ୍ରଥମେ ସ୍ଥାନୀୟ ଅଧିବାସୀମାନଙ୍କ ଭିତରେ ବିବାହ ପ୍ରଥା ପ୍ରଚଳିତ ହେଲା । ଦଳ ଦଳ ହୋଇ ସନ୍ତାନମାନେ ଜନ୍ମ ହେଲେ । କ୍ରମେ କ୍ରମେ ଗୋଟିଏ ଉପନିବେଶ ପ୍ରତିଷ୍ଠିତ ହେଲା । ତାହା ଦେଖି ଜେଷ୍ଟ ଭାରି ଖୁସି ହୋଇ ଏକ ତୃପ୍ତିକର ନିଃଶ୍ଵାସ ଛାଡ଼ିଲା ।

 

ଦିନେ ଜେଷ୍ଟର ସ୍ତ୍ରୀ ଅଚାନକ ମରିଗଲା । ଫଳରେ, ଜେଷ୍ଟ ଭାଙ୍ଗିପଡ଼ିଲା । ସେ ମନେମନେ ଗୋଟାଏ ବିରାଟ ଶୂନ୍ୟତା ଅନୁଭବ କଲା । ସେହି ଉପନିବେଶ ପ୍ରତି ତାହାର ଆଉ କିଛି ଆକର୍ଷଣ ରହିଲା ନାହିଁ । ତାହାର ମନ ଅସ୍ଥିର ହେଲା ।

 

ଦିନେ ଜେଷ୍ଟ କାହାକୁ କିଛି ନ କହି ଘରୁ ପଳାଇଗଲା । ପଛରେ ପଡ଼ିରହିଲା ନିଜର ସୃଷ୍ଟି–ବର୍ତ୍ତମାନର ସୁଇଡେନ । ଡିଙ୍ଗୀରେ ଚଢ଼ି ସେ ଦଉଡ଼ିଟା ଫିଟାଇଦେଇ ଜୋରରେ ଆହୁଲା ମାରିଲା ।

 

ମଧ୍ୟ ୟୁରୋପକୁ ପଛରେ ପକାଇ ଦେଇ ଡିଙ୍ଗୀ ଧୀରେ ଧୀରେ ଆଗେଇ ଚାଲିଲା । ଦାନିୟବ ନଦୀର ବକ୍ଷ ଚିରି ଡିଙ୍ଗୀ ଆହୁରି ଆଗକୁ ଧାଇଁଲା । ଭୂମଧ୍ୟ ସାଗରୀୟ ଉପତ୍ୟକାର ପାଖଦେଇ ଜେଷ୍ଟ ଆହୁରି ଦକ୍ଷିଣ ଦିଗ ଅଭିମୁଖରେ ଅଗ୍ରସର ହେଲା ।

 

ଯାଇଁ ଯାଇଁ ଜେଷ୍ଟର ମନେପଡ଼ିଲା, ଏଠାରେ ପ୍ରସ୍ତର ଯୁଗର ପ୍ରାରମ୍ଭରେ ତାହାର ଜୀବନ ଆରମ୍ଭ ହୋଇଥିଲା । ଦକ୍ଷିଣର ଏହି ଅଞ୍ଚଳରେ ଯେମିତି କିଛି ଅଭାବ ଅନୁଭବ କଲା । ତଥାପି ମାତୃଭୂମି ପ୍ରତି ଜେଷ୍ଟର ମନ ହଠାତ୍ ଚଞ୍ଚଳ ହେଲା । ସେ ଭାବବିହ୍ୱଳ ହୋଇପଡ଼ିଲା । ସେ ଆଉ ଆଗକୁ ଯାଇପାରିଲା ନାହିଁ ।

 

ଶୂନ୍ୟ ମନରେ ଘୂରୁଁ ଘୂରୁଁ ଜେଷ୍ଟ ଯାଇ ଜୁଟଲାଣ୍ଡରେ ଉପସ୍ଥିତ ହେଲା । ସେଠାକାର ଦଳପତି ଟୋଲ ତାହାକୁ ସାଦର ଅଭ୍ୟର୍ଥନା ଜଣାଇଲା ।

 

ଦଳପତି ଟୋଲ ଜେଷ୍ଟର ତୀକ୍ଷ୍ଣ ବୁଦ୍ଧିର ପରିଚୟ ପାଇଲା । ଜେଷ୍ଟର ଲୌହ ବ୍ୟବହାରର ଆଶ୍ଚର୍ଯ୍ୟ କ୍ଷମତାର କଥା ସେ ଜାଣିପାରିଲା । ଫଳରେ, ଦଳପତି ନିକଟରେ ଜେଷ୍ଟର ମର୍ଯ୍ୟାଦା ବଢ଼ିଗଲା ।

 

ଦଳପତି ଟୋଲର ମାରଫତରେ ଥିଲା ଜୁଟଲାଣ୍ଡ ଅଧିବାସୀଙ୍କର ଗୋଟିଏ କାଠର ପ୍ରତିମା–ସେମାନଙ୍କର ଏକମାତ୍ର ଦେବତାର ପ୍ରତିମୂର୍ତ୍ତି । ଦଳପତିର ଅନୁରୋଧରେ ଜେଷ୍ଟ ସେହି କାଠର ପ୍ରତିମାକୁ ପିତଳ ମୂର୍ତ୍ତିରେ ପରିଣତ କଲା ।

 

ବସନ୍ତର ଆଗମନରେ ନୂତନ ଦେବ ପ୍ରତିମାକୁ ଖୁବ୍ ଜାକଜମକରେ ପ୍ରତିଷ୍ଠା କରା ହେଲା । ଆରାଧ୍ୟ ଦେବତାର ପୂଜାର ଉପଚାର ରୂପେ କେତେଜଣ କ୍ରୀତଦାସଙ୍କୁ ବଳି ଦିଆଗଲା । ଉତ୍ସବ ସରିଲାରୁ ଜେଷ୍ଟ ପୁଣି ବାହାରି ପଡ଼ିଲା । ଏଥର ସେ ପଦ ଯାତ୍ରା କଲା ।

 

 

ବର୍ଷ ଗଡ଼ିଗଲା । ସମୁଦ୍ରର ଉତ୍ତାଳ ତରଙ୍ଗ ଜୁଟଲାଣ୍ଡକୁ ଗ୍ରାସ କରିବାକୁ ଆଗେଇ ଆସିଲା । ସ୍ଥାନୀୟ ଉପଜାତିମାନେ ନିଜ ନିଜର ପ୍ରାଣରକ୍ଷା କରିବା ପାଇଁ ସେହି ଦେଶ ଛାଡ଼ି ପଳାଇଲେ । ଯିବାବେଳେ ସେମାନେ ଆରାଧ୍ୟ ଦେବ ପ୍ରତିମାକୁ ସାଙ୍ଗରେ ନେବାକୁ ଭୁଲିଲେ ନାହିଁ-। ଏକମାତ୍ର ବୃଦ୍ଧ ଦଳପତି ଟୋଲ ପଛରେ ପଡ଼ିରହିଲା ।

 

ଏହି ଭୟାର୍ତ୍ତ ଉପଜାତିର ଦଳଟା ଯାଯାବର ପରି ମଧ୍ୟ ଓ ଦକ୍ଷିଣ ୟୁରୋପର ବିଭିନ୍ନ ଅଞ୍ଚଳରେ ଘୂରି ବୁଲିଲା । ଏଣିକି ଦଳଟି କୀମବ୍ରୀୟାନ ଉପଜାତି ନାମରେ ପରିଚିତ ହେଲା । ସେମାନେ ଘୂରି ବୁଲିବାବେଳେ ବିଭିନ୍ନ ଜାଗାରୁ ଆଉ କେତେକ ଉପଜାତି ଆସି ସେମାନଙ୍କ ସହିତ ମିଶିଲେ ।

 

ନିଜର ବାସସ୍ଥାନ ସକାଶେ ମନୋମତ ଜାଗା ଖୋଜୁଁ ଖୋଜୁଁ ଏହି ଦଳଟି ଏକ ସମୟରେ ରୋମ ନଗରୀର ସୀମାନ୍ତରେ ଆସି ଉପସ୍ଥିତ ହେଲା । ଯାଯାବରମାନଙ୍କର ଲୋଲୁପ ଦୃଷ୍ଟି ସେହି ଦେଶ ଉପରେ ପଡ଼ିଲା ।

 

ରୋମମାନେ ସେହି ଉପଜାତିର ଲୋକମାନଙ୍କୁ ଦେଖି ସେମାନଙ୍କୁ ନାନା ରକମ ଧମକ ଚମକ ଦେଲେ ଏବଂ ସେମାନଙ୍କୁ ଫେରିଯିବା ପାଇଁ କଡ଼ା ହୁକୁମ ଝାଡ଼ିଲେ । ମାତ୍ର ସେଥିରେ କିଛି ଫଳ ହେଲା ନାହିଁ ।

 

ନିଜ ଜାତି ଉପରେ ଆସନ୍ନ ବିପଦର ଖବର ପାଇ ଆଉ କେତେକ ଉପଜାତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଉତ୍ତର ଦିଗରୁ ଧାଇଁ ଆସିଲେ । ସେମାନେ ମିଳିତ ଭାବରେ ଅଚାନକ ରୋମାନମାନଙ୍କ ଉପରେ ଚଢ଼ାଉ କଲେ ।

 

ରୋମାମାନେ ଶତ୍ରୁର ଏପରି ଆକ୍ରମଣ ପାଇଁ ଆଦୌ ପ୍ରସ୍ତୁତ ନଥିଲେ । ତେଣୁ ସେମାନେ ଏହି ଆକସ୍ମିକ ଆକ୍ରମଣରେ ବିଚଳିତ ହେଲେ । ସେମାନେ ଏହି ଉଚ୍ଛନ୍ନ ଯାଯାବରମାନଙ୍କର ଗତିରୋଧ କରିପାରିଲେ ନାହିଁ ।

 

ଗର୍ବ ଓ ଆନନ୍ଦର ଉଚ୍ଛ୍ୱାସରେ କୀମବ୍ରୀୟାନମାନେ ରୋମାନ ସେନାପତିଙ୍କର ରଣକୌଶଳର କଥା ଭାବିବାକୁ ଆଦୌ ଅବସର ପାଇଲେ ନାହିଁ । ସେମାନେ ଉଚ୍ଛୃଙ୍ଖଳ ଭାବରେ ଏଣେତେଣେ ଖେଳେଇ ହୋଇଗଲେ ଏବଂ ହୈଚୈ ହଟ୍ଟଗୋଳରେ ମାତିଲେ ।

 

ଏହି ସୁଯୋଗରେ ରୋମାନ ସେନାପତିଙ୍କ ନିର୍ଦ୍ଦେଶରେ ସୈନ୍ୟମାନେ ଉପଜାତିର ଲୋକମାନଙ୍କ ଉପରେ ସହସା ପାଲଟା ଆକ୍ରମଣ ଆରମ୍ଭ କଲେ । ସେମାନେ ସମ୍ପୂର୍ଣ୍ଣ ଭାବରେ ବିଧ୍ଵସ୍ତ ହେଲେ । ବହୁ ଲୋକ ନିହିତ ହେଲେ । ବନ୍ଦୀମାନଙ୍କ ଭିତରୁ କେତେକ ମଧ୍ୟ ଆତ୍ମହତ୍ୟା କଲେ । ରୋମାନମାନେ ଅବଶିଷ୍ଟ ବନ୍ଦୀମାନଙ୍କୁ କ୍ରୀତଦାସ ଭାବରେ ନିଜର ଲୋକମାନଙ୍କୁ ବିକି ଦେଲେ । କାଳକ୍ରମେ କ୍ରୀତଦାସମାନଙ୍କର ରକ୍ତ ବିଜୟୀ ରୋମାମାନଙ୍କ ରକ୍ତ ସହିତ ମିଶିଗଲା ।

 

ସେହି ଆକ୍ରମଣକାରୀ ଉପଜାତିଙ୍କ ଭିତରେ ନୟନା ଜେଷ୍ଟ ଅନ୍ୟତମ ଥିଲା । ପରିସ୍ଥିତି ଭୟଙ୍କର ଅବସ୍ଥା ଧରିବାର ଦେଖି, ସେ କେଉଁ ଫାଙ୍କରେ ସେଠାରୁ ଖସି ପଳାଇଲା ।

 

ଜୀବନ ଉପରେ ଜେଷ୍ଟର ବିତୃଷ୍ଣା ଆସିଲା । ସେ ଉପଲବ୍ଧି କଲା, ସେ ଏହି ଦୁନିଆରେ ଖୁବ୍ ବେଶୀ ଦିନ ରହିଲାଣି । ତେଣୁ ସେ ସ୍ଥିର କଲା, ନିଭୃତରେ ସମୁଦ୍ରର ବକ୍ଷରେ ବସି ତାହାର ଜୀବନର ଦୀପଟି ଥରେ ଜଳାଇ ଖତମ କରିଦେବ । ସେହି ଜଳନ୍ତା ମହମବତୀଟା ହାତରେ ଧରି ଜେଷ୍ଟ ଡିଙ୍ଗୀରେ ଉଠିଲା । ଡିଙ୍ଗୀଟି ଧୀରେ ଧୀରେ ସେହି ଅନନ୍ତ ବିଶାଳ ନୀଳ ସମୁଦ୍ରର ମଝିକୁ ଆଗେଇ ଗଲା ।

 

ଏଣେ ରୋମ ସାମ୍ରାଜ୍ୟର ପତନ ପରେ ଅସଭ୍ୟ ବର୍ବର ଉପଜାତିମାନେ ଧୀରେ ଧୀରେ ଉତ୍ତର ଦିଗରୁ ସେଠାକୁ ଚାଲି ଆସିଲେ ଏବଂ ଚାରିଆଡ଼େ ଖେଳି ଗଲେ । କ୍ରମେ କ୍ରମେ ସେମାନେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହେଲେ ।

 

ସେଠାରୁ ଆସିଲାବେଳେ ସେମାନେ ଗୋଟିଏ ପ୍ରାଚୀନ ଜାହାଜ ସାଙ୍ଗରେ ଆଣିଥିଲେ । ସେମାନେ ସେହି ଜାହାଜଟିକୁ ମାଟି ଉପରେ ଓଲଟାଇ ବସାଇ ଦେଲେ । ତାହା ଗୋଟିଏ ଗଥିକ ଧର୍ମମନ୍ଦିର ପରି ଦିଶିଲା । ସୃଷ୍ଟି ହେଲା ଗୀର୍ଜା ।

 

ଉତ୍ତର ଦିଗରୁ ଆଗତ ସେହି ଅସଭ୍ୟ ଉପଜାତିଙ୍କ ଭିତରୁ କ୍ରମେ କ୍ରମେ ଗୋଟିଏ ନୂତନ ସମ୍ପ୍ରଦାୟ ସୃଷ୍ଟି ହେଲା । ସେହି ହେଉଛି ପ୍ରଥମ ସଭ୍ୟ ଜାତି । ତାହାର ନାମକରଣ ହେଲା ଲାଙ୍ଗେବାର୍ଡ଼ସ ।

 

କ୍ରିଷ୍ଟୋଫାର କଲମ୍ୱସ ହେଉଛନ୍ତି ସେହି ଲାଙ୍ଗେବାର୍ଡ଼ସ ସମ୍ପ୍ରଦାୟର ଜଣେ ବିଶିଷ୍ଟ ଉତ୍ତରାଧିକାରୀ । ଉତ୍ତର କାଳରେ ସେ ହୋଇଥିଲେ ଆଧୁନିକ ସଭ୍ୟତାର ଅଗ୍ରଗତିର ପ୍ରଥମ ଦୂତ-। ତାଙ୍କର ପ୍ରଚେଷ୍ଟାରେ ସମୁଦ୍ରର ଅପର ଦିଗରେ ପ୍ରଥମେ ନୂତନ ଦେଶର ବିସ୍ମୟକର ଆବିଷ୍କାର ହୋଇଥିଲା ।

 

କଲମ୍ବସ ନିଜକୁ ସଭ୍ୟର ପ୍ରତୀକ ବୋଲି ମନେକରୁଥିଲେ । ଯୀଶୁଙ୍କ ମହିମା ପ୍ରଚାର କରିବା ପାଇଁ ତାଙ୍କର ଆବିର୍ଭାବ ହୋଇଛି ବୋଲି ସେ ମନେମନେ ଭାବୁଥିଲେ ।

 

ସମୁଦ୍ର ଯାତ୍ରା ପୂର୍ବରୁ ଯେତେବେଳେ ତାଙ୍କର ସଙ୍ଗୀମାନେ ମଦ୍ୟପାନରେ ମାତୁଥିଲେ, ସେତେବେଳେ କଲମ୍ବସ ଆତ୍ମସମାହିତ ହୋଇ ଗୀର୍ଜାରେ ଭଗବାନଙ୍କୁ କରୁଣ ସ୍ଵରରେ ପ୍ରାର୍ଥନା କରୁଥିଲେ। ଭଗବାନଙ୍କ ଉପରେ ତାଙ୍କର ଅଗାଧ ବିଶ୍ଵାସ ଥିଲା । ନିଜର ମହତ ପ୍ରଚେଷ୍ଟାର ସଫଳତା ଉପରେ ତାଙ୍କର ଯଥେଷ୍ଟ ଆସ୍ଥା ଥିଲା । ତାହାଙ୍କଠାରେ ନେତାର ଉପଯୁକ୍ତ ଶକ୍ତି ଓ ସାହସ ନିହିତ ଥିଲା । ସେହି ଅମାନୁଷିକ ଶକ୍ତି ସେ ଉତ୍ତରାଧିକାର ସୂତ୍ରରେ ଲାଭ କରିଥିଲେ ।

 

ଏକଦା କଲମ୍ବସଙ୍କର ଜାହାଜ ଯାଇ ଅଚାନକ ଓୟେଷ୍ଟଇଣ୍ଡିଜର ଘାଟରେ ଲାଗିଲା । ସେଠାରେ ପହଞ୍ଚି କଲମ୍ବସ ଜାଣିପାରିଲେ ଯେ ତାହାଙ୍କ ଆଗରୁ ଆଉ କେହି ସେହି ଜାଗାରେ ଉପସ୍ଥିତ ହୋଇସାରିଛି । ଏହା ଜାଣିପାରି କଲମ୍ବସ ଅବାକ୍‍ ଓ ହତାଶ ହେଲେ । ଅଗତ୍ୟା ସେ ନିଜ ଦଳର ଦଳପତି ପଦ ପାଇ ସନ୍ତୋଷ ଓ ସୁଖରେ ଦିନ ଯାପନ କରିବାକୁ ଲାଗିଲେ ।

 

 

ବଡ଼ ଅଜବ କଥା ଯେ କଲମ୍ବସଙ୍କର ଉତ୍ତର କାଳର ଦୁଇଜଣ ଦୁଃସାହସୀ ନେତା କର୍ଟେଜ ଓ ପିଜାରୋ ସେହି ସ୍ଥାନରେ ୟୁରୋପୀୟ ସଭ୍ୟତାର ବିବର୍ତ୍ତନ ନିମନ୍ତେ ଯଶ ଓ ଗୌରବର ଅଧିକାରୀ ହେଲେ ।

 

ସେହି ନେତା ଦୁହିଁଙ୍କୁ ଅବଶ୍ୟ ପ୍ରସ୍ତର ଯୁଗର ଶେଷ ଉପଜାତିମାନଙ୍କ ବିରୁଦ୍ଧରେ ସାମନା ସାମନି ଛିଡ଼ା ହେବାକୁ ପଡ଼ିଥିଲା । ସେମାନେ ବହୁ ବିପଦର ସମ୍ମୁଖୀନ ହୋଇଥିଲେ । ସେତେବେଳେ ଆମେରିକାରେ ଅସଭ୍ୟ ଉପଜାତିମାନେ ଦଳ ଦଳ ହୋଇ ସ୍ୱଚ୍ଛନ୍ଦରେ ଘୂରି ବୁଲୁଥିଲେ । ସେମାନଙ୍କ ଦୌରାତ୍ମ୍ୟରେ ସେଠାରେ ୟୁରୋପୀୟ ସଭ୍ୟତାର ବିକାଶ ହୋଇପାରିଲା ନାହିଁ ।

 

କର୍ଟେଜ ମେକ୍ସିକୋକୁ ପଳାଇଯାଇ ଦେଖିବାକୁ ପାଇଲା ଯେ ସେଠାରେ ଲୋକମାନେ ଆଗ୍ନେୟଗିରିକୁ ପୂଜା କରୁଛନ୍ତି । ନରବଳି ସେହି ପୂଜାର ପ୍ରଧାନ ଉପଚାର ଥିଲା ।

 

ନୂତନ ପୃଥିବୀରେ କଲମ୍ୱସ ଯେଉଁଠାକୁ ଯାଉଥିଲେ, ସେଠାରେ ସେ ଆଲୁଅ ଓ ନିଆଁର ବ୍ୟବହାର ଦେଖିପାରୁଥିଲେ–ସବୁଠି ଅଗ୍ନିର ପୂଜା ।

 

ତେଣେ ଶ୍ଵେତକାୟମାନଙ୍କୁ ଦେଖି ଲୋହିତ ଭାରତୀୟମାନେ ପ୍ରଥମେ ଭାବିଲେ, ବୋଧହୁଏ ସେମାନଙ୍କର ଆରାଧ୍ୟ ଦେବତା ସୂର୍ଯ୍ୟଦେବ ଧରଣୀରେ ଅବତୀର୍ଣ୍ଣ ହୋଇଛନ୍ତି ।

 

କିନ୍ତୁ ଲୋହିତ ଭାରତୀୟମାନଙ୍କର ଏହି ଧାରଣ କାଟିବାକୁ ଅବଶ୍ୟ ବେଶୀ ସମୟ ଲାଗିଲା ନାହିଁ । ଫଳରେ, ପ୍ରଥମେ ଯେଉଁମାନେ ୟୁରୋପରୁ ସଭ୍ୟତାର ନିଶାଣ ଘେନି ସେଠାକୁ ଆଗଭର ହୋଇ ଯାଇଥିଲେ, ସେମାନଙ୍କ ଭିତରୁ ଅଧିକାଂଶ ମେକ୍ସିକୋବାସୀଙ୍କର ଆରାଧ୍ୟ ଦେବତାଙ୍କର ବେଦୀ ତଳେ ବଳିପଡ଼ିଲେ । କେବଳ ମେକ୍ସିକୋରେ ନୁହେଁ, ସେତେବେଳେ ଦକ୍ଷିଣ ୟୁରୋପର ଅବସ୍ଥା ମଧ୍ୟ ତଦ୍ରୂପ ଥିଲା ।

 

ମେକ୍ସିକୋରେ ନୂତନ ଜଗତ ସହିତ ପ୍ରଥମ ସଂଘାତ ଆରମ୍ଭ ହୋଇଥିଲା । ସେଠାରେ ଆଦିମ ଅସଭ୍ୟ ଓ ସଭ୍ୟ ସମାଜ ଭିତରେ ପ୍ରଚଣ୍ଡ ଲଢ଼େଇ ଲାଗିଥିଲା । ଫଳରେ, ୟୁରୋପୀୟ ସଭ୍ୟତାର ଅଗ୍ରଗତି ବାଧା ପାଇଲା ଏବଂ ଆଉ ଆଗେଇ ପାରିଲା ନାହିଁ ।

 

କିନ୍ତୁ ସଭ୍ୟତାର ସ୍ରୋତ ଲୋହିତ ଭାରତୀୟ ବାଧାକୁ ଉତ୍ତର ଦିଗକୁ ଭସାଇ ନେଇଗଲା । ତେଣେ ଓୟେଷ୍ଟଇଣ୍ଡିଜରେ ବ୍ୟାପକ ମହାମାରୀ ଫଳରେ ସେଠାକାର ଅଧିବାସୀମାନେ ଦଳ ଦଳ ହୋଇ ପୋକ ମାଛିପରି ଚାରିଆଡ଼େ ପଡ଼ି ମଲେ । ନୂତନ ସଭ୍ୟତା ସେଠାକାର ସବୁ ମଳୀନତାକୁ ଧୋଇ ଦେଲା ।

 

ସେତେବେଳେ ସୁଦ୍ଧା ମେକ୍ସିକୋରେ ଲଢ଼େଇ ସରିନଥିଲା । ଇଗଲ ପକ୍ଷୀ ସାପ ଉପରେ ଚଢ଼ାଉ କଲା ଭଳି କର୍ଟେଜର ନେତୃତ୍ଵରେ ୟୁରୋପୀୟ ସୈନ୍ୟମାନେ ସେଠାରେ ଆକ୍ରମଣ ଆରମ୍ଭ କଲେ । ଅସଭ୍ୟ ହିଂସ୍ର ବିଷଧର ସାପର ତେଜ କମ୍ ନଥିଲା । ସେମାନେ ପରାଜୟ ସ୍ଵୀକାର କରିବାକୁ ଚାହିଁଲେ ନାହିଁ ।

 

କିନ୍ତୁ ଏକ ସମୟରେ ସେମାନଙ୍କୁ ଜଣେ ସ୍ତ୍ରୀଲୋକର ସାଙ୍ଘାତିକ ବିଶ୍ୱାସଘାତକତା ଯୋଗୁଁ ଶେଷରେ ପରାଜୟ ସ୍ଵୀକାର କରିବାକୁ ହେଲା ।

 

ଇତିମଧ୍ୟରେ ବହୁ ବର୍ଷ ବିତିଗଲା !

 

ଆସିଲେ ଜଣେ ନବଯୁବକ । ପ୍ରାଣୀବିଜ୍ଞାନୀ ଡାରଉଇନ । ମଣିଷର ଅତୀତ ଯାତ୍ରାପଥରୁ ବର୍ତ୍ତମାନକୁ ଏବଂ ବର୍ତ୍ତମାନରୁ ଭବିଷ୍ୟତ ଅଗ୍ରଗତିର ଇଙ୍ଗିତ ଘେନି ସେ ଆସି ପହଞ୍ଚିଲେ ।

 

ତାଙ୍କର ସମକାଳୀନ ଲୋକମାନେ ଦେଖି ପାରିଲେ, ସତେଯେମିତି ଜଣେ ଅଭିଶପ୍ତ ନାବିକ ସମୁଦ୍ରର ବକ୍ଷ ଭେଦ କରି ଅନନ୍ତ ଯାତ୍ରାର ପଥରେ ଅଗ୍ରସର ହେଉଛି । ସେମାନେ ଆହୁରି ଭାବିଲେ, ହୁଏତ ତାହାକୁ ଚିରଦିନ ଏମିତି ଭାବରେ ମଣିଷର ଅନନ୍ତ ଯାତ୍ରାର ଦୂତ ହୋଇ ଚାଲିବାକୁ ପଡ଼ିବ, କିମ୍ବା ସେ ମଣିଷର ପରିସମାପ୍ତି ପଥର ଇଙ୍ଗିତ ଜଣାଇଦେଇ ଯାଉଛି ।

Image

 

ଲେଖକ ପରିଚୟ

 

ଓସାମୁ ଦାଜାଇ :

 

ପ୍ରତିଭାଶାଳୀ ଜାପାନୀ ସାହିତ୍ୟିକ ଓସାମୁ ଦାଜାଇ (୧୯୦୯–୧୯୪୮), ସମ୍ଭ୍ରାନ୍ତ ଜମିଦାର ବଂଶର ମେଧାବୀ ସନ୍ତାନ, ଟୋକିଓ ବିଶ୍ୱବିଦ୍ୟାଳୟରେ ପ୍ରାୟ ପାଞ୍ଚ ବର୍ଷ କାଳ ଫରାସୀ ସାହିତ୍ୟ ବିଭାଗରେ କେବଳ ନାମ ଲେଖାଇ ରଖି ଏଣେ ସାହିତ୍ୟଚର୍ଚ୍ଚା ଓ ବାମପନ୍ଥୀ ଆନ୍ଦୋଳନରେ ମାତି ଶେଷକୁ ୧୯୩୫ରେ ସେଠାରୁ ବିଦାୟ ନେଲେ । ଇତିମଧ୍ୟରେ ତାଙ୍କର ଛୋଟ ଗପସବୁ ଅତିଶୟ ଜନପ୍ରିୟ ହୋଇଥିଲା । ସେଗୁଡ଼ିକରେ ତାଙ୍କର ଉଦ୍ଭାବନୀ ଶକ୍ତି ଓ ବୁଦ୍ଧିମତ୍ତାର ପରିଚୟ ମିଳିଥିଲେ ସୁଦ୍ଧା ତାଙ୍କର ପ୍ରତିଭାର ସମ୍ପୂର୍ଣ୍ଣ ବିକାଶ ହେଲା ଦ୍ଵିତୀୟ ମହାଯୁଦ୍ଧ ପରେ । ୧୯୪୭ରେ ତାଙ୍କର ଅଦ୍ଵିତୀୟ ଉପନ୍ୟାସ ‘‘ସୂର୍ଯ୍ୟାସ୍ତ” ପ୍ରକାଶିତ ହେଲା । ସଙ୍ଗେ ସଙ୍ଗେ ସାହିତ୍ୟ ରସିକ ସମାଜରେ ଏକ ଅଭୂତପୂର୍ବ ଆଲୋଡ଼ନ ସୃଷ୍ଟି ହେଲା । ଅତି ଅଳ୍ପ ସମୟ ଭିତରେ ସେ ପ୍ରଭୂତ ସାହିତ୍ୟିକ ଖ୍ୟାତି ଅର୍ଜନ କରିଥିଲେ, ମାତ୍ର ସାଂସାରିକ ସୁଖରେ ଅଂଶଗ୍ରହଣ କରିପାରିଲେ ନାହିଁ । ସେ ଜାପାନରେ ରାଁବୋ ନାମରେ ଖ୍ୟାତ ହୋଇଥିଲେ । ଏହି ଜଗତରୁ ବିଦାୟ ନେବା ପାଇଁ ଏକାଧିକ ବାର ଚେଷ୍ଟା କରି ସେ ସଫଳ ହୋଇପାରିନଥିଲେ । ଅବଶେଷରେ ୧୯୪୮ର ଜୁନ୍‍ ୧୯ ତାରିଖରେ ତାମାଗାଓୟା ଜଳାଧାରରେ ସେ ନିଜର ରୋଗଜୀର୍ଣ୍ଣ ଶରୀରକୁ ବିସର୍ଜନ ଦେଇଥିଲେ । ତାଙ୍କର ଅନ୍ୟାନ୍ୟ ପ୍ରଧାନ ଗ୍ରନ୍ଥ–‘‘ଭିଲନ୍ସ ଓୟାଇଫ୍” “ଅଧୋଗାମୀ ବର୍ଷଗୁଡ଼ିକ”, “ବାତିଲ”, “ଗୁଡ଼ବାଇ”, ଇତ୍ୟାଦି ।

 

ସଂକ୍ଷିପ୍ତ ଉପନ୍ୟାସ : “ଦି ସେଟିଂ ସାନ”

 

ସୁନ୍ଦରୀ ଆସାନଦାସ ଉତ୍ତମଚାନ୍ଦାନୀ :

 

ସିନ୍ଧୀ ଭାଷାର ବିଶିଷ୍ଟ ଲେଖିକା ସୁନ୍ଦରୀ ଆସାନ ଦାସ ଉତ୍ତମ ଚାନ୍ଦାନୀ (୧୯୨୪) ସିନ୍ଧୁପ୍ରଦେଶର ହାଇଦ୍ରାବାଦଠାରେ ଜନ୍ମଗ୍ରହଣ କରି ବିଶ୍ଵବିଦ୍ୟାଳୟରୁ କଳାରେ ଉପାଧି ଲାଭ କରିଥିଲେ । ଭାରତ ବିଭାଜନ ପରେ ସେ ନିଜର ପରିବାର ସହ ପାକିସ୍ଥାନରୁ ଚାଲି ଆସି ବମ୍ବେରେ ବସବାସ କଲେ । ତାଙ୍କର ପ୍ରଥମ ଉପନ୍ୟାସ “କିରାନ୍ଦେର ଦେବରୁଣ” ୧୯୫୩ରେ, କାହାଣୀ ସଂକଳନ “କୋଶା” ୧୯୫୪ରେ ଏବଂ ଅନ୍ୟତମ ପ୍ରସିଦ୍ଧ ଉପନ୍ୟାସ “ପ୍ରୀତ ପୁରାନି ରାତ ନିରାଲୀ” ୧୯୫୬ରେ ପ୍ରକାଶିତ ହେଲା । କବିତା ସଂଗ୍ରହ “ଶାନ୍ତିର ଆହ୍ଵାନ”ର ସିନ୍ଧୀ ଅନୁବାଦ (ଅମନ ସାଦେ ପିୟୋ) ନିମନ୍ତେ ୧୯୬୬ରେ ତାହାଙ୍କୁ ସୋଭିୟଟ ଦେଶ ନେହେରୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

 

ସଂକ୍ଷିପ୍ତ ଉପନ୍ୟାସ : “ନାୟିକାର ନାମ ରେଖା”

 

ଜୋହାନେସ ଭିଲହେମ ଜେନସେନ :

 

ଡେନମାର୍କର ପ୍ରଖ୍ୟାତ ସହିତ୍ୟିକ ଜୋହାନେସ ଭିଲହେମ ଜେନସେନ (୧୮୭୩–୧୯୫୦) ଯଥା ସମୟରେ ବିଦ୍ୟାଳୟର ପାଠ ଶେଷ କରି କୋପେନହେଗେନ ବିଶ୍ଵବିଦ୍ୟାଳୟରେ ଚିକିତ୍ସାଶାସ୍ତ୍ର ବିଭାଗରେ ଭର୍ତ୍ତି ହେଲେ । କିନ୍ତୁ କିଛି ଦିନ ପରେ ଅଧ୍ୟୟନ ପରିତ୍ୟାଗ କରି ସେ ସାହିତ୍ୟରେ ମନୋନିବେଶ କଲେ । ଡେନମାର୍କର ସାହିତ୍ୟଭଣ୍ଡାର ତାଙ୍କର ଷାଠିଏ ଖଣ୍ଡ ପୁସ୍ତକରେ ସମୃଦ୍ଧ । ସେ କାବ୍ୟ, ନାଟକ, ଛୋଟ ଗପ ଓ ଉପନ୍ୟାସରେ ସିଦ୍ଧହସ୍ତ ଥିଲେ । ତାଙ୍କର ଶ୍ରେଷ୍ଠ ଉପନ୍ୟାସ “ଦୀର୍ଘ ଯାତ୍ରା” ଛଅ ଖଣ୍ଡରେ ଦୀର୍ଘ ତେର ବର୍ଷ ଭିତରେ କ୍ରମେ କ୍ରମେ ପ୍ରକାଶିତ ହୋଇଥିଲା (୧୯୦୯–୨୬) । ପରେ ଏହା ଇଂରେଜୀରେ ତିନି ଖଣ୍ଡରେ ଅନ୍ଵଦିତ ହେଲା । ଏହି ମହାକାବ୍ୟଧର୍ମୀ ଉପନ୍ୟାସ ଖାଲି ଡେନମାର୍କରେ ନୁହେଁ; ବିଶ୍ୱସାହିତ୍ୟରେ ଏକ ଅମୂଲ୍ୟ ସମ୍ପଦ । ପ୍ରଧାନତଃ ଏଥିପାଇଁ ତାହାଙ୍କୁ ୧୯୪୪ରେ ନୋବେଲ ପୁରସ୍କାରରେ ସମ୍ମାନିତ କରାହୋଇଥିଲା । ସାହିତ୍ୟ ସାଧନା ସାଙ୍ଗରେ ସେ ଦେଶ ବିଦେଶ ଭ୍ରମଣ କରିବାକୁ ଖୁବ୍ ସୁଖ ପାଉଥିଲେ ।

 

ସଂକ୍ଷିପ୍ତ ଉପନ୍ୟାସ : “ଦି ଲଙ୍ଗ ଜଜ”

Image